Unknown

 

 

 

 

 

 

 

 

 

 

 

ଅନ୍ତରେ ଅନ୍ତରେ ଭଗବାନ

କଳ୍ପନା କୁମାରୀ ଦେବୀ

 

ସୂଚୀପତ୍ର

 

୧.

ଅନ୍ତରେ ଅନ୍ତରେ ଭଗବାନ

୨.

ସନାତନୀ

୩.

ପୀନ ପୃଥିବୀ

୪.

ଏଠି ବି ଦୀପାଳି ଜଳେ

୫.

ଗୋଟିଏ ପ୍ରେମ ଗଳ୍ପ

୬.

ହେ ମହାନ କଥା କୁହ

୭.

ଅନ୍ୟତମା

୮.

ବିଳମ୍ବିତ ଲୟ

Image

 

ଅନ୍ତରେ ଅନ୍ତରେ ଭଗବାନ

 

ଯାହା କଥା ଲେଖିବି, ଲେଖିବି କି ନାହିଁ, ଅନେକଥର ଚିନ୍ତା କରିଚି । ଗଳ୍ପ, ଉପନ୍ୟାସ ଲେଖିବାକୁଯାଇ ଏକ ଜୀବନ୍ତ ମଣିଷକୁ ଉପଜୀବ୍ୟ କରି ଧରିନେବା, ଆଉ ସେଇ ଧରିନେବାଟା ମାନବିକ ଶିଷ୍ଟାଚାର ସୀମା ଭିତରେ କି ନା, ସେ କଥା ବି ମୁଁ ଅନେକଥର ଚିନ୍ତା କରିଚି । ନିଜ ସହିତ ଯୁକ୍ତି ବି କରିଚି ବହୁଥର । ଯେଉଁମାନେ ଗଳ୍ପ ଉପନ୍ୟାସ ଲେଖନ୍ତି, ସେମାନେ ସାଧାରଣତଃ ଟିକିଏ କଳ୍ପନା ପ୍ରବଣ, କିନ୍ତୁ ନିଜ କଳ୍ପନାର ଚୂଳି ବୁଲେଇ ମହାଶିଳ୍ପୀର ଏକ ପରମ ଶିଳ୍ପ ସତ୍ତାକୁ ବିକଳାଙ୍ଗ କରିଦେବା ଯେ କେତେ ବଡ଼ ନିର୍ବୁଦ୍ଧିତା, ସେ ଜ୍ଞାନ ମୋର ଅଛି, ଭୟ ବି ଅଛି ପୂରାପୂରି-

 

ଯାହା କଥା ଲେଖିବି, ସେ କେଉଁଠି ଅଛି ଜାଣେନା । ସେ ଯଦି ଓଡ଼ିଶାର କେଉଁ ପ୍ରାନ୍ତ ଉପାନ୍ତରେ ଥାଏ, ଆଉ ତା’ ପାଖରେ ମୋର ଏଇ ଗଳ୍ପ ପହଞ୍ଚିପାରେ, ସେ ଭିନ୍ନ ଭାଷୀ ହେଲେ ବି ସୁଖୀ ହେବ । କିନ୍ତୁ ଯେତେବେଳେ ଜାଣିବ, ସେଇହିଁ ମୋ ଗଳ୍ପର ନାୟିକା ସାଜି ଶତାଧିକ ପାଠକଙ୍କ ଆଖିଆଗରେ ନିଜର ନିରାବରଣ ଜୀବନଟାକୁ ମେଲେଇ ଧରିଚି, ସେ କ’ଣ ସୁଖୀ ହେବ-? ଜାଣେନା । ତଥାପି ମୋର ଏଇ ଅର୍ବାଚୀନତା ତାକୁ ଯଦି ଦୁଃଖ ଦିଏ, ସେ ନିଶ୍ଚୟ ମତେ କ୍ଷମା ଦେବ ।

 

ତା’ କଥା ମୁଁ ଲେଖିବି । ତା’ କଥା ଲେଖି ତା’ର ସ୍ମୃତିକି ନିଜ ଭିତରେ ଉଜ୍ଜୀବିତ କରିବାର ପ୍ରବଳତମ ଇଚ୍ଛା ଆଜି ମୋ ମନର ସୀମା ଲଙ୍ଘନ କରିବି । ତା’ର ଏଇ କାହାଣୀ ଭିତରେ ହୁଏତ ମୋର କିଛିଟା ଭାବପ୍ରବଣତା ଦେଖାଦେବ । ଦେଖାଦେବା ବୋଧହୁଏ ଗଳ୍ପର ଧର୍ମ-। ଧର୍ମରକ୍ଷା ନ କଲେ ଚଳିବ ନାହିଁ । ଅନ୍ତତଃ କେତେଟା ଜାଗାରେ ।

 

ସିଏ ଅର୍ଥାତ୍‌ ଗୌରୀ (ଠିକ୍ ନାଁଟା ମୁଁ ଲେଖୁନାହିଁ । ଶବ୍ଦଗତ ଅର୍ଥ ନେଇ ଏଇ ନାଁ ହିଁ ରଖିଲି) ମତେ ଥରେ କହିଲା ଧର୍ମରକ୍ଷା କରି ଚାଲିବା ହିଁ ମାନବିକତା । ଏତେ ବଡ଼ କଥାଟା ସେଦିନ ଗୌରୀ ମୁହଁରୁ ଶୁଣି ମୁଁ ଅବାକ ହେଇଯାଇିଥିଲି, କିନ୍ତୁ ଆଜି ଭାବୁଚି ଅବାକ ହେବାର କିଛି ନଥିଲା । ଲେଖାପାଢ଼ା କରିବାର ଯେତିକି ସୁବିଧା ଗୌରୀ ପାଇଥିଲା, ତା’ର ପ୍ରତିଟି କଣିକାର ସୁଯୋଗ ସେ ନେଇଥିଲା । ଏକତା ମୁଁ ଜାଣିନଥିଲେ ବି ସତ ।

 

ଗୌରୀ ସହିତ ମୋର ପରିଚୟ ହୋଇଥିଲା ପ୍ରାୟ ଆମର ସେଇ ପ୍ରଥମ ଲେଖିକା ଜୀବନରେ । ଆମ ପାଖ ଘରକୁ ସେମାନେ ଭଡ଼ାଟିଆ ହେଇ ଆସିଥିଲେ । ପ୍ରଥମେ ଦିନେ ଦି’ଦିନ ସେମାନଙ୍କୁ ଦେଖିପାରିନଥିଲି । ବେଳେ ବେଳେ ପୁରୁଷ କଣ୍ଠର ତେଲୁଗୁ କଥା ଶୁଣି କେମିତି ବେଖାପ ମନେହେଉଥିଲା । କିନ୍ତୁ ମନରେ କୌଣସି ଦ୍ୱନ୍ଦ୍ୱ ନଥିଲା । ସେମାନେ ଭିନ୍ନଭାଷୀ ପଡ଼ିଶା, ଏତିକି ମାତ୍ର । ତା’ଠାରୁ ଅଧିକା ଗୋଟାଏ କଥାର ପ୍ରଶ୍ନ ସୁଦ୍ଧା ଉଠିନଥିଲା ।

 

କିନ୍ତୁ ଗୌରୀକି ପ୍ରଥମ କରି ଯେଉଁଦିନ ଦେଖିଲି, ମୁଁ ଯେ କୌତୂହଳୀ ହୋଇଉଠିଥିଲି, ଏକଥା ମୁଁ ଆଜି ସ୍ୱୀକାର ନ କରି ରହିପାରୁ ନାହିଁ । କୌତୂହଳୀ ହେବାର କାରଣ ଥିଲା ତା’ର ବେଶଭୂଷା । ସ୍ୱାମୀର ତେଲଗୁ ଭାଷା ସହିତ ସେ ବେଶଭୂଷାର ଯେମିତି କୌଣସି ସାମଞ୍ଜସ୍ୟ ନଥିଲା ।

 

ଆଗରୁ ଯେତେ ତେଲଙ୍ଗା ପୁରୁଷ ଦେଖିଥିଲି, ଗୌରୀ ସ୍ୱାମୀଟିର ସେମାନଙ୍କ ସହିତ ଯଥେଷ୍ଟ ମେଳ ଥିଲା । ବଳିଷ୍ଠ ଘନ କଳା ଚେହେରା ସହିତ ରୁକ୍ଷ ଭାବଭଙ୍ଗୀ, ରୂଢ଼ କଥାବାର୍ତ୍ତା ଯେପରି ଖାପ ଖାଇ ଯାଉଥିଲା । କିନ୍ତୁ ସ୍ତ୍ରୀଟି ଯେ ଏକବାର ସ୍ୱତନ୍ତ୍ର ।

 

ସେତେବେଳେ ଗୌରୀ ନାଁଟା ମୋର ଜଣାନଥିଲା । ଜଣାଥିଲେ ହୁଏତ ପ୍ରଥମ କଥା କହିବାକୁ ଯାଇ, ମୁଁ ପଚାରି ଦେଇଥାଆନ୍ତି, ଆପଣଙ୍କ ନାଁ ଶ୍ୟାମା ନ ଦେଇ ଗୌରୀ କିଏ ଦେଲା ?

 

ସେ ଯାହାହେଉ ଗୌରୀକି ସେଦିନ ଆମ ଗେଟ୍ ପାର ହେବାର ଦେଖି ମୁଁ ଅବାକ ହେଇଯାଇଥିଲି, କିନ୍ତୁ ସେତିକି ନୁହେଁ ଆଉରି ବଡ଼ ବିସ୍ମୟ ଯେମିତି ମୋ ପାଇଁ ଅପେକ୍ଷା କରି ରହିଥିଲା । ଗୌରୀ ପାଖକୁ ଆସି ପରିଷ୍କାର ବଙ୍ଗଳା ଭାଷାରେ କହିଲା, ଗପ କରିବାକୁ ଆସିଲି । ଏକା ଏକା ନିଶ୍ୱାସ ବନ୍ଦ ହୋଇଯାଉଚି । ଆପଣଙ୍କର କିଛି ଅସୁବିଧା ହେବନି ତ ?

 

ନା, ନା, ମୁଁ ପ୍ରତିବାଦ କରିଉଠିଲି । କିନ୍ତୁ ତା’ପରର କଥା ଆଉ ମୋ ମୁହଁରେ ଆସିଲା ନାହିଁ । ଲେଖି ପଢ଼ି ଜାଣିଥିଲେ ବି ବଙ୍ଗଳା କହି ଶିଖିବାର ସୁବିଧା ମୁଁ କେବେ ପାଇନାହିଁ । ତଥାପି ପଢ଼ିଥିବା କେତେଗୁଡ଼ିଏ ଶବ୍ଦ, ମୁଁ ମନେ ମନେ ମନ୍ଥନ କରି ବଙ୍ଗଳାରେ କହିଲି, ଆସନ୍ତୁ ! ମୋ ପଛେ ପଛେ ଖୁସି ହେଇ ଗୌରୀ ଭିତରକୁ ଆସିଲା । କିନ୍ତୁ ମୋର ବିସ୍ମୟତା ବଢ଼ି ଚାଲିଥିଲା । ଅନ୍ୟମାନଙ୍କର କୌତୂହଳୀ ଦୃଷ୍ଟିବି ଗୌରୀ ଆଡ଼େ ସପ୍ରଶ୍ନ ହେଇ ଅନେଇ ରହିଥିଲା ।

 

ଗୌରୀ ଅନେକ କଥା କହୁଥିଲା ଆଉ ମୃଦୁ ହସୁଥିଲା । ହାସ୍ୟଟାବି ଚମତ୍କାର । ଗୌରୀ ନ ହେଲେ କ’ଣ ହେଲା, ଗୌରୀର ଶ୍ୟାମ ରୂପ ଯେପରି ସମଗ୍ର ପରିବେଶଟାକୁ ଆଲୋକିତ କରି ଦେଇଥିଲା । ମୁଁ ମୁଗ୍‌ଧ ହେଇ ଯାଇଥିଲି ।

 

ଗୌରୀର କଥା ବୁଝିବା ମୋ ପକ୍ଷେ କଷ୍ଟ ନଥିଲା । ମୁଁ କିନ୍ତୁ ତା’ କଥା ଶୁଣୁନଥିଲି । ଉପାସୀ ମଣିଷ ପରି ଅପଲକ ଆଖିରେ ଅନେଇ ରହିଥିଲି । ଗୌରୀର ରୂପ, କଥା କହିବାର ଭଙ୍ଗୀ, ଆଖିର ସ୍ନିଗ୍‌ଧ ଜ୍ୟୋତି, ସେଦିନ ସେଇ ପ୍ରଥମ ଦେଖାର ମୁହୂର୍ତ୍ତରେ ମୋର ମନେହେଉଥିଲା ଅଦ୍ଭୁତ । ଏଇ ସ୍ନିଗ୍‌ଧତା ଆଉ ଯେ କେବେ ଦେଖିଚି, ତା’ ମନେ ହେଇନଥିଲା ।

 

ଆଜି ବି ଠିକ୍‌ ସେଇଆ । ଓଡ଼ିଶା ଛାଡ଼ି ମୁଁ ଆଜି ବହୁ ଦୂରରେ, ଗୌରୀ ବି କେଉଁଠି ଜାଣେନା । କିନ୍ତୁ ତା’ର ସେଇ ଉଲ୍ଲସିତ ଯୌବନଶ୍ରୀକି ମୁଁ ଭୁଲିପାରିନାହିଁ । ପୁରୁଷ ହେଇଥିଲେ ହୁଏତ ନୀତି କଥାର ସମସ୍ତ ବାକ୍ୟ ଭୁଲି ମୁଁ ଗୌରୀ ପାଖରେ ପ୍ରେମ ନିବେଦନ କରି ବସି ଥାଆନ୍ତି, କିନ୍ତୁ ଦୁର୍ଭାଗ୍ୟ ।

 

କ୍ରମେ ଗୌରୀ ସହିତ ମୋର ଘନିଷ୍ଠତା ଆସି ଯାଇଥିଲା । ଘନିଷ୍ଠତା କହିଲେ, ଠିକ୍‌ ହେବ ନାହିଁ । ସମ୍ପର୍କଟା ଆସ୍ତେ ଯେପରି ଏକ ସ୍ୱାଭାବିକ ପଥ ଧରି ଆଗେଇ ଚାଲିଥିଲା । ମୁଁ ଯାଉନଥିଲି ସତ, ଗୌରୀ ପ୍ରାୟ ଆସୁଥିଲା । ସୁବିଧା ପାଇଲେ ମୋ ସହିତ ବୁଲି ବି ଯାଉଥିଲା । ଆମେ ଯେତେବେଳେ ସହରର ସୀମା ଛାଡ଼ି, ନଈ କୂଳ କିମ୍ବା ଗାଁର ଧୂଳିପଥ ଧରି ଆଗେଇ ଚାଲୁ, ଗୌରୀ ସେତେବେଳେ ଉନ୍ମନା ହେଇପଡ଼େ । ତୃଷିତ ଆଖିରେ ଦୂର ତାଳ ତମାଳ ଆଡ଼େ ଅନେଇ ରହେ । ନ ହେଲେ ପକ୍ଷୀ ଦମ୍ପତ୍ତିର ରତି ବିଳାସଆଡ଼େ ଅନେଇ ଅନେଇ ମୁହଁରେ ଶବ୍ଦ କରି ଉଠେ ଆଃ...... ।

 

ତା’ର ଏଇ ବିହ୍ୱଳ ସ୍ୱର ମୋ ଭିତରେ ପ୍ରତିଧ୍ୱନି ତୋଳିଲେ ବି ମୋର ପ୍ରଶ୍ନାକୁଳ ମନ ଜିଜ୍ଞାସୁ ହେଇଉଠେ । କିନ୍ତୁ ମୁଁ କିଛି ପଚାରି ପାରେନା ।

 

ଆଉରି ଆଶ୍ଚର୍ଯ୍ୟ ଗୌରୀ ମତେ କେବେ ନିମନ୍ତ୍ରଣ କରେନାହିଁ । କରିଥିଲେ ମୁଁ ଯେ ଯାଇଥାଆନ୍ତି ତା’ ନୁହେଁ । ଗୌରୀ ଘର ପ୍ରତି କାହିଁକି କେଜାଣି ମୋର ବିରାଗ ଆସିଯାଇଥିଲା । ତା’ ସ୍ୱାମୀ ଭଦ୍ର ଲୋକଟିକି ମୁଁ ଆଦୌ ପସନ୍ଦ କରିପାରୁନଥିଲି । ଗୌରୀ ଅବଶ୍ୟ ସ୍ୱାମୀ ପ୍ରଶଂସାରେ ଶତମୁଖ ।

 

ବାଟ ଚାଲୁ ଚାଲୁ, ନ ହେଲେ ଘରେ ବସି ବସି ଗୌରୀ ଗଳ୍ପ କରେ । ଆମ ଘରେ ମୋ ପାଇଁ ସ୍ୱତନ୍ତ୍ର ଘର ଥିଲା, ସେଥିପାଇଁ ଗଳ୍ପରେ କୌଣସି ବାଧା ପଡ଼େନାହିଁ । ମୁଁ ବି ସେତେବେଳକୁ ଅଳ୍ପ ଅଳ୍ପ ବଙ୍ଗଳା ବହି ଶିଖିଚି । ଅବଶ୍ୟ ଗୌରୀର କଥା କହିବାଟା ହିଁ ସବୁଦିନେ ବେଶି ।

 

ସେତେବେଳକୁ ଗୌରୀର ଅନେକ କଥା ମୁଁ ଜାଣିଯାଇଚି । ଗୌରୀ ନିଜେ ସ୍ୱାମୀ ପସନ୍ଦ କରିଥିଲା । ବାଧା ଯେ ଆସିନଥିଲା ତା’ ନୁହେଁ, କିନ୍ତୁ ଦୁହିଁଙ୍କ ଭଲପାଇବା ସବୁକୁ ଜୟ କରିନେଇଥିଲା । ଆଜି ଆଉ ସେମାନେ ଏକ ନୁହଁନ୍ତି । ଚାରିପଟ ଘେରି ଆତ୍ମିୟସ୍ୱଜନ ତ ଅଛନ୍ତି । ତା’ ଛଡ଼ା ଗୌରୀ ମା’ ହେଇଚି । ଦଶବର୍ଷର ଝିଅ ମୋନା ଦାର୍ଜିଲିଂ କନ୍‌ଭ୍ୟାଣ୍ଟରେ ପଢ଼େ ।

 

ସ୍ୱାମୀ ଓଡ଼ିଶା ସରକାରଙ୍କର ଉଚ୍ଚପଦସ୍ଥ କର୍ମଚାରୀ । ଅନେକ ଟଙ୍କା, ଅନେକ ସମ୍ମାନ-। ଗୌରୀର ଜୀବନ ଆଜି ପରିପୂର୍ଣ୍ଣ । ସେଠି ଆଜି କୌଣସି ଅଭାବ ନାହିଁ, କୌଣସି ତ୍ରୁଟି ନାହିଁ ।

 

ସତରେ କ’ଣ କୌଣସି ଅଭାବ ନାହିଁ ? ଗୌରୀର ଉଦ୍‌ଭାସିତ ଚେହେରାଟାକୁ ଆପାଦ ମସ୍ତକ ନିରୀକ୍ଷଣ କରି ମୁଁ ନିଜକୁ ଅନେକଥର ପ୍ରଶ୍ନ କରିଉଠେ । ଗୌରୀ ବି ପ୍ରଶ୍ନ କରିବାକୁ ବ୍ୟଗ୍ର ହେଇଉଠେ, କିନ୍ତୁ ସେପର୍ଯ୍ୟନ୍ତ ମୋର ସଞ୍ଜମ ବୁଦ୍ଧି ମତେ ଆଗେଇ ଦିଏ ନାହିଁ । ଏକ ଅବ୍ୟକ୍ତ ନିଷେଧାଜ୍ଞର ଅନୁଭୂତି ମୋର ତୀକ୍ଷ୍‌ଣ ହେଇଉଠେ । ମନେହୁଏ ଗୌରୀ ଯେପରି ନିଜ ମନର ଗଭୀର କ୍ଷତଟାକୁ ସଯତ୍ନରେ ଘୋଡ଼େଇ ରଖିବାକୁ ଚାହେଁ ।

 

କିନ୍ତୁ ଦିନ ଦିନ ଧରି ସେଇ କ୍ଷତଟା ମୋ ଆଗରେ ଯେପରି ନିରାବରଣ ହେବାକୁ ଲାଗିଲା । ସ୍ପଷ୍ଟ ନ ହେଲେ ବି ମୁଁ ଆସ୍ତେ ଆସ୍ତେ ବୁଝିଉଠୁଥିଲି ।

 

ସକାଳ, ସନ୍ଧ୍ୟା, ରାତି ଯେତେବେଳେ ସେତେବେଳେ ତେଲଙ୍ଗା ଭଦ୍ରଲୋକଙ୍କର ସେଇ ରୁକ୍ଷ ସ୍ୱର ଆଉରି କର୍କଶ ଶୁଣାଯାଏ । ଅବୋଧ୍ୟ ହେଲେ ବି ଗଳାର କର୍କଶତା ଯେମିତି ମତେ ଅନେକ କିଛି ବୁଝେଇ ଦିଏ । ମଝିରେ ମଝିରେ ଗୌରୀର ଚାପା କାନ୍ଦଣା ବି ଶୁଣିବାକୁ ପାଏ ।

 

ଗୌରୀ କିନ୍ତୁ ସବୁବେଳେ ଅନ୍ୟକଥା କହେ ।

 

ଜାଣ କାଲି ଖୁବ୍‌ ରାଗ କରିଚନ୍ତି ।

 

କାହିଁକି ?

 

ନିଜର ଆଡ଼ ମଇଳା ଶାଢ଼ିଟା ଦେଖେଇ ଗୌରୀ କହେ, ଏଇ ଶାଢ଼ି ଲାଗି । ଏଇ ଧରଣର ଲୁଗା ଜାମା ପିନ୍ଧିଲେ ତାଙ୍କ ପ୍ରେଷ୍ଟିଜ୍‌ରେ ଆଞ୍ଚ ଆସେ ।

 

କଥାଟା କହ ଗୌରୀ ଖିଲ୍‌ ଖିଲ୍‌ କରି ହସିଉଠିଲା । ସେଇ ହସ ପାଇଁ ସେ ଆପ୍ରାଣ ଚେଷ୍ଟା କଲେ ବି ମୋର ମନେହେଲା, ଶ୍ୱେତ ପଥରର ଦୁଇ ସେଟ୍ ଅଳଙ୍କାର ଯେପରି ନିଜର ଉଜ୍ଜଳିମାରେ ନିଜେ ଝକ୍‌ମକ୍ କରିଉଠିଲା ।

 

ଅପୂର୍ବ.... ମୁଁ ସବୁ ଭୁଲି ବାରମ୍ବାର ନିଜ ଭିତରେ କହିଉଠିଲି, ଅପୂର୍ବ..... ।

 

ଗୌରୀ ପ୍ରତି ମୋର କାହିଁକି କେଜାଣି ପକ୍ଷପାତିତ୍ୱ ଥିଲା, ବିଶ୍ୱା ନ କଲେ ବି ତା’ କଥାକୁ ମୁଁ ଅବିଶ୍ୱାସ କରିପାରୁନଥିଲି ।

 

ଗୌରୀ ବୋଧେ ମୋ ପ୍ରଶ୍ନକୁ ଭୟ କରୁଥିଲା, ମୁଁ ହୁଏତ ତା’ର ଫୁଲା ଆକ୍ଷି ତା’ର ବିବର୍ଣ୍ଣ ମୁହଁ ଦେଖି କିଛି ପଚାରିବି । ତା’ ଆଗରୁ ସତର୍କ ହେବାକୁ ଚେଷ୍ଟା କରୁଥିଲା ସେ ।

 

ଜାଣ କାଲି ଦାର୍ଜିଲିଂରୁ ଚିଠି ଆସିଚି । ପ୍ରିନ୍‌ସପାଲ ଜଣେଇଚନ୍ତି ମୋନାର ଦେହ ଖୁବ୍‌ ଖରାପ ।

 

ଗୌରୀ ଝର ଝର କରି କାନ୍ଦିପକାଏ । କିନ୍ତୁ ମୋ ମନରେ ପୁଣି ପ୍ରଶ୍ନ ଜାଗିଉଠେ, ତା’ହେଲେ ଭଦ୍ରଲୋକ ଏମିତି ଚିତ୍କାର କରୁଥିଲେ କାହିଁକି ?

 

ଗୌରୀର ଲୁହ ପୋଛିଦିଏ ମୁଁ । ସେ ଯାହା ହଉ ଯେଉଁ କାରଣରୁ ହେଉ ଅଶ୍ରୁକୁ ସହୟ ସମ୍ମାନ ଦେବାଟା ଯେ ମାନବିକ କର୍ତ୍ତବ୍ୟ ।

 

ଗୌରୀ କିନ୍ତୁ ବେଶି ସମୟ ମନେରଖିପାରେନା । ନିଜ ପ୍ରାଣର ଅସରନ୍ତି ଉଲ୍ଲାସ ଦେଇ ପୁଣି ଜୀବନଟାକୁ ଉତ୍ସବମୟ କରିବାକୁ ଚେଷ୍ଟା କରେ ।

 

ମୁଁ ଆଶ୍ଚର୍ଯ୍ୟ ହୁଏ, ଅନେକ ସମୟରେ ଗୌରୀକି ଧନ୍ୟବାଦ ବି ଦିଏ । କିନ୍ତୁ ଗୌରୀ ଯେ ଦିନେ ନିଜକୁ ମୋ ପାଖରେ ଏମିତି ଧରାପକେଇ ଦେବ ତା’ କିଏ ଜାଣିଥିଲା । ଗୌରୀ ନୁହେଁ କି ମୁଁ ବି ନୁହେଁ । ଅନେକ ସମୟରେ ସନ୍ଦେହ ହେଲେ ସୁଦ୍ଧା ମୁଁ ସେ ସନ୍ଦେହକୁ ପ୍ରଶ୍ରୟ ଦେଇନାହିଁ-। ଗୌରୀର ମ୍ଳାନ ମୁଖ ଦେଖିବାର ଭୟ ମତେ ସବୁବେଳେ ସେଇସବୁ ହୀନମନ୍ୟତାଠାରୁ ଦୂରରେ ରଖିଛି ।

 

କିନ୍ତୁ ଗୌରୀ ସେଦିନ ନିଜେଇ ସବୁକଥା କହିଲା । ସେ ଯେ ମିଥ୍ୟାର ସୁନ୍ଦର ଆବରଣ ଦେଇ ନିଜର ପରିବେଶଟାକୁ ଲୋଭନୀୟ କରି ଦେଖେଇବାର ବାରମ୍ବାର ଚେଷ୍ଟା କରିଚି ତା’ର କାରଣ ବି ପ୍ରକାଶ କଲା । ଆଉ ଆମ ଦୁହିଁଙ୍କର ନିଷ୍କପଟ ବନ୍ଧୁତ୍ୱକୁ ବିଡ଼ମ୍ବିତ କରିଛି ବୋଲି ମୋ ପାଖରେ ବହୁବାର କ୍ଷମା ମାଗି କାନ୍ଦି ଚାଲିଲା ସେ ।

 

ମୁଁ ମୁଗ୍‌ଧ ହେଇଯାଇଥିଲି । ନାରୀ ଜୀବନରେ ଏତେ ବଡ଼ ବ୍ୟର୍ଥତାର କାହାଣୀ ୟା ଆଗରୁ ମୁଁ ଆଉ କେବେ ଶୁଣିନଥିଲି ।

 

ଗୌରୀ କହିଲା ତମେ ବିଶ୍ୱାସ କର ମତେ । ତମର ଏଇ ବିଶ୍ୱାସ ଛଡ଼ା ମୋର ଆଉ ଅନ୍ୟ ସାନ୍ତ୍ୱନା ଆଜି ନାହିଁ ।

 

କିନ୍ତୁ ମୋର ସେଇ ସାନ୍ତ୍ୱନାର ଚୈତନ୍ୟ ଯେପରି ଲୋପ ପାଇଆସୁଥିଲା ।

 

ବଡ଼ଦିନ ଛୁଟିରେ ମୋନା ଆସିବ । ଗୌରୀର ଉଚ୍ଛଳ ବାତ୍ସଲ୍ୟ ବିହ୍ୱଳ ହେଇପଡ଼ିଥିଲା-। ଏ ତା’ର ନବ ରୂପ ମୋର ସଂପୂର୍ଣ୍ଣ ଅପରିଚିତ । ମୁଁ ନୁହେଁ ମୋର ଅନ୍ୟ ସତ୍ତାଟା ଯେପରି ମୁଗ୍‌ଧ ହୋଇଯାଇଥିଲା । ନାରୀର ମାତୃରୂପ ଯେ ଏତେ ସୁନ୍ଦର, କୁମାରୀ ମନ କେବେ ତା’ର ସନ୍ଧାନ ପାଇନାହିଁ ।

 

ଆଜି କହିବାକୁ ଲଜ୍ଜା ନାହିଁ, ମୁଁ ଯେ ଜଣେ ଝିଅ, ମୋ ଭିତରେ ଯେ ନାରୀର ଚେତନାଟା ଦିନ ଦିନ ଧରି ତୀବ୍ର ଭାବରେ ଜାଗିଉଠୁଛି, ସେତେବେଳେ ମୁଁ ଭୁଲି ଯାଇଥିଲି ।

 

ଗୌରୀ ମୋଠାରୁ ବୟସରେ ବଡ଼ ଥିଲା । ହୁଏତ ପାଞ୍ଚ ଛଅ ବର୍ଷର ବଡ଼ ଥିଲା । କିନ୍ତୁ ମୋ ଭିତରର ଶିଳ୍ପୀଆତ୍ମା କେବେହେଲେ ତା’ର ବୟସକୁ ମୂଲ୍ୟ ଦେଇ ନାହିଁ । ତା’ର ଛନ୍ଦମୟ ଯୌବନ, ତା’ର ଗୀତିମୟ ସୌନ୍ଦର୍ଯ୍ୟ ହିଁ ଥିଲା ମୋ ପାଖରେ ମହାର୍ଘ ସମ୍ପଦ ।

 

କିନ୍ତୁ ମୋ ଦୃଷ୍ଟିର ଅନ୍ତରାଳରେ ତା’ର ଆଉ ଏକ ଦିଗ ଥିଲା, ଆଉ ସେଇ ଦିଗ ଯେ ଚିର ଅନ୍ଧକାରାଚ୍ଛନ୍ନ ତା’ ମୋର ଜଣାନଥିଲା । ଗୌରୀ ସେଦିନ ନିଜେ ନିଜେ ମୋ ଆଖି ଆଗରେ ସେ ଦିଗର ଉଦ୍‌ଘାଟନ କରିଥିଲେ ଆଜି ମୋ ଗଳ୍ପର ଶିଳ୍ପସୀମା ଅସ୍ପଷ୍ଟ ରହିଯାଇଥାଆନ୍ତା ।

 

ବଡ଼ଦିନ ଛୁଟିରେ ମୋନା ଆସିଲା ନାହିଁ । ମୋନା ଆସିଲା ନାହିଁ ବୋଲି ଯେ ଗୌରୀ ଏମିତି କାନ୍ଦୁଥିଲା ତା’ ନୁହେଁ ।

 

ମୋନା ଚିଠି ଲେଖିଥିଲା । ମା’କୁ ନୁହେଁ, ବାବାକୁ ତା’ର ଜଣେ ସହପାଠୀ ବନ୍ଧୁ ତା’ର ମା’କୁ ଚିହ୍ନେ । ବିଧର୍ମୀ ଧର୍ଷିତା ମା’ ପାଇଁ ତା’ ଲଜ୍ଜାର ଅନ୍ତ ନାହିଁ । ମା’ ହିଁ ତା’ ଜୀବନରେ କଳଙ୍କ ।

 

ଗୌରୀର ସ୍ୱାମୀ ଚିଠିଟାକୁ ଲୁଚେଇ ରଖିନଥିଲେ । ପଢ଼ି ସ୍ତ୍ରୀ କି ତ ଶୁଣେଇ ଦେଇଥିଲେ, ତା’ ଛଡ଼ା ଝିଅର ଆତ୍ମଚେତନାକୁ ମା’ ଆଗରେ ବାରମ୍ବାର ପ୍ରଶଂସା ବି କରିଥିଲେ ।

 

ସ୍ୱାମୀର ଏତେ ବଡ଼ ନିଷ୍ଠୁରତା ଗୌରୀକି ଆଘାତ କରିପାରିନଥିଲା । ଯାହା ଆଘାତ କରିଥିଲା, ତା’ର ସନ୍ଧାନ ନିର୍ମମ ସ୍ୱାମୀ ସନ୍ତାନ କୌଣସି ଦିନ ପାଇଲେ କି ନାହିଁ ଜାଣେନା ।

 

ଗୌରୀ ଆଉ ସେଦିନ ନିଜକୁ ଚାପି ରଖିପାରିନଥିଲା । ସ୍ୱାମୀକି ଭୟ କରିନଥିଲା । ପରିବେଶ କଥା ଚିନ୍ତା କରିନଥିଲା । ଛୁଟି ବାହାରି ଆସିଥିଲା । ବାହାରି ଆସି ସେ ଚାହିଁଥିଲା ଟିକିଏ ବିଶ୍ୱାସ, ଟିକିଏ ସାନ୍ତ୍ୱନା, ଟିକିଏ ଆଶ୍ରୟ ।

 

ସର୍ବହରା ନାରୀ ଆଶ୍ରୟ ହରେଇଥିଲା, ଆତ୍ମୀୟ ହରେଇଥିଲା, ସମାଜ ହରେଇଥିଲା ।

 

ଲୁହ ପୋଛି ପ୍ରକୃତିସ୍ଥ ହେବାକୁ ଚେଷ୍ଟା କଲା ଗୌରୀ । ମୁଁ ବି ଆସ୍ତେ ଆସ୍ତେ ନିଜ ଭିତରକୁ ଫେରି ଆସୁଥିଲି ।

 

ସ୍ୱାଧୀନତା ଆଗର କଥା । ପୂର୍ବବଙ୍ଗର କେଉଁ ଏକ ଅଖ୍ୟାତ ଗ୍ରାମରେ ଗୌରୀର ଜନ୍ମ ହେଇଥିଲା । ଅଖ୍ୟାତ ବୋଲି ଗୌରୀ ସେତେବେଳେ ଜାଣିନଥିଲା । ଛାୟାଚ୍ଛନ୍ନ ଗ୍ରାମ୍ୟପଥ, ବନ, ବିଲ, ପ୍ରାନ୍ତର ଥିଲା ତା’ର ପୃଥିବୀ । ଚାଷୀ ବାପ, ମା’ ଆଉ ଛୋଟ ଭାଇଟି ଥିଲା ଗୌରୀର ସ୍ୱପ୍ନ ।

 

କିନ୍ତୁ ଗୌରୀର ସେଇ ସ୍ୱପ୍ନ ହଠାତ୍‌ ଦିନେ ଦେଶ ବିଭାଗର ନିଆଁରେ ପୋଡ଼ି ଜଳି ପାଉଁଶ ହୋଇଗଲା । ବାବା, ମା’ କୁଆଡ଼େ ଗଲେ, ଭାଇଟି ବି କୁଆଡ଼େ ଗଲା । ଆଉ ଗୌରୀ, ସେ ଯେପରି ସର୍ବନାଶୀ ଝଡ଼ର ଝରାପତ୍ର ପରି ଉଡ଼ି ଉଡ଼ି କେଉଁଠୁ ଆସି କେଉଁଠି ପହଞ୍ଚିଚି ତା’ର ଠିକଣା ନାହିଁ । ଶେଷରେ ପାଇଚି ଆସି ଏଇଠି । ଯେଉଁଠି ନିଜର ସମସ୍ତ ସାଧନା ଦେଇ ଗୌରୀ ସ୍ୱର୍ଗ ରଚନା କରିବାକୁ ଚାହିଁଚି ।

 

ସେ ଆଉ ଏକ ଘଟଣା ।

 

ମୁଁ ସ୍ତମ୍ଭିତ ହୋଇଯାଇଥିଲି । ମଣିଷର ଜୀବନ ପ୍ରବାହ ବିଚିତ୍ରରୁ ବିଚିତ୍ରତର ଗତି ନେଲେ ବି ତା’ର ବର୍ଣ୍ଣବିନ୍ୟାସ ଯେ ଏଇପରି ଘଟେ ମୁଁ ଜାଣିନଥିଲି ।

 

ଗୌରୀ ସେତେବେଳକୁ ଏକ ମିଶନାରୀ ଆଶ୍ରମରେ ଆଶ୍ରୟ ପାଇଚି । ଆଉରି କେତେ ହିନ୍ଦୁ, ମୁସଲମାନ ଅନାଥଙ୍କ ସହିତ ଅପତ୍ୟସ୍ନେହର ସୁଖଟାକୁ ସ୍ମୃତି ସଂଖାଳୀ କରିନେଇଚି । ଏଠି ସମସ୍ତେ ସମାନ । ଜାତି ନାହିଁ, ଧର୍ମ ନାହିଁ, ବର୍ଣ୍ଣ ନାହିଁ । ସକଳ ହୀନତା, ସକଳ ସଂକୀର୍ଣ୍ଣତାର ଊର୍ଦ୍ଧ୍ୱୀରେ ଈଶ୍ୱରର ସନ୍ତାନ ଏଇ ମଣିଷ । ମଣିଷ ଭିତରେ ଚିର ଜାଗ୍ରତ ଭଗବାନ ।

 

ତାହା ହିଁ ସତ୍ୟ । ଏଇ ପରମ ସତ୍ୟକୁ ଗୌରୀ ସେତେବେଳକୁ ପୂର୍ଣ୍ଣପ୍ରାଣରେ ଗ୍ରହଣ କରିନେଇଚି । ଲେଖାପଢ଼ା କରି, ହାତ କାମ ଶିଖି ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରୁଚି ସେ । କିନ୍ତୁ ଏକ ଏକ ସମୟରେ ତା’ର ସ୍ମୃତି କୋଣରେ କିଏ ଯେପରି ଆଘାତ କରିଯାଏ । ଆକୁଳ ମନଟା ପୁଣି ସେଇ ହଜିଲା ଦିନକୁ ଖୋଜି ଖୋଜି ବାହୁନିଉଠେ । ପରକ୍ଷଣରେ ନିଜକୁ ସଂଯତ କରେ ସେ । ମିଶନାରୀମାନଙ୍କ ସ୍ନେହ ସାହାଯ୍ୟ, ପ୍ରାତ୍ୟହିକ ଜୀବନର ଅଭ୍ୟାସ ସବୁକୁ ପୁଣି ଭୁଲେଇଦିଏ ।

 

କେବଳ କାମଦାମ, ଆମୋଦପ୍ରମୋଦ ନୁହେଁ । ଆଶ୍ରମ ଝିଅମାନେ ବିବାହ କରି ଘରସଂସାର ବି କରନ୍ତି, ପ୍ରାର୍ଥୀ ବି ହୁଅନ୍ତି ଅନେକ । ପାତ୍ରର ସମସ୍ତ ବ୍ୟକ୍ତିଗତ ଖବର ନେଇ ଦୁହିଁଙ୍କର ପରିଚୟ ଘଟେଇବା ଆଶ୍ରମର ନିୟମ, ତା’ପରେ ବିବାହ । କାହାର ମତ ଅମତକୁ ଉପେକ୍ଷା କରାଯାଏନା ।

 

ଏମିତି ଏକ ନିୟମରେ କ୍ରୁଶବିଦ୍ଧ ଯିଶୁଙ୍କ ସାମନାରେ ଗୌରୀର ବିବାହ ହେଇଗଲା । ମଦର୍‌ମାନେ ଆଶୀର୍ବାଦ କଲେ, ‘‘ସୁଖୀ ହୁଅ, ସୁଖ ପାଇବାକୁ ଚେଷ୍ଟା କର ।’’ ଚେଷ୍ଟା ନୁହେଁ ସୁଖ ପାଇବାକୁ ଗୌରୀ ସାଧନା କରିଚି । ନିଜକୁ ସ୍ୱାମୀର ଯୋଗ୍ୟ କରି ତୋଳିବାକୁ, ନିଜର ମାତୃତ୍ୱକୁ ମହିମାମଣ୍ଡିତ କରିବାକୁ ପ୍ରାଣପାତ କରିଚି ସେ । କିନ୍ତୁ ସୁଖ କାହିଁ ? ଦିନ ଦିନ ଧରି ସ୍ୱାମୀର ଅବମାନନା ସେ ପାଇଚି । ଲାଞ୍ଛନା ସେ ସହିଚି । ଆଉ ସନ୍ତାନ....... ।

 

କହି କହି ଗୌରୀ ଚୁପ୍‌ ହେଲା । ଗାଲ ଉପରେ ଲୁହଧାର ଶୁଖି ଆସିଲାଣି । କିନ୍ତୁ ତା’ର ସୁନ୍ଦର ଆୟତ୍ତ ଆଖି ଦୁଇଟି ପୁଣି ନୂତନ ଅଶ୍ରୁରେ ଭରିଆସୁଚି ।

 

ଗୌରୀ କହିଲା, ତମେ ବିଶ୍ୱାସ କର ମତେ ! ମୁଁ ଚାହିଁଥିଲି । ସ୍ୱାମୀକି ଭଲପାଇଚି । ତା’ର ସଂସାରକୁ ଭଲପାଇଚି ମୁଁ, ଆଉ ତା’ର ଭଲପାଇବା ପାଇଁ ସତ ମିଛ ସମସ୍ତ ପ୍ରକାରର ଚେଷ୍ଟା କରିଚି ।

 

ପୁଣି ଗୌରୀର ସ୍ୱର ବନ୍ଦ ହେଇଆସିଲା । ମୋ ଭିତରେ ମୋର ସାନ୍ତ୍ୱନା ବାକ୍ୟହରା ହେଇଥିଲା । ମୁଁ ସ୍ଥାଣୁପରି ବସି ରହିଥିଲି ।

 

ଏହା ପରେ ଘଟଣା ସଂକ୍ଷିପ୍ତ ।

 

ଗୌରୀ ଆଉ ପ୍ରାୟ ମୋ ପାଖକୁ ଆସିନଥିଲା । ହୁଏତ ପୃଥିବୀର ଏଇ ମଣିଷଗୋଷ୍ଠୀ ଆଗରେ ଠିଆହେବାକୁ ସେ ଭୟ କରୁଥିଲା । ନିଜ ପାଖରେ ନିଜେ ଯେମିତି ଛୋଟ ହେଇଯାଇଥିଲା ସେ ।

 

ମୁଁ ବି ତା’ ସାଙ୍ଗରେ ଦେଖା କରିପାରୁନଥିଲି । ସହାନୁଭୂତିର କୁଣ୍ଠା ଯେପରି ମତେ ଗ୍ରାସ କରିନେଇଥିଲା ।

 

ହଠାତ୍‌ ଦିନେ ରାତିରେ ଗୌରୀ ଆସି ହାଜର ହେଲା । ମୁଁ ଚମକିଉଠିଲି, ଯେମିତି ଗୌରୀ ନୁହେଁ ଏ, ଏକ ଭୟଙ୍କର ସ୍ୱପ୍ନ । ଭୟର ନିଦାରୁଣ ଯନ୍ତ୍ରଣାରେ ମୋର ସମସ୍ତ ଶିରା, ଉପଶିରା ସ୍ପନ୍ଦିତ ହେଇଉଠିଲା ।

 

ଗୌରୀ କହିଲା, ଚାଲିଲି ।

 

ମୁଁ କଥା କହିପାରିଲି ନାହିଁ ।

 

ଗୌରୀ କହିଲା, ଆଉ ପାରୁନି । ଦମ୍‌ ଯେ ବନ୍ଦ ହୋଇଆସୁଚି ।

 

ପୁଣି ଟଳି ଟଳି ବାହାରିଗଲା ସେ ।

 

ମୋର ସମସ୍ତ ଶକ୍ତି ଯେପରି ଏକ ଆକସ୍ମିକ ଧକ୍‌କା ପାଇ ନିଶ୍ଚୁପ ହେଇଯାଇଥିଲା ।

 

ପରେ ମୁଁ ରାସ୍ତାକୁ ଛୁଟି ଆସିଥିଲି । କିନ୍ତୁ ଗୌରୀ ବହୁବେଳୁ ମୋ ଦୃଷ୍ଟି ସୀମା ପାର ହେଇଯାଇଥିଲା ।

 

ଆଜି ଏଇ ଗଳ୍ପ ଦେଖି ଶେଷ କଲାବେଳେ ତା’ର ସେଇ ବିଦାୟୀ ରୂପଟା ମୋର ଆଖିଆଗରେ ବାରମ୍ବାର ଦେଖାଦେଇ ଯାଉଚି । ଇଚ୍ଛା ହେଉଚି ମୁଁ ତାକୁ ଚିତ୍କାର କରି ଡାକିବି । କହିବି, ହେ ଭଗବାନ, ତମେ ମତେ ନବଜନ୍ମ ଦିଅ । ମୋର ମମତାକୁ ଗୌରୀର ଅନ୍ତରରେ ନବରୂପ ଦିଅ । ମୋର ବିଶ୍ୱାସକୁ ନବଚେତନାର ସ୍ପନ୍ଦନରେ ଜାଗ୍ରତ କର ।

 

ମୁଁ ଜାଣେ, ଏ ସମ୍ଭବ ନୁହେଁ । ଭଗବାନ ଗୌରୀ ଆଉ ମୋର ଏଇ ଇଚ୍ଛା ଭିତରେ ବହୁ ବହୁ ବ୍ୟବଧାନ ଭଗବାନ ବୈକୁଣ୍ଠବାସୀ, ଗୌରୀ କଣ୍ଟକ–ଦୁର୍ଗବାସିନୀ ଆଉ ମୁଁ ! ମୁଁ ଏଇଠି ଯେଉଁଠି ମଣିଷ ହସକାନ୍ଦରେ ଅଧୀର, ଦୁଃଖବେଦନାରେ ନିଗୃହୀତ, ନିତ୍ୟ ଆଶାର ବିଫଳତାରେ କାତର ।

 

ଗୌରୀ ସହିତ ଆଉ କେବେ ଦେଖାହୋଇ ନାହିଁ । ଆଉ କେବେ ଦେଖାହେବ ନାହିଁ । ସେ କଥା ମୁଁ ସ୍ପଷ୍ଟ କରି ନ ଜାଣିଲେ ବି ଜାଣିଚି । ଏଇ ପୃଥିବୀର ଅଗଣନ ନରନାରୀର ମଝିରୁ ଗୌରୀ ହୁଏତ ହଜି ନିଶ୍ଚିହ୍ନ ହେଇଯାଇଚି । ନ ହେଲେ ବି ଗୌରୀ ଭିତରର ମାନୁଷିକ ସତ୍ତାଟା ଅସଂଖ୍ୟ ଆତ୍ମପୀଡ଼ନ ମଝିରେ ବିଲୀନ ହେଇଯାଇଚି । ତଥାପି ଗୌରୀ ଅଛି । ଯେଉଁଠି ମଣିଷ ହାତର ସ୍ପର୍ଶ ଲାଗେନା, ମଣିଷର ଦୃଷ୍ଟି ପହଞ୍ଚିପାରେନା, ସେଇଠି । ମୋ ମନର କେଉଁ ନିଭୃତରେ ସେ ବଞ୍ଚି ରହିଛି । ହୁଏତ ଜନ୍ମାନ୍ତର ଅବଧି ସେ ବଞ୍ଚି ରହିବ ।

Image

 

ସନାତନୀ

 

ଘଟଣାଟା ଅବିଶ୍ୱାସ୍ୟ କିନ୍ତୁ ସତ । ସୁବ୍ରତ ରୁମାକୁ ବାହା ହେବ । ଲୀଳାକୁ ନୁହେଁ ।

 

କଥାଟା କେହି କେବେ ଚିନ୍ତା କରିପାରିନଥିଲେ । ଲୀଳାର ବାବା ମା’ ତ ନୁହେଁ, ସୁବ୍ରତର ମାମୁଁ ମାଇଁ ବି କୁହନ୍ତି । ଅତି ଛୋଟଦିନୁ ପ୍ରାୟ ସେଇ ଅଢ଼େଇ ମାସ ବୟସର ମଣିଷ କରି ଆଣିଥିବା ଭଣଜାଟିର ଲଭ୍‌ କରୁଥିବା ଝିଅକୁ ମହାନନ୍ଦରେ ସେମାନେ ପସନ୍ଦ ତ କରିଥିଲେ, ତା’ ଛଡ଼ା ତରବର କରି ନିର୍ବନ୍ଧଟା ବି ସାରିନେଇଥିଲେ । ଯେମିତି ଦାୟିତ୍ୱଟା ତାଙ୍କର ବେଶୀ । ଲୀଳାର ବାବା ମା’ଙ୍କର ନୁହେଁ ।

 

ମୁହଁରେ ନ ହେଲେ ବି ଝିଅର ନିର୍ବାଚନକୁ ମନେ ମନେ ଧନ୍ୟବାଦ ଦେଇଥିଲେ ଲୀଳାର ବାବା । ସୁବ୍ରତ କେତେ ଭଲ । ତାଠୁଁ ଆଉରି ଭଲ ତା’ର ଏଇ ମାମୁଁ ମାଈଁ ।

 

ଭଦ୍ରଲୋକ ବଡ଼ ଅମାୟିକ ।

 

ଭଦ୍ରମହିଳା ଭାରି ସୁନ୍ଦର ।

 

ମାମୁଁ ମାଈଁତ ନୁହଁନ୍ତି, ଯେମିତି....

 

ନ ହେଲେ ବୋଝ ତ ଆମର ।

 

ମୋର ମନେହେଲା ତାଙ୍କର ।

 

ଲୀଳାର ବାବା ମା’ ମିଳିତ କଣ୍ଠରେ ହସିଉଠନ୍ତି ।

 

ବାବା କହନ୍ତି, କାହା ଝିଅ ଦେଖିବାକୁ ଦେବତ !

 

ଆହା, ମୋ ଦଶମାସର ପ୍ରାର୍ଥନାଟା ଖାଲି ଏମିତି ଯିବ.....

 

ଲୀଳା ମା’ଙ୍କର ଆଖି ଦୁଇଟି ଗର୍ବରେ ଝଲସିଉଠେ । ବାପା ବି ତୃପ୍ତିରେ ଆଖି ବନ୍ଦ କରିଆଣନ୍ତି ।

 

ୟା’କୁ କହନ୍ତି ଭାଗ୍ୟ, ଏକବାର ପରମ ଭାଗ୍ୟ....

 

ବାବା, ମା’ ଭାବିଲେ ବି, ତାଙ୍କର ସେଇ ଗର୍ବ, ସେଇ ତୃପ୍ତି କିନ୍ତୁ ମୋଟେ ମିଛ ନୁହେଁ । ଲୀଳା ରୂପସୀ, ତନ୍ୱୀ ତନ୍ୱୀ ରୂପସୀ ଏ ଯୁଗରେ କେଉଁ ପୁରୁଷ ନ ଚାହେଁ ? କବି ବର୍ଣ୍ଣିତ ଚମ୍ପକବରଣୀ ନ ହେଲେ ବି ଲୀଳା ଶ୍ୟାମା, ମୃଗାକ୍ଷୀ.....

 

ବନ୍ଧୁମାନେ କହନ୍ତି, ମଝିଟାକୁ ବାଦ ଦେଇ ଆଉସବୁ ଠିକ୍‌ ଅଛି ତ ? ଅର୍ଥାତ୍‌ ସୁଚାରୁକେଶୀ, ବଚନ ସୁଶୀଳା ତ !

 

ସୁବ୍ରତ ହସେ ।

 

ଆରେ, ସବୁ ମିଳିଲେ ଯେ ହୀରାଠୁଁ ମୂଲ୍ୟବାନ୍‌.....

 

ନିଶ୍ଚୟ ମୂଲ୍ୟବାନ୍‌.... ସୁବ୍ରତର ତାରୁଣ୍ୟଟା ଉଚ୍ଛ୍ୱସିତ ହେଇଉଠେ । ଅଧୀର ହେଇଉଠେ । ପ୍ରଳାପ କରିଉଠେ ।

 

ବନ୍ଧୁମାନେ ଆଶ୍ଚର୍ଯ୍ୟ ହୁଅନ୍ତି ।

 

କିନ୍ତୁ ଆଶ୍ଚର୍ଯ୍ୟ ହେବାର ବା କ’ଣ ଅଛି ?

 

ଇଡ଼େନ୍‌ଗାର୍ଡ଼େନଟା ତ ଆଉ ପୋଷ୍ଟଗ୍ରାଜୁଏଟ୍‌ ହଷ୍ଟେଲ ନୁହେଁ ? ପଦ୍ମଗନ୍ଧ–ଆମୋଦିତ ପୋଖରୀକୂଳେ ଯେ ତାରୁଣ୍ୟଟା ଉଚ୍ଛ୍ୱସିତ ହେବାର କଥା । ବ୍ୟକ୍ତିତ୍ୱ ନୁହେଁ, ବ୍ୟକ୍ତିତ୍ୱ ଯାହା କହେ ସେ ଅନ୍ୟକଥା ।

 

କିନ୍ତୁ ସେ କଥା ଶୁଣେ କିଏ ? ବନ୍ଧୁମାନେ ତ ନୁହନ୍ତି, ଲୀଳା ନିଜେ ବି ନୁହେଁ । କିଛି ଗୋଟାଏ ବିଶେଷତ୍ୱ ଦେଖେଇବାକୁ ଗେଲେ ଓଠ ନେଫେଡ଼ି ଦିଏ ।

 

ଏଟା କ୍ଳାସ ରୁମ୍ ନୁହେଁ....

 

ନ ହେଲେ ବି ମୁଁ ସେଇ....

 

ସେଇ ସୁବ୍ରତ ଚୌଧୁରୀ । ଶାନ୍ତ, ଶିଷ୍ଟ, ନିରୀହ ଏକବାର.....

 

ଏକବାର..... ?

 

କୋଲ୍‌ଡ଼କ୍ରୀମ୍‌ ।

 

ପରୀକ୍ଷା କର ।

 

ହୁଁ.... ଲୀଳା କାନର ଦୁଲ ବାରମ୍ବାର କମ୍ପିଉଠେ । ବୋଧେ ସୁବ୍ରତକୁ ଖୁଣ୍ଟା ଦେବାପାଇଁ-। ଆଉ ସୁବ୍ରତ, ବୋଧେ ପିଆସୀ ଯୌବନର ଗାନ ଶୁଣେ ଚୁପି ଚୁପି ।

 

ବନ୍ଧୁଙ୍କ କଥା ମନେପଡ଼େନା ।

 

ଭଲ ମଣିଷ ତ ମନେପଡ଼େନା ।

 

ପୃଥିବୀକି ମନେପଡ଼େନା ।

 

ମନେ ନ ପଡ଼ିବାର କଥାବି । ଯୁଗେ ଯୁଗେତ ପୁଣି କାବ୍ୟ, ପୁରାଣ, ଇତିହାସ ଯୌବନର ଜୟଗାନ ଗାଇଛନ୍ତି । ଆଉ ସେଥିପାଇଁ ଯୌବନୀ ନାରୀର ଗର୍ବ ବି ତ କମ୍‌ ନୁହେଁ । କମ୍‌ ବା ଯିବ କାହିଁକି ? ଲାସ୍ୟେ, ହାସ୍ୟେ ସୁବ୍ରତର ମନ ଭରି ରଖେ ଲୀଳା ।

 

ଆଉ ସୁବ୍ରତ, ସୁବ୍ରତ ହିଁ ନୁହେଁ ସେ । ଯେମିତି ଏକ ନିର୍ଭର ମୁଗ୍‌ଧତା ଲୀଳା ଆଖିର ଏଇ ନିଃସୀମ ନୀଳିମାଆଡ଼େ ଅନେଇ ଅନେଇ ସେ ସାରା ଜୀବନର ଦୁଃଖ ଭୁଲିଯିବ ।

 

ଲୀଳା କହେ, ଖାଲି ମୁହଁର କଥା ।

 

ସୁବ୍ରତ କହେ, ମନର କଥା ଯେ କେହି ବୁଝେନା ।

 

ବୁଝାଅ !

 

ବୁଝେଇଥିଲା ସୁବ୍ରତ । ବୁଝେଇବା ତ ନୁହେଁ, ଲଜ୍ଜା–ସଂକୋଚ ବାଦ ଦେଇ ଏକବାର ଏକ ଦୀର୍ଘ ଭାଷଣ ମାଇଁକି ଶୁଣେଇ ଦେଇଥିଲା ।

 

ଓଠ ଟିପି ମାଈଁ କହିଲେ, ଗପିବା ତ ତୋର ପେଶା ।

 

ତମେ ଥରେ ଦେଖ ।

 

ଦେଖିବା ।

 

ଦେଖିଲେ ମାଈଁ । ମାମୁଁକୁ ନ ଜଣେଇ ଉପଢ଼ୌକନ ହାତରେ ଯାଇ ଲୀଳା ଘରେ ହାଜିର ହେଲେ ।

 

ମା’ ଲକ୍ଷ୍ମୀକି ଦେଖିବାକୁ ଆସିଲି ।

 

ଅଞ୍ଜଳୀ ଯେ ପୂର୍ଣ୍ଣ । ଚିହ୍ନିବାକୁ ଲୀଳା ମା’ଙ୍କର ଡେରିହେଲା ନାହିଁ ।

 

ମାଇଁ କହିଲେ, କିଛି ନୁହେଁ ଅର୍ଘ୍ୟ ମାତ୍ର ।

 

କଥା କହିବାର ଭଙ୍ଗୀଟି ଚମତ୍‌କାର । ଆଉରି ସୁନ୍ଦର ତାଙ୍କର ବ୍ୟବହାର ଯେମିତି ଯୁଗଯୁଗର ସଖୀ ତାଙ୍କର ଏଇ ଲୀଳା ମା’ !

 

ଲୀଳା ମା’ ବି କୌଶଳର ମଣିଷ । କହିଲେ, ଆମ ଜୋତା ଛତା ଛିଣ୍ଡିବ କ’ଣ .... ।

 

ଛିଣ୍ଡୁଚି ମୋର... ଭକ୍ତ ଯେ ଚିରକାଳ କୃପାପ୍ରାର୍ଥୀ....

 

ସାଇ ପଡ଼ିଶା ବି ସେଇକଥା କହିଲେ ।

 

ନ କହିବେ ବା କାହିଁକି ? ନିର୍ବନ୍ଧର ମହାପ୍ରସାଦ ଠିକ୍ କରିବା, ଗହଣା ଦୋକାନୀକି ତାଗଦା ଦେବା, ନିମନ୍ତ୍ରଣ ପତ୍ରର ପ୍ରୁଫ୍ ଦେଖିବା, ସବୁ କରିଥିଲେ ତ ସେଇ ମାମୁଁ ମାଇଁ । ଲୀଳାର ବାବା, ମା’ ଆଉ କେଇଟା କାମ କରିଥିଲେ ?

 

ବରଂ ଲାଜରେ ଟିକିଏ ସଂକୁଚିତ ହେଇପଡ଼ିଥିଲେ ଲୀଳା ମା’ ।

 

ଆପଣଙ୍କ ସମୁଦି ଭଦ୍ରଲୋକଟି ବଡ଼ ମାନ୍ଦା ସମୁଦୁଣୀ ।

 

ସମୁଦୁଣୀ ତ ମୋର ଚାଲାଖ... ନ ହେଲେ ଏମିତି ଖଣ୍ଡେ ରୂପ ଗୁଣ ସମ୍ପନ୍ନା ଝିଅ....

 

ରୂପ ସମ୍ପନ୍ନା ତ ନିଶ୍ଚୟ !!

 

କିନ୍ତୁ ସେଇ ରୂପ ଗୁଣର ଅହଙ୍କାର ବଡ଼ ଶୋଚନୀୟ ଭାବରେ ମ୍ଳାନ ହେଇଗଲା । ପୁଣି ଗୋଟାଏ ଯାଇଚ୍ଛା ତା’ ଝିଅ ପାଖରେ ।

 

ଅନୁନୟ କରି ସୁବ୍ରତ କହିଲା, ଯା ଇଚ୍ଛା ତା’ କୁହନା ଲୀଳା ।

 

କହିବି ! ନିଶ୍ଚୟ କହିବି !! ଶହେଥର କହିବି ।

 

ସୁବ୍ରତ ଅବାକ ହେଲା । ଆଶ୍ଚର୍ଯ୍ୟ ହେଲା ଲୀଳାକୁ ତ ସେ କେବେ ଚିହ୍ନି ନାହିଁ ।

 

ନ ଚିହ୍ନୁ । ଲୀଳା କିନ୍ତୁ ଠିକ୍‌ ଚିହ୍ନିଛି ସୁବ୍ରତକୁ । ଭଲ ମଣିଷ ସୁବ୍ରତକୁ । କୋଲ୍‌ଡ଼ କ୍ରୀମ ସୁବ୍ରତକୁ । ଦଗାବାଜ ଖେଳୁଓ୍ୱାର୍ଡ଼ ସୁବ୍ରତକୁ ।

 

ବିସ୍ମିତ ହେବାକୁ ସୁବ୍ରତର ଆଉ କିଛି ନାହିଁ । ଲୀଳାର ସ୍ୱର ଯେ ସମସ୍ତଙ୍କର ସ୍ୱର ସେ ଏବେ ବୁଝିପାରିଛି ।

 

ଏଇତ ଆତ୍ମୀୟତା !

 

କୋଟିଂ ଛଡ଼ା ଆତ୍ମୀୟତା ଆବରଣ ତଳୁ ଅନାତ୍ମୀୟତାର ଗର୍ଜନ ତର୍ଜନ ଛି ଛିକାର ଧିକ୍‌କାରରେ ସୁବ୍ରତ ବିସ୍ମିତ ହେଲେ ବି ବିବ୍ରତ ହେଇପଡ଼ିଲା ।

 

ମାମୁଁ କହିଲେ, ଅନ୍ୟ ହୋଟେଲ ଖୋଜିନିଅ ।

 

ମାଇଁ କହିଲେ, ଆମ ପିଣ୍ଡ ଚକ୍‌ଟିବାକୁ ଆଉ ଏଠିକି ଆସନା ।

 

ନା ଆସିବିନି ସୁବ୍ରତ । ସେ କ’ଣ ଏତେ ବଡ଼ ନିର୍ଲଜ୍ଜ ? ଏତେ ବଡ଼ ଅକ୍ଷମ । ନା କେଉଁଟା ନୁହେଁ ସେ । ନିଜର ଜାଗା ସେ ଠିକ୍‌ ଖୋଜିନେବ ଆଉ ସେଇଠି ପୃଥିବୀର କେଉଁ ପ୍ରାନ୍ତ ଉପାନ୍ତରେ, ଏକାନ୍ତ ନିଭୃତରେ ରୁମାର ହାତ ଧରି ସେ କହିବ, ରୁମା, ତମେ ନିଶ୍ଚିନ୍ତ ହୁଅ, ସ୍ୱାଧ୍ୱୀ ହୁଅ ! ସନ୍ତାନର ଜନନୀ ହୁଅ !

 

ହଁ, ଜନନୀ ହେବ ରୁମା, ମା’ ହେବ !! ଘରଣୀ ହେବ !!

 

ଆଶାର ଆଲୋକରେ ବିଲୁପ୍ତିର ପଥ ଉଦ୍‌ଭାସିତ ହେଇଉଠେ । ସୁବ୍ରତର ହାତ ଧରେ ରୁମା । ସତରେ ଯେ ସେ ଆଜି ନିଶ୍ଚିନ୍ତରେ ଏତେ ନିଶ୍ଚୟତା ସେ କ’ଣ କେବେ ଆଶା କରିପାରିଥିଲା ?

 

ରୁମାର ହାତଟାକୁ ଆଉରି ଶକ୍ତ କରି ଧରେ ସୁବ୍ରତ । ଆଦର କରେ । ରୁମାର ପିପାସିତ ପ୍ରାଣଟାକୁ ଶାନ୍ତ କରି ଆଣେ, ଯେମିତି ସାରା ଜୀବନର ସାନ୍ତ୍ୱନା । ଆଉ ରୁମା, ସେ ବି ଯେମିତି ସୁବ୍ରତର ଛାତି ଉପରେ ଏକ ଚିର କୃତଜ୍ଞତାର ପ୍ରତିମା ।

 

ଆତ୍ମିୟସ୍ୱଜନ ଘୃଣା କରନ୍ତି ।

 

ପ୍ରତିବେଶୀମାନେ ବିଦ୍ରୂପ କରନ୍ତି ।

 

ବନ୍ଧୁମାନେ ପରିହାସ କରନ୍ତି ।

 

ପ୍ରକୃତିର ଇଚ୍ଛା....

 

ପ୍ରକୃତରେ ପ୍ରକୃତିର ଇଚ୍ଛା । ସୁବ୍ରତ ବି ସେଇଟା ସ୍ୱୀକାର କରେ । ନ ହେଲେ ରୁମା ସହିତ ତା’ର ଦେଖା ବା ହେବ କାହିଁକି ? ଲୀଳା ପୁଣି ଚିହ୍ନେଇଦେବ ରୁମାକୁ ।

 

ଅଦ୍‌ଭୂତ !

 

କଣ ଅଦ୍‌ଭୂତ ।

 

ଏଇ ହସଟା ! ଆଶ୍ଚର୍ଯ୍ୟ ହେଇ ରୁମାକୁ ଦେଖୁଥିଲା ସୁବ୍ରତ । ବହୁ ସଖୀ ପରିବୃତ୍ତ ରୁମା ବି ତୀକ୍ଷ୍‌ଣ କୌତୂହଳ ନେଇ ଦେଖୁଥିଲା ସୁବ୍ରତ ଆଉ ଲୀଳାକୁ ।

 

ଅପୂର୍ବ...ସୁବ୍ରତ କହିଲା, ଆଶ୍ଚର୍ଯ୍ୟ ! ସୌନ୍ଦର୍ଯ୍ୟ ଭିତରେ ଏତେ ଜ୍ୱଳା କାହିଁକି ।

 

ଘରକୁ ଚାଲ !

 

ଘରକୁ ଆସିଲା ସୁବ୍ରତ । ଆସିଲା ବୋଲି ଯେ ରୁମାର ସେଇ ଜ୍ୱାଳା ଭିତରୁ ରକ୍ଷା ପାଇଲା ତା’ ନୁହେଁ । ବରଂ ସେଇ ଜ୍ୱାଳାର ଦାହଟା ବଡ଼ ବେଶୀ ପୋଡ଼ିବାକୁ ଲାଗିଲା ତାକୁ ।

 

ଲୀଳା ଆଉ ରୁମା !

 

ରୁମା ଆଉ ଲୀଳା ।

 

ଲୀଳା କହିଲା, ତମକୁ ଆଜି କାଲି ତମେଇ ମନେହୁଅନା ।

 

ସୁବ୍ରତ କହିଲା, ଅସଲ କଥା, ତମେ ଚିହ୍ନିପାରୁନା ।

 

ମୁଁ ନା ତମେ ?

 

ମୁଁ ବି ।

 

ସେଥିପାଇଁ ଆଜିକାଲି ବୋଧେ ଠିକଣା ଭୁଲ୍ ହୁଏ ।

 

ଭୁଲ ନୁହେଁ ଠିକ୍‌ । ଏବକାର ଠିକ୍‌ ଠିକଣାରେ ରୁମାକୁ ଆବିଷ୍କାର କଲା ସୁବ୍ରତ ।

 

ରୁମା ଅବାକ ହେଲା । ଆପଣ ?

 

ମୁଁ ସୁବ୍ରତ ଚୌଧୁରୀ ।

 

ଜାଣେ ! ସେଇ ଅଦ୍‌ଭୂତ ଆଉ ଭୟଙ୍କର ହସ ଯେମିତି ସୁବ୍ରତକୁ ଇତସ୍ତତ କରିଦେଲା-

 

ରୁମାର ହସଟା କିନ୍ତୁ ବନ୍ଦ ହେଲାନି ।

 

ସୁବ୍ରତ ଆଉରି ଆଶ୍ଚର୍ଯ୍ୟ ହେଲା । ରୁମାର ସେଇ ସର୍ବନାଶୀ ହସ ଯେମିତି ଅସହାୟତାର ଏକ ତୀବ୍ର ଯନ୍ତ୍ରଣାରେ ଫାଟିପଡ଼ୁଛି ଆଉ ।

 

ମୁହୂର୍ତ୍ତକରେ ବିବର୍ଣ୍ଣ କରି ଆଣୁଛି ତା’ର କୋମଳ ନାରୀ ସତ୍ତାଗୁଡ଼ାକୁ ।

 

ରୁମା କହିଲା, ମୁଁ କିଏ ?

 

ଜାଣେ ।

 

କେମିତି ଜାଣିଲ ?

 

ଶାନ୍ତ ଭାବରେ ସୁବ୍ରତ କହିଲା, ଲୀଳା କହିଛି ।

 

ତେବେ ବି ଆସିଲେ ?

 

ଆସିଲି ।

 

ପୁଣି ସେଇ ହସଟା ରୁମାର ବୁକୁ ବିଦୀର୍ଣ୍ଣ କରି ଉଠିଆସିଲା, ମାଂସଟା ଭାରି ସ୍ୱାଦୁ ଯେ....

 

ଆଃ.... ସୁବ୍ରତର କାତରୋକ୍ତି ବୋଧେ ରୁମାକୁ ସ୍ଥିର କରିଦେଲା । ସୁବ୍ରତ କହିଲା, ମୋ କଥା ଶୁଣିବେ ?

 

ନିଶ୍ଚୟ ଶୁଣିବି ।

 

ଶୁଣିଲା ରୁମା । ସୁବ୍ରତର ଗୋଡ଼ ପାଖରେ ଲୋଟିପଡ଼ି ତା’ର ସବୁକଥା ଶୁଣିଲା ସେ ଆଉ ସୁବ୍ରତ ରୁମାର କାନ୍ଦଣା ଶୁଣିଲା । ରୁମା କାନ୍ଦିପାରେ । କାନ୍ଦି କାନ୍ଦି ବଞ୍ଚିତ ଯୌବନଟାକୁ ଭିଜେଇ ଦେଇପାରେ ।

 

ସୁବ୍ରତ କହିଲା, ତମ ଆଖିରେ ଏତେ ଲୁହ ?

 

ସେତିକି ତ ସମ୍ବଳ ।

 

ଆଉ କିଛି ସମ୍ବଳ କରିବାକୁ ଇଚ୍ଛା ହୁଏନା ?

 

କିଏ ଦେବ ।

 

ଲୋକ ଅଛନ୍ତି ।

 

କାହିଁ !

 

ମୁଁ ।

 

ତମେ ? ତମେ ସେଇ ଲୋକ ? ରୁମା ବିହ୍ୱଳ ହେଇପଡ଼େ । ପାଗଳପରି କାନ୍ଦିଉଠେ, ନାଚେ । ଗୀତ ଗାଏ । ଦୌଡ଼େ ।

 

ଆଉ ଲୀଳା, ଲୀଳା ବି କାନ୍ଦେ, କହେ, ତମେ...ତମେ ଏତେ ନୀଚ ? ଏତେ ଛୋଟ ?

 

ସୁବ୍ରତ କହେ, ନୀଚତାକୁ କ୍ଷମା କଲେ କେହି ଛୋଟ ହୁଏନା ଲୀଳା !

 

ଏତେ ଯଦି କ୍ଷମାଶୀଳା ମୋର କି ଗତି ହେବ ।

 

ତମେ ସତ୍‌ ଲୀଳା । ତମେ ସୁନ୍ଦର । ତମର ଗତି ନିଶ୍ଚୟ ହେବ । ସୁବ୍ରତର ବିନୀତ ସ୍ୱର ଲୀଳାର ଚିତ୍କାରରେ ବୁଡ଼ିଯାଏ । ଲୀଳା କହେ ଚୁପ୍‌ କର ! ଚୁପ୍‌ କର ତମେ । ବାହାରିଯାଅ.....

 

ଉଦ୍‌ଭ୍ରାନ୍ତ ପରି ଛୁଟି ପଳାଏ ଲୀଳା, ସେ ହୁଏତ ପାଗଳ ହେଇଯିବ । ନହେଲେ କେଉଁଠି ପଡ଼ି ମୂର୍ଚ୍ଛାଯିବ ।

 

ସ୍ତବ୍‌ଧ ହେଇଯାଏ ସୁବ୍ରତ । ପର ମୁହୂର୍ତ୍ତରେ ଡାକେ, ଶୁଣ, ଲୀଳା, ମୋ କଥା ଶୁଣି ଯାଅ....

 

ଶୁଣିବାକୁ ଦରକାର ନାହିଁ ।

 

ସୁବ୍ରତକୁ ପ୍ରଥମ ସ୍ତମ୍ଭିତ, ପରେ ବିସ୍ମିତ କରି ପ୍ରଚଣ୍ଡ ଶବ୍ଦରେ ଦୁଆରଟା ବନ୍ଦ କରି ଦିଅନ୍ତି ଲୀଳାର ମା’ ।

 

ଏହା ପରେ ସୁବ୍ରତ ଆଉ ସେ ରାସ୍ତାଦେଇ ଯାଇନାହିଁ । ଯିବାର ବି ଆଉ ଦରକାରନଥିଲା । ଲୀଳା ଆଉ ତା’ର ସେଇ ମଧୁର ସମ୍ପର୍କଟା ଆସ୍ତେ ଆସ୍ତେ ବିସ୍ମୃତିର ଅନ୍ଧକାରରେ ମିଳେଇ ଯାଇଥିଲା ।

 

ତେବେ ଦିନେ ଦିନେ ସେବାର ଦୁରନ୍ତ ଆକାଂକ୍ଷା ମଝିରେ, ପ୍ରାପ୍ତିର ଆକୁଳତା ଭିତରେ ଲୀଳାର ସ୍ପର୍ଶ ଅନୁଭବ କରେ ସୁବ୍ରତ, ସେଇ ଚିରନ୍ତନ ସ୍ପର୍ଶ । ଏତେଦିନ ଧରି ଯାହା ରୁମା ଭିତରେ ତନ୍ଦ୍ରାଚ୍ଛନ୍ନ ଥିଲା । କୌଣସି ପୁରୁଷ ଯାହାକୁ ସ୍ନେହ, ଭଲପାଇବା ଦେଇ ଲାଳନ କରିପାରିନଥିଲା ।

Image

 

ପୀନ ପୃଥିବୀ

 

ମଝିରେ ହଠାତ୍‌ ନିଦ ଭାଙ୍ଗିଯାଏ କୈଳାସୀର । ଅନ୍ଧାର ଭିତରେ ଅଣ୍ଡାଳି ଅଣ୍ଡାଳି ଛଅ ସାତ ବର୍ଷର ପୁଅ ବିଶିକେସନକୁ କୋଳକୁ ଟାଣିଆଣେ ସେ । ଲଙ୍ଗଳା ପିଲାଟା । ହେଂସ ବିଛଣାରୁ ଗଡ଼ିଯାଇ ମାଟିରେ ପଡ଼ୁଚି । ଫୁଙ୍ଗୁଳା ଦେହ । ନିଦ ବାଉଳାରେ ମା’ର ସ୍ପର୍ଶ ପାଇ ବିଶିକେଶନ ଶୀତେଇଉଠିଲା । ପୁଅକୁ ନିବିଡ଼ ଭାବରେ ଛାତିରେ ଯାକିଧରି ଦୀର୍ଘନିଶ୍ୱାସ ପକେଇଲା କୈଳାସୀ-

 

ପୁଅର ନାଁ ଦେଇଥିଲା ଲକ୍ଷ୍ମୀଧର । ପୁଅ ଜନ୍ମ ପରେ ଯେଉଁଦିନ ତାକୁ ସେ ପ୍ରଥମେ ଦେଖିଥିଲା, ଆଖି ଦୁଇଟି ସେଇ ଆନନ୍ଦର ପ୍ରକାଶରେ ଛଳ ଛଳ କରିଉଠିଥିଲା । କୈଳାସୀ ବି ତା’ ନିଜର ଏଡ଼େ ଟିକିଏ ମାଂସ ପିଣ୍ଡୁଳାକୁ ବାପ କୋଳରେ ଦେଖି ଗର୍ବରେ ଉଲ୍ଲସି ଉଠିଥିଲା । ଲକ୍ଷ୍ମୀଧର ପୁଅକୁ ଦୁଇ ହାତରେ ଦୋହଲେଇ ଦୋହଲେଇ କହିଥିଲା–

 

ପୁଅ ନାଁ ଆମର ବିଶିକେସନ । ଏକୋଇର ବଳା ବିଶିକେସନ ! ଜାଣିଲୁ ବୋହୁ !

 

କୈଳାସୀ ହସି ହସି ଜବାବ ଦେଇଥିଲା, କଥାରେ ସିନା କହନ୍ତି ଏକୋଇରବଳା ବିଶିକେସନ, ତା’ ବୋଲି ଏ ନାଁ କ’ଣ କିଏ ସତରେ ଦେଉଥାଏ ?

 

ଦିଏ ନା ? ତୁ ତ ଗୋବର ଗଣେଶ । କହି କହି ତ ଏ ଅବଧି ବର୍ଣ୍ଣବୋଧ ଖଣ୍ଡକ ଶେଷ କରିପାରିଲୁ ନାହିଁ । ପୁରାଣ ଶାସ୍ତ୍ର ପଢ଼ିଲେ ସିନା ଜାଣନ୍ତୁ ।

 

କୈଳାସୀ ସବୁ ସମୟରେ ପ୍ରାୟ ସ୍ୱାମୀଗତ ପ୍ରାଣ । ଗଦ୍‌ ଗଦ୍‌ ହେଇ ସେ କହିଉଠିଲା–ମାଇକିନିଆ ଜନମ ପାଇ ପୁଣି ଶାହାସ୍ର ପୁରାଣ କିଏ ଜାଣେ ? ତମେ ବୁଝେଇ କହୁନ ।

 

ଲକ୍ଷ୍ମୀଧର ସେଦିନ ଏଡ଼େ ବଡ଼ ଆଖ୍ୟାନଟାକୁ କେଡ଼େ ସୁନ୍ଦର କରି ତମ ଆମ କଥା ପରି ବୁଝେଇ କହିଥିଲା । ଯେତେବେଳେ ବିଶିକେସନକୁ ସେ କାଟି ଝୋଳ କରିବା କଥା ଥର ଥର ଗଳାରେ ଆସ୍ତେ ଆସ୍ତେ କହି ଯାଉଥିଲା, ସେତେବେଳେ ‘ଭୋ ଭୋ’ କରି କାନ୍ଦି ପକେଇଲା କୈଳାସୀ । କିନ୍ତୁ ଲକ୍ଷ୍ମୀଧରର ଭାରି ଧୈର୍ଯ୍ୟ । ସ୍ତ୍ରୀର ଲୁହ ପୋଛି ନିଜକୁ ସୁସ୍ଥ କରି ନେଇ ସେ ପୁଣି ବୁଝେଇଥିଲା, ସବୁ ହରିଙ୍କ ମାୟା ବୋହୂ ! ସେ ତ ତୋ ପରି ମୋ ପରି ମଣିଷ ନୁହନ୍ତି । ଅଚିନ୍ତ୍ୟ ପୁରୁଷ । ରାଜା ବି କେଡ଼େ ଦାନୀ ଦେଖ ! ସେଥିପାଇଁ ପରା କଥା ଚଳିଚି କର୍ଣ୍ଣଦାନୀ । ମହିମା କେତେ ଭାବ, ଝୋଳ ହେବା ପୁଅ ପୁଣି ବାପା ମା’ଙ୍କୁ ଦଣ୍ଡବତ କରୁଚି ।

 

ରନ୍ଧା ହେବା ପୁଅ ପୁଣି ରୂପ ପାଇଲା ? ଗଭୀର ଆନନ୍ଦ ଆଉ ବିସ୍ମୟରେ କୈଳାସୀର ଅଶ୍ରୁ କରୁଣ ଆଖି ଦୁଇଟି ବିସ୍ଫୋରିତ ହୋଇଉଠିଲା । ଅଧୀର ଆବେଗରେ ପୁଅକୁ ଟାଣିନେଇ ଛାତିରେ ଯାକିଧରିଲା ସେ । ତାହାର ବିହ୍ୱଳ ଆଶା ଯେମିତି ବାତ୍ସଲ୍ୟ ମମତାର କେଉଁ ଅତଳରେ ନିମଗ୍ନ ହେଇଗଲା ।

 

ସେଦିନର ସେଇ ଏତେ ଟିକିଏ ମାଂସ ପିଣ୍ଡୁଳା ଆଜି ବଢ଼ି ବଢ଼ି ପାଞ୍ଚ ବର୍ଷରେ ପହଞ୍ଚିଲାଣି । ଲକ୍ଷ୍ମୀଧର ଖେଳୁଆଳ ପୁଅକୁ ଅନେକ ଅନେଇ ସବୁ ସମୟରେ ଯେପରି କ’ଣ ଭାବୁଥାଏ । ଥରେ ଥରେ କୁହେ, ପୁଅକୁ ଏଥର ଇସ୍କୁଲରେ ବସେଇବା ବୋହୂ ! ବଡ଼ ହେଲାଣି । ଆଉ ହେଳା କଲେ ଚଳିବ ନାହିଁ ।

 

ଛି....ଛି....କୈଳାସୀ ଜିଭ କାମୁଡ଼ି ପକେଇଲା । ଏମିତି କଥା ଆଉଦିନେ କହିବ ନାହିଁ ତ ! କୋଉ ପୁଅରେ ପୁଅ ଯେ, ତାକୁ ଏମିତି ସାତପର ପରି ଆଖି ଦେଉଚ ।

 

କିଛି ସମୟ ଚୁପ୍‌ ରହି ଲକ୍ଷ୍ମୀଧର ମନଯୋଗ ଦେଇ ଓଳିଆର ଦଉଡ଼ିଗୁଡ଼ାକୁ ପରୀକ୍ଷା କରିନିଏ । ତା’ ପରେ ହାତରେ ପିଟି ପିଟି ତାକୁ ସଜାଡ଼ି ଦେଉ ଦେଉ ଧୀର ସ୍ୱରରେ କହେ, ନା ବୋହୂ, ମୁଁ କ’ଣ ତୋ ପୁଅକୁ ଆଖିଦେଇ ଖୁଣି ପକଉଚି ! ଏ ପରା ଶାସ୍ତ୍ର କଥା, ପାଞ୍ଚବର୍ଷ ଯାଏଁ ଆଦର ଯତ୍ନରେ ଲାଳନପାଳନ କରିବ । ତା’ ପରେ.......

 

ତା’ ପରେ ଠେଗୁଣୀ ପିଟିବ । ତମ ଶାହାସ୍ର ପୁରାଣ ସାତକୁ ରଖିଦେବଟି । କୈଳାସୀ ରାଗିଯାଏ । ତା’ ଅନ୍ଧ ମାତୃତ୍ୱ ଯେମିତି ଖୁଣ୍ଟା ପାଇଁ ଚେଇଁଉଠେ ।

 

ନା, ନା ମୁଁ ତା’ କହୁନାହିଁ । ତୁ ଗୋଟାଏ ମସ୍ତ ହୁଣ୍ଡୀ ବୋହୂ । ତୁ ତାକୁ ଜନମ କରିଚୁ ବୋଲି ତୋର ଲୋଭ ଅଛି । ମୁଁ ଯେ ତା’ର ବାପ ସେ କଥା ତୁ କାହିଁକି ଭୁଲିଯାଉଚୁ ? କଣ୍ଠରେ ଅଭିମାନ ଧରି କହେ, ନା ସେ କଥା କହୁନି । କହୁଚି ଯାହା, ତା’ ତ ମୋଟେ ବୁଝୁନୁ । ମୋ କଥା ବି ମନଦେଇ ଶୁଣୁନୁ ।

 

କୈଳାସୀ ଏଥର ଶାନ୍ତହେଇ ଆସେ । ବୁଝିପାରେ ଲକ୍ଷ୍ମୀଧର କ’ଣ ଗୋଟାଏ ଗୁରୁତ୍ୱପୂର୍ଣ୍ଣ ସାଂସାରିକ କଥା ତାକୁ କହିବାକୁ ଯାଉଥିଲା । ଯେ ଯେତେବେଳେ କିଛି କହିବାକୁ ଠିକ୍‌ କରେ, ଏମିତି ଭାବିଚିନ୍ତି ଧୀରେ ଧୀରେ, ସୁସ୍ଥେ ଚାରିଆଡ଼କୁ ନଜର ରଖି ଆରମ୍ଭ କରେ । ଆଗେ ତା’ର କଥା କହିବାର ଧରଣ ଅଲଗାଥିଲା । ଏବେ ବିଶିକେସନ ଜନମ ହେଲା ପରେ ଟିକିଏ ବଦଳିଯାଇଚି । ଯେମିତି ଦୁଇଟି ପ୍ରାଣୀର ଏଇ କ୍ଷୁଦ୍ରତମ ସଂସାରଟିର ପ୍ରାଣ ବିନ୍ଦୁ ହୋଇ ଏଇ ସାମାନ୍ୟ ଶିଶୁଟି ଆସି ଠିଆ ହେଇଚି ।

 

କ’ଣ ଚିନ୍ତା କରୁ କରୁ ଲକ୍ଷ୍ମୀଧର କହେ, ଏ ବର୍ଷ ଫସଲର ଅବସ୍ଥା ତ ଦେଖୁଚୁ । ମୁଠାଏ ଧାନ ଯଦି ବାହାରକୁ ଦେଉଚୁ ତେବେ ଛ’ମାସ ପେଟରେ ଓଦାକନା ଦେଇ ଶୋଇବୁ । ପିଲାଟିକୁ ତ ଏ ବର୍ଷ ଇସ୍କୁଲରେ ନ ବସେଇଲେ ଚଳିବ ନାହିଁ । ବସେଇଲେ ତ ପୁଣି ଖରଚ ଅଛି । ଭାବୁଚି କ’ଣ କି......

 

କୈଳାସୀ ଉଦ୍‌ଗ୍ରୀବ ହେଇ ଅନେଇ ରହିଲା । ରହି ରହି ଲକ୍ଷ୍ମୀଧର କହିଲା, ଭାବିଥିଲି ଚାରିମାସ ଯାଇ କଲିକତା କି ରାଉରକେଲା ଆଡ଼େ ବୁଲି ଆସିଲେ.....

 

ତା’ର କଥା ଅଧା ରହେ ଆକାଶରୁ ଖସିପଡ଼ିଲା ପରି କୈଳାସୀ କହେ, ରାଉରକେଲା-? ସେ ପୁଣି କି ଦେଶ ଲୋ ମା ? କୁଆଡ଼େ ସିଏ ?

 

ଲକ୍ଷ୍ମୀଧର କହିଲା, ସେ ଆମରି ଦେଶ । ହେଲେ ବି ସେଠି କୁଆଡ଼େ ଆମ ଓଡ଼ିଆ ଲୋକେ ଚାକିରି ଆଉ ନାହାନ୍ତି । ବରଂ କଲିକତା ଗଲେ ଭଲ । ଚିହ୍ନା ପରିଚୟ ଲୋକ ଅଛନ୍ତି ।

 

ତମେ ତ କଲିକତା ଯିବ ? କୈଳାସୀର ପ୍ରାଣପକ୍ଷୀଟା ଯେମିତି ଅଠା କାଣ୍ଡିଆରେ ପଡ଼ି ବୁକୁଫଟା ଚିତ୍କାର କରିଉଠିଲା ।

 

ବିଶିକେସନ ପୁଣି ତଳକୁ ଗଡ଼ିଗଲାଣି । କୈଳାସୀ ପୁଅକୁ ବିଛଣାରେ ଶୋଇଦେଇ କାନି ଘୋଡ଼େଇ ଦେଲା । ବାହାରେ ବାଆ–ଗର୍ଜୁଛି । ଥଣ୍ଡା ପବନ ସୁ ସୁ.....ହେଇ ବହିଆସୁଚି ଘର ଭିତରକୁ ।

କୈଳାସୀ କର ଲେଉଟେଇଲା । ତାକୁ ଆଉ ନିଦ ହେଉନାହିଁ; ରାତିରେ କେତେଥର ତାକୁ ଏମିତି ନିଦ ହେଇନାହିଁ । ଏତେଦିନ ଧରି କେତେ ଚିଠି ଦେଇଚି ଲକ୍ଷ୍ମୀଧର । କେତେ ସ୍ୱପ୍ନ ସେ ଦେଖିଚି ! ପୁଣି ସେଇ କାହାଣୀ କୈଳାସୀକି ଶୁଣେଇ ଶୁଣେଇ ତା’ ମନ ଭରେଇ ଦେଇଚି । ବିଶିକେସନ ପାଠ ପଢ଼ିବ । ବାବୁ ହେବ । ପାଞ୍ଚଲୋକରେ ଜଣେ ହେଇ ଠିଆହେବ ।

ମଝିରେ ଥରେ ଆସି ବିଶିକେସନକୁ ଇସ୍କୁଲରେ ବସେଇଦେଇ ଯାଇଚି ଲକ୍ଷ୍ମୀଧର । ମାସକୁ ମାସ ଟଙ୍କାଏ ଲେଖା ଦରମା । ବହି ପତ୍ର, ଚାନ୍ଦା ଭେଦା ।

ଅଭାବ ଭିତରେ କୈଳାସୀର ଦିନକୁ ଦିନ ଶ୍ୱାସରୁଦ୍ଧ ହେଇଆସେ । ଫସଲ ନାହିଁ ଜମିରେ । ବର୍ଷ ବର୍ଷ ଧରି ଧୋଇ ନ ହେଲେ ମରୁଡ଼ି । ଆଡ଼େ ଲକ୍ଷ୍ମୀଧର ଠିକା ଚାକିରି କରୁଚି । ସପ୍ତାହେ କାମ କଲେ ଆର ସପ୍ତାହକୁ ବସିଥାଏ । ସେଥିରେ ପୁଣି ସର୍ଦ୍ଦାର ଅଛି, ବଡ଼ ବାବୁ ଅଛନ୍ତି ।

ସ୍କୁଲ ଦରମା ଟିକିଏ ଡେରିହେଲେ ବିଶିକେସନ ଉପରେ ରାଗ ସାରନ୍ତି ଗୁରୁଜୀ । ପିଟି ପିଟି ନାଁ କଟେଇ ଦେବାର ଧମକ ଦିଅନ୍ତି । ସ୍କୁଲରୁ ଫେରିଆସି ତଳେ ଗଡ଼ିପଡ଼ି ଡକା ପକେଇ କାନ୍ଦେ ବିଶିକେସନ । ରାଗ ଅଭିମାନରେ ତା’ର ଶିଶୁ ଅନ୍ତର ଫାଟିପଡ଼ୁଥାଏ । ପୁଅକୁ କୋଳରେ ଧରି ରାଗ ଦୁଃଖରେ କାନ୍ଦିପକାଏ କୈଳାସୀ । କହେ–ବାପ ବାବୁ ନ ହେଇଚି ଘର ସଂସାର କରିନି ବାକୀ ଅଛି, ପୁଅ ପାଠ ପଢ଼ିବାକୁ ହେଲେ ସେତକ କରିବ ।

ଲକ୍ଷ୍ମୀଧର ସହିଷ୍ଣୁ ଲୋକ । ଦେଶ ବିଦେଶରେ ସୁଖରେ ଅଧୀର ଦୁଃଖରେ କାତର ହେବା ଲୋକ ସେ ନୁହେଁ । ଧୀରସ୍ୱରରେ ସେ ସ୍ତ୍ରୀକି ବୁଝେଇବାକୁ ଚେଷ୍ଟା କରେ । ଆଉ କେଇଟା ଦିନ ଆମର ଏ ଦୁଃଖ ।

କୈଳାସୀ ଖୁଣ୍ଟାଦେଇ ଚିତ୍କାର କରିଉଠେ, ତା’ପରେ ତମେ ସାଇବ ହେବ ।

ନାଁ ତା’ ନୁହେଁ । ଆସ୍ତେ ଆସ୍ତେ ଲକ୍ଷ୍ମୀଧର କହେ, ତୁ ରାଗ କରନା ବୋହୂ । ମୁଁ ଗାଲୁଗପ କରୁନି । ପିଲାଙ୍କୁ ମଣିଷ କରିବାକୁ ଆଉ ବାପ, ମା’ଙ୍କର ଖରଚ ଲାଗିବ ନାହିଁ ।

ନାଁ ଆକାଶରୁ ଗଳିବ ? କୈଳାସୀ ଝଙ୍କାର ଦେଇଉଠେ ।

ଆଗ ପରି ଶାନ୍ତ ସ୍ୱରରେ ଲକ୍ଷ୍ମୀଧର କହେ, ଆକାଶରୁ ଗଳିବ କାହିଁକି ? ଆମ ସରକାର ଦେବେ ।

ସରକାର କିଏ ମ ? ରଜା ?

ରଜା ନୁହେଁ, ରଜା ଥିଲା ସେ ଖାଲି ନିଜର ସୁଖ, ସୁବିଧା ଦେଖୁଥିଲା । କିନ୍ତୁ ସରକାର ନିଜକୁ ଛାଡ଼ି ସମସ୍ତଙ୍କ ସୁଖ କଥା ଚିନ୍ତା କରିବେ ।

ସତେ ! କୈଳାସୀ ଅବାକ୍‌ ହେଇ ସ୍ୱାମୀଆଡ଼କୁ ଅନେଇ ରହେ । ଲକ୍ଷ୍ମୀଧର କହେ, ଦେଖୁନୁ, କେତେ ବାବୁଭୟା ଆମ ଗାଁକୁ ଏବେ ନିତି ନିତି ଆସୁଚନ୍ତି । ସେମାନେ ହେଲେ ସରକାରୀ ଲୋକ । ସେଇମାନେ ଏ ଇସ୍କୁଲଟାକୁ ହାତକୁ ନେବେ ।

ଏ ଗୁରୁଜୀ ଏଠୁ ଚାଲିଯିବ ? ଆହା ଭାରି ଭଲ ମଣିଷ ! ସେଦିନ ପରା ଛାଆଁକୁ ଛାଆଁ ଆସି ଡାକୁଥାଏ–କିରେ ବିଶି, ତୁ କ’ଣ ପାଠ ପଢ଼ିବୁନି କି ? ତା’ର ଗରିବ, ବଡ଼ଲୋକ ଭେଦ ନ ଥିଲା ଗୋ ! ସେଇ ମଣିଷଟିକି ପୁଣି ଏମାନେ ବାହାର କରିଦେବେ ।

 

ଲକ୍ଷ୍ମୀଧର କହିଲା, ନା ଏ ବାହାରିଯିବ କାହିଁକି ? ଇଏ ପାଠ ପଢ଼େଇବ । କିନ୍ତୁ ଟଙ୍କାପଇସା ଯାହା ଲାଗିବ ସବୁ ସେମାନେ ଯୋଗାଇବେ । ପିଲା ପାଇଁ ବହିପତ୍ର ବି ଆମକୁ ଦେବାକୁ ହେବନାହିଁ ।

 

ଏଁ ତମେ କ’ଣ କହୁଚ ! କୈଳାସୀର ଆଖିଦୁଇଟି ଉଜ୍ଜ୍ୱଳ ବିସ୍ମୟରେ ଅଭିଭୂତ ଦେଖାଯାଏ । ତାକୁ ଚେତେଇ ଦେବା ପାଇଁ ଲକ୍ଷ୍ମୀଧର କହେ, ଖାଲି ସେତିକି, ପିଲାମାନେ ଦି’ପହରେ ଦୁଧ, କଦଳୀ, ମିଠେଇ ବି ଜଳଖିଆ ପାଇବେ ।

 

କୈଳାସୀ ହଠାତ୍‌ ଯେମିତି ଏତେଟା ବିଶ୍ୱାସ କରିପାରିଲା ନାହିଁ । ତା’ର ମନେହେଲା ସେ ଯେପରି ଏ ପୃଥିବୀ ଛାଡ଼ି କେଉଁ ଦେବଲୋକରେ ଆସି ପହଞ୍ଚିଯାଇଚି ।

 

ନିତି ନିତି ସହରରୁ ଦଳବାନ୍ଧି ବାବୁମାନେ ଗାଁକୁ ଆସନ୍ତି ଲୋକମାନଙ୍କୁ ଡାକିହାକି ମେଳ କରେଇ କେତେ କଥା ବୁଝାନ୍ତି । ଗାଁ ଗାଁରେ ପଞ୍ଚାୟତ ଶାସନ ହେବ । ବିନା ପଇସାରେ ଓଷଦ ଆସିବ । ନାଇଟ ଇସ୍କୁଲ ବସିବ । ଝିଅ ବୋହୂମାନେ ଅରଟ, ସିଲେଇ କଳ ପାଇବେ ।

 

ପୋଖରୀ କୂଳକୁ ଗାଧୋଇବାକୁ ଯାଇ କୈଳାସୀ ଶୁଣେ ଦାସ–ଘର ବୋହୂ କହେ, ଜାଣିଲୁ ଲୋ ବିଶିଆ ମା’, କଂଗ୍ରେସକୁ ଭୋଟ ଦେଲେ ଏ ଗାଁ ଇନ୍ଦ୍ରପୁରୀ ହେବ ।

 

ଭୋଟ କ’ଣ ଲୋ ? କୈଳାସୀ ଆଶ୍ଚର୍ଯ୍ୟ ହେଇ ପଚାରେ ।

 

ଏଡ଼େ ବକଟଟେ କାଗଜ । ଦାସବୋହୂ ହାତଭାଙ୍ଗୀ କରି ଆଙ୍ଗୁଳି ଦେଖେଇଦିଏ । ୟାଙ୍କୁ ପରା ଆମର କଂଗ୍ରେସ ବାବୁମାନେ ଡକେଇଥିଲେ । ଆସି କହୁଥିଲେ ଗାଁରେ ରୋଗ ମାଡ଼ିଯାଉଚି । ଏ ଦଳ ଗାଡ଼ିଆ ସବୁ ପୋତା ହେବ । ପାଣିକଳ ବସିବ । ବଢ଼ିପାଣି ବନ୍ଦ ହେବ । ନଈରେ ବନ୍ଧ ବନ୍ଧା ହେବ । ପିଢ଼ାରେ ଆଉ ଛଣ ଛପର ରହିବ ନାହିଁ । ଏକା ଏ ଗାଁ ସାରା ଦେଶଟା ପରା ଟାଇଲି ଘରରେ ଭର୍ତ୍ତି ହେଇଯିବ ।

 

କୈଳାସୀ ଦାସବୋହୂଆଡ଼େ ଅବାକ୍‌ ହେଇ ଅନେଇଥାଏ । ଏସବୁ କିଏ କରିବ ମ ! ଏତେ ପଇସା କୋଉଠୁ କିଏ ପାଇବ ?

 

ତତେ କାହିଁକି ସେ ଚିନ୍ତା ଲାଗୁଚି କି ? ବଡ଼ ଜଣେ ବିଜ୍ଞବ୍ୟକ୍ତି ପରି ହାତ ହଲେଇ ହଲେଇ ଦାସବୋହୂ କହେ, ଆମ ଇଏ କହୁଥିଲେ ପରା, କଂଗ୍ରେସ ରାଜୁତି ନୁହେଁ ଯେ ରାମରାଜୁତି-। ଏଥର ପରା ଏ ରାଜ୍ୟର ଲୋକ ସ୍ୱର୍ଗସୁଖ ଭୋଗ କରିବେ । ଆମ ସରକାର ପରି ଆଉ ସରକାର ଅଛି ? ଶୁଣିବୁନି କି । ପଅରଦିନ ପରା ସଭାହେବ । ଆଉ ଗୋଟିଏ କଥା ଜାଣିନୁ ପରା, ନା ତତେ ଆଉକିଏ କହିବ ?

 

କୈଳାସୀ ଜିଜ୍ଞାସୁ ଆଖିରେ ଦାସବୋହୂଆଡ଼େ ଅନେଇ ରହେ । ଦାସବୋହୂ କହେ–ଇଏ ଆମର ପରା ଲିଡ଼ର ହେଇଚନ୍ତି ।

 

କୈଳାସୀ ଏ ଗୂଢ଼ କଥାଟିର ଅର୍ଥ ବୁଝିପାରେ ନାହିଁ । ଦାସ ବୋହୂ ଆଡ଼କୁସାଡ଼କୁ ଅନେଇ କୈଳାସୀ କାନ ପାଖରେ ଚୁପକରି କ’ଣ କହିଦିଏ । କୈଳାସୀ ସମସ୍ତ କଥାଟା ବୁଝିପାରିବା ଆଗରୁ ସେ ବଡ଼ ପାଟିରେ କହେ, କାହାକୁ କହିବୁ ନାହିଁଟି । ଇଏ ପରା ମତେ କହି ବାରଣ କରିଥିଲେ । ପାଞ୍ଚଶ ଟଙ୍କାର ମାମଲତ । ତୁ ବୋଲି କହିଲି ନା । କହି କହି ଦାସ ଘର ବୋହୂ ଚାଲିଯାଏ ।

 

ଗାଁରେ ସଭା ହେବ । ପିଲା ବୁଢ଼ା ସମସ୍ତେ ମାତିଉଠିଲେ । ଗାଁ ମୁଣ୍ଡ ଠାକୁରାଣୀ ପଡ଼ିଆରୁ ଘାସ ଚଞ୍ଛା ହେଲା । ବାଉଁଶ ପୋତା ହେଲା । ଚାନ୍ଦୁଆ ଟଙ୍ଗା ହେଲା । ଠାକୁରାଣୀକି ବାଁ ହାତୀ ରଖି ସଭା ମଣ୍ଡପ ତିଆରି ହେଲା । କେତେ ପତର ମାଳ ମାଳ ହେଇ ଝୁଲିଲା ଚାରିପାଖରେ-। ତ୍ରିରଙ୍ଗା ପତାକା ଉଡ଼ିଲା ଫର ଫର ହେଇ । ସହରରୁ ବଡ଼ ବଡ଼ ଯନ୍ତ୍ର ସବୁ ଆସି ଖଞ୍ଜା ହେଇଗଲା । ଯେମିତି କଥାଗୁଡ଼ାକ ବହୁ ଦୂରକୁ ଭାସିଯାଏ ।

 

ଗାଁର ଝିଅବୋହୂଙ୍କ ସହିତ ଲୁଚିଛପି ବକ୍ତୃତା ଶୁଣିଲା କୈଳାସୀ । କଂଗ୍ରେସକୁ ଭୋଟ ଦେଲେ ସମସ୍ତେ ସୁଖରେ ରହିବେ । ଦେଶରେ ଆଉ ବଢ଼ି ମରୁଡ଼ି ହେବ ନାହିଁ । ଘରେ ଘରେ ବିଜୁଳିବତୀ ଜଳିବ । ଗାଁ ଗାଁରେ କାରଖାନା ବସିବ । ପରରାଜ୍ୟକୁ ଯାଇ ଏ ରାଜ୍ୟ ଲୋକ ଆଉ ଗଞ୍ଜଣା ସହିବେ ନାହିଁ ।

 

କୈଳାସୀ ଦାସବୋହୂ ମୁହଁରୁ ସେଦିନ ସେ କଥା ଶୁଣି ସ୍ତମ୍ଭୀତ ହୋଇଯାଇଥିଲା । ପର ପାଇଁ, ପୁଣି ମଳିମୁଣ୍ଡିଆ ଲୋକଙ୍କ ପାଇଁ କିଏ ଏତେ କରେ ? ଧନ୍ୟ ସରକାର । ଭଗବାନ ବାବୁମାନଙ୍କର ମଙ୍ଗଳ କରିବେ । ଆଜି ଆଉ ସଭାରେ ପାଞ୍ଚଜଣଙ୍କ ମୁହଁରେ ଗୋଟାଏ କଥା ଶୁଣି ଅବିଶ୍ୱାସ କରିପାରିଲା ନାହିଁ ।

 

ସଭାରେ ଯେତେ ଲୋକ ଥିଲେ ସମସ୍ତଙ୍କ ଭିତରେ ଯେପରି ଐଶ୍ୱର୍ଯ୍ୟର ମୋହ ଗୁଞ୍ଜରଣ କରିଉଠିଲା । ଘରକୁ ଫେରି କୈଳାସୀ ସେଇ କଥା ସବୁ ମନ ଭିତରେ ଓଲଟପାଲଟ କରିବାକୁ ଲାଗିଲା । ବଣ ହରିଣୀଟି ପରି ମନର ଧୀର ଆବେଗରେ ସେ ଘରସାରା ଛୁଟିବାକୁ ଲାଗିଲେ । ବିଶିକେଶନକୁ ଛାତିରେ ଜାକି ଧରି ମନକୁ ମନ ଗପି ଚାଲିଲା ଯେ–ମୋ ପୁଅ ବାବୁ ହେବ । ଗାଡ଼ି ଚଢ଼ି ବ । ଟୋପି ପିନ୍ଧିବ । ବାପର କେତେ ଆଦରର ଧନ ବିଶିକେଶନ ଦେଖିବୁରେ-। ତୋ ବାପ, ଅଜା, ସାତ ପୁରୁଷର ମାଟିକୁଡ଼ିଆ କୋଠାଘର ହେବ । ବିଜୁଳିବତୀ ଜଳିବ । ଆମେ ପଲୁଅ ଭାତ ଖାଇବା । କେତେ ସୁଖ ହେବ କହିଲୁରେ ! ତୋ ବାପ ଠିକ୍ କଥା କହିଥିଲା । ତୋ ବାପା ଭାରି ଜାଣିବା ଲୋକ ।

 

କହୁ କହୁ କୈଳାସୀର ଅନ୍ତର ଯେପରି ସ୍ମିତ ଲଜ୍ଜାରେ ନୀରବ ହେଇଆସିଲା । ନିଜ ଲୋକଟା କଥା ଆଉ ସେ କେତେ କହିବ ? କିନ୍ତୁ ବିଶିକେଶନର ଶିଶୁପ୍ରାଣ ପିତୃ ଗୌରବର ଭାଗୀ ହୋଇପାରିଲା ନାହିଁ । ମନଟା ତା’ର ପଲୁଅ ଭାତ ପାଖରେ ଅଟକିଗଲା । ତା’ର ଏଇ କେଇଟି ଦିନର ଜୀବନର ଛୋଟ ପରିସର ଭିତରେ ପଲୁଅ ଭାତର ମଧୁ ଗନ୍ଧ ସେ କେବେ ଅନୁଭବ କରିନଥିଲେ ମଧ୍ୟ ଗୋଟାଏ ଲଜିତ ଧାରଣା ସେ ପୋଷି ନେଲା ସାଙ୍ଗେ ସାଙ୍ଗେ । ଜିଭ ଦେଇ ତଣ୍ଟି ଭିତରକୁ କ’ଣ ଯେପରି ଠେଲିଦେବାକୁ ଚେଷ୍ଟା କଲା ।

 

ପରଦିନ କୈଳାସୀ ଲକ୍ଷ୍ମୀଧରକୁ ଚିଠିଲେଖି ପଠେଇଦେଲା.....ଗାଁରେ ସଭା ହେଇଥିଲା-। ସରକାର ତ ନୁହନ୍ତି, ଆମର ମା’, ବାପ, ଡାକିହାକି ପର କଥା ଦେଇଗଲେ ଆମର ସବୁ ହାନିଲାଭ ସେ ବୁଝିବେ । ଘର କରି ଦେବେ । ବିଶିକେଶନ ମାଗଣଣାରେ ଇସ୍କୁଲରେ ପଢ଼ିବ-। ଘରେ ଆମର ଧନଧାନ୍ୟର ଅଭାବ ରହିବ ନାହିଁ ! ତମେ ଆଉ କାହିଁକି ଗଞ୍ଜଣା ସହି ଆଖି ଲୁହ ହାତ ପିଠିରେ ପୋଛି ପର ରାଇଜରେ ପଡ଼ି ରହିଥିବ । ଚାଲିଆସ ।

 

କୈଳାସୀ ଭୋଟଦେଇ ଆସି ସେଇ ଈପ୍‌ସିତ ଦିନର ଅପେକ୍ଷା କରିାବକୁ ଲାଗିଲା । କେଉଁଦିନ ଲକ୍ଷ୍ମୀଧର ଫେରିଆସିବ । ଭୋକ ଉପାସରେ ପର ରାଇଜରେ ତାକୁ ଆଉ ପଡ଼ିରହିବାକୁ ହେବ ନାହିଁ । ନିଜ ଦେଶରେ ଖଟି ନିଜ ପଇସାରେ ସୁଖରେ ରହିବ । ଲକ୍ଷ୍ମୀଧର ମଧ୍ୟ ସ୍ତ୍ରୀ କଥାକୁ ବିଶ୍ୱାସ କରେ ।

 

କେତେଥର ରାତିରେ ଶୋଇ ଶୋଇ ସ୍ୱପ୍ନ ଦେଖେ ଲକ୍ଷ୍ମୀଧର । ଠାକୁର ମନ୍ଦିର ତା’ର ପରିଷ୍କାର ଆମୋଦିତ ଘର । ଘର ଆଗରେ ହାତୀ ପରି ବଳଦ ବନ୍ଧା ହେଇଚି । କେନାଲର ଧାରେ ଧାରେ ଜମି ତା’ର ସୁନାର ଫସଲରେ ହସିଉଠୁଚି । ଧୋଇ ନାହିଁ । ମରୁଡ଼ି ନାହିଁ । ଘରେ ଘରେ ଲକ୍ଷ୍ମୀ ବରଦାୟିନୀ । ସରକାର ତା’ର କି ଦୟାବାନ !

 

ଗାଁରୁ ଯିଏ ଆସେ ଖବର ପଚାରେ ସେ । ବାବୁମାନେ କ’ଣ କରୁଚନ୍ତିରେ ? କେଉଁ ଜମି ଉପର ଦେଇ କେନାଲ ଯାଉଚି ? ଟାଇଲି କାରଖାନା କେଉଁଠି ବସୁଚି ? ଯେଇ ନୂଆପଲ୍ଲୀ ମଝି ପଡ଼ିଆଟାରେ ତ ? ବାବୁମାନେ ତ କହୁଥିଲେ ସେଇଟା ଠିକ୍‌ ହେବ । ଖୁବ୍‌ ପ୍ରଶସ୍ତ ଜାଗା ଗ୍ରେନ୍‌ଗୋଲା ବସୁଥିଲା, ପୂରା ହେଲାଣି ?

 

ସମସ୍ତଙ୍କ ମୁହଁରୁ ଗୋଟାଏ ଜବାବ ପାଏ ଲକ୍ଷ୍ମୀଧର । କାହିଁ କ’ଣ ଭାଇ ! ଗଲାଥର ବଡ଼ ବଢ଼ିରେ ଘର ଭିତରକୁ ପାଣି ପଶି ଦବି ଯାଇଥିଲା । ପୁଣି ଗଲାସନ ପାଣି ଧକ୍‌କାରେ ଦକ୍ଷିଣପଟର ଖଞ୍ଜା ଗୋଟାକର କାନ୍ଥ ପଡ଼ିଯାଇଥିଲା । ବାଉଁଶ ବତା ଘେର ଦେଇ କୌଣସିମତେ ଛୁଆପିଲା ଚଳାଚଳ ହେଉଥିଲେ । କିଏ ଦି’ଜଣ ବାବୁ ଆସି ନାଁ ଗାଁ ଲେଖେଇ ନେଇଥିଲେ । କ’ଣ ନା ଘରଭଙ୍ଗା ଟଙ୍କା ମିଳିବ । ସେଇ ଆଶାରେ ବସିରହି କିଛି କରିପାରିଲି ନାହିଁ । ବେଳ ଗଲା, ଟଙ୍କା କାହିଁ ନା ବାବୁ କାହାନ୍ତି ?

 

ଲକ୍ଷ୍ମୀଧର ଆଶ୍ୱାସନା ଦିଏ । ପାଇବୁ, ପାଇବୁ, ବ୍ୟସ୍ତ ହୁଅନା । ଆରେ ଜାଣୁନା, ବଡ଼ ଘର ବଡ଼ ଗୁମର କଥା । ସେ ତ ଆଉ ତମ ଆମ ପରି ଛୋଟକଥା ନୁହେଁ । କେତେ ମୁଖ ଦେଇ କଥା ବାହାରିବ । କେତେ ହାତ ଦେଇ ଅର୍ଥ ଆସିବ । ଏଥିରେ ଡେରିହେବ । ଏ ତ ଜଣାଶୁଣା କଥା । କିନ୍ତୁ ଡେରି ଯେ ନିଜେ ଆଉ ସହିପାରେନା ଲକ୍ଷ୍ମୀଧର । କୈଳାସୀ ପ୍ରତି ସପ୍ତାହରେ ଚିଠି ଲେଖେ । ଗଲା ସନ ତ ଘର ଛପର ହୋଇନଥିଲା । ପଇସାର ଅଭାବ । ଏ ବର୍ଷ ମଧ୍ୟ ଅନେଇ ରହିଲି । ଭୋଟ ହେଇଚି ଆସି କେଇ ବର୍ଷ ହେଲା । ଛଣ ପଚି ଭାତ ଥାଳିରେ ପୋକ ପଡ଼ୁଚି । ପୁଅର ଦରମା ଚାନ୍ଦା ଦୁଇ ଟଙ୍କା । ମତେ କିଛି ବୁଦ୍ଧି ଦେଖାଯାଉ ନାହିଁ । ସରକାର ଆମକୁ ଦେବେ କ’ଣ, ଅଧିକ ଟିକସ ବସେଇ ଟଙ୍କା ଭିଡ଼ି ନେଉଚନ୍ତି ।

 

ଲକ୍ଷ୍ମୀଧର ମୁଣ୍ଡରେ ହାତଦେଇ ବସି ପଢ଼େ । ପାଞ୍ଚ ସପ୍ତାହ ହେଲା ବସି ଖାଉଚି ସେ । କାରଖାନାରେ ଧର୍ମଘଟ ଚାଲିଚି । ଘରେଇ ଢଳେଇ କାରଖାନା । ମାଲିକ ଶ୍ରମିକ ଛଟେଇ କରିଦେଉଚି ।

 

ଲକ୍ଷ୍ମୀଧର ଆଉ ଥରେ କୈଳାସୀର ଚିଠି ପଢ଼େ । ନିଜ ଭିତରୁ ନୁହେଁ, କୈଳାସୀର ଚିଠି ଭିତରୁ ଏଇ ପ୍ରଶ୍ନର ଜବାବ ଯେପରି ଲକ୍ଷ୍ମୀଧରର ନିର୍ବୋଧ ଗ୍ରାମ୍ୟ ମନ ବାରମ୍ବାର ଖୋଜି ବୁଲେ ।

Image

 

Unknown

ଏଠି ବି ଦୀପାଳି ଜଳେ

 

ତେଲ ମିଳୁନି, ଚାଉଳ ମିଳୁନି, ସବୁ ଜିନିଷର ଦାମ ବଢ଼ିଛି ।

 

ସ୍ତ୍ରୀ ଶୋଇବା ବିଛଣା ଉପରେ ବସି ସାରାଦିନ ହିସାବ ଲେଖୁଥିଲେ, ଆଉ କଥାଗୁଡ଼ାକୁ ଆସ୍ତେ ଆସ୍ତେ ମୋଆଡ଼େ ଆଗେଇ ଦେଉଥିଲେ ।

 

ବହି ଖୋଲି ଧରି ମୁଁ ସ୍ତ୍ରୀଙ୍କ କଥା ଶୁଣୁଥିଲି । ସମସ୍ତ ଦିନର କର୍ମବ୍ୟସ୍ତତା ପରେ ଏଇ ମୋର ପଢ଼ିବାର ସମୟ ସତ, ସ୍ତ୍ରୀଙ୍କର ବି ଏଇଟା କଥା କହିବାର ସମୟ । ସେ ବି ସାରାଦିନ ମୁହଁ ବନ୍ଦକରି ନିରଳସ ଗତିରେ ସଂସାରର ନାନା କାମ କରି ଯାଉଚନ୍ତି । ପୁଅକୁ ଲେଖି ଶିଖାଇବା, ଚାକରଠୁଁ ବଜାର ହିସାବ ବୁଝିବା, ଘର ସଜାଡ଼ିବା ଇତ୍ୟାଦି ଇତ୍ୟାଦି ।

 

ଚାଉଳ, ପରିବାର ଦାମ ସମ୍ବନ୍ଧରେ ମତେ କହିବାର ବିଶେଷ ପ୍ରୟୋଜନ ତାଙ୍କର ନାହିଁ-। ଅବଶ୍ୟ ବହୁଭାବେ ମତେ ଅଭିଯୁକ୍ତ କରି ସୁଦ୍ଧା ମୋର ନିପୁଣା ସ୍ତ୍ରୀଙ୍କ ମନରେ ମତେ ନେଇ ଯେ ଗୋଟାଏ ଗୌରବବୋଧ ଅଛି, ଏଥିରେ ସନ୍ଦେହ ନାହିଁ ।

 

ଆଉ ମୋର ବା କି ଦରକାର ଏହି ସବୁ ତେଲ ଲୁଣର ହିସାବ କଷି ବରଂ ରାତି ଦଶଟାର ଏଇ ଶାନ୍ତତା ଭିତରେ କିଛିଟା ଲେଖାପଢ଼ା, କିଛିଟା ସ୍ତ୍ରୀ ସାନ୍ନିଧ୍ୟ ଲାଭ କରିପାରିଲେ ମୋର ବିବ୍ରତ ଆତ୍ମାଟା ଯେପରି ତୃପ୍ତିର ସ୍ୱାଦ ପାଇ ବଞ୍ଚିଉଠେ ।

 

ତଥାପି ସ୍ତ୍ରୀଙ୍କର ସବୁକଥା ମତେ ପରମ ଶ୍ରଦ୍ଧାର ସହିତ ଶୁଣିବାକୁ ହେବ । ନ ହେଲେ ସେ ବା ଆଉ କାହାକୁ ତାଙ୍କର ଏଇ ଜମାଥିବା କଥାଗୁଡ଼ାକ ଶୁଣେଇବେ ।

କିନ୍ତୁ ରାତି ଦଶଟାରୁ ଏଇ ନୀରବତା ଆଜିକାଲି ଆଉ ପ୍ରାୟ ଅକ୍ଷୁଣ୍ଣ ରହେନା । ବେଳେ ବେଳେ ସ୍ତ୍ରୀଙ୍କର କଥା ବନ୍ଦ ହୋଇଯାଏ । ପୁଅର ନିଦ ଭାଙ୍ଗି କାନ୍ଦିଉଠେ । ମୁଁ ବି ମୋର ଧ୍ୟାନ ହରେଇ ଉଠିପଡ଼େ । କାନ୍ଦବୋବାଳି, ମାରଧର; ଅଶ୍ଳୀଳ ଗାଳିଗୁଲଜ ଆମର ଏଇ ଦୋତାଲାର ଫାଟଟାକୁ ଅତିଷ୍ଠ କରି ତୋଳେ ।

ସ୍ତ୍ରୀ କହନ୍ତି ‘ମରୁନି’ !

ସତେ ଗତ ଜାନୁଆରୀ ମାସଠାରୁ ଏ ମନ୍ଦଗ୍ରହ ଯେ କେଉଁଠୁ ଆସି ଜୁଟିଚି ଶାନ୍ତିର ଏଇ ସୁନ୍ଦର ମୁହୂର୍ତ୍ତଗୁଡ଼ା ବି ବିଦୀର୍ଣ୍ଣ ହେଇଯାଉଚି ।

କୁତ୍ସିତ ରୁଗ୍‌ଣ ଗୋଟାଏ ପିଲା ଆଉ ତା’ର ମା’ ।

ଭିକାରୁଣୀ ତ ନିଶ୍ଚୟ, ତା’ ଛଡ଼ା ଦେହ ବ୍ୟବସାୟିନୀ ବି ।

ଘୃଣାରେ ସ୍ତ୍ରୀ ଶିହରିଉଠନ୍ତି ।

ମୁଁ ଭାବେ, ଆଶ୍ଚର୍ଯ୍ୟ ।

ସ୍ତ୍ରୀ କହନ୍ତି, ଏ ବି ସମ୍ଭବ ।

ଏ ପୃଥିବୀରେ ସବୁ ସମ୍ଭବ । ନହେଲେ ନିରାଶ୍ରୟା ମା’ ପାଖରେ ଖାଇବାକୁ ଏଇ ଭିକାରି ପିଲାଟି ରଡ଼ି ଛାଡ଼ନ୍ତା କାହିଁକି ? ଆଉ ତା’ର ଜନ୍ମ ଦେଇ ତା’ର ଜନ୍ମଦାତ୍ରୀ ଗୋଟାଏ ଅଜ୍ଞାନ ନିର୍ବୋଧ ଶିଶୁକୁ ଏତେ କଥା ଶୁଣେଇ ରକ୍ତ ଶୋଷି ଡାଆଣୀ ପରି ପିଟନ୍ତା କାହିଁକି ?

ଶୁଣି ଶୁଣି ସ୍ତ୍ରୀ ଲଜ୍ଜିତ ହୁଅନ୍ତି, ରାଗି ବି ଯାଆନ୍ତି, ନା, ଏ ଅମଙ୍ଗଳ ଗ୍ରହକୁ ନ ତଡ଼ିବା ପର୍ଯ୍ୟନ୍ତ ଆଉ ରକ୍ଷାନାହିଁ ।

ସ୍ତ୍ରୀ ପ୍ରାୟ ତଳକୁ ଛୁଟିଯାଆନ୍ତି; କିନ୍ତୁ ତଡ଼ିବା କ’ଣ ଏତେ ସହଜ ?

ତଡ଼ିବା ଏଡ଼େ ସହଜ ନୁହେଁ କି କୌଣସି ଭଦ୍ରସମାଜର ଲୋକପକ୍ଷେ ସୃଷ୍ଟି ରହସ୍ୟର ଏହି ଆଦିମ ବ୍ୟାଖ୍ୟା ଶୁଣିବା ବି ସହଜ ନୁହେଁ ।

ମୁଁ କିନ୍ତୁ ବେଳେ ବେଳେ ବଡ଼ ସମ୍ବେଦନଶୀଳ ହୋଇଉଠେଁ । ସ୍ତ୍ରୀଙ୍କୁ ନ ପଚାରି ସୁଦ୍ଧା କାରଣଟା ମୁଁ ଖୋଜି ନେଇଚି । ଅନ୍ୟ କିଛି ନୁହେଁ, ଆଜନ୍ମ କୁସଂସ୍କାର ଭିତରେ କିଛିଟା ଆତ୍ମଜାଗୃତି–କିଛିଟା ଭାବାବେଗ ।

ଆଜି କିନ୍ତୁ ମୁଁ ରୀତିମତ ବିରକ୍ତ ହେଇଉଠିଲି ।

ସ୍ତ୍ରୀ ପୁଅକୁ ଶଯ୍ୟାଧାରରେ ଶୋଇ ଦେଉଥିଲେ ଆଉ ବହିଟା ରଖିଦେଇ ମୁଁ ପ୍ରାୟ ତାଙ୍କୁ ଗୋଗ୍ରାସ ଦୃଷ୍ଟିରେ ଅନେଇ ରହିଥିଲି । ସମସ୍ତ ଦିନର କର୍ମକ୍ଳାନ୍ତି ପରେ କିଏ ଏଇ ନିବିଡ଼ତା ନ ଚାହେଁ ?

କିନ୍ତୁ.....

 

ପ୍ରଚଣ୍ଡ ଏକ ଧକ୍‌କା ଖାଇ ସ୍ତ୍ରୀ ଯେପରି ଓଲଟିପଡ଼ିଲେ । ବିଛଣା ଛାଡ଼ ଏକବାର ଆସି ଠିଆହେଲେ ଝରକା ପାଖରେ ।

 

ଜଘନ୍ୟ.....

 

କ’ଣ ହେଲା ?

 

ଦେଖନା ? ସ୍ତ୍ରୀ ଆଙ୍ଗୁଳି ନିର୍ଦ୍ଦେଶ କରି ଦେଖେଇଦେଲେ ଅଳ୍ପ ଦୂରରେ ଯେଉଁଠି ରାସ୍ତାଟା ବଙ୍କେଇ ଯାଇ ଟ୍ରାମଲାଇନ ସହିତ ମିଶି ଯାଇଛି । ସେଇଠି ଗୋଟାଏ କାନ୍ଥ ସହିତ ନିଜକୁ ପ୍ରାୟ ମିଶେଇ ଦେଇ ଜଣେ କିଏ ଠିଆ ହେଇଚି ।

 

କିଏ ?

 

କିଏ ଆଉ ? ସ୍ତ୍ରୀଙ୍କର ଭ୍ରୂକୁଟିଟା ଯେପରି କମ୍ପିଉଠିଲା–ରାଗ କିମ୍ବା ଘୃଣାରେ କେଜାଣି-!!

 

ପୋଡ଼ାମୁହାଁ । ଲକ୍ଷ୍ମୀଛଡ଼ା ପିଲା ।

 

ତା’ର ଫେର କି ଦୋଷ ହେଲା ?

 

ମରେନା ଯେ.....

 

ସତେ ଲୁହା ଗୋଜିଣାରେ ମାଡ଼ ଖାଇବି ପିଲାଟା ମରେନା ଆଶ୍ଚର୍ଯ୍ୟ.......

 

ଆଶ୍ଚର୍ଯ୍ୟ କିଛି ନାହିଁ ଦେବୀ ! ମା’ଙ୍କର ବି ଜୀବନ ଅଛି ।

 

ଆହା...ସ୍ତ୍ରୀଙ୍କର ବିସ୍ଫୋରିତ ଡୋଳାଦୁଇଟା ଯେମିତି ମୋ ମୁହଁଟାକୁ ବାରମ୍ବାର ପ୍ରଦକ୍ଷିଣ କରି ଫେରିଲା ।

 

ମୁଁ ନିଜକୁ ଅସହାୟ ବୋଧ କଲି ।

 

ସ୍ତ୍ରୀ ଦୁମଦାମ କରି ଝରକାଟା ବନ୍ଦ କରିଦେଲେ ଆଉ ମତେ ପ୍ରାୟ ଘୋସାରି ଘୋସାରି ବିଛଣାକୁ ନେଇଆସିଲେ ।

 

ତମେ କାହିଁକି ସେଠି ଛିଡ଼ା ହେଇଥିଲ ?

 

ବାଃ...ତମେ ତ ଡାକିଲ ।

 

ମୁଁ ଡାକିଲି ? ସ୍ତ୍ରୀ ଧମକ ଦେଇଉଠିଲେ । ମୁଁ ଡାକିଥିଲି ଏଇ ରାକ୍ଷସୀଟାକୁ ଦେଖିବା ପାଇଁ । ଏଇଟା... ଏଇଟା....

 

ସ୍ତ୍ରୀ ଆଉ କଥା ଶେଷ କରିପାରିଲେନି । ଉତ୍ତେଜନାରେ ଥରିବାକୁ ଲାଗିଲେ ।

 

ଦୁଇ ତିନିଦିନ ଚୁପ୍‌ଚାପ ଦୋତାଲାର ବାରଣ୍ଡାରେ ଠିଆହୋଇ ସ୍ତ୍ରୀ ମା’ଟାକୁ ଲକ୍ଷ୍ୟ କରନ୍ତି । ନାରୀ ଜନୋଚିତ କୌତୂହଳ ତାଙ୍କୁ ନିସ୍ପୃହ ରହିବାକୁ ଦିଏନାହିଁ ।

କଥାଟା ମୋ କାନକୁ ବି ଆସେ ।

ମା’ଟା ବସି ବସି କାଚମାଳି ଗୁନ୍ଥୁଚି, ନ ହେଲେ ମାଗି ଆଣିଥିବା ବଡ଼ିଶ୍‌ଟାକୁ ପିନ୍ଧି ବାରମ୍ବାର ଦେଖୁଚି ଆଉ ମୁରୁକି ମୁରୁକି ହସୁଚି ।

ସ୍ତ୍ରୀ ମୁହଁ ଫେରାନ୍ତି, ପୋଡ଼ାମୁହିଁ । ମୁଁ ହସିଉଠେ, ବିଚାରୀ.....

ବିଚାରୀ....ସ୍ତ୍ରୀ ଆକ୍ଷେପ କରିଉଠନ୍ତି ।

ମୁଁ କିନ୍ତୁ ଛୁଆଟାକୁ ଖୋଜେ । ସେ ଯେତେ କୁତ୍ସିତ ହେଉନା କାହିଁକି, ସବୁ ଶିଶୁ ପରି ତା’ ଭିତରେ ଯେ ବିଶ୍ୱର ପରମ ସୌନ୍ଦର୍ଯ୍ୟ ଛପି ରହିଛି, ସେ ବିଶ୍ୱାସ ମୋର ଅଛି ।

କିନ୍ତୁ ପିଲାଟାକୁ ଦେଖିପାରେନା ।

ସ୍ତ୍ରୀ କହନ୍ତି, ଦେଖିବ କେମିତି ? ହୁଏତ କେଉଁଠି ମାରି ପକେଇଦେଇ ଆସିଛି, ନ ହେଲେ ଶୋଇ ଶୋଇ ଜ୍ୱରରେ ବିଳିବିଳଉଚି ।

ନା ତା’ ବି ନୁହେଁ । ରାସ୍ତାର ଗୋଟାଏ ଗଙ୍ଗାକଳ ପାଖରେ ବସି ବସି ପିଲାଟା ଗାଧୋଉଚି । ବୋଧେ କେଉଁଠୁ ଟିକିଏ ବାର୍‌ ସୋପ ପାଇଚି । ସେଇଟା ଦେହରେ ବୋଳି ଘସି ହେଉଚି ଆଉ ମା’ଆଡ଼େ ଥରେ ଥରେ ଶଙ୍କିତ ଦୃଷ୍ଟିରେ ଚାହିଁ ମୁହଁ ବୁଲେଇ ନେଉଛି । କେଉଁଠି ହୁଏତ ଗୃହସ୍ତ ଘରର ପିଲାପିଲିଙ୍କ ପରିଷ୍କାର ହେଇ ଗାଧୋଇବା ଦେଖିଚି । ତା’ ମା’ ବି ଅନେକ ସମୟରେ ସେଇ ମଇଳା ପାଣି ପାଖରେ ବସି ଅର୍ଦ୍ଧଉଲଗ୍ନ ଭାବରେ ଘସି ମାଜି ହେବାର ଦୃଶ୍ୟ ଆମ ଆଖିରେ ପଡ଼ିଛି । କିନ୍ତୁ ପିଲାଟାକୁ କେବେ ଆଦର ଯତ୍ନ କରିବାର କେହି ଦେଖିନାହିଁ ।

ସ୍ତ୍ରୀ କହିଲେ ତା’ କେମିତି ହେବ ।

ମୁଁ କିନ୍ତୁ ନିଜକୁ ପ୍ରଶ୍ନକରେ, କାହିଁକି ହୁଏନା ?

ବବିକି ଦେଖୁଚି ମୁଁ । ବବି ମୋ ପୁଅ । ସକାଳୁ ଉଠି ବିଛଣାକୁ ଯିବା ଅବଧି ବବିର ସମସ୍ତ ଦିନଟା ଯେପରି ଏକ ଶିଳ୍ପରୂପର ମହିମା ନେଇ ମୋ ଆଗରେ ଦେଖାଦେଇଯାଏ, ସେ କ’ଣ କେବଳ ମୋ ପାଇଁ ? ମୋରି ସ୍ୱୀକୃତି ପାଇଁ ?

ସ୍ତ୍ରୀ କହିଲେ, ଇତରତା ନେଇ ଏତେ ମୁଣ୍ଡ ଖେଳେଇଲେ ଭିତରର ବଶ ଗୋଳେଇ ହେଇଯିବ ଯେ....

ସତେ ତ, ମୋର ଅନେକ କାମ–ଅଫିସ୍, ଲେଖାପଢ଼ା, ସ୍ତ୍ରୀ ପୁତ୍ର.....

ବବି ଆସି କୁଣ୍ଢେଇ ପକେଇଲା, ବାବା....

ବାବା....

ବହିଟା ପଢ଼ିବନି ?

ପଢ଼ିବି ?

ମୁଁ ପଢ଼ିବି ବବି ଶୁଣିବ । ବବିର ଏଇଟା ଖିଆଲ ନୁହେଁ, ଆଗ୍ରହ । ମଣିଷ ଶିଶୁର ଏଇ ଅନୁସନ୍ଧିତ୍ସା, ଏଇ ଆଗ୍ରହ, ଏଇ ଅନାଗ୍ରହର ସୂତ୍ରପାତ କ’ଣ କେବଳ ଦୁଇଟି ମଣିଷର ପ୍ରାତ୍ୟହିକ ଆଚାର ଆଚରଣ ଭିତରୁ ।

ବବି ବହି ନେଇ ଦୌଡ଼ି ଦୌଡ଼ି ଆସିଲା । ତା’ର ପଛେ ପଛେ ଦୁଧବାଟି ନେଇ ସ୍ତ୍ରୀ ଆସିଲେ ।

ବବି ସୁନା, ନିଶ୍ଚୟ ଦୁଧ ଖାଇନା ?

ସ୍ତ୍ରୀ କହିଲେ, ଦେଖ, ସକାଳଠୁ ଦୁଧ ଖାଇନି ।

ନା ବାବା ! ଆଖି ତରାଟି ବିଶିଅଙ୍ଗୁଠି ଟେକି ବବି କହିଲା, ମା’ଟା ଭୀଷଣ ଦୁଷ୍ଟ । କଥା କହିଲେ ମୋଟେ ଶୁଣେନା । କହିଲି, ଗପଟା ଶୁଣିସାରେ... ଉଁ....

ବବି ଛୋଟ ମୁହଁଟାର ବିଶେଷ ଏକ ଭଙ୍ଗୀ କରି ତା’ର ମା’ଆଡ଼େ ଅନେଇ ରହିଲା ।

ଚକୋଲେଟ ଦେବି । ସ୍ତ୍ରୀ ବବିର ମୁହଁ ପାଖରେ ବାଟିଟା ଉଠେଇ ଧରିଲେ ।

ଚକୋଲେଟ ? ବବିର ସାନ ଆଖି ଦୁଇଟି ଯେମିତି ଉଦ୍‌ଭାସିତ ହେଇଉଠିଲା । କିନ୍ତୁ ପରମୁହୂର୍ତ୍ତରେ ଏତ ବିଜ୍ଞ ବ୍ୟକ୍ତି ପରି ମୁଣ୍ଡ ହଲେଇଲା ।

କ’ଣ ହେଲା ?

ନିସ୍ୱୃହ କଣ୍ଠରେ ବବି କହିଲା, ଚକୋଲେଟ ନେବାତ ଲାଞ୍ଚ ନେବା ।

ସତେ ?

ହଁ, ଲାଞ୍ଚ ନେବା ଘୋର ପାପ ।

ହୁଁ... ମୁଁ ଯଥା ସମ୍ଭବ ହସ ଚାପିନେଲି । କିନ୍ତୁ ସ୍ତ୍ରୀ ପାରିଲେ ନାହିଁ । ମୋର ଏଇ ଛୋଟ ଘରଟି ମହତ୍ତର ଜୀବନର ସ୍ୱପ୍ନ, ଜନନୀର ମମତା, ମୁଁ ସଂବନ୍ଧ ଚିନ୍ତାଧାରା, ସବୁ ମିଶି ଯେମିତି ଏକ ଆଲୋକର ଲୀଳା ରଚନା କରୁଥିଲା । ଆଉ ବବି, ବବି ସେଇ ଆଲୋକର ଦୂତ ।

ସ୍ତ୍ରୀ ପୁଅକୁ ଜାକି ଧରିଲେ ।

ପିପାସିତ ଦୁଇଟି ଆଖି ମୋର ମୁଗ୍‌ଧ ହେଇଯାଇଥିଲା । କିନ୍ତୁ କେଇଟି ମୁହୂର୍ତ୍ତ ମାତ୍ର । ଏକ ପ୍ରଚଣ୍ଡ ଆର୍ତ୍ତନାଦ ଯେମିତି ଧକ୍‌କା ଦେଇ ଆମକୁ ବିକ୍ଷିପ୍ତ କରିଦେଇଗଲା ।

ସ୍ତ୍ରୀ ମୂର୍ତ୍ତି ପାଲଟି ଯାଇଥିଲେ । ମୁଁ କିନ୍ତୁ ଖବରଟା ଜାଣିପାରିଥିଲି । ଚିଲାଚିଲି, ଲୋକ ଜମା ହେବା, ବହୁ ପ୍ରଶ୍ନୋତ୍ତର ଭିତରୁ ଖବରଟା ସ୍ୱତଃପ୍ରବୃତ୍ତ ହେଇ ମୋ ପାଖରେ ଆସି ପହଞ୍ଚି ଯାଇଥିଲା । ଫୁଟପାଥର ଡିମ୍ବ ଭଜାଳି ଲୋକଟା ମା’କୁ ବୋଧେ ବହକା ଡିମ୍ବର ଖଣ୍ଡେ ଆମଲେଟ ଦେଇଥିଲା । ସେଇଟା କୌଣସି ପ୍ରକାର ଦୟା ନୁହେଁ । ସେଥିପାଇଁ ମା’ଟା ଏଇ ଅବାଞ୍ଛିତ ପିଲାଟାକୁ ଭାଗ ଦେବାକୁ ଚାହିଁନଥିଲା । ପିଲାଟା ବି ନଛୋଡ଼ବନ୍ଧା ।

ତା’ ବୋଲି ଏଇ ଭଙ୍ଗା ଏନାମେଲ ଥାଳି ଦେଇ ପିଲାକୁ ମାରିବୁ ବଜ୍ଜାତ୍‌ ମାଇକିନିଆ.....

ମା’କୁ ନେଇ ଦଳେ ଲୋକ ବ୍ୟସ୍ତ ।

ଜୋର ମାରଧର କଦର୍ଯ୍ୟ ଗାଳି ଗୁଲଜ ଆରମ୍ଭ ହେଇଯାଇଚି । କିନ୍ତୁ ପିଲାଟା ଏକବାର ନିଶ୍ଚଳ ।

ମରିଯାଇନି ତ ? ସ୍ତ୍ରୀ ଯେପରି ସ୍ୱଗତୋକ୍ତି କରିଉଠିଲେ । ସେ ବି ଡରିଯାଇଚନ୍ତି ।

ପୁଅକୁ କୋଳ କରି ସ୍ତ୍ରୀଙ୍କୁ ଭିତରକୁ ନେଇଆସିଲି । କୌଣସି ଭଦ୍ର ଗୃହସ୍ଥ ପକ୍ଷେ ଏସବୁ ଦେଖି ସହ୍ୟ କରିବା ନିହାତି ଅସମ୍ଭବ ।

ସେଦିନ ପରେ ସାତ ଆଠଦିନ କଟିଯାଇଚି । ମା’ ପିଲାଙ୍କ କଥା ଆଉ ମନେପଡ଼େ ନାହିଁ । ସେମାନେ ବି ଆଉ ଆଖିରେ ପଡ଼ୁନାହାନ୍ତି । ସାଢ଼େ ଦଶଟାର ରାତି ଆମର ଶାନ୍ତ ନୀରବ ।

କାମ ପାଇଁ ବାହାରିବାକୁ ପଡ଼େ । ସେଦିନ ବି ବାହାରିପଡ଼ିଥିଲି । କଲେଜ ଷ୍ଟ୍ରୀଟ୍‌ରୁ ଏସ୍‌ପ୍ଳାନେଡ଼ । ଏସ୍‌ପ୍ଳାନେଡ଼ରୁ ହାଜରା ରୋଡ଼ ।

ଟ୍ରାମ୍‍ରୁ ଓହ୍ଲେଇ କିଛିବାଟ ଚାଲିବାକୁ ହୁଏ । ଚାଲୁଚି ହଠାତ୍‌ ଦୃଷ୍ଟି ଯେମିତି ଅଟକିଗଲା-। ସେଇ ମା’ ଆଉ ପିଲା ନାଁ !

ସନ୍ଧ୍ୟାରୁ ଛାୟା ଘନ ହେଇଆସିଲାଣି । ରାସ୍ତାରେ ଆଲୁଅ ଜଳିନାହିଁ । ତଥାପି ଅସଂଖ୍ୟ ପଥଚାରୀ, ଯାନବାହନ ଭିଡ଼ରେ ବି ସେଇ ଦୀର୍ଘ ଚିହ୍ନା ମୁହଁଟାକୁ ମୁଁ ଚିହ୍ନିପାରିଲି ।

ଫୁଟ୍‌ପାଥରୁ ହାଜରା ପାର୍କ । ମନ୍ଦ କ’ଣ ? ମୁଁ ଆଗେଇବାକୁ ଲାଗିଲି ।

କିନ୍ତୁ ମୋର ଧାରଣା ହିଁ ଭୁଲ୍ ।

ଆଜି ଆଉ କାନ୍ଥରେ ଘଷି ହେଇ ପଡ଼ାର କେହି ମସ୍ତାନ ଟୋକା ଠିଆ ହେଇନାହିଁ । ବରଂ ଭଦ୍ର ସମ୍ଭ୍ରାନ୍ତ ଘରର ଜଣେ ପୌଢ଼ା । ପିଲାଟାକୁ କାନ୍ଧରେ ପକେଇ ହୁଏତ କିଛି ମାଗୁଚି ।

ନା, ତା’ ବି ନୁହେଁ । କାମର କଥା କହୁଚନ୍ତି ଭଦ୍ର ମହିଳା । ତମେ ଅନ୍ୟ ଜାଗାରେ କାମ କରିପାରନ୍ତ ।

କେହି କରାଏ ନା ମ !

କରାଏନା ?

ନା ମା’ ! ଦେଖିଲେ ଛେପ ପକାଏ । ଭିକ ବି ଆଉ ଆଜିକାଲି ମିଳେନା ।

ମିଳିବ କେଉଁଠି ? ଲୋକେ ଯେ ନିଜେ ଖାଇବାକୁ ପାଉନାହାନ୍ତି । କି କାଳ ଯେ ପଡ଼ିଚି....

ଝର ଝର କରି କାନ୍ଦିପକେଇଲା ମା’ଟା ।

ମୋ ପାଇଁ ଭାବୁନି ମା’ ।

କଥା ମତେ ଯେମିତି ଚମକେଇଦେଲା । ବହୁ ଚିହ୍ନା ଏଇ ମୁହଁଟାକୁ ଠିକ୍ ଏଇ କଥା ଶୁଣିବାକୁ ମୁଁ ଆଦୌ ଭାବି ପାରିନଥିଲି ।

କିନ୍ତୁ ତା’ର କଥାଟା ଯେ ନିହାତି ସତ ।

ସ୍ତ୍ରୀ, ମୁଁ କିମ୍ବା ଅନ୍ୟମାନେ ଏଇ ସତ୍ୟଟାକୁ କେବେହେଲେ କେହି ଭାବିପାରି ନାହୁଁ । ଅନ୍ନ, ବସ୍ତ୍ରର ଏହି ମହାସଂକଟ ଭିତରୁ ଆଗାମୀ ଯେଉଁ ଦଶବର୍ଷ ଜନ୍ମ ନେବ, ତା’ର ଏକ ବିବର୍ଣ୍ଣ ଛବି–ଯେପରି ବହୁ ଦୂରରେ ଥାଇ ସୁଦ୍ଧା, ମୁଁ ଦେଖିପାରିଲି । ହାଡ଼କଟା ଲେନ, ସୋନାଗାଛି, ନହେଲେ ବା ଚୌରାଙ୍ଗୀର କେଉଁ ଆଧୁନିକତମ ବାର, ମଦ, ଉତ୍ସୃଙ୍ଖଳତା, ତା’ରି ଭିତରେ ଏକ ରକ୍ତହୀନ, ସ୍ୱପ୍ନ ହୀନ ଥଣ୍ଡା ମୁହଁ ସହିତ ଆଜିର ଏଇ ଦୃଶ୍ୟର ଯେ ନିବିଡ଼ ସାମଞ୍ଜସ୍ୟ ରହିଯିବ ଏ ବିଷୟରେ ମୁଁ ଅନ୍ତତଃ ନିଃସନ୍ଦେହ ।

Image

 

ଗୋଟିଏ ପ୍ରେମ ଗଳ୍ପ

 

ଅନେକ ଦିନ ଧରି ଭାବୁଚି ପ୍ରେମ ଗଳ୍ପ ଲେଖିବି । ଆଜିକାଲି ଆଉ ପ୍ରାୟ ଗଳ୍ପ ହୁଏନା । କାହିଁକି ହୁଏନା ସେ ବିଷୟରେ ବି ମୁଁ କିଛିଟା ଅନୁସନ୍ଧାନ କରିସାରିଛି । ପ୍ରଥମ କଥା ପ୍ରେମ କରିବାର ବୟସଟା ତା’ର ସର୍ବଗୁଣ ଧରି ବିଦ୍ୟମାନ ଥିଲେ ବି ସୁଦ୍ଧା ସୁଯୋଗ ନାହିଁ । ସମୟ ମଧ୍ୟ ନାହିଁ, ମନଟାକୁ ଅନେକଦିନୁ ସଂଯମର ମଣିକୋଠାରେ ବନ୍ଦୀ କରି ରଖିଚି । ଏହିକ୍ଷଣି ସ୍ତ୍ରୀ, ପୁତ୍ର ନେଇ ଘୋର ସଂସାରୀ ।

 

ତଥାପି ପ୍ରେମ ଶବ୍ଦଟା ବେଳ ଅବେଳରେ ବଡ଼ ବ୍ୟସ୍ତ ବିବ୍ରତ କରିଦିଏ । ଠିକ୍‌ ସେହି ସମୟରେ ସ୍ତ୍ରୀଙ୍କର କେତେଟା ଉପଦେଶ ମନେପଡ଼ିଯାଏ । ଅବଶ୍ୟ କ୍ଷେତ୍ର ବିଶେଷରେ ସ୍ତ୍ରୀ ବହୁ ଉପଦେଶ ଦେଇଥାଆନ୍ତି ।

 

ସ୍ତ୍ରୀ କହନ୍ତି ବିବାହ ପରେ କୌଣସି ଅନ୍ୟାଚାରକୁ କ୍ଷମା କରାଯାଇପାରେନା । ବିବାହର ପୂତ ହୋମାଗ୍ନିକି ଲଙ୍ଘନ କରି ଯିବାମାନେ ନିଜର ଜନ୍ମ ଐତିହକୁ ଅବମାନନା କରି ଯିବା ।

 

ସ୍ତ୍ରୀଙ୍କର ଏଇ ଧରଣର କଥାଗୁଡ଼ାକ ଅନେକ ସମୟରେ ଭଲଲାଗେ । ମନେରଖେ, କିଛିଦିନ ଧରି ଭାବେ ବି, ବହୁ ସମୟରେ ଲେଖାଲେଖି ବେଳେ କାମରେ ଲାଗିଯାଏ, ସେଥିପାଇଁ ସ୍ତ୍ରୀଙ୍କି ଧନ୍ୟବାଦ ନ ଦେଇ ରହିପାରେନା ।

 

ସ୍ତ୍ରୀ କହନ୍ତି ବାବା ହେଇଚ, ଏବେ ଆଉ କିଛି ପାଇବାର ଆଶା ରଖନା, ତା’ହେଲେ ନିଜ ସୃଷ୍ଟି ବିକଳାଙ୍ଗ ହେବ ।

 

କଥାଟା ଶୁଣି, ମୋର ସମଗ୍ର ସତ୍ତାଟା ଚମକିଉଠିଚି । ମୋର ବବି, ବିବି, ମୋର ଏଇ ସ୍ୱାସ୍ଥ୍ୟ କ’ଣ, ସନ୍ତାନବତୀ ସୁଗୃହିଣୀ । ଯାହାର ଦୁଇଟି ଆଖି, ତିନୋଟି ଶରୀର ମନର ସ୍ୱାଚ୍ଛନ୍ଦୀ ପାଇଁ ସଦାଜାଗ୍ରାତ, ଯାହାର ଦୁଇଟି ହାତ, ତିନୋଟି ଜୀବନର ସୁଖ, ସୁବିଧା ପାଇଁ ସଦା ବ୍ୟସ୍ତ ।

 

ସ୍ତ୍ରୀ ନୁହନ୍ତି ତ, ମୋର ମନେହୁଏ, ମୋର ସୌଭାଗ୍ୟ ଲକ୍ଷ୍ମୀ ଏଇଟା ମୋର ସ୍ତ୍ରୈଣତ୍ୱ ନୁହେଁ । ଭାବାବେଗ ବି ନୁହେଁ । ଏଇ କଣ୍ଟ୍ରାକ୍‌ଟି, ଡିଭୋର୍ସ ଯୁଗରେ ନିହାତି ଗୋଟାଏ ସତ କଥା । ଆଉ ଦୁଇଟି ନରମ କଳିକା ପରି ମୋର ଦୁଇ ସନ୍ତାନ ବବି, ବିବି । ସାମାନ୍ୟ ମନଫୂର୍ତ୍ତି ପାଇଁ ଏମାନଙ୍କୁ ହରେଇବାକୁ ମୁଁ ନାରାଜ ।

 

ବୁଢ଼ୀଆଣି ପରି ମଣିଷ ନିଜେ ସଂସାରର ଜାଲ ଫାନ୍ଦି ନିଜେ ତା’ ଭିତରେ ବନ୍ଦୀ ହୋଇଚି । କିନ୍ତୁ ସେଇ ବନ୍ଦୀତ୍ୱ : ଯେ ଅଶେଷ ଆନନ୍ଦର ଆଧାର । ଏଇ ସତ୍ୟଟାକୁ କେହି ଅସ୍ୱୀକାର କରିପାରିବ ନାହିଁ ।

 

କିନ୍ତୁ ଅନୁଭୂତି ନଥିଲେ ଯେ ଲେଖାହୁଏନା, ମହାଅସୁବିଧା । ଆଡ଼େ ପ୍ରେମ ଗଳ୍ପ ଲେଖିବାକୁ ଇଚ୍ଛା ପୁଣି ପ୍ରଚଣ୍ଡ ଇଚ୍ଛା । ନ ଲେଖିଲେ ଯେ ଛାତି ଫାଟିଯିବାର ଉପକ୍ରମ ।

 

ଅଫିସରେ କାମ କରିପାରେନା ।

 

ଘରେ ସ୍ୱସ୍ତି ପାଏନା ।

 

ସ୍ତ୍ରୀ କହନ୍ତି, କ’ଣ ହେଲା ତମର ?

 

ହସି କହେ, କାହିଁ କ’ଣ ହେଲା ?

 

କହିଲେ ବିଶ୍ୱାସ କରିବି ?

 

ସ୍ତ୍ରୀ ଦେହ ମୁଣ୍ଡରେ ହାତ ବୁଲେଇ ପରୀକ୍ଷା କରି ଭୂମିକାକୁ ଓହ୍ଲେଇଆସିଲେ ।

 

ମୁଁ ତାଙ୍କର ହାତ ଚାପିଧରି କହିଲି, ନା ଗୋ, କିଛି ହୋଇନି । ତମର ସୀମା ଲଙ୍ଘନ କରିବ, ସେ ତା’ର ଏତେ ବଡ଼ ଦୁଃସାହସ ।

 

ଥଟ୍ଟା କରନା, ସ୍ତ୍ରୀଙ୍କ ମୁହଁର ଜ୍ୟୋତି ଯେମିତି କମି କମି ଆସୁଚି ।

 

ମୁଁ କହିଲି, ଏତେ ଭୟ ?

 

ସ୍ତ୍ରୀ ଆଉ କଥା କହିଲା ନାହିଁ । ତାଙ୍କର ହାତ ଧରି ମୁହଁରେ ବୁଲଉ ବୁଲଉ କହିଲି, ଲେଖିପାରୁନି ।

 

ଓ...ସ୍ତ୍ରୀ ଯେମିତି ନିଶ୍ୱାସ ଛାଡ଼ି, ବଞ୍ଚିଲେ, ହସିଲେ ବି କହିଲେ ବସ, କଫି ଦିଏ ।

 

କଫି ଯେପରି ଲେଖା ବାହାର କରି ଆଣିବାର ପରମ ଅସ୍ତ୍ର ।

 

ସ୍ତ୍ରୀ କଫି ଦେଇ ଗଲେ ।

 

ନିରୋଳା ଘରେ କିଛିକ୍ଷଣ ଧ୍ୟାନସ୍ଥ ବି ହେଲି ।

 

ଅଫିସ ସମୟର ସେଇ ଦୃଶ୍ୟ, ଟ୍ରାମ୍‌ ବସରେ ଠେଲାପେଲା କରୁଥିବା ବହୁ ପ୍ରକାର ନରମ, ରୁକ୍ଷ, ଇଷତ, କଠିନ ଦେହା ଲାଲ ଧଳା, ନୀଳବସନା ନାନା ବୟସର ସ୍ୱରୂପା ଆଉ ତାଙ୍କ ପାଖରେ ଅକାରଣ କୋଳାହଳ କରୁଥିବା କେଇଟା ଲାଳାୟିତ ପୁରୁଷ ଦେହ ବି ମୋର କଳ୍ପନା ଚକ୍ଷୁରେ ବାରମ୍ବାର ଭାସିଉଠିଲା । କିନ୍ତୁ ତା’ ଭିତରେ ପ୍ରେମ ନାହିଁ ?

 

କଲିକତାର ପଥ ଘାଟରେ, ରେଷ୍ଟୁରେଣ୍ଟ, ହୋଟେଲ ପାର୍କରେ କେତେ ଯୁଗଳ ମୂର୍ତ୍ତି, କେତେ ହାସ୍ୟାଳାପ, କେତେ ଢଳାଢଳି ଆଖି ଆଗକୁ ଆସୁଚି, କିନ୍ତୁ ତା’ ଭିତରେ ମୋର ମାନସ ମଥିତ ପ୍ରେମର ସନ୍ଧାନ ପାଉନାହିଁ ।

 

ତା’ହେଲେ ଲେଖିବି କ’ଣ ? ଏ ବର୍ଷ ନବବର୍ଷ ସଂଖ୍ୟା ପାଇଁ ସମ୍ପାଦକଙ୍କୁ ଦେବି ବା କ’ଣ ?

 

ସ୍ତ୍ରୀ ଭିତରୁ ଆସିଲେ । କହିଲେ, ଯାଃ.... ସେତିକି ବେଳୁ କପାଳରେ କଲମ ଠିକେଇ ବସି ରହିବ ? କଫି ଆଉ ଅଛି ?

 

ଆରେ ସତେ ତ ! ମୁଁ ସ୍ତ୍ରୀଙ୍କୁ ଚାହିଁ ହସିଲି ।

 

ସ୍ତ୍ରୀ କିନ୍ତୁ ଗମ୍ଭୀର । ଶାସନର ଦଣ୍ଡଟା ଏଇ ମୁହୂର୍ତ୍ତରେ ଓହ୍ଲେଇ ଦେବାକୁ ସେ ଯେପରି ନାରାଜ ।

 

ମୁଣ୍ଡ କୁଣ୍ଡେଇ ମୁଁ କହିଲି, କିଛି ଖୋଜି ପାଉନି ଯେ....

 

ହୁଁ ଖୋଜି ପାଉନା ? ଏତେ ଗାର୍ଡ଼େନ ପାର୍କ, ଲେନ, ଯା’ ଦେଖ, ଖୋଜି ପାଉଚ କି ନାହିଁ ।

 

ମୁଁ ବ୍ୟସ୍ତ ହୋଇପଡ଼ିଲି । ଭିତରେ ବାହାରେ ଏଇ ଏକ ପ୍ରଶ୍ନ ଏକ ଦ୍ୱନ୍ଦ୍ୱ ।

 

କହିଲି ମୋ କଥା ଜମା ବୁଝୁନା ? ଯେଉଁଠି ଦେଖ ଲିପ୍‌ଷ୍ଟିକ୍‌ ବୋଳା ଓଠରେ ସେଇ ମାପ କରା ହସ ଆଉ ଚେଙ୍ଗା ପେଣ୍ଟ ପିନ୍ଧା ପ୍ରେମିକ ତରୁଣଟିର ବାରମ୍ବାର ସିଗାରେଟ୍‌ ଟାଣିବା ଭିତରେ କେଇଟା ଅଭ୍ୟାସ କରା କଥା । କେତେଜଣକୁ ଏମିତି କହିଆସୁଚି ତା’ର ଇୟତ୍ତା ନାହିଁ ।

 

ଓଃ ତମେ ଐକାନ୍ତିକ ପ୍ରେମ ଚାହଁ ? ସ୍ତ୍ରୀ ହସିଉଠିଲେ ।

 

ହଁ ଗୋ ହଁ ! ମୁଁ ଯେପରି ଗୋଟିଏ ଆଶ୍ରୟ ଆଶାରେ ଆକୁଳ ହୋଇଉଠିଲି । ସେଇ ପ୍ରେମ ମୁଁ ଚାହେଁ ଯେ ମୁକ୍ତ, ସେମିତି ଜଣେ ପ୍ରେମିକ ଚାହେଁ ଯିଏ ବନ୍ଧନହରା ।

 

ଆଉ ପ୍ରେମିକା ? ସ୍ତ୍ରୀ କିଶୋରୀ ବାଳିକା ପରି ହଠାତ୍‌ ଖିଲ ଖିଲ କରି ହସିଉଠିଲେ ।

 

ମୋର ତାରୁଣ୍ୟ ବି ମୁଖର ହୋଇଉଠିଲା । ମୁଁ ସ୍ତ୍ରୀଙ୍କ ଆଡ଼େ ହାତ ବଢ଼େଇଲି । ପ୍ରେମିକା ? ପ୍ରେମିକା ହେବ.....

 

ବାବା....

 

ବା... ବା....

 

ମୁଁ ଚିହିଁକି ଉଠିଲି । ସ୍ତ୍ରୀ ଘୁଞ୍ଚିଗଲେ ।

 

ଦୁଇ ପୁତ୍ର ଆସି ମତେ ଯାବୋଡ଼ି ଧରିଲେ । ମା’ଆଡ଼େ ବୋଧେ କାହାରି ନଜର ନାହିଁ ।

 

ବବି କହିଲା, ଜାଣ ବାବା, ବିବି କ’ଣ କହୁଚି ?

 

ବିବି ମୋ ବଡ଼ ପୁଅ, ବବି ଛୋଟ ।

 

ବିବି କହିଲା, ନା ବାବା, ମୁଁ କହୁନି । ବୁଢ଼ା କହୁଚି ।

 

କୋଉ ବୁଢ଼ା ?

 

ବିବି ସାମନା ବସ୍ତିକି ହାତ ବଢ଼େଇଦେଲା ।

 

ଦେଖିଲ, ତମେ ମୋର ଏଥର ସର୍ବନାଶ କରି ଛାଡ଼ିବ ।

 

ସ୍ତ୍ରୀ ଏଥର ନିଜକୁ ଫେରିପାଇଲେ ।

 

ବବି, ବିବି ମତେ ଛାଡ଼ି ଚଟ୍‌ପଟ୍‌ ଉଠିପଡ଼ିଲେ । ଲଜ୍ଜା ଭୟରେ ଦୁଇଟି କଣ୍ଢେଇ ଯେମିତି ।

 

ସ୍ତ୍ରୀ କହିଲେ, ଏ ଘର ଛାଡ଼ିବନି କି ଛୋଟ ଲୋକଙ୍କ ସାଙ୍ଗରେ ମିଳାମିଶା ବି ବନ୍ଦ କରିବନି । ଶେଷରେ ପିଲା ଦି’ଟାଙ୍କ ମୁଣ୍ଡ ଖାଇବ ।

 

କିଛି ହେବନି ? ମୋର ସାନ୍ତ୍ୱନାଟାକୁ ସ୍ତ୍ରୀ ଯେପରି ତାଚ୍ଛଲ୍ୟ କରିଉଠିଲେ । ସେଇ ପ୍ରପଞ୍ଚ ବୁଢ଼ା, ତା’ ସାଙ୍ଗରେ.....

 

ବାବୁ ଘରେ ଅଛନ୍ତି ?

 

ଏଇ.... ବବି, ବିବିକି ଟାଣି ଟାଣି ଭିତରକୁ ନେଇଗଲେ । ସ୍ତ୍ରୀ ଭଗବାନଙ୍କୁ ଅଶେଷ ଧନ୍ୟବାଦ ଦେଇ ମୁଁ ଡାକିଲି, ଭିତରକୁ ଆସ ପାଣ୍ଡେ !

 

ବିବିର ତଥାକଥିତ ବୁଢ଼ା ପାଣ୍ଡେ ଭିତରକୁ ଆସିଲା । କଲମଟା ଟେବୁଲ ଉପରେ ରଖିଦେଇ ମୁଁ ପାଣ୍ଡେ ଆଡ଼େ ମୁହଁ ଫେରାଇଲି ।

 

କି ଖବର ପାଣ୍ଡେଜୀ !

 

ଖବରତ ଅନେକ ବାବୁଜୀ !

 

ପାଣ୍ଡେ ଭିନ୍ନ ଭାଷୀ, କିନ୍ତୁ ଆମ ଭାଷା ବୁଝେ । କଥା କହେ ନିଜ ଭାଷାରେ ।

 

ପାଣ୍ଡେ ମାଟି ଉପରେ ଚେକା ଆସନ ପକେଇ ବସିପଡ଼ିଲା । ମୁଁ ନାନା କରିଉଠିଲି । ପାଣ୍ଡେ କହିଲା, ଠିକ୍‌ ଅଛି ବାବୁଜୀ ! ଧୂଳି ଧୂଆଁର ମଣିଷ ଆମେ । ଆମକୁ ଏତେ ଯତ୍ନ.....

 

ମୁଁ ସଂକୁଚିତ ହୋଇଉଠିଲି । ଛି ପାଣ୍ଡେଜୀ !

 

ସ୍ତ୍ରୀଙ୍କର କଥାଗୁଡ଼ାକ ମତେ ଭାରି ଲଜ୍ଜିତ କରିଦେଇଥିଲା ।

 

ପାଣ୍ଡେ ବସ୍ତୀରେ ରହେ । ସକାଳୁ ଯାଏ, କେଉଁଠି ଏକ କାରଖାନାରେ କାମ କରି ସନ୍ଧ୍ୟାକୁ ଫେରେ । ଏକା ମଣିଷ, ଦୋକାନର ରୁଟି ତରକାରୀ ଦେଇ ପେଟ ଭରିନିଏ । ସମୟ ଅସମୟରେ ମୋ ପାଖକୁ ଆସେ । କଥା ଶୁଣେ, କଥା କହେ । ରାମାୟଣର ରାମ, ସୀତା, ହନୁମନ୍ତ । ଲକ୍ଷ୍ମଣ ପାଇଁ ପାଣ୍ଡେର ମନଟା ସଜଳ ହୋଇଉଠେ । ମୁଁ ବି ପାଣ୍ଡେର କଥା ଶୁଣେ ।

 

ବସ୍ତିରୁ ଆଉରି ବି କେତେ ଲୋକ ଆସନ୍ତି । ସ୍ତ୍ରୀ ରାଗନ୍ତି । ମୁଁ କିନ୍ତୁ ପ୍ରଶ୍ରୟ ଦିଏ । ସେମାନେ ମୂର୍ଖ । ଖଟିଖିଆ ନିମ୍ନ ପରିବେଶର ମଣିଷ । କୁତ୍ସିତତା ସହିତ ସେମାନେ ଆଜନ୍ମ ଜଡ଼ିତ-। ତଥାପି ମୋର ମନେହୁଏ, ସେଇ ଅଶ୍ଳିଳ କୁତ୍ସିତତା ଭିତରୁ ଯେଉଁ ନରମ, ସକୁରଣ ମନ ମୁଁ ଖୋଜି ପାଇବି ଆଜିକାଲିର କୌଣସି ଭଦ୍ର ସନ୍ତାନ ଭିତରୁ ତା’ ମୁଁ ପାଇବି ନାହିଁ ।

 

ସମସ୍ତ ପ୍ରକାର ଅଶ୍ଳୀଳତାକୁ ବାଦ ଦେଇ ମୁଁ କେତେ ହୃଦ୍ୟତାର ସ୍ପର୍ଶ ପାଏ କେତେ ଦୀନତାର କାହାଣୀ ଶୁଣେ । ମୁଁ ଜାଣେ ତା’ର ମୂଲ୍ୟ । ମୋର ଧୁରନ୍ଧର ସ୍ତ୍ରୀ ବୁଝିବେ ନାହିଁ । ସେ ସୁଗୃହିଣୀ ସେ ସୁମାତା ହେବାକୁ ଚାହାନ୍ତି

 

ପାଣ୍ଡେ କହିଲା, ବାବୁଜୀ, ଖବର ଯେତେବେଳେ ବୁକୁ ଫଟେଇ ବାହାରିଆସେ, ସେତେବେଳେ ଆପଣଙ୍କ ପାଖକୁ ଛୁଟିଆସେ ।

 

ପାଣ୍ଡେର ସ୍ୱରରେ ଉତ୍ତଜେନା ଥିଲେ ବି କେମିତି ଭିଜା ଭିଜା ।

 

-ଚା’ ପିଇବ ?

 

-ନା, ବାବୁ ! ପାଣ୍ଡେ ତଳକୁ ମୁହଁ କରି ନିଜର କଞ୍ଚା ପାଚିଲା ବାଳକୁ ମୁଠା ମୁଠା କରିବାକୁ ଲାଗିଲା । ମୁଁ ପାଣ୍ଡେଆଡ଼େ ଅନେଇ ଦେଖିବାକୁ ଲାଗିଲି । ମୋର ଲିପିଷ୍ଟିକ୍‌ ଅଧରା ନାୟିକା, ଚୋଙ୍ଗା ପ୍ୟାଣ୍ଟ ଆଉ ବୁସ୍‌ ସାର୍ଟ ପିନ୍ଧା ନାୟକର ଜାଗ୍ରତ ଅସ୍ତିତ୍ୱଟା ଯେମିତି ପାଣ୍ଡେର ଏଇ ବିରାଟ ଶରୀରଟା ଭିତରେ ଆସ୍ତେ ଆସ୍ତେ ମିଳାଇ ଯାଉଥିଲା ।

 

କେତେଗୁଡ଼ାଏ ବିକ୍ଷିପ୍ତ କାଗଜପତ୍ର ଭିତରେ କଲମଟା ଶୋଇରହିଥିଲା ଆଉ ସେ ଘରୁ ସ୍ତ୍ରୀ ତୀକ୍ଷ୍‌ଣ ଆଖିରେ ଅନେଇ ରହିଥିଲେ ।

 

ପାଣ୍ଡେ କହିଲା, ବାବୁଜୀ, ମଣିଷର ମନ କ’ଣ ମଣିଷ କେବେ ବୁଝିବ ?

 

ଏ କଥା କାହିଁକି ଆଜି ପାଣ୍ଡେଜୀ !

 

ପାଣ୍ଡେ ଜବାବ ଦେଲାନାହିଁ । ସେଇ ଭାବରେ ବସି ରହିଲା ।

 

ପାଣ୍ଡେ ଜୀବନର ଅନେକ କଥା ତା’ ମୁହଁରୁ ଶୁଣିଛି ମୁଁ । ସେ ଏକା ନଥିଲା । ବହୁଦିନ ଆଗେ ତା’ର ସ୍ତ୍ରୀ ଥିଲା । ପୁଅ ବି ଥିଲା । କିନ୍ତୁ ସେ ପାରି ନାହିଁ । ଧନେକ ଅପ୍ରାପ୍ତିର ବ୍ୟର୍ଥତା ନେଇ ସେ ଅନ୍ୟ ସ୍ୱାମୀ ଗ୍ରହଣ କରିଚି । ସେଥିପାଇଁ ପାଣ୍ଡେ ତାକୁ କୌଣସି ଦିନ ଦୋଷ ଦେଇନାହିଁ । ବରଂ ନିଜକୁ ଦୋଷୀ ମାନିନେଇଚି । ଆଉ ପୁଅ । ପୁଅର ଅଧିକାର ନେଇ ପାଣ୍ଡେ ପ୍ରଶ୍ନ ସୁଦ୍ଧା ଉଠେଇ ନାହିଁ ।

 

ମୁଁ କାହିଁକି ଅଦ୍‌ଭୁତ !

 

ଅପେକ୍ଷା କରି ସ୍ତ୍ରୀ କହିଲେ, ଶ୍ରୀଖଣ୍ଡୀ ।

 

ପାଣ୍ଡେ କହିଲା, ଯିଏ ଯାହା କହୁ ସାରା ଜୀବନର......

 

ପାଣ୍ଡେ କଥା ଶେଷ କରିପାରିଲା ନାହିଁ । ମୋର ସନ୍ଦେହ ହେଲା । ପାଣ୍ଡେର ଆଖିକି ଚାହିଁ ରହିଲି ।

 

ଚାକର ଗ୍ଳାସରେ ଚା’ ନେଇଆସିଲା ।

 

ରାଗିଲେ ବି ନାରୀ ଜନୋଚିତ ଦୟା ମାୟାଟାକୁ ସ୍ତ୍ରୀ ଅସ୍ୱୀକାର କରିପାରିବେ ନାହିଁ ।

 

ପାଣ୍ଡେ ଖୁସି ହେଲା । କହିଲା, ମୋ ପାଇଁ ବୋହୂ ଠାକୁରାଣୀ ଫେର୍ କଷ୍ଟ କଲେ ?

 

କଷ୍ଟ କ’ଣ ? ତମେ ଯେ ଆମ ଭିତରେ ଆସିଯାଇଚ ପାଣ୍ଡେଜୀ ।

 

କଥାଟା ଶୁଣି ପାଣ୍ଡେର ଆଖିଦୁଇଟି ଉଜ୍ଜ୍ୱଳ ହେଇଉଠିଲା । କୃତଜ୍ଞତା ବି ଫୁଟିଲା ସେଠି-

 

ମୁଁ କିନ୍ତୁ ବାହାରକୁ ଚାହିଁଲି । ସ୍ତ୍ରୀ ଯଦି ମୋ କଥା ଶୁଣିଥାଆନ୍ତି !

 

ପାଣ୍ଡେ ଦି’ତିନି ଢୋକ ଚା’ ପର ପର ପିଇ ନେଇ କହିଲା ବାବୁ, ଆଜି ସବୁ ଶେଷ । ୟାପରେ କ’ଣ ହେବ ଜାଣେନା !

 

ମୁଁ ବିସ୍ମିତ ହେଲି । କହିଲି, ଶେଷ କ’ଣ ପାଣ୍ଡେଜୀ । କାହାର ଶେଷ ?

 

ସେଇ କଥାତ କହିବାକୁ ଆସିଚି ବାବୁ ! ଏଇ କଥା ଶେଷ ହେଲେ ମୋ କଥା ଶେଷ ହେବ । ଆଉ ବି.....

 

ପାଣ୍ଡେ କହିଲା, ଏତେଦିନ ଧରି ଯାହାକୁ ଖୋଜିଚି, ଯାହା ପାଇଁ ସ୍ତ୍ରୀ, ପୁଅ କାହାକୁ ନିଜର କରିପାରି ନାହିଁ, ସେ ଖୋଜା ବି ଶେଷ ହେଇଚି ବାବୁ ! ତାକୁ ମୁଁ ଖୋଜି ପାଇଚି ।

 

ସେ ପୁଣି କିଏ ? ମୋ ବିସ୍ମୟତାର ଯେମିତି ସୀମା ନାହିଁ ।

 

ସେ ବାମିନି, ତା’ରି କଥା ଆଜି କହିବାକୁ ଆସିଲି ବାବୁ ।

 

ପାଣ୍ଡେ ଖାଲି ଗ୍ଳାସଟା ଘୁଞ୍ଚେଇ ରଖି ସିଧାହେଇ ବସିଲା । କଥା କହିବାର ପ୍ରସ୍ତୁତି, ମୁଁ କୌତୂହଳୀ ହେଇ ଅନେଇ ରହିଲି ।

 

ବଡ଼ ଲଜ୍ଜାର କଥା ବାବୁ ! ଏ ବୟସରେ ସେ ସବୁ ନେଇ ଘଣ୍ଟାଘଣ୍ଟି କରିବା....

 

ପାଣ୍ଡେ ନୀରବ ହେଲା । କିଛିକ୍ଷଣ ପରେ ପୁଣି କହିଲ, ବାମନି ଏଇଠି ଅଛି ବାବୁ ! ଆଜି ତାକୁ ଦେଖିଆସିଲି । ସେ ଆଉ ସେଦିନର ବାମନି ନୁହେଁ.....

 

ଏ ଏକ ଗୋଲକ ଧନ୍ଦା । କିଏ ବାମନି, ତା’ର ଗତାଗତ କେଉଁଠି ? ପାଣ୍ଡେ ସହିତ କ’ଣ ତା’ର ସମ୍ପର୍କ ?

 

ପାଣ୍ଡେ କିନ୍ତୁ ଆସ୍ତେ ଆସ୍ତେ ସବୁ ଜଣେଇଲା ।

 

ବାମନିକି ଭଲପାଇଥିଲା ପାଣ୍ଡେ । ବାମନିକି ପାଇବାକୁ ଚେଷ୍ଟା କରିଥିଲା । ଦୂରନ୍ତ ଯୌବନରୁ ନାନା ରଙ୍ଗର ଦିନଗୁଡ଼ିକ ବୋଧହୁଏ ପାଣ୍ଡେର ଏଇ ମୂର୍ତ୍ତିମନ୍ତ ଜରାତ୍ୱକୁ ଅଭିଭୂତ କରି ଆସୁଥିଲା ।

 

କିନ୍ତୁ ସେ ତ ସମ୍ଭବ ନ ଥିଲା ବାବୁ । ବାମନି ଥିଲା ବଡ଼ ଘରର ଝିଅ, ବଡ଼ ଘରର ବୋହୂ....

 

ତମେ ବା ଅଯଥା ତା’ କଥା ଭାବି....

 

କଥାଟା ଆଦୌ ଚିନ୍ତା କରି କହିନାହିଁ ମୁଁ ।

 

ପାଣ୍ଡେ ପ୍ରତିବାଦର ସ୍ୱର ଉଠେଇ କହିଲା, ନା ବାବୁ ଅଯଥା ନୁହେଁ, ବାମନି ଯେ.....

 

ପାଣ୍ଡେ ଚୁପ୍‌ କଲା, ହୁଏତ ଟିକିଏ ଲଜ୍ଜିତ ହେଲା । କିନ୍ତୁ ପୁଣି କହିବାକୁ ଆରମ୍ଭ କଲା, ମଣିଷ ବୋଧହୁଏ ନିଜର ସେଇ ପୁରୁଣା ଦିନର ସ୍ମୃତି ଭିତରେ ନିଜକୁ ବାରମ୍ବାର ପ୍ରକାଶ କରିପାରିଲେ ଶାନ୍ତି ପାଏ ।

 

ପାଣ୍ଡେ କହିଲା, ମୁହଁ ଖୋଲି ପଦେ କଥା କହିବାର ଉପାୟନଥିଲା ସତ, କିନ୍ତୁ ବୁଝିବାକୁ କିଛି ବାକି ରହୁନଥିଲା । କେମିତି ?

 

ଚାହାଣୀ ଦେଖି । ସ୍ତ୍ରୀ ଲୋକର ଆଖି ଯେ କଥା କହେ ବାବୁ । ଆଉ ସେ କଥା ବୁଝିବାର ବୟସ ବି ସେଟା । ବାମନି ତ ଶେଷ ପର୍ଯ୍ୟନ୍ତ ପାଗଳ ହୋଇଉଠିଥିଲା ।

 

ତା’ ବି ଆଖି ଦେଖି ବୁଝିପାରିଥିଲ ? ମୁଁ ପରିହାସ କରିଉଠିଲି ।

 

ପାଣ୍ଡେ କିନ୍ତୁ ପରିହାସ ବୁଝିଲା ନାହିଁ, କହିଲା, ନା, ବାବୁ ସେଇଟା ଜାଣିଥିଲି କେତେଟା ତା’ର ପରିବେଶ ପାଇଁ, ବାମନିର ବର ଥିଲା ତା’ଠାରୁ ଛୋଟ, ଏତେ ଟିକିଏ ।

 

ମୁଁ ଆଶ୍ଚର୍ଯ୍ୟ ହେଇ ପଚାରିଲି ତା’ କେମିତି ହେବ ?

 

ହୁଏ ବାବୁ ! ବୟସରେ ହୁଏତ ସମାନ । କିନ୍ତୁ ଶାରୀରିକ ଗଠନରେ ଏକବାର ନାପସନ୍ଦ ।

 

ବୁଝିଲି, ଦେଖିଚି ବି, ପାଣ୍ଡେ ରାଜ୍ୟର ବାପ, ମା ପ୍ରାୟ ଚାରି ପାଞ୍ଚବର୍ଷ ବୟସରୁ ଝିଅ ପୁଅକୁ କରେଇଦିଅନ୍ତି, କୌଣସି ବିଚାର ବୁଦ୍ଧି ସେମାନଙ୍କୁ ସ୍ପର୍ଶ କରିପାରେନା ।

 

ପାଣ୍ଡେ କହିଲା, ଅପାରଗ, ଆଡ଼େ ବାମନିର ଜୁଆନ ବୟସ । ହୃଷ୍ଟ ଶରୀର । ସବୁତ ବୁଝିପାରୁଥିବେ ବାବୁ ! ବାକିଟା ମୋର ବୁଝିବାକୁ ବାକିନଥିଲା, ପ୍ରେମ ଗଳ୍ପ ଲେଖିବାକୁ ଯାଇ ଏ ଅନୁଭୂତି ଅଭାବିତ ପ୍ରେମ କାହାଣୀ ଶୁଣିବା, ମନ୍ଦ କ’ଣ ?

 

ସ୍ତ୍ରୀ ବି ହୁଏତ ଶୁଣୁଥିଲେ, ନ ହେଲେ ଆଢ଼ୁଆଳରେ କଙ୍କଣର କିଣ୍‌ କିଣ୍‌ ଏତେ ଶୁଣାଯିବ କାହିଁକି ?

 

ପାଣ୍ଡେ କହିଲା, ତିନିଦିନର ଦେଖା ନିତିଦିନର ଆକୁଳତା, ବୁକୁ ଯେମିତି ଫାଟିଯାଉଥିଲା ବାବୁଜୀ ! ଚୋର ଘରେ ନିତି ଅନ୍ଧାର ନ ଥାଏ, ଦିନେ ସୁଯୋଗ ଆସିଲା । ମୁଁ ନିଜକୁ ସମ୍ଭାଳି ପାରିଲି ନାହିଁ । ବାମନି ବି ବାଧା ଦେଲା ନାହିଁ ।

 

ଆଶ୍ଚର୍ଯ୍ୟ ! ମୋର ତାରୁଣ୍ୟଟା ଯେମିତି ଲଜ୍ଜା ପାଇ କଥା କହିଉଠିଲା । କିନ୍ତୁ ପାଣ୍ଡେର କୌଣସି ଲଜ୍ଜାବୋଧ ନାହିଁ ।

 

ପାଣ୍ଡେ କହିଲା, ମୋର ସ୍ତ୍ରୀ, ମୋର ଘର, ସଂସାର ସବୁ । ଯେମିତି ବାମନି ଭିତରେ ହଜିଯାଇଥିଲା, ତା’ର ହୁଏତ ସେଇ ଅବସ୍ଥା କିନ୍ତୁ ଯେଇ ହଜିଯିବାର ଆନନ୍ଦଟା ବେଶୀଦିନ ରହିଲା ନାହିଁ । ଦେଶରେ ଫସଲହାନି ହେଲା । କାମ ଜୁଟିଲା ନାହିଁ । ଖଟିଖିଆ ଲୋକ ମୁଁ, ବାଧ୍ୟ ହୋଇ ଦେଶ ଛାଡ଼ିଲି, କିନ୍ତୁ ବାମନି, ସେ ରହିଲା ମନ ଭିତରେ ।

 

ଇାମ ଦାମ ଫାଙ୍କରେ ମୁଁ ଅନୁଭବ କଲେ ବାମନି ମୋଆଡ଼େ ଚାହିଁ ରହିଚି । ଦେହ, ମନରେ ତା’ର ଅସହ୍ୟ ଆକୁଳତା ପ୍ରାଣଟା ବିକଳ ହୋଇଉଠେ । କିନ୍ତୁ ପେଟଟା ତ ଅଛି, ବାବୁ ! ପେଟ ପାଇଁ ଯେ ଯେତେ ନାଟ ମଣିଷ କରୁଚି !

 

ଗଳ୍ପଟା ଯେମିତି କାବ୍ୟର ଧର୍ମ ରକ୍ଷା କରି ଚାଲିଥିଲା । କଥା କହି ତାକୁ କ୍ଷୁଣ୍ଣ କରିବାକୁ ଇଚ୍ଛା ହେଲାନାହିଁ । ପାଣ୍ଡେଆଡ଼େ କେବଳ ଆଗ୍ରହରେ ଅନେଇ ରହିଲି ।

 

ପାଣ୍ଡେ କହିଲା, ଫେରିବାବେଳେ ବର୍ଷକରୁ ବେଶି ହେଇଯାଇଥିଲା, ଫେରିଯାଇ ଶୁଣିଲି କାମନି ନାହିଁ ।

 

ପାଣ୍ଡେର ସ୍ୱର ବନ୍ଦ ହୋଇଆସିଲା । ଅନେକ ଦିନର ପ୍ରିୟା ହରେଇବାର, ବ୍ୟଥା ପୁଣି ହୁଏତ ନୂଆ ହୋଇ ତା’ ଭିତରେ ବାଜିଉଠିଲେ ।

 

କିଛିକ୍ଷଣ ନୀରବ ରହି ପାଣ୍ଡେ କହିଲା, ବାମନି ବାପ ଘରକୁ ଯାଇ ଆଉ ଫେରିନି, ସମସ୍ତେ କହିଲେ, ସେ ନଈକି ଡେଇଁପଡ଼ି ଆତ୍ମହତ୍ୟା କଲା ।

 

ଆତ୍ମହତ୍ୟା କଲା ?

 

ଲୋକେ କହିଲେ ! ମୁଁ ବି ସେଇ ବିଶ୍ୱାସ ନେଇ ରହିଗଲି ବାବୁ ! କିନ୍ତୁ ତା’ର ସେଇ କଥାକୁହା ଆଖି ଦୁଇଟିକି କୌଣସି ଦିନ ଭୁଲି ପାରିଲି ନାହିଁ । ସେଥିପାଇଁ ଜୀବନଟାକୁ ବରବାଦ କରିଦେଲି ବାବୁ !

 

ସତରେ ପାଣ୍ଡେର ଜୀବନଟା ବରବାଦ ହେଇଯାଇଚି, ନିଜକୁ ଇଚ୍ଛା କରି ଅସହାୟ କରିଚି । ସମସ୍ତ ଯୌବନଟାକୁ ନିଃସ୍ୱ କରିଚି, କିନ୍ତୁ ସେ ଯେ ଏଇ କାରଣ ପାଇଁ ମୋର ସହାନୁଭୂତିଶୀଳ ମନଟା ତା’ ବୁଝପାରିନଥିଲା । ଆଜି ଜାଣି ହଠାତ୍‌ ଯେପରି ମୁଁ ଅନୁତାପ କରିଉଠିଲା । ଏ ଯୁଗର ମଣିଷ, ମୁଁ, ଲେଖକ ହେଲେ ବି ମୋ ପାଖରେ ପ୍ରେମର ସଜ୍ଞା ବଦଳିଯାଇଚି ।

 

ଏଇ ବଦଳି ଯିବାଟାକୁ ପାଣ୍ଡେ ହୁଏତ ଅନୁଭବ କରିପାରି ନାହିଁ କିଛି ଅନ୍ତରର ଯେଉଁ ନିଭୃତରେ ସେ ଆଜି ଅନୁଶୋଚନାର ସନ୍ଧାନ ପାଇଚି ।

 

ପାଣ୍ଡେ କହିଲା, ଦିନେ ନୁହେଁ ଦୁଇ ଦିନ ନୁହେଁ, ଜୀବନଭରି ତାକୁ କେବଳ ପ୍ରାଣ ଦେଇ ଅନୁଭବ କରିଚି ମୁଁ । ଦେଶ ବିଦେଶ, ପଥ ଘାଟରେ କେତେ ସ୍ତ୍ରୀଲୋକ ଦେଖିଚି । କାଙ୍ଗାଳପରି ସେମାନଙ୍କ ମୁହଁକୁ ଚାହିଁ ଦେଖିଚି । ମନେହୋଇଚି ବାମନି ଅଛି । ଏଇମାନଙ୍କ ଭିତରେ କେଉଁଠି ଲୁଚି ରହିଚି । କିନ୍ତୁ ତା’ପରେ ମନେହେଇଚି ନା ସେ ନାହିଁ, ସେ ଯଦି ଥାଏ କେବଳ ମୋ ଭିତରେ ହିଁ ଅଛି । ସେଇ ଉପଲବ୍‌ଧି ମତେ ଶାନ୍ତ କରିଚି । ମୋର ଉଗ୍ର ଲାଳାୟିତ ପ୍ରବୃତ୍ତିକି ନିବୃତ୍ତର ମାର୍ଗ ଦେଖେଇଚି ।

 

ପାଣ୍ଡେ ଚୁପ୍ ହେଲା, ପୁଣି ରହି ରହି କହିଲା, ମୁଁ ବାମନିର ମରଣକୁ ବିଶ୍ୱାସ କରିଥିଲି, ତା’ର ପ୍ରେମକୁ ବିଶ୍ୱାସ କାରିଥିଲି । କିନ୍ତୁ...

 

ହଠାତ୍‌ ପାଣ୍ଡେ ଭୋ ଭୋ କରି କାନ୍ଦିଉଠିଲା, ସ୍ତ୍ରୀ ଦୁଆରମୁହଁ ପର୍ଯ୍ୟନ୍ତ ଛୁଟିଆସିଲେ । ବବି, ବିବି ଦୌଡ଼ିଆସି ଘର ଭିତରେ ସ୍ତବ୍ଧ ହୋଇଗଲେ । ମୁଁ ହତଭମ୍ବ ହେଇ ଅନେଇ ରହିଲି ।

 

ପାଣ୍ଡେ କହିଲା ବାବୁଜୀ, ମରଣ ମିଛ, ବାମନି ମିଛ, ମୋର ବିଶ୍ୱାସ ମିଛ, ଏତେ ବଡ଼ ମିଛର ବୋଝକୁ ମୁଁ କେମିତି ବହି ବହି ଚାଲିବି ?

 

ମୁଁ ଜବାବ ଦେଇପାରିଲି ନାହିଁ ।

 

ସେହିପରି ଜଡ଼ିତ ସ୍ୱରରେ ପାଣ୍ଡେ କହିଲା ବାମନି ବଞ୍ଚିଚି, ଏଇଠି ଅଛି । ନିଜ ଆଖିରେ ଦେଖିଆସିଲି ବାବୁ ! ପୁଅ, ବୋହୂ ନାତି, ନାତୁଣୀ ନେଇ ମାତି ରହିଛି । ଆଉ ମୁଁ ? ମୋର କ’ଣ ହେଲା....

 

ପାଣ୍ଡେ ଆଉ ବସିଲା ନାହିଁ । ବୋଧେ ସ୍ଥିର ହେଇ ରହିପାରିଲା ନାହିଁ । ପାଗଳ ପରି କାନ୍ଦି କାନ୍ଦି ଘରୁ ବାହାରିଗଲା ।

 

ମୋର ବି ସାନ୍ତ୍ୱନା ନ ଥିଲା । ଏ ଦୁଃଖର ସାନ୍ତ୍ୱନା ହୁଏତ ନାହିଁ ।

 

ସ୍ତ୍ରୀ ଆସି ପାଖରେ ଠିଆହେଲେ । ତାଙ୍କ ଆଖି ଛଳ ଛଳ । ମୋର କଣ୍ଠ ବି ଫାଟିପଡ଼ୁଥିଲା । ସ୍ତ୍ରୀଙ୍କ କାନ୍ଧରେ ମୁଣ୍ଡ ରଖି ମୁଁ କହିଲି, ମଣିଷର ବିଶ୍ୱାସ ଯେତେବେଳେ ହଜେ ସେ ସର୍ବହରା ହୁଏ । ପାଣ୍ଡେ ପରି ପାଗଳ ହୁଏ ।

 

ସ୍ତ୍ରୀ କଥା କହିପାରିଲେ ନାହିଁ । କେବଳ ମୋ ମୁଣ୍ଡରେ ହାତ ବୁଲେଇବାକୁ ଲାଗିଲେ ।

Image

 

ହେ ମହାନ୍‌ କଥା କୁହ

 

ଏଉକେଶନ କର୍‌ନାର୍‌ର ଘଣ୍ଟା ବାଜେ । ଖାଇବା ଘଣ୍ଟା ବାଜିବା ସାଙ୍ଗେ ସାଙ୍ଗେ କେତେଗୁଡ଼ାଏ ନରମ ଉତ୍ସୁକ ମୁହଁ ଖୋଲା ଝରକା ନିକଟରେ ଚଞ୍ଚଳ ହେଇଉଠେ ।

 

ମା’ ଆସୁଚି ।

 

ଅନେକକ୍ଷଣର ପ୍ରତୀକ୍ଷା ଖୁସିର ଆବେଗରେ ଆକୁଳ ହେଇଉଠେ । ଆଗ୍ରହୀ ମନଟା ନାଚିଯାଏ ପାଇବାର ଆନନ୍ଦରେ ।

 

ମା’ର ଜୋତା ଶବ୍ଦ ଶୁଣାଯାଏ । ନୀଳ, ଲାଲ, ଖୈରୀ ଶାଢ଼ିର ପଣତ ପବନରେ ଉଡ଼େ ଫର ଫର ! ଥର୍ମାଫ୍ଳାସ୍କରେ ଛୋଟ ଟିଫିନ କ୍ୟାରିଅର ପିଟିହେଇଯାଏ ଠୁଁ... ଠାଁ....

 

ସନ୍ଦେଶ, ଆପେଲ, ନିମ୍‌କି ବିସ୍କୁଟ ।

 

କେତେଗୁଡ଼ାଏ ଅଳିଖୋର ମନ ଲୋଭର ଜ୍ୱାଳାରେ ଅସ୍ଥିର ହେଇଉଠେ । ସମୟ ଯେମିତି ଆଉ କଟିବାକୁ ଚାହେଁନା ।

 

ମା’ ଆସୁଚି ।

 

ଶାଶ୍ୱତର ଛୋଟ ଆଖିଦୁଇଟି ପଲକ ଭୁଲିଯାଏ । ପୁଣି ବାରମ୍ବାର ପଲକ ପକେଇ ଅଶାନ୍ତ ହୁଏ ।

 

ଆୟା କବାଟ ଖୋଲେ ।

 

ଶାଶ୍ୱତ ବେଞ୍ଚ ଉପରକୁ ଉଠିଆସେ । ଖୋଲା ଝରକା ଦେଇ ଅନେଇ ରହେ ଦୂରକୁ । ଆଜି ନିଶ୍ଚୟ ମା’ ଆସିବ !!

 

ଶାଶ୍ୱତର କାନ ଦୁଇଟି ଉନ୍ମୁଖ ହେଇ ରହେ ।

 

ବାହାରେ ସେଇ ଠୁଁ.... ଠାଁ.... ଶବ୍ଦଟା ବଢ଼ିଚାଲେ । ଘର ଭିତରେ ଅଧୀର ହେଇଉଠେ ଟିକି ଟିକି ପାଦର ମୃଦୁ ଶବ୍ଦ । ଆଗେଇ ଯିବାର ପ୍ରତିଯୋଗିତା । ଠେଲା ପେଲା, ହସ କଥା । ଶେଷକୁ ଉଦ୍ଦାମ ଜୀବନର ଗୋଟାଏ ମଧୁଛନ୍ଦ ଯେପରି ସ୍କୁଲ ପ୍ରାଙ୍ଗଣ ଭିତରକୁ ଆଗେଇଆସେ ।

 

ମା’ ଆସିଚି । ମା’ ଆସିଚି । ମା’ ଆସିବ ।

 

ଶାଶ୍ୱତ ବାହାରକୁ ଆସେ । ଖାଇବା ଘରର ଦୁଆର ମୁହଁରେ ଭିଡ଼ ଜମିଯାଏ । ଚୁଡ଼ିର ଶବ୍ଦ, ଜୋତା ଶବ୍ଦ, ପାଣି ବୋତଲର ଟକ ଟକ ଶବ୍ଦ ମିଶି ଏକ ମହାଶବ୍ଦ ସୃଷ୍ଟି ହୁଏ ।

 

ଶାଶ୍ୱତ ଭିଡ଼ ଠେଲି ଭିତରକୁ ପଶେ । ହୁଏତ ମା’ ଆସିଚି । ଅନେକ ମା’ଙ୍କ ସହିତ ଖାଇବା ଟେବୁଲ ପାଖରେ ଠିଆହେଇ ରଇଚି ।

 

ମା’ ଆଉ ପିଲା !

 

ପିଲା ଆଉ ମା !

 

ଶାଶ୍ୱତ ଘୂରି ଘୂରି ଦେଖେ । ଛୋଟ ଦେହଟିରେ ତା’ର ଥରକୁ ଥର ଧକ୍‌କା ଲାଗେ, ତଥାପି ସେ ଏପାଖ ସେପାଖ ବୁଲିଆସେ । ଜଣ ଜଣ କରି ସମସ୍ତଙ୍କ ମୁହଁକୁ ଅନେଇ ଅନେଇ ଦେଖେ । ନା, ତା’ର ମା ନାହିଁ । ମା’ ମୁହଁର ସେଇ ସୁନ୍ଦର ହସଟା ତାକୁ ଦେଖି ଉଜଳ ହେଇଉଠୁ ନାହିଁ ।

 

ଶାଶ୍ୱତ ଆଗକୁ ଆସେ । ପ୍ରାଙ୍ଗଣ ପାର ହେଇ ଗେଟ୍‌ର ସାମ୍‌ନା ସାମନି ଆସେ ।

 

ଦରଓ୍ୱାନ୍‌ ମହତ ସିଂ ଡାକେ, ଏ ବଚ୍ଚା....

 

ଶାଶ୍ୱତ ଜବାବ ଦିଏନା । ହୁଏତ ସେ ଦରଓ୍ୱାନର ଡାକ ଶୁଣିପାରେନା ।

 

ଦରଓ୍ୱାନ ପୁଣି ଡାକେ ଏ ବଚ୍ଚା....

 

ଶାଶ୍ୱତ ଶୁଣେ । ଶୁଣିଲେ ବି ଚୁଚଚାପ ଆଗେଇଯାଏ ସେ ।

 

ଏଇ, ଏଇ ମା’ ଆସୁଚି । ଶାଶ୍ୱତର ନରମ ଭ୍ରୂଭଙ୍ଗୀଟା ଉଲ୍ଲସିଉଠେ । ମା’ ଆସୁଚି । ଛୋଟ ଭଉଣୀର ହାତ ଧରି, ଉଚ୍ଚା ଉଚ୍ଚା ଜୋତାର ଠକ୍‌ ଠକ୍‌ ଆବାଜ କରି ତା’ର ମା’ ଆସୁଚି ।

 

ଶାଶ୍ୱତ ଆଉରି ଆଗକୁ ଆସେ । ଫାଟକର ଲୁହା ରେଲିଂ ଉପରେ ତା’ର ଛୋଟ ମୁଣ୍ଡଟି ଠିକିଯାଏ, କିନ୍ତୁ କାଟେନା । ମୁଣ୍ଡଟି ଥରେ ଉଠେଇ ପୁଣି ନୁଆଁଏ ସେ । ଅଦ୍ଭୁତ ଏକ ଆନନ୍ଦରେ ଆଖିର ଗୃହାଣୀ ତା’ର ଚିକ୍‌ ଚିକ୍‌ କରିଉଠେ ।

 

ମା’... ମା’.....

 

ଦରଓ୍ୱାନ ମହତ ସିଂ ପୁଣି ଚିତ୍‌କାର୍‌ କରି ଡାକେ, ଏ ଖୋକା....

 

ଶାଶ୍ୱତ ଜବାବ ଦିଏନାହିଁ । କେତେ ଡାକିବ ଡାକୁ, ଜବାବ ସେ ଦେବନାହିଁ । ଜବାବ ଦେବାକୁ ତା’ର ସମୟ ନାହିଁ । ମା’ ଆସୁଚି । ଅନେକ ଦିନ ପରେ ତା’ର ମାଆ ଆସୁଚି । ସନ୍ଦୀପ, ମୁକୁଳ, ବର୍ଣ୍ଣାଳୀର ମା’ ପରି ହାତରେ ଥର୍ମାଫ୍ଳାସ୍‌କ ଝୁଲେଇ, ସନ୍ଦେଶର ଡବାଧରି ତା’ର ମା’ ଆସୁଚି ।

 

ବୁଢ଼ୀ ପିଇସୀ କହିଥିଲେ ମା’ ତୋର ମାମୁଁ ଘରକୁ ଯାଇଚି । ଆଉ କେବେ ଫେରିଆସିବ ନାହିଁ ।

 

କାହିଁକି ? ଶାଶ୍ୱତର ଚଞ୍ଚଳ ଆଖିଦୁଇଟି ନିଶ୍ଚଳ ହେଇଯାଇଥିଲା ।

 

ତୋ ମା’ ରାଗ କରିଚି ।

 

ରାଗ କରିଚି ? ଶାଶ୍ୱତ ଆଉରି ଅବାକ୍‌ ହେଇଯାଇଥିଲା । ତାର ମା’ କେବେ ରାଗ କରେନା । ସାନ ଭଉଣୀ ଯେତେବେଳେ କାଚ ସୁରେଇ କଚାଡ଼ି ଭାଙ୍ଗି ଦେଇଥିଲା, ସେତେବେଳେ ମା’ ମୋଟେ ରାଗ କରିନଥିଲା । ଭଉଣୀକି ଚଟ୍‌ କରି କୋଳକୁ ଉଠେଇ ନେଇଥିଲା । ଆଉ ବୁଢ଼ୀ ପିଉସୀ, ସେଇ ବରଂ ଗୋଟାଏ ବାଡ଼ି ନେଇ ଦୌଡ଼ି ଆସିଥିଲେ ।

 

ଶାଶ୍ୱତର ସବୁକଥା ଠିକ୍‌ ଠିକ୍‌ ମନେପଡ଼ିଯାଏ । ବୁଢ଼ୀ ପିଉସୀ ଜୋର୍‌ରେ ପାଟି କରିଉଠିଥିଲେ, ଆଲୋ, ଆଲୋ ପୋଡ଼ାମୁହିଁ ଅବାସୀ ବାସ ଦେବୁନି ନିଆଁଲାଗି ଝିଅ !

 

ମା’ କେତେ ଆସ୍ତେ, କେତେ ବିନୟରେ କହିଥିଲା, ଛି, ପିଇସି, ମୋ ଝିଅକୁ ଗାଳିଦେଲେ । ସୁରେଇ ଦାମୀ ନା ମୋ ଝିଅ ଦାମୀ......

 

ସେଇ ମା’କୁ ତା’ର ଆଜି ପୁଣି ବୁଢ଼ୀ ପିଇସୀ ଦୋଷ ଦେଇଚି । ବଡ଼ ପାଜି ବୁଢ଼ୀତ ! ଶାଶ୍ୱତ ଖୁବ୍‌ ରାଗିଯାଇଥିଲା ସେଦିନ । କିନ୍ତୁ ମା’ ବା କାହିଁକି ଏତେଦିନ ମାମୁଁ ଘରେ ରହିଯାଇଥିଲା-? ଟିକିଏ ହେଲେ ତା’ କଥା ମନେ କରିପାରିଲା ନାହିଁ ।

 

ହୁଏତ ମା’ ତାକୁ ଭଲପାଏ ନାହିଁ ।

 

ଶାଶ୍ୱତର ଭାବନା ଆଉ ଆଗେଇବାକୁ ସାହସ ପାଏନାହିଁ । ଆଜି ନୁହେଁ, ଅନେକଥର ଏଇ ପର୍ଯ୍ୟନ୍ତ ଭାବି ଭୟ ପାଇଯାଏ ସେ । କିନ୍ତୁ ଗୋଟାଏ କଥାର ଠିକଣା ଜବାବ ସେ କୌଣସି ମତେ ଚିନ୍ତା କରିପାରେ ନାହିଁ ।

 

ମା’ ସାନ ଭଉଣୀ ଆନ୍ନିକି ନେଇ ସେଇ ଯେ ମାମୁଁ ଘରକୁ ଯାଇଥିଲା, ଆଜି ଏଇ ଆସୁଚି । କାହିଁକି ?

 

ଶାଶ୍ୱତ ମନରେ ସେଇ ପୁରୁଣା ପ୍ରଶ୍ନଟା ପୁଣି ବଡ଼ ହେଇ ଦେଖାଦିଏ, ଯେଉଁ ପ୍ରଶ୍ନଟା ମା’ ଗଲାପରେ ସବୁଦିନ ତାକୁ କଷ୍ଟ ଦେଇଆସିଚି । ମା’ ଗଲାବେଳେ ତାକୁ ଖାଲି ଟିକିଏ ଆଦର କରି ଦେଇଯାଇଥିଲା, ସାଙ୍ଗରେ ବି ନେଇନଥିଲା । ସାନ ଭଉଣୀକି କୋଳରେ ବସେଇ ଟାକ୍‌ସିରେ ବସିଥିଲା ।

 

ଶାଶ୍ୱତ ହୁଏତ କାନ୍ଦିଥାଆନ୍ତା । ବୁଢ଼ୀ ପିଇସି ତାକୁ କାଖେଇପକେଇ କହିଥିଲେ, ମା’ ସନ୍ଧ୍ୟାବେଳକୁ ଆସିବ । ତୁ ଖେଳ ଯା.... ତୋ ପାଇଁ ମା’ ଛେନା ଉଖୁଡ଼ା ନେଇଆସିବ ।

 

ଶାଶ୍ୱତର ଟିକି ଟିକି ଆଖିଦୁଇଟି ଛଳ ଛଳ କରି ଉଠିଥିଲେ ବି ମୁହଁଟି ଖୁସିରେ ଝଲମଲ କରି ଉଠିଥିଲା, ଛେନା ଉଖୁଡ଼ା ଭାରି ମିଠା । କି ସୁନ୍ଦର ତା’ର ଗନ୍ଧ !

 

ଦିନଯାକ ଛେନା ଉଖୁଡ଼ାକୁ ନେଇ କେତେ ସ୍ୱପ୍ନ ଦେଖୁଥିଲା ଶାଶ୍ୱତ । କେଇଟା ଉଖୁଡ଼ା ଆଣିବ ମା’ ? ଆଙ୍ଗୁଳି ଗଣିଥିଲା ସେ । ଦଶ, ପନ୍ଦର, ଉଣେଇଶ.... ନା... ନା... ଥ୍ରି, ଫାଇଭ, ଟେନ୍‌, ନା.... ନିଜ ଗଣନା ଯେପରି ନିଜେ ପସନ୍ଦ କରିପାରୁନଥିଲା ସେ । ବାରମ୍ବାର ଗଣିଲେ ବି ତା’ର ପରସଂଖ୍ୟା ତା’ର ମନେପଡ଼ୁନଥିଲା । ଶେଷକୁ ନିଜର ଅକ୍ଷମତା ସହିତ ଗୋଟାଏ ବୁଝାବୁଝି କରିନେଇଥିଲା ସେ, ଯାହାହେଉ ଅନେକଗୁଡ଼ାଏ ଛେନା ଉଖୁଡ଼ା ତା’ ପାଇଁ ତା’ର ମାମୁଁ କିଣିଦେବେ ଆଉ ମା’ ନେଇଆସିବେ । ସେ କିନ୍ତୁ କାହାକୁ ଦେବନାହିଁ ।

 

ଦେବ ନା ? ଶାଶ୍ୱତ ନିଜର ଇଚ୍ଛା ଉପରେ ଆଦୌ ଗୁରୁତ୍ୱ ଦେଇପାରିନଥିଲା । ମା’ କହିଥିଲେ, ଭାଗ କରି ନ ଖାଇଲେ ଜିଭ ଛିଣ୍ଡିପଡ଼େ ।

 

ନା ସେ ଏକା ଖାଇବ ନାହିଁ, ବାବାକୁ ଦେବ ଚାରିଟା, ବୁଢ଼ୀ ପିଇସିକି ଦୁଇଟା, ଆଉ ଆନ୍ନିକି......

 

ଆନ୍ନିକି କେତେ ଦେବ, ଶାଶ୍ୱତ ଠିକ କରିପାରିନଥିଲା । ଆସ୍ତେ ଆସ୍ତେ ଦିନ ଯାଇ ସନ୍ଧ୍ୟା ଆସିଥିଲା ।

 

ଏ, ବି, ସି, ଡ଼ି, ଲେଖା ଛାଡ଼ି ବୁଢ଼ୀ ପିଇସିର କାନ ଧରିଥିଲା ଶାଶ୍ୱତ । ମା’ କାହିଁ ବୁଢ଼ୀ ପିଇସି ।

 

ବୁଢ଼ୀ ପିଇସି ତାକୁ ଗେହ୍ଲା କରି କହିଥିଲେ ମା’ କାଲି ଆସିବ ।

 

ମା’ କିନ୍ତୁ କାଲି ଆସିଲା ନାହିଁ । ଅଭିମାନରେ ଶାଶ୍ୱତର ଗୋଲାପ କଳି ପରି ଦୁଇଟି କଅଁଳ ଓଠ ଥରିଉଠିଥିଲା । ମା’ ତାକୁ ସତରେ ଭଲପାଏ ନାହିଁ । ଆନ୍ନିକି ଭଲପାଏ, ତା’ହେଲେ... ତା’ହେଲେ ସେ କ’ଣ କରିବ ତଥାପି ଗୋଟିଏ ମଣିଷ ପାଇଁ ସୁଦ୍ଧା ମା’କୁ ଭୁଲି ପାରିନାହିଁ ଶାଶ୍ୱତ । ଯେତେବେଳେ ସେତେବେଳେ ବୁଢ଼ୀ ପିଇସିକି ସେ ପଚାରି ବସେ, ମା’ ତ ଆସୁନି ବୁଢ଼ୀ ପିଇସୀ !

 

ବୁଢ଼ୀ ପିଇସୀ ଢୋକି ଢୋକି କହନ୍ତି, ହାଣ, କାଟ ଲାଗିଚି ବାବା ।

 

ଲାଗୁନା...

 

ମା’ କେମିତି ଆସିବ ।

 

ସେମିତି ଆସିବ, ତମେ ଡାକିଆଣ । ଶାଶ୍ୱତ ଜିଦ୍‌ ଧରେ । ବାଟରେ ସେ ମୁସଲମାନ ହାଣି ପକେଇବେ ବାବା !

 

ହାଣି ପକେଇବେ....

 

ଭୟରେ ଚୁପ୍‌ କରିଯାଏ ଶାଶ୍ୱତ । ଆଖି ତା’ର ବନ୍ଦ ହେଇଆସେ । ମା’କୁ ହାଣିଦେବେ-? ହାଣିଲା ବେଳେ ଖୁବ୍‌ କାଟିବ । ମା’ ଦେହରୁ ଧାର ଧାର ରକ୍ତ ବୋହିଯିବ, ସେ ଜାଣେ ହାଣି ଦେଇଗଲେ ରକ୍ତ ବାହାରେ । କେତେ ଦିନ ଆଗେ ପାଉଁରୁଟି କଟା ଛୁରିରେ ସେ ହାତ କାଟି ଦେଇଥିଲା । ଉଃ, କି ରକ୍ତ ! ମା’ ଠୁଁ ବି ସେମିତି ରକ୍ତ ବାହାରିବ । ଯନ୍ତ୍ରଣାରେ ଚିତ୍କାର କରିଉଠିବ ସେ ।

 

ନା, ନା..... ଶାଶ୍ୱତ ଶିହରିଉଠେ । ନା ମା’ ନ ଆସୁ । ବୁଢ଼ୀ ପିଇସୀ ପାଖରେ ସେ ରହିବ । ବାବା ଅଫିସରୁ ଆସିଲେ, ସେ ବାବା ପାଖରୁ ଓଭାଲ୍‌ଟିନ୍‌ ପିଇବ । ଗଳ୍ପ ଶୁଣିବ । ରାତିରେ ବାବା କୋଳରେ ଯାକିଯୁକି ହୋଇ ଶୋଇଯିବ । କିନ୍ତୁ ବାବା ସେଦିନ ଅନେକ ଡେରି କରି ଫେରିଥିଲେ । ଶାଶ୍ୱତ ଅନେଇ ଅନେଇ ଶୋଇପଡ଼ିଥିଲା । ମା’ ନାହିଁ, ବାବା ନାହିଁ, ଆନ୍ନି ନାହିଁ । ଖଟଟା ଭାରି ଫାଙ୍କା ଲାଗୁଥିଲା । ଶୋଇବାକୁ ଆଦୌ ଇଚ୍ଛା ହେଇନଥିଲା ତା’ର । ଖାଲି କାନ୍ଦ ମାଡ଼ୁଥିଲା ।

 

ବୁଢ଼ୀ ପିଇସୀ ଚେଇଁ ଆଉ ମାଳି ଠକ୍‌ ଠକ୍‌ କରୁଥିଲେ ।

 

ଅନେକ ରାତିରେ ନିଦ ଭାଙ୍ଗିଯାଇଥିଲା । ଶାଶ୍ୱତର । କି ଏ.... କିଏ..... ? ଚିତ୍କାର କରି ଉଠି ବସେ ସେ । ତା’ର ମନେହୁଏ କିଏ ଯେମିତି ତା’ ମା’କୁ ହାଣି ପକେଇ ଚୁପି ଚୁପି ପଳେଇଯାଉଚି ।

 

ବାବା... ବାବା... ପୁଣି ଚିତ୍କାର କରିଉଠେ ଶାଶ୍ୱତ । କିନ୍ତୁ ବାବା ତା’ର ଡାକ ଶୁଣି ଛୁଟିଆସିଲେ ନାହିଁ । ବୁଢ଼ୀ ପିଇସୀ କୋଳରେ ପଡ଼ି ପଡ଼ି କାନ୍ଦୁଚନ୍ତି ସେ । ବୁଢ଼ୀ ପିଇସୀ ବି କଇଁ କଇଁ ହୋଇ କାନ୍ଦୁଚନ୍ତି ।

 

ତା’ହେଲେ ସତରେ କ’ଣ ମା’କୁ କିଏ କାଟି ଦେଇଚି ?

 

ଶାଶ୍ୱତ କିଛି ବୁଝିପାରେ ନାହିଁ । ପରଦିନ ସକାଳେ କିନ୍ତୁ ତା’ର ମନେପଡ଼ିଯାଏ, ମା’ ଆନ୍ନିକି ନେଇ ମାମୁଁ ଘରକୁ ଯାଇଚି । ତାକୁ କାଟିବ କେମିତି ? ମିଛ କଥା । ତାକୁ ସମସ୍ତେ ଠକି ଦେଇଚନ୍ତି ।

 

ସେଇ ନିଦାରୁଣ ଅଭିମାନ ପୁଣି ଶାଶ୍ୱତର ସ୍ମିତତାକୁ କାତର କରିଦିଏ । ମା’ ଆନ୍ନିକି ଭଲପାଏ, ତାକୁ ନୁହେଁ ।

 

ତଥାପି ସବୁ ସମୟରେ ଶାଶ୍ୱତର ମନେହୁଏ ମା’ ଆସନ୍ତା କି....

 

ମା’ କିନ୍ତୁ ଆସେନା, ବାବା ବି ଆଉ ତାକୁ କୋଳରେ ବସେଇ କୁତ କୁତ କରି ହସାନ୍ତି ନାହିଁ, ନିଜେ ବି ହସନ୍ତି ନାହିଁ । ଖାଲି କାନ୍ଦନ୍ତି । ଯେତେବେଳେ ସେତେବେଳେ ତାକୁ ଛାତିରେ ଯାକିଧରି କାନ୍ଦନ୍ତି ।

 

ଶାଶ୍ୱତର ଅବୋଧ ମନଟା ଅକୁଳ ହେଇଉଠେ ।

 

ବାବା କାହିଁକି କାନ୍ଦୁଚନ୍ତି । ବୁଢ଼ୀ ପିଇସୀକି କେତେଥର ସେ ପଚାରେ । ମା’ ଆସୁନି ବୋଲି ବାବା କାନ୍ଦୁଚନ୍ତି ।

 

ବୁଢ଼ୀ ପିଇସୀ କିଛି ଜବାବ ନ ଦେଇ ଆଖି ପୋଛନ୍ତି ।

 

ଶାଶ୍ୱତ ଆଉ ଧୈର୍ଯ୍ୟ ଧରିପାରେନା ।

 

ଅନେକ ସମୟରେ ତା’ର ରାଗ ହୁଏ । ମା’ଟା ବଡ଼ ଦୁଷ୍ଟ । ବାବା କାନ୍ଦୁଚନ୍ତି ! ସେ କାନ୍ଦୁଚି । ବୁଢ଼ୀ ପିଇସୀ କାନ୍ଦୁଚନ୍ତି । ତେବେ ବି ମା’ ଆସୁନି । ଆଉ ଆନ୍ନିଟା ବି କେମିତିକା ପିଲା.... ବାବାକୁ ଟିକିଏ ହେଲେ ମନେ କରିପାରୁନି ? ବାବା ତାକୁ କେତେ ଭଲପାଆନ୍ତି । ଅଫିସରୁ ଆସିଲେ ଆଗେ ତାକୁ ଗେଲ କରନ୍ତି । ସେଥିପାଇଁ କେତେଥର ତା’ର ଆଖିପତା ଦୁଇଟି ଭାରି ହେଇଉଠେ ।

 

ବାବା କହନ୍ତି, ଛି ବାବା, ସାନ ଭଉଣୀ ଉପରେ ରାଗନ୍ତି ନାହିଁ ।

 

ଶାଶ୍ୱତର ଅସ୍ପଷ୍ଟ ସ୍ୱର କମ୍ପିଉଠେ । ଆନ୍ନିର ଗୋଡ଼ଧରି ଟାଣିପକାଏ ସେ । ତା’ରି ତ ସାନ ଭଉଣୀ....

 

ଛି ବାବା ! ପିଲା ଲୋକ ଯେ....

 

ବାବାଙ୍କ କଥା ଶାଶ୍ୱତକୁ ଆଦୌ ଭଲ ଲାଗେନା ! ଶୁଣିବାକୁ ଇଚ୍ଛା ବି ହୁଏନା ।

 

ମା’ କିନ୍ତୁ ରନ୍ଧା ଘରୁ ଦୌଡ଼ି ଦୌଡ଼ି ଆସି ତାକୁ କାଖେଇପକାନ୍ତି । ମୋ ବାବାଟା..... ମୋ ସୁନାଟା....

 

ଶାଶ୍ୱତ ସାନ ସାନ ହାକି ବଢ଼େଇ ମା’ର ଗଳା ଭିଡ଼ିଧରେ । କେତେ ଭଲ ତା’ର ମା’, ବାବାଠୁ ବହୁତ ବହୁତ ଭଲ । ଆନ୍ନି ବୁଢ଼ୀ ପିଇସୀଠାରୁ ବି ଭଲ ।

 

ତା’ର ସେଇ ଭଲ ମା’ ଆଜି ପୁଣି ତା’ ପାଖକୁ ଛୁଟି ଛୁଟି ଆସୁଚି । ଛୁଟିଲା ବେଳେ ଗୋଲାପି ଶାଢ଼ିର ପଣତ କାନ୍ଧ ଉପରୁ ଖସିପଡ଼ୁଚି । ଆଉ ଆନ୍ନି.... ଶାଶ୍ୱତ ଅନ୍ତରର କୋମଳତା ଆଉରି ସ୍ନିଗ୍‌ଧ ଶୁଚିତାରେ ଭରିଉଠେ । ତା’ ଟିକି ଭଉଣୀ ଆନ୍ନି... ବି ମା ସହିତ ତା’ପାଖକୁ ଦୌଡ଼ି ଦୌଡ଼ି ଆସୁଚି । ତା’ ମୁଣ୍ଡର କହରା ବାଳ ଫୁର୍‌ ଫୁର୍‌ କରୁଚି । ଦେହର ଦୋଳନରେ ଗୋଲଗାଲ ଛୋଟ ହାତ ଦୁଇଟି ଦୋଳୁଚି । ଆଉରି ଦୋଳୁଚି ଆଣ୍ଠୁ ଉପରକୁ ଉଠି ଯାଇଥିବା ଭାଓଲେଟ ରଙ୍ଗର ଟିଂକଲ୍‌ ଫ୍ରକ୍‌ଟା ।

 

ତା’ ଭଉଣୀ ଆନ୍ନି ! ଆନ୍ନି ବି ସୁନ୍ଦର....

 

ଆନ୍ନିକି ସେ ଆଦର କରିବ । ତା’ର ହାତ ଧରି ନାଚିବ । ଗୀତ ଗାଇବ, ‘ତୁମ୍‌ ହାମାରା ହୈ... ତୁମ୍‌ ହାମାରା ହୈ....’

 

କିନ୍ତୁ ତା’ ଆଗରୁ ସେ ମା’କୁ ଗେଲ କରିବ । ଦୌଡ଼ିଯାଇ ମା’କୁ ଆବୋରି ଧରିବ । କଣ୍ଠ ଫଟେଇ ଡାକିବ ମା’... ମା’....

 

କିନ୍ତୁ ଗେଟ୍ ବନ୍ଦ । ଶାଶ୍ୱତ ନିଜର ସମସ୍ତ ଶକ୍ତି ଖଟେଇ ଖୋଲିବାକୁ ଚେଷ୍ଟାକରେ । ତା’ର କଅଁଳ ହାତ ପାପୁଲି ଦୁଇଟି ଲାଲ ହେଇଉଠେ । କାଟେ ଖୁବ୍ । କିନ୍ତୁ ସେ କଷ୍ଟଟାକୁ ସେ ମନେ ରଖିପାରେନା ।

 

ମା’ ଆଗେଇ ଆସୁଚି । ଆଉରି ସ୍ପଷ୍ଟ ହେଇ ଦେଖାଯାଉଚି ତା’ର ସୁସ୍ମିତ ମୁଖଭଙ୍ଗୀ । ଆଉରି ଜୋରରେ ଫର୍‌ଫର୍‌ କରି ଉଡ଼ୁଚି ତା’ର ଗୋଲାପି ଅଞ୍ଚଳ ।

 

ମା’କୁ ସେ ଗେଲ କରିବ ? ଶାଶ୍ୱତର ଅବୁଝା ଚିନ୍ତା ମୁହୂର୍ତ୍ତେ ସ୍ତବ୍‌ଧ ହୋଇଯାଏ । ନା ମା’କୁ ସେ ଆଦର କରିବନାହିଁ । ଦୌଡ଼ିଯାଇ ମା’କୁ ଯାବୋଡ଼ି ଧରିବ ନାହିଁ । ତା’ହେଲେ ମା’କୁ ଠିକ୍‌ ଶାସ୍ତି ହେବ । ମ’ ଠିକ୍‌ ବୁଝିପାରିବ ।

 

ଶାଶ୍ୱତର ନିର୍ବୋଧ ମନଟା ପୁଣି ଶାନ୍ତ ହେଇଆସେ । ଅନେକଦିନ ପରେ ମା’କୁ ଦେଖିବ ସେ । ଏଇ ମା’ ଆସିଗଲାଣି, ଗେଟ୍‍ର ଅଳ୍ପ ଦୂରରେ । ଶାଶ୍ୱତ ସବୁ ଭୁଲିଯାଏ । ଦୁଇ ହାତରେ ରେଲିଂ ମୁଠେଇ ଧରି ଜୋରରେ ଡାକିଉଠେ, ମା’, ମା’ ଲୋ.....

 

ମହତ ସିଂ ପାଖକୁ ଆସେ । ପଛଆଡ଼ୁ ଶାଶ୍ୱତକୁ ଯାକିଧରି କହେ, ଆସ ବଚ୍ଚା ବାବୁ ! ଆସ....

 

ଶାଶ୍ୱତ ଛାଟିପିଟି ହୁଏ । ସହତ ସିଂର କଥା ଶୁଣେନାହିଁ । ଗେଟ୍ ଡେଇଁ ଯିବାକୁ ଉଦ୍ୟମ କରେ । ମା’ ଆସୁଚି, ମା’ ତା’ର ପାଖେଇ ଆସୁଚି ।

 

ଏଡ଼ୁକେଶନ କର୍‍ନାରର ଖାଇବା ସମୟ ଶେଷହୁଏ । ଘଣ୍ଟା ବାଜେ, ଢଂ ଢଂ ଢଂ....

 

ଘଣ୍ଟର ସ୍ୱର ଅସ୍ପଷ୍ଟ ହେଇଆସେ । ଆହୁରି ଅସ୍ପଷ୍ଟ । ମହାନଗରୀର ଅଶାନ୍ତ କୋଳାହଳ ମଝିରେ କ୍ରମେ ତା’ର ଶେଷ ଲୟ ମିଳେଇଯାଏ ।

 

କିନ୍ତୁ ଶାଶ୍ୱତର ସ୍ୱର ଉଚ୍ଚରୁ ଉଚ୍ଚତର ହୁଏ । ମା’, ମା’ ଲୋ...

 

ମହତ ସିଂର ବହୁ ରେଖାଙ୍କିତ କୁଞ୍ଚିତ ମୁହଁଟା ନରମ ହେଇଆସେ । ହୁଏତ ଦୃଷ୍ଟିଟା ବି ତା’ର ଝାପ୍‌ସା ହେଇଆସେ । ସେଇ ସଜଳ ଅସ୍ପଷ୍ଟ ଦୃଷ୍ଟି ଭିତରେ ଶାଶ୍ୱତର ସୁନ୍ଦର ମୁହଁ ସେ ଦେଖିପାରେନା । ଶାଶ୍ୱତ ମା’ର ଶାନ୍ତ ମୁହଁ ବି ଦେଖିବାକୁ ଚାହେଁନା, ଯାହାର ମୁହଁ ଦେଖିବାକୁ ତା’ର ସମସ୍ତ ପ୍ରାଣ ମନ ଆକୁଳ ହେଇଉଠେ, ତାକୁ ମାତ୍ର ଗୋଟିଏ ପ୍ରଶ୍ନ ପଚାରିବାର ଇଚ୍ଛା ପୁଣି ମହତ ସିଂର ମୁହଁଟାକୁ କଠିନ କରିଦିଏ ।

 

ସେ କାନ୍ଦେନା । ସେ ଆଉ ଶାଶ୍ୱତକୁ ଡାକି ବୁଝାଏନା, କେବଳ ବିହ୍ୱଳ ହେଇ ଅନେଇ ରହେ ଦୂରକୁ, ବହୁ ଦୂରକୁ ।

Image

 

Unknown

ଅନ୍ୟତମା

 

ବାସବୀ ଗୌତମକୁ ବାହାହେବ । ସେ କଥାଦେଇ ସାରିଚି । ପୃଥିବୀ ଓଲଟି ଗଲେ ବି ତା’ କଥା ମିଛ ହେବନାହିଁ ।

 

କେହି ଦିନେ ଭାବିପାରିନଥିଲା ବାସବୀ ବାହାହେବ ।

 

ସେଇ ଜିଦ୍‌ଖୋର ଅଧା ପାଗଳୀ ଝିଅଟା ପିଲାଦିନୁ ଯିଏ ଖାଲଳି ବାପ ମା’କୁ ହଇରାଣ କରିଆସିଚି । ଯେତେ ବୁଝେଇଲେ, ଯେତେ ଗାଳିଦେଲେ, ଯେତେ ମାରିଲେ ବି ବାଧ୍ୟ କରାଯାଇପାରି ନାହିଁ ।

 

ବାପା କହିଲେ, ଛାଡ଼ିଦିଅ ।

 

ମା’ କହିଲେ, ମୋ କପାଳ ।

 

ତଥାପି ଚେଷ୍ଟାର ଅନ୍ତ ନାହିଁ । ମା’ କହିଲେ, ପିଇସା ଡାକିଯାଇଚନ୍ତି । ମଞ୍ଜୁ ଅପାର ବାହାଘର । ଯା, ସେଠି ତା’ ପାଖେ ପାଖେ ରହିବୁ । କିନିଆ ଝିଅ ।

 

ଓ ସଖୀଗିରି କରିବି ?

 

ମା’ ଧମକ ଦେଇଉଠିଲେ, ସଖୀଗିରି କ’ଣ ? ତୋ ଭଉଣୀ ନା ?

 

ଓଠ ନେଫେଡ଼ି ବାସବୀ କହିଲା, ଓ ହୋରେ ଭଉଣୀ । ସେ ପଛେ ମୋ ବାହାଘରକୁ ନ ଆସିବ ।

ନିର୍ଲଜ୍ଜୀ, ବେହିଆ ଝିଅ । ମା’ ଦାନ୍ତରେ ଦାନ୍ତ କାମୁଡ଼ିଲେ । କିନ୍ତୁ ଚେଷ୍ଟା ଛାଡ଼ିଲେ ନାହିଁ-। ବାପାଙ୍କୁ ଡାକି ଆଗରେ ବସେଇ ସେ ବାସବୀକି ସଜେଇଲେ । ବାହାଘର ସାହିଟା ! ସେଲୁଓ୍ୱାର ପିନ୍ଧେଇଲେ ଚଳିଥାଆନ୍ତା । କିନ୍ତୁ ମା’ଙ୍କର ସେଇଟା ପସନ୍ଦ ହେଲାନାହିଁ । ଏତେ ବଡ଼ ଝିଅକୁ ସେ ସବୁ ଆଉ ମାନେନା ।

ବାସବୀ ଆଦୌ ଆପତ୍ତି କଲାନାହିଁ ।

ବାପା ଭାବିଲେ, ସୁବୁଦ୍ଧି ହେଇଚି ।

ମା’ ଭାବିଲେ, ଶାସନର ଫଳ ।

ବାସବୀ ଶାଢ଼ି ପିନ୍ଧିଲା । ହାତରେ ରିସ୍‌ଲେଟ ବାନ୍ଧିଲା ଆଉ ଗଳାରେ ଝୁଲେଇଲା ଲମ୍ବା ଚେନ୍‌ରେ ବିରାଟ ଲକେଟ ।

ମା’ ମୁଣ୍ଡରେ ଛେପ ପକେଇଲେ ।

ବାପା କହିଲେ, କାହା ଝିଅ ଦେଖିବାକୁ ହେବତ !

ମା’ କହିଲେ, ଘରେ ବସ ଯା, ଗାଡ଼ି ଆସିଲେ ଯିବୁ ।

ବାପା କହିଲେ, ଯିବୁ ତ ମା !

ଯିବି ।

ପିଠି ଆଉଁସି ବାପା କହିଲେ, ଏଇ ଦେଖ, ତମେ କିଛି ନ ବୁଝି ମୋ ଝିଅକୁ ସୁଧୁ ସୁଧୁ ନିନ୍ଦା କର ।

ମା’ ଆଉ କଥା କହିଲେ ନାହିଁ । ବାପାଙ୍କ ଉପରେ ତୀର୍ଯ୍ୟକ ଦୃଷ୍ଟି ପକେଇ ଅନ୍ୟ କାମରେ ଚାଲିଗଲେ । ବାପା ବି ବ୍ୟବସାୟର ହିସାବପତ୍ର ନେଇ ବସିପଡ଼ିଲେ ।

ବାସବୀ ଘର ଭିତରେ ଏ ସୁଯୋଗ ଯେପରି ଅପେକ୍ଷା କରି ରହିଥିଲା । ଟେବୁଲ ଡ୍ରୟାରରୁ ସେ ରୁଲଟା ଖୋଜି ଆଣିଲା ଆଉ ଲୁଚେଇ ଲୁଚେଇ ରୋଷେଇ ଘରୁ ପନିକିଟା ନେଇଆସିଲା ।

ବାହାରେ ଗାଡ଼ିରେ ହର୍ଣ୍ଣ ବାଜିଉଠିଲା ।

 

କାଗଜପତ୍ର ଛାଡ଼ି ବାପା ଉଠିଆସିଲେ । ମା’ ଦୌଡ଼ିଆସିଲେ ବାସବୀ ଘରକୁ । ବାସବୀ ଆମ ମା’ !

 

ବାସବୀ ଆସି ମା’ଙ୍କ ଆଗରେ ଠିଆହେଲା । ମୁହୂର୍ତ୍ତେ ମାତ୍ର । ମା’ ଯେପରି କିଛି ଚିନ୍ତା କରିପାରିଲେ ନାହିଁ । ତା’ପରେ ହାତ ପାଖରେ ଗୋଟାଏ ଖେଳନା ବ୍ୟାଟ ପାଇ ସଟାଂ ସଟାଂ....ବାସବୀ ପିଠିରେ ବସେଇ ଦେଇଗଲେ ।

 

ଅଲକ୍ଷଣୀ ପୋଡ଼ାମୁହିଁ ଝିଅ । ମର ! ଏଇକ୍ଷଣି ମର ତୁ ।

 

ବାପା ଆସି ଅନେଇଲେ । ପୁଣି ଫେରିଗଲେ ।

 

ଆଶ୍ଚର୍ଯ୍ୟ, ଛୋଟଟାକୁ ଛାଡ଼ିଦେଲେ, ଆଉରି ଗୋଟାଏ ଝିଅ ଅଛି । ବାହାସାହା ହେଇ ଘର ସଂସାର କରୁଚି । ପଡ଼ା ପଡ଼ିଶାରେ ତ ଆଉରି କେତେ ଝିଅ ଅଛନ୍ତି । କିଏ ଗହଣା ଭାଙ୍ଗି ଶାଢ଼ି ଚିରି ରଣଚଣ୍ଡୀ ଯାଜୁଚି ?

 

ଏଇକ୍ଷଣିର ରାଗ ପରକ୍ଷଣକୁ ନ ଥାଏ । ରାତିରେ ବାପା କହିଲେ, ଆଜି ମାରିଚ ମାରିଚ ଆଉ ଦିନେ ଏମିତି ମାରିବନି ।

 

ଖିଙ୍କାରୀ ହେଇ ମା’ କହିଲେ, ଆହାରେ ହିତକାରୀ ! ସେତେବେଳେ ଠିଆହେଇ ଦେଖୁଥିଲାନା ?

 

ମା’ଙ୍କ ଗଳାଟା ବନ୍ଦ ହେଇଗଲା । କାନ୍ଦଣାରେ ଭାଙ୍ଗିପଡ଼ିଲେ ସେ ।

 

ଲୁହ ପୋଛି ବାପା ସାନ୍ତ୍ୱନା ଦେଲେ । କାନ୍ଦନା, ସବୁ ଠିକ୍‌ ହେଇଯିବ । ବୟସ ବଢ଼ୁ ।

 

ବୟସ ବଢ଼ିଲା ବାସବୀର । ସ୍କୁଲ ଛାଡ଼ି କଲେଜ ଗଲା । କିନ୍ତୁ କଲେଜର ଆବହାଓ୍ୱା ତା’ର ଯେମିତି ସହ୍ୟ ହେଲାନାହିଁ । ସହପାଠୀ–ସହପାଠିନୀ ଆଉ ସେଇ ରୋମାଣ୍ଟିକ୍‌ ପରିବେଶ ଛାଡ଼ି ସେ ବହି ନେଇ ଘରେ ବସିଲା, ନ ହେଲେ ଖୋଲା ଆକାଶ ତଳେ ଠିଆହେଇ ଚୁପ୍‌ଚାପ୍‌ ଦୂରକୁ ଅନେଇ ରହିଲା । ଚାରିପାଖରେ ଏଇ ବହୁ ବିଚିତ୍ର ନର–ନାରୀଙ୍କଠାରୁ ଆକାଶ ଅନେକ ସୁନ୍ଦର । ମାଟି ଅନେକ ଶୀତଳ ।

 

ଅଧ୍ୟାପକମାନେ ଭାବିଲେ ଅଦ୍ଭୁତ ।

 

ସହପାଠିମାନେ କହିଲେ, କଣ୍ଟକବନ ବାସିନୀ । ଆଉ ସହପାଠିନୀମାନେ ଓଠ ଓଲଟେଇ ଆଖି ନଚେଇ କହିଲେ, ଏ ବି ଏକ ପ୍ରକାର ହିଷ୍ଟ୍ରିୟା ।

 

ଯିଏ ଯାହା କହୁ ଲେଖାପଢ଼ାରେ ବାସବୀ ସହିତ କାହାରି ତୁଳନା ହୁଏନା ।

 

ମା’ କହିଲେ ଝିଅଟା ମୋର ବାୟାଣୀ ହେଇଯିବ ।

 

ବଡ଼ ଭଉଣୀ କହିଲା, ସବୁତ କରୁଚୁ ତୁ । ଲେଖାପଢ଼ା, ଖାଇବା ପିଇବା ଖାଲି ମୋ ଉପର ମୁହଁକୁ ତଳକୁ ଦେଉଚୁ କାହିଁକି ?

 

ବାସବୀ କହିଲା, ସେ କେମିତିକା କଥା ।

 

ବଡ଼ ଭଉଣୀ ବାସବୀର ଲୁଗା ଟାଣି ବେଣୀ ଝିଙ୍କି ବୁଝେଇ ଦେବାକୁ ଚେଷ୍ଟା କଲା । ତୋର ଏଇ ରୂପଭେକ ଦେଖି ମୋ ଦିଅର ନଣନ୍ଦ ମତେ ଯାହା ଅପଦସ୍ତ କରନ୍ତି ।

 

ତୁ ଆଉ ଅପଦସ୍ତ କରିପାରୁନା ? ନା ତୋର କାର୍ତ୍ତିକନିନ୍ଦି ଦିଅର, ରମ୍ବା, ଉର୍ବଶୀ ମାର୍କା ନଣନ୍ଦଙ୍କୁ ଅପଦସ୍ତ କଲାପରି କିଛି ନାହିଁ ?

 

ମୁଁ କଣ ଆଉ ଟାଣ ମୁହଁ ଛାଡ଼େ । ମୁଁ କହେ ମୋ ଭଉଣୀ ଲିପ୍‌ଷ୍ଟିକ୍‌ ରୁଜ୍‌ ନ ଘସି ବିକାର ଗ୍ରସ୍ତ ହେଉ ପଛେ ସ୍କୁଲ କଲେଜରେ କେବେ ଗଧ ହେଇନି । ଦିଅରତ ରାଗି ଉଚ୍ଛନ୍ନ । ଅସଲ କଥା....

 

ଅସଲ କଥା ବାସବୀ ହସିଉଠିଲା । ଅସଲ କଥା ପଞ୍ଚବାଣ ଦହୁଚିରେ....

 

ଛି... ଛି... ଛି... ବଡ଼ ଭଉଣୀର କଠିଣ ଭ୍ରୂଭଙ୍ଗୀଟା ହଠାତ୍‌ ସ୍ଥିର ହେଇଗଲା । ତୋର ଏକବାର ଲଜ୍ଜା ସରମ ନାହିଁ ।

 

ବାସବୀ କହିଲା, ଦେଲୁତ ମାଟି କରି, ମୋର ଏତେ ସୁନ୍ଦର ଭାଷା, ଯାହା କେବଳ ଉପନ୍ୟାସର ନାୟକ ନାୟିକାଙ୍କର ବାପ, ଅଜା ଚଉଦ ପୁରୁଷର ସମ୍ପତ୍ତି, ତୁ ତାକୁ ଛି ଛି କରିଦେଲୁ । ହାୟରେ ମନ୍ଦ ଭାଗ୍ୟ....

 

ବଡ଼ ଭଉଣୀ ଯେତେ ଯେତେ ଛି ଛି କଲେ ବି ଭିତରେ ଭିତରେ ଛୋଟ ଭଉଣୀର କୁଦ୍ଧିମତ୍ତାକୁ ପ୍ରଶଂସା ନ କରି ରହିପାରିଲା ନାହିଁ । ଶଶୁର ଘରର ଲୋକ ଯେ ତାକୁ ଏ କଥା ନ କହିଚନ୍ତି ଏହା ନୁହେଁ । ଦିଅର ବି କଥା ଛଳରେ ଅନେକଥର ମନର କଥା ପ୍ରକାଶ କରିଚି । ଯେଉଁ ଝିଅ ଯେତେ ବେପରୁଆ ଯେତେ ଉଦାସୀ ତା’ ପ୍ରତି କୁଆଡ଼େ ପୁରୁଷର ଆକର୍ଷଣ ସେତେ ବେଶୀ ।

 

କେଜାଣି ବାବୁ ମନେ ମନେ କ୍ଷୁଣ୍ଣ ହେଇଚି ବଡ଼ ଭଉଣୀ । ତା’ର ଏତେ ରୂପ, ଏତେ ଯତ୍ନ, ଏତେ ନିଷ୍ଠା । ସବୁ କ’ଣ ମିଛ ?

 

ସ୍ୱାମୀକି ଏକା ଏକା ବାପଘରକୁ ଯିବାକୁ ସେ ଦେଲାନାହିଁ । ହସି ହସି ସ୍ୱାମୀ କହିଲେ, ଏତେ ଭୟ ?

 

ଭୟ କାହାକୁ ? କଣ୍ଠ ସ୍ୱର ଭାରି ହେଇଉଠିଲା ବଡ଼ ଭଉଣୀର ।

 

ସ୍ୱାମୀ କହିଲେ, ସେଇଆତ ତମର ଯେଉଁ ଭଉଣୀ । ସୁନ୍ଦରୀ, ସୁବେଶା, ସୁଶୀଳା, ମୁଁ ତ ସାମାନ୍ୟ ମାନବ ମାତ୍ର ଭୂତ ପ୍ରେତ ବି ଡରେ ପଳେଇ ଯିବେ ।

 

ଖିଲ୍‌ଖିଲ୍‌ ହେଇ ହସିଉଠିଲା ବଡ଼ ଭଉଣୀ । ଏତେ ସମୟ ପରେ ବୁକୁର ଭାରଟା ଯେପରି ଓହ୍ଲେଇଗଲା । କହିଲା, ତମେ ମାନବ ହେଲେ କ’ଣ ହେବ, ତମର ଭାଇ ଯେ ଭୂତ ହେବାକୁ ଯାଉଛି ।

 

ସେଥିପାଇଁ ଥରେ ତ ଯିବାକୁ ହେବ ।

 

ସ୍ୱାମୀକି ନିବିଡ଼ ସାନ୍ନିଧ୍ୟ ଦେଇ ବଡ଼ ଭଉଣୀ କହିଲା, ଯିଏ ଯାହା କହୁ ତମେ ଆଉ ମୋ ଉପରେ ମୁହଁକୁ ତଳକୁ ଦିଅନା ।

 

ତମ ଭଉଣୀ ତ !

 

ଉଃ.... ଲଜ୍ଜାଟା ଯେପରି ଅସହ୍ୟ ହେଇଉଠିଲା ବଡ଼ ଭଉଣୀର । ହେ ଭଗବାନ !

 

ସ୍ୱାମୀ କହିଲେ, ତମର ଯେତେବେଳେ ଏତେ ଅନିଚ୍ଛା, ସେତେବେଳେ ତମର ମେଷ ଶାବକଟି ଯେ ଅତ୍ୟନ୍ତ ନିରୂପାୟ ସେ କଥା ଅନ୍ୟ କେହି ନ ବୁଝିଲେ ବି ମା’ ଅନ୍ତତଃ ବୁଝିବେ ।

 

କିନ୍ତୁ ଛୋଟ ପୁଅ ଯେମିତି ମା’କୁ ଆଉ କିଛି ବୁଝେଇବାକୁ ଚେଷ୍ଟା କରେ ।

 

ମା’ କହିଲେ କେଜାଣି ବାବା, ଘଟଣା ସାଣ୍ଠଣା ବୋଲି କ’ଣ କିଛି ନାହିଁ ? ତୁ ଯିବୁ କାହିଁକି ?

 

ଆଉ କିଏ ଯିବ ? ଭାଇତ ଯିବନି । ଭାଇ ନ ଯାଉ । ଯିଏ ଯିବା ସୁନ୍ଦର ସିଏ ଯାଉ ।

 

ସେଇ ଆସିଲେ । ବଡ଼ ଭଉଣୀର ଖୁଡ଼ୁତାଶୁର, ଆସି ବାପାଙ୍କ ପାଖରେ ସଫା ସଫା ପ୍ରସ୍ତାବ କଲେ । ଏତେ ଟିକିଏ ବି ଲୁଚାଛପା ନାହିଁ ।

 

ବାପା ଚିନ୍ତା କଲେ ।

 

ମା’ ଖୁସି ହେଲେ । କହିଲେ, ପୁରୁଣା ବନ୍ଧୁ, କିଛି ଡିମାଣ୍ଡ କରିବେନି ।

 

ବାପା କହିଲେ, ବୟସ୍କା ଝିଅ, ତାକୁ ଥରେ ପଚାରିବା ଉଚିତ ।

 

ମା’ କହିଲେ, ବାହା ହେବାକୁ କେଉଁ ଝିଅ ମନାକରେ ।

 

ହଁ କଲେ ତ ଭଲ କଥା ।

 

କିନ୍ତୁ ବାସବୀ ଚିରକାଳ ଓଲଟା ରାସ୍ତା ଦେଇ ଆଗେଇଛି । ସବୁ ଶୁଣି କହିଲା, ଜୀବନ ତାଲିକାରେ ବାହାଘର ଶବ୍ଦଟା ଲେଖାନାହିଁ । ମୁଁ କ’ଣ କରିବି ।

 

ବାପା ଚୁପ୍ କରିଗଲେ । ଚିଲେଇ ଚିଲେଇ ମାଙ୍କ ତଣ୍ଟି ବସିଗଲା । ବଡ଼ ଭଉଣୀ ଟ୍ୟାକ୍‌ସୀ ଗଢ଼ି କାଳୀ ମନ୍ଦିର ଗଲା ପୂଜା ଦେବାପାଇଁ ।

 

କିନ୍ତୁ କେତେଦିନ ବା ଏମିତି କଟିବ ? ମା’ ଯେମିତି ନିଜ ସାଙ୍ଗରେ ବୁଝାବୁଝି କରନ୍ତି ।

 

ବୟସ ବଢ଼ୁଛି । ବାସବୀର ବି ପରିବର୍ତ୍ତନ ଆସୁଛି ।

 

ମା’ ବାପାଙ୍କୁ କହିଲେ, ବାପା ବି ଲକ୍ଷ୍ୟକଲେ । ଆଡ଼ଭୋକେଟ ରାୟଙ୍କ ବିଲାତ ଫେରନ୍ତା ପୁଅ ଅସୀମାଭ ନିତି ନିତି ବାସବୀ ଲାଇବ୍ରେରିକି ଆସୁଛି । କଥା ହେଉଛି, ହସ ହେଉଛି, ଏକା ସାଙ୍ଗରେ ବୁଲିବା ବି ହେଉଛି ।

 

ମା’ କହିଲେ, ସବୀ ! ପରଲୋକ ସହିତ ଏମିତି ବୁଲିଲେ ତ ଭଲ ନୁହେଁ । ଲୋକେ ନିନ୍ଦା କରିବେ ।

 

କାହା ସହିତ ବୁଲିବି ?

 

ସ୍ୱାମୀ ସହିତ ।

 

ତା’ହେଲେ ସେଇଟା କରେଇଦିଅ ।

 

ମା’ ଯେମିତି ହାତରେ ଆକାଶର ଚାନ୍ଦ ପାଇଲେ । ବାପା ଆଡ଼ଭୋକେଟ ରାୟଙ୍କୁ ପ୍ରସ୍ତାବ ଦେଲେ, ଆପତ୍ତି କରିବାକୁ କାହାର କିଛି ନାହିଁ । ଶିକ୍ଷିତା, ସୁନ୍ଦରୀ ଝିଅ । ଭବିଷ୍ୟତ ଅଛି । ଯୌତୁକ ବି ମନ୍ଦ ନୁହେଁ, କେବଳ ଟିକିଏ ଉଦାସୀ, ସେଇଟା ବା ଆଉ କେତେଦିନ ରହିବ ?

 

ଅସୀମାଭର ବି ସେଇ କଥା । ବାସବୀର ଆଖିଉପରେ ନିଜର ମୁଗ୍‌ଧ ଆଖି ଦୁଇଟାକୁ ଲଗେଇ ରଖି ସେ କହିଲା, ଏଇ ମନଟାକୁ ଆକାଶ ସହିତ ତୁଳନା କରିବାକୁ ଇଚ୍ଛାହୁଏ ।

 

ଆକାଶ ତ ନୀଳ ।

 

ତମ ପ୍ରେମ ବି ତ ନୀଳ ।

 

ତା’ହେଲେ ଯେ ତମକୁ ନୀଳକଣ୍ଠ ସାଜିବାକୁ ହେବ ।

 

ସାଜିବି ।

 

ପାରିବ ?

 

ତମ ପାଇଁ ସବୁ ପାରିବି ।

 

ମୋ ପାଇଁ ନା ମୋ ପାରିପାର୍ଶ୍ୱିକତା ପାଇଁ ?

 

ତମ ପାଇଁ, ତମ ପାଇଁ, ତମ ପାଇଁ.....

 

କେଜାଣି ବିଶ୍ୱାସ ହୁଏନା । ଏମିତି ତ ଆଉଜଣେ କହିଥିଲା । ଶେଷରେ ମତେ ହିଁ ନୀଳକଣ୍ଠ ସାଜିବାକୁ ପଡ଼ିଲା ।

 

ଉତ୍କଣ୍ଠାରେ ଅସୀମାଭର ଆଖି ଦୁଇଟା ଯେପରି ପଲକ ଭୁଲିଗଲା । କ’ଣ ? କ’ଣ ?

 

ବାସବୀ କହିଲା, ତମର ଏତେ ବିଶ୍ୱାସକୁ ମୁଁ ବା କେମିତି ବିଶ୍ୱାସ କରିବି ?

 

ନା ନା ତମେ ବିଶ୍ୱାସ କର ।

 

ରହି ରହି ବାସବୀ କହିଲା, ମୋ ଜୀବନରେ ଏକ ଦୁର୍ଘଟଣା ଘଟିଥିଲା । ଆଉ ତା’ର କ୍ଷତ ଚିହ୍ନଟା ମତେ ଏବେ ବି ଲୁଚେଇ ରଖିବାକୁ ହେଉଚି ।

 

କାହିଁ କ’ଣ ? ଅସୀମାଭର ଉତ୍ତେଜନା ବଢ଼ୁଚି ।

 

ମ୍ଳାନ ହସି ବାସବୀ କହିଲା, ଏତେ ବ୍ୟସ୍ତ କାହିଁକି ହେଉଚି । ତମକୁ ତ ଦେଖିବାକୁ ହିଁ ହେବ । କେବଳ ଦେଖିବା ନୁହେଁ, ତମ ସ୍ତ୍ରୀର ବ୍ୟଥାର ଭାର ବି ତମକୁ ବହନ କରିବାକୁ ହେବ ।

 

ଅସ୍ଥିର ହେଇଉଠିଲା ଅସୀମାଭ । ଦେଖେଇବ ତ !

 

ଏଠି କେଉଁଠି, ଦାର୍ଜିଲିଂ ଯିବାକୁ ହେବ ।

 

ଦାର୍ଜିଲିଂ ?

 

ହଁ । ବାସବୀ କହିଲା, ତା’ର ଜନ୍ମ ପରେ ବାପା ମା’ ତାକୁ ଏକ ମିଶନାରୀ ଆଶ୍ରମରେ ଦେଇ ଦେଇଚନ୍ତି । ମୋର ଅବଶ୍ୟ ସେତେବେଳେ କିଛି କହିବାରନଥିଲା ।

 

ଓଃ.... ଅସୀମାଭ ଦୁଇ ହାତରେ ମୁହଁ ଘୋଡ଼େଇଲା ।

 

ଦୁଇ ଓଠର ହସକୁ ସମ୍ବରଣ କରି ବାସବୀ କହିଲା, ମୁଁ ଜାଣେ ମୋ ପାଇଁ ତମ କରୁଣାର ଶେଷ ନାହିଁ । ତା’ହେଲେ କାଲି ସକାଳୁ ଆସ । ମୁଁ ବାପା ମା’ଙ୍କୁ କହି ରଖିଥିବି ।

 

ସକାଳ ଯାଇ ସନ୍ଧ୍ୟା ଆସିଲା । ସନ୍ଧ୍ୟା ପରେ ରାତି । ମା’ କହିଲେ ସବୀ, ଅସୀମ ତ ଆଜି ଆସିଲା ନାହିଁ ?

 

ଆଉ ଆସିବନି ।

 

ଆସିବନି ? ମା’ ଯେପରି ଆକାଶରୁ ଖସିପଡ଼ିଲେ ।

 

ବାପା ଘରେ କବାଟ ବନ୍ଦ କରିଦେଲେ ।

 

ବଡ଼ ଭଉଣୀ ସ୍ୱାମୀ ସହିତ ଆସି ହାଜିର ହେଲା ।

 

ବାହାଘର ଭାଙ୍ଗିଯାଇଚି ।

 

ବଡ଼ ଭଉଣୀ ଧମକ ଦେଇଉଠିଲା । କ’ଣ କହିଲୁ ଅସୀମକୁ ।

 

ପରେ ଶୁଣିବୁ ।

 

ନା ଏଇକ୍ଷଣି କହ ।

 

ମୋର ସମୟ ନାହିଁ ।

 

କ’ଣ କରି ମରିବୁ ?

 

କଲେଜ ଝିଅମାନଙ୍କୁ ନେଇ ପିକ୍‌ନିକ୍‌ କରିବାକୁ ଯିବି ।

 

ପିକ୍‌ନିକ୍‌ କରିବାକୁ ଆସି ବାସବୀ ଯେମିତି ଏକ ଅଦ୍‌ଭୁତ ଆବିଷ୍କାର କରି ବସିଲା ।

 

ଦଳେ ଝିଅ କହିଲେ ପାଗଳଟାଏ ।

 

ଆଉ ଦଳେ କହିଲେ, ନା ଦାର୍ଶନିକ ।

 

ସେ ପାଗଳ ହେଉ ବା ଦାର୍ଶନିକ ହେଉ ବାସବୀର ତାକୁ ବୁଝିବା ଦରକାର ।

 

ବାସବୀ କହିଲା, ଆପଣଙ୍କ ସହିତ କଥା କହିବାକୁ ଆସିଲି ।

 

ମୁଁ କିନ୍ତୁ କଥା ନ କହିବା ପାଇଁ ଏଠିକି ଆସିଚି ।

 

ଲୋକଟା କେଡ଼େ ବଣ୍ୟ । ଝିଅମାନେ ଦୂରରେ ଆକ୍ଷେପ କରିଉଠିଲେ । ଆଉ ଏ ବାସବୀ ଅପା, ୟା’ଙ୍କର ଯେମିତି ତା’ ପାଇଁ ଗରଜ ପଡ଼ିଚି ।

 

ବାସବୀ କହିଲା, ଯେଉଁଠୁ ବେଶୀ କଥାର ଦାବି ଆସେ ସେଠି ଅବଶ୍ୟ କଥା ନ କହିବା ଭଲ ।

 

କିଏ କହିଚି ?

 

ମୁଁ କହୁଚି ।

 

ଆପଣ କିଏ ?

 

ମୁଁ ବାସବୀ ।

 

ଓଃ...ଲୋକଟା ପୁଣି କଥା ବନ୍ଦ କରି ବହି ପଢ଼ାରେ ମନଦେଲା ।

 

ବାସବୀ କହିଲା, ଆପଣଙ୍କ ନାଁ ତ କହିଲେ ନାହିଁ ।

 

ମୋ ନାଁ ଗୌତମ ।

 

କ’ଣ କରନ୍ତି ?

 

ଚାକିରି ।

 

କି ଚାକିରି ?

 

ଡ୍ରାଇଭରୀ ।

 

ଡ୍ରାଇଭରୀ ? ବାସବୀ ଅବାକ୍‌ ହେଇଗଲା । ସେଥିପାଇଁ ଆପଣଙ୍କ ଦୁଃଖ ନାହିଁ ?

 

କାମ ପାଇଁ ତ କେହି ଦୁଃଖ କରେନା ।

 

ଲଜ୍ଜା ହୁଏନା ?

 

ଲଜ୍ଜା କରିବାର କ’ଣ ଅଛି ?

 

ପର ଗାଡ଼ିର ଡ୍ରାଇଭିଂ କରିବାଟା ଛୋଟ କାମ ନୁହେଁ ?

 

କାମ, କାମ । କାମକୁ ଯିଏ ଛୋଟ ବଡ଼ ଆଖ୍ୟା ଦିଏ ତା’ର ବରଂ ଲଜ୍ଜା କରିବା ଉଚିତ-

 

ସତରେ ଲଜ୍ଜା ପାଇଲା ବାସବୀ । କିନ୍ତୁ ଗୌତମ ଏକବାର ନିର୍ବିକାର ।

 

ବାସବୀ କହିଲା, ମୋର ଠିକଣା ରଖନ୍ତୁ ଯିବେ ।

 

କାହିଁକି ?

 

କଥାବାର୍ତ୍ତା ହେବା ।

 

କଥାବାର୍ତ୍ତା ହେବାପାଇଁ ଗୌତମ ଥରେ ନୁହେଁ, ଅନେକ ଥର ଆସିଲା କିନ୍ତୁ ଏଇ ସାମାନ୍ୟ ଲୁଗା ଜାମା ପିନ୍ଧିଥିବା ଲୋକଟାକୁ ମା’ ଆଦୌ ପସନ୍ଦ କରିପାରିଲେ ନାହିଁ ।

 

ବାସବୀ କହିଲା ଜାଣ, ମା’ ତମକୁ ପସନ୍ଦ କରନ୍ତି ନାହିଁ ।

 

ଜାଣେ ।

 

ଜାଣ ?

 

ହଁ ।

 

ତା’ହେଲେ କ’ଣ କରିବ ?

 

ବାହାସାହା ହେଇ ସଂସାରୀ ହେବି ।

 

କାହା ସହିତ ସଂସାରୀ ହେବ ?

 

ତମ ସହିତ ।

 

ମୋ ସହିତ ? ବାସବୀ ଯେପରି ବିସ୍ମୟରେ ଚମକିଉଠିଲା । ଏତେ ଝିଅ ଥାଉ ଥାଉ ମୋ କଥା କାହିଁକି ଭାବିଲ ?

 

ଭଲଲାଗେ ବୋଲି ।

 

କିନ୍ତୁ ଗୋଟାଏ କଥା ଜାଣିଲା ପରେ ଆଉ ଭଲ ଲାଗିବନି ।

 

କ’ଣ ?

 

ମୋ ଜୀବନରେ ଗୋଟାଏ ବଡ଼ ଦୁର୍ଘଟଣା ଘଟିଥିଲା ।

 

ଘଟିବା ସ୍ୱାଭାବିକ ।

 

ତମେ ତାକୁ ଭୁଲିଯାଇ ପାରିବ ?

 

ନ ପାରିଲେ ବି ମୁଣ୍ଡ ଖେଳେଇବିନି ।

 

ତା’ ହେଲେ... ତା’ ହେଲେ....

 

ବାସବୀ ଏଇ ପ୍ରଥମ କରି ଆତ୍ମହରା ହେଲା । ପ୍ରଥମ କରି ମୁଗ୍‌ଧ ହେଲା, ପ୍ରଥମ କରି ନିଶ୍ଚିନ୍ତ ହେଲା ।

 

ମା’ କହିଲେ, ଏଇ ମ୍ଳେଛ ଲୋକଟା ସାଙ୍ଗରେ କଥା କହି ତୋର ଏତେ ଖୁସି ?

 

ମନର କଥା ଯେ...

 

ମନର କଥା ? ଛି... ଛି... ଛି...

 

ବଡ଼ ଭଉଣୀ କହିଲା, ଅସୀମାଭକୁ ଛାଡ଼ି ଏଇଟା ସହିତ ପୁଣି ତୋର କି ମନକଥା ହେଲା ?

 

ବାହାହେବା କଥା ।

 

ବାହାହେବା କଥା ?

 

ସମସ୍ତ ଘରଟା ଯେପରି ପ୍ରବଳ ବେଗରେ କମ୍ପିଉଠିଲା । ହୁଏତ ଭୂମିକମ୍ପ ହେଲା । ନହେଲେ ବା ଉଲ୍‌କାପାତ । କିନ୍ତୁ ବାସବୀ ଅଟଳ । ବାସବୀ ନିଶ୍ଚିନ୍ତ । ବାସବୀ ମୁଗ୍‌ଧ ।

Image

 

ବିଳମ୍ବିତ ଲୟ

 

ସୁନ୍ଦର ନୁହେଁ ନୀଳାଞ୍ଜନା ।

 

କିନ୍ତୁ ତା’ ଆନତ ଦେହର ଶ୍ୟାମଳିମା, ଦୀର୍ଘ କୃଷ୍ଣ କବରୀର ରକ୍ତଜବା ଦେଖିଲେ, ଅସୁନ୍ଦର କହିବାକୁ ମନ ବଳେନାହିଁ । ପାଖକୁ ଯିବାକୁ ଇଚ୍ଛାହୁଏ । ପାଖରେ ବସିଲେ ମନେହୁଏ, ତା’ ସରୁ ଓଠ ଦୁଇଟିର ଖୁସି ଖୁସି ଭାବଟା ଯେମିତି ସକାଳର ଝଲକାଏ ଥଣ୍ଡା ପବନ ପରି ଆସି ଦେହରେ ବାଜେ । ବହୁଦିନର କ୍ଳାନ୍ତ ମନଟା ପୁଣି ମଧୁର ଆବେଶରେ ଭରିଉଠେ ।

 

ସେଇଆ ହୁଏତ ହେଇଥିଲା ନିରଞ୍ଜନର ।

 

ନହେଲେ ନିର୍ଝଂଜଟ ମଣିଷ ନିରଞ୍ଜନ । ସେ କାହିଁକି ନୀଳାଞ୍ଜନାର ସଙ୍ଗ ନେଇଥାନ୍ତା ? ଅଫିସ୍ ଛୁଟି ପରେ ଟ୍ରାମରେ ଉଠି, ପୁଣି କଲେଜ ଷ୍ଟ୍ରୀଟ୍‌ରେ ଆସି ଓହ୍ଲେଇଥାଆନ୍ତା ।

 

ଅଥଚ ତା’ର ପଥଟା ଥିଲା ସମ୍ପୂର୍ଣ୍ଣ ଓଲଟା । ଉତ୍ତର କଲିକତାରୁ ଦକ୍ଷିଣ କଲିକତା, ଅନେକ ଦୂର ।

 

କଲେଜ ଷ୍ଟ୍ରୀଟ୍‌ର କଫି ହାଉସରେ ବସି ବସି ସେଇ ଦୂରତ୍ୱର କଥାଟା ହିଁ ଚିନ୍ତା କରୁଥିଲା । ନିରଞ୍ଜନ ଆଉ ଚାରିପଟରେ ସେଇ ଭାବଟା ବିଞ୍ଚି ବିଞ୍ଚି କଫିର ଅର୍ଡ଼ର ହେଉଥିଲା ନୀଳାଞ୍ଜନା ।

 

ପଟାଟୋ ଚିପ୍‌, କାଜୁ ବାଦାମ ଆଉ କଫି ।

 

ଚମତ୍‌କାର....

 

ନିରଞ୍ଜନର ଉଚ୍ଚ ସ୍ୱରଟା ଶୁଣିପାରି ନୀଳାଞ୍ଜନା ପ୍ରସନ୍ନତାଟା ବି ଲକ୍ଷ୍ୟ କରିଥିଲା ।

 

ନିରଞ୍ଜନ କହିଲା, ତମକୁ ଧନ୍ୟବାଦ ଦେବାକୁ ଇଚ୍ଛାହୁଏ ନୀଳା ! ତମର ଦେହ, ମନ ବ୍ୟବହାର, ସବୁ ଭିତରୁ ଯେମିତି ଗୋଟାଏ ପରିଚ୍ଛନ୍ନ ରୁଚି ମଣିଷକୁ ମୁଗ୍‌ଧ କରିଦିଏ ।

 

ନୀଳାଞ୍ଜନା ଜବାବ ଦେଲାନାହିଁ । ଜବାବ ଦେଲା ପରି ନ ଥିଲା ବି କିଛି । କେବଳ ନିଃସନ୍ଦେହ ଏକ ତୃପ୍ତିରେ ଅନ୍ତର ତା’ର ଭରି ଉଠୁଥିଲା ।

 

ବୟ କଫି ସହିତ ଆନୁସଙ୍ଗିକ ଉପାଦାନ ଆଣି ରଖିଦେଇଗଲା । କେଇଟି ମୁହୂର୍ତ୍ତରେ ନିଃଶବ୍ଦତା ପରେ ପ୍ଳେଟରେ କାଜୁବାଦାମ ଆଉ ପଟାଟୋ ଚିପ୍‌ ସଜାଡ଼ିଲା ନୀଳାଞ୍ଜନା, ପିଆଲାରେ କଫି ଢାଳିଲା । କହିଲା, ଆଜି ଠିକ୍‌ ସମୟ ଅଛି । ମୋ କଥାର ଜବାବ ଆପଣଙ୍କୁ ଦେବାକୁ ହେବ-

 

ନିରଞ୍ଜନ ହସିଲେ । କହିଲା, ନ ଦେଲେ ?

 

ନ ଦେଲେ କ’ଣ ହେବ ଜାଣେନା ନୀଳାଞ୍ଜନା । ତା’ ପର ବି ତା’ ମୁହଁରେ ଯୋଗାଏନା-। କିନ୍ତୁ ସେ ଜାଣେ, ସେ ଖାଲି ସେଇ ଗୋଟାଏ କଥାର ଖିଅ ଧରି ନିରଞ୍ଜନକୁ ଏତେବାଟ ଟାଣି ଆଣିପାରିଛି । ନିଜକୁ ବି ଇଚ୍ଛାର ସେଇ ଉତ୍‌ପୀଡ଼ନ ଭିତରୁ ରକ୍ଷା କରିପାରିନାହିଁ-। ବାରମ୍ବାର ଗୋଟାଏ ଅଶ୍ୱସ୍ତି ତାକୁ ନିଶ୍ଚିନ୍ତ ହେବାକୁ ଦେଇନାହିଁ ।

 

ନିରଞ୍ଜନ କଫି ପିଉଥିଲା, ଆଉ କଫି ହାଉସର କର୍ମବ୍ୟସ୍ତତା ଆଡ଼େ ଲକ୍ଷ୍ୟ କରି କ’ଣ ଯେପରି ଭାବୁଥିଲା ।

 

ବାହାରେ ଟ୍ରାମର ଘର୍ଘର ଶବ୍ଦ ସହିତ, ଶ୍ରାବଣ ମେଘର ଗୁରୁ ଗୁରୁ ଡମ୍ବୁରୁ ଧ୍ୱନି ମହାନଗରୀକି ମୁହୂର୍ତ୍ତକ ପାଇଁ ସ୍ତବ୍‌ଧ କରିଦେଉଥିଲା ।

 

ନୀଳାଞ୍ଜନା କହିଲା, ବର୍ଷା ଆସୁଛି !

 

ଆସୁ !

 

ଅସ୍ପଷ୍ଟ ସ୍ୱରରେ, ପ୍ରାୟ ବିହ୍ୱଳ ଭାବରେ ନିରଞ୍ଜନ କହିଲା, ବର୍ଷାର ଲଗ୍ନଟା ଯେ ତାରୁଣ୍ୟର ଆକାଂକ୍ଷିତ ଲଗ୍ନ ଏବେବି ମନେଅଛି ନୀଳା !

 

ନୀଳାଞ୍ଜନା ଶିହରିଉଠିଲା ।

 

ନିରଞ୍ଜନର ଏଇ କଥାର ଇଙ୍ଗିତଟା ଏତେ ସ୍ପଷ୍ଟ, ଏତେ ସହଜ ଯେ ନିମିଷକରେ ନୀଳାଞ୍ଜନାର ଆଖିଦୁଇଟି ନଇଁଆସିଲା । ସିଧାହେଇ ସେ ଆଉ ନିରଞ୍ଜନଆଡ଼େ ଚାହିଁପାରିଲା ନାହିଁ-। ଭାବିପାରିଲା ନାହିଁ । ଅତୀବ ନିରଞ୍ଜନ ବୁକୁରେ ଏକ ଗଭୀର ପଦଚିହ୍ନ ରଖିଯାଇଚି-

 

ସେଇ ପରମ ମୁହୂର୍ତ୍ତରେ ତା’ର ଖାଲି ମନହେବାକୁ ଲାଗିଲା, ନିରଞ୍ଜନ ତା’ର ବସ୍‌ ନୁହେଁ, ତା’ର, ବନ୍ଧୁ ନୁହେଁ, ତା’ର ସମୟବସ୍କ ନୁହେଁ । ନିରଞ୍ଜନ କେବଳ ତା’ର, ଏକାନ୍ତ ଭାବେ ତା’ର ।

 

ସ୍ମିତ ହସି ଟିକିଏ ପରରେ ନିରଞ୍ଜନ କହିଲା, ଚରିତ୍ରହୀନ ହେବାର ଆନନ୍ଦ ଅଛି । କିନ୍ତୁ ଚରିତ୍ରହୀନ ହେବାପାଇଁ ଯେଉଁ ଦୁଃସାହସର ପ୍ରୟୋଜନ, ସେତକ ଅନେକଙ୍କର ନ ଥାଏ, ମୋର ବି ନାହିଁ ।

 

ମୁହଁ ଉଠେଇଲା ନୀଳାଞ୍ଜନା । ଆସ୍ତେ ଜଡ଼ିତ ସ୍ୱରରେ କହିଲା, ସେଇଥିପାଇଁ ବୋଧେ କପାଳରେ ଏତେ ବିଦ୍ରୂପ, ଏତେ ଆକ୍ଷେପ ।

 

ନିରଞ୍ଜନ କହିଲା, ତମେ କିନ୍ତୁ ଭାରି ଭାବପ୍ରବଣ ନୀଳା ! ଗୋଟାଏ ତୁଚ୍ଛ କଥାନେଇ ଅନେକ ଭାବିପାର ତମେ । କିନ୍ତୁ ମୋ କଥା ଆଦୌ ଭାବିପାରନା । ଯାହା ମୋ ସ୍ୱଭାବ ଭିତରେ ନାହିଁ, ସେଇ କଠିନତା, ସେଇ ଦୃଢ଼ତା ସେମାନଙ୍କ ପାଇଁ କେଉଁଠୁ ଖୋଜିପାଇବି ?

 

ମୁଁ ତ ପାଇବାକୁ କହୁନାହିଁ ।

 

ତମେ ଅବଶ୍ୟ ମତେ ଏପର୍ଯ୍ୟନ୍ତ କିଛି କହିନାହଁ । ତମ ପାଖରେ ନିଃସଂକୋଚ କରିପାରିଛି । ମୁଁ ଆଜି ଅନୁଭବ କରିପାରୁଛି, ମୋ ଜୀବନର ସେଇ ଦୁର୍ଘଟଣାର ବ୍ୟଥାଟା ଆଜି ଆଉ ଏକା ମୋର ନୁହେଁ, ତମର ବି ।

 

ନିରଞ୍ଜନ ଅଟକିଲା । ହୁଏତ ନୀଳାଞ୍ଜନାର ଅପେକ୍ଷା କଲା ଟିକିଏ ।

 

ନୀଳାଞ୍ଜନା କିନ୍ତୁ କଥା କହିଲା ନାହିଁ । କଥା କହି ନିରଞ୍ଜନ ପ୍ରାଣର ଏଇ ମଧୁର ଭାବାବେଗକୁ ନଷ୍ଟ କରିବାକୁ ଚାହିଁଲା ନାହିଁ ।

 

ନିରଞ୍ଜନ କହିଲା, ତମେ ଦ୍ୱିତୀୟା ନୀଳା ! ମୋ ଜୀବନରେ ପ୍ରଥମାର ସମ୍ମାନ ମୁଁ ତମକୁ ଦେଇପାରିଲି ନାହିଁ । ସେଥିପାଇଁ ତମେ ମତେ ଦୋଷ ଦିଅନା ।

 

ଆଉରି ସ୍ପଷ୍ଟ କଥା ନିରଂଜନର । ନୀଳାଂଜନା କିନ୍ତୁ ଆଗପରି ଚମକିଲା ନାହିଁ, ଲଜ୍ଜିତା ବି ହେଲାନାହିଁ । ସେ ବୁଝିଲା ତା’ର ଦାମ ଅଛି । ଦରିଦ୍ର ପରିବାରରେ ଜନ୍ମହେଇ ରୂପର ଅହଂକାର ନ ଥିଲେ ବି ସେ ଯେ ମୂଲ୍ୟହୀନା ନୁହେଁ ଏ କଥା ଆଜି ପ୍ରଥମ କରି ଜାଣୁଛି ।

 

ଅଦ୍‌ଭୁତ ଏକ ରୋମାଞ୍ଚରେ ପୁଣି ନୂଆକରି ରୋମାଞ୍ଚିତ ହେଇଉଠିଲା ନୀଳାଂଜନା । ନୂଆ କରି ତୃପ୍ତିର ସ୍ୱାଦ ଅନୁଭବ କଲା । ନୂଆ କରି ଏକ ଯନ୍ତ୍ରଣାର ଅନୁଭୂତିରେ ରୋମାଞ୍ଚିତ ହେଇଉଠିଲା ।

 

ଏ ବୋଧେ ସେଇ ଯନ୍ତ୍ରଣା । ଯନ୍ତ୍ରଣାର ତୀବ୍ରତା ଭିତରେ ବି ଭାବିବାକୁ ଚେଷ୍ଟାକଲା ନୀଳାଂଜନା । ମାଳିନ୍ୟ, ନିନ୍ଦା, ଲାଞ୍ଛନା ଭିତରୁ ବି ଦୁଇଟି ବିପରୀତଧର୍ମୀ ଦେହ ମନକୁ ଦୂରରେ ରଖିପାରିଛି । ସହିଷ୍ଣୁ କରିପାରିଛି । ସାର୍ଥକ କରିପାରିଛି ।

 

ଆଉରି ସୁନ୍ଦର ମନେହେଲା ନିରଂଜନକୁ ।

 

ଦୀର୍ଘ ଦୁଇବର୍ଷ ଧରି ଯେଉଁ ଲୋକର ଅଧୀନରେ ଚାକିରି ନେଇ ତା’ର ନିର୍ଦ୍ଦେଶ ହେଉ ବା ଆଦେଶ ହେଉ ପାଳନ କରିଆସିଛି, ଏ ସେ ଲୋକ ନୁହେଁ । ଏ ପୁରୁଷ । ଏ କେବଳ ନାରୀକୁ ନିର୍ଭୟ କରିପାରେ । ଆଶ୍ରୟ ଦେଇପାରେ । ନିଶ୍ଚିନ୍ତ କରିପାରେ ।

 

ଆଜି ଏକ ମୁହୂର୍ତ୍ତରେ ନିରଂଜନର ସାନିଧ୍ୟରେ ପୃଥିବୀର ରୂପ ଯେପରି ପାଲଟିଗଲା । ମନର ଅନ୍ତରାଳରେ ଯାହା ଗୋପନ ଥିଲା ସେ ଆଉ ଆଜି ଗୋପନ ନୁହେଁ । ତା’ର ମୁକ୍ତିର ଦିନ ଆଗେଇଆସିଛି ।

 

ତଥାପି ଚୁପ୍‌ କରି ବିସି ରହିଲା ନୀଳାଂଜନା !

 

ନିରଂଜନ କହିଲା, ଯିଏ ପ୍ରଥମା ସାଜି ଆସିଥିଲା, ଯାହାକୁ ହୃଦ ରାଜ୍ୟରୁ ମୁଁ ଏପର୍ଯ୍ୟନ୍ତ ବହିଷ୍କାର କରିପାରି ନାହିଁ, ତା’ପାଖରେ କିନ୍ତୁ ଏମିତି ସହଜରେ, ନିଃସଂକୋଚରେ ମୁଁ ନିଜକୁ ପ୍ରକାଶ କରିପାରିଥିଲି । ତା’ର ନିବିଡ଼ ସାନିଧ୍ୟରେ ଜୀବନଟାକୁ ସୁନ୍ଦ୍ର କରି ଭାବିପାରିଥିଲି । ମନେହେଉଥିଲା....

 

ଦୁଇ ତିନିଢୋକ କଫି ପିଇଦେଇ ବୋଧେ ଦମ୍‍ନେଲା ନିରଂଜନ । ନୀଳାଂଜନାର ଅବସ୍ଥାଟା ହୁଏତ ଥରେ ଚିନ୍ତା କରି ଦେଖିଲା । କିନ୍ତୁ ଦେଖିବାପରି କିଛି ନାହିଁ । ସେ ଜାଣେ ନୀଳାଂଜନା ସପ୍ରତିଭ । ସ୍ପଷ୍ଟବାଦୀତାରେ ବିଶ୍ୱାସୀ । ତା’ ଛଡ଼ା ତା’ ଜୀବନର ବ୍ୟର୍ଥ ଜ୍ୱାଳାକୁ ନୀଳାଂଜନା ନିକଟରେ ଲୁଚେଇ ରଖିବାର କୌଣସି ଅର୍ଥ ହୁଏନା ।

 

ନିଜକୁ ସେ ସ୍ପଷ୍ଟ କରି ଜାଣିବାକୁ ଦେବ । ଜାଣୁ ନୀଳାଂଜନା । ତାକୁ ଭଲକରି ଚିହ୍ନୁ ।

 

ନିରଂଜନ ହସିଲା । କହିଲା, ନା ନୀଳା, ସେତେବେଳେ ଅନେକ ଅଦରକାରୀ ଚିନ୍ତା ମନଟାକୁ ଗ୍ରାସ କରିନେଇଥିଲା । ଆଜି ଆଉ ତମେ ସେ ସବୁ ଶୁଣି ଲାଭ ନାହିଁ !

 

ନୀଳାଂଜନା କହିଲା, ଲାଭ କ୍ଷତିର ହିସାବ ମୋର । ଆପଣ କୁହନ୍ତୁ ।

 

କହିଲେ ତମେ ମତେ ନିର୍ଲଜ୍ଜ ଭାବିବସିବ ନିଶ୍ଚୟ ! ଗଳ୍ପଟା ଅବଶ୍ୟ କିଛିଟା ନିର୍ଲଜ୍ଜତାର-

 

ଅଭୟ ଦେଲି ।

 

ଛୋଟ କଥା ନୀଳାଂଜନାର । କିନ୍ତୁ ତାକୁ ଯେପରି ଅନେକ ବଡ଼ ମନେହେଲା ନିରଂଜନର । ଅନେକ ଅଭିଜ୍ଞ, ଅନେକ ଉଦାର ମନେହେଲା ।

 

କହିଲା, ପ୍ରଥମ ଯୌବନଟା ହିଁ ନିର୍ଲଜ୍ଜ । ନିର୍ଲ୍ଲଜ୍ଜ ନ ହେଲେ ଜୀବନ ପାଇଁ ଏତେ ଆଘାତ, ଏତେ ନିଗ୍ରହ ବା ସଞ୍ଚୟ କରିଆଣିବ କାହିଁକି ?

 

ଆଜି ଆଉ ଯୌବନର ସେ ଉତ୍ତାପ ନାହିଁ । ରକ୍ତର ନିଶା ବି କମିଯାଇଛି । କିନ୍ତୁ ପ୍ରେମର ଭାବ, ଅନୁଭୂତିଗୁଡ଼ାକ ଠିକ୍‌ ସେମିତି ଅଛି । ଯେତେ ଆବେଗହୀନ ହେବାକୁ ଚେଷ୍ଟା କରେନା କାହିଁକି, ସେଇ ଭାବାବେଗକୁ ଏଡ଼େଇ ଯାଇପାରି ନାହିଁ ।

 

ବୟସଟା ଅବଶ୍ୟ ଏବେ ବୈଶାଖର ମରାନଈର ଅବସ୍ଥା ହେଇଛି ।

 

ଉପମାଟା ଖୁବ୍‌ ପୁରୁଣା ଶୁଣିଲ । ବିଂଶ ଶତାବ୍ଦୀର ଝିଅ ତମେ । ଯେଉଁ ଶତାବ୍ଦୀ ଗଳ୍ପ ଉପନ୍ୟାସରେ ନୂତନ ପରୀକ୍ଷା ନିରିକ୍ଷା ନେଇ ବ୍ୟସ୍ତ । ଶବ୍ଦ ସଂଯୋଜନାରେ ଅବିରତ ପ୍ରତିଦ୍ୱନ୍ଦିତାରେ ମୁଖର ।

 

କିନ୍ତୁ ଦୁର୍ଭାଗ୍ୟ । ଏସବୁ ସୁଯୋଗ ନେବାର ଅବସର ମୋର ନାହିଁ । ଯୋଗ୍ୟତା ବି ନାହିଁ-

 

ପିଲାଦିନୁ କଷ୍ଟ ସହି ମଣିଷ ହେବାଟାକୁ ଭାବିଥିଲି ଏଇବୋଧେ ଜୀବନର ଗତି । ସ୍କଲରସିପ୍‌ ପାଇ ଟିଉସନ କରି ଆଜିକାର କେଇଟା ଡିଗ୍ରୀ ହାସଲ କରିନେଇଥିଲି । ନେଇ ଅନେକଟା ତିଶ୍ଚିନ୍ତ ହେଇଥିଲି ।

 

ଥଟ୍ଟା ବିଦ୍ରୂପ କିନ୍ତୁ ମୋର ଚିରକାଳର ପ୍ରାପ୍ୟ । କଲେଜ ବନ୍ଧୁମାନେ ମତେ ନାଁ ଦେଇଥିଲେ ଚିହ୍ନିବୁହା ବଳଦ । କାହିଁକି ଦେଇଥିଲେ ତମେ ନିଶ୍ଚୟ ବୁଝିପାରିଛ । ନିଜର ଗୁଣଗାନ ମୁଁ କରୁନାହିଁ ।

 

ଅନେକେ ବଳଦ ବୋଲି ବି ଡାକୁଥିଲେ । ଆଘାତ ପାଇଲେ ତ ମୁଁ ପ୍ରତିବାଦ କରୁନଥିଲି । କାରଣ ମୁଁ ଜାଣିଥିଲି ଶିଆଳ ମଣିଷକୁ କାମୁଡ଼ିଲେ ବି ମଣିଷ କାମୁଡ଼ି ପାରିବ ନାହିଁ ।

 

ମୋର ଏ ଉଦାରତାକୁ ତମେ ଅମହିକା ଆଖ୍ୟା ଦିଅନା । ତମେ ତ ଜାଣ ଧାର୍ମିକ ଚିରକାଳ ନିନ୍ଦା ସହେ ଆଉ ନିନ୍ଦୁକ ପାଏ ପ୍ରଶଂସା ।

 

ମୋର ଯେ ଦୁର୍ଗୁଣ କମ ଥିଲା ତା’ ନୁହେଁ । ବନ୍ଧୁମାନଙ୍କୁ କଥାରେ ବା କାମରେ ଆଘାତ ନ କରିଲେ ମୁଁ ସେମାନଙ୍କ ସହିତ ମିଶି ପାରୁନଥିଲି ।

 

କଲେଜ ଷ୍ଟ୍ରାଇକ୍‌, ପ୍ରଫେସରମାନଙ୍କୁ ଶାସ୍ତି ବିଧାନ, ସହପାଠିନୀମାନଙ୍କ ପାଖରେ ପ୍ରେମ ନିବେଦନର ନାନା କୌଶଳ ଉଦ୍ଭାବନ, ଏ ସବୁଥିରେ ମୁଁ ଥିଲି ଏକାନ୍ତ ଭାବେ ଅକ୍ଷମ । ସମର୍ଥନ ବି କରିପାରୁନଥିଲି ।

 

ଅସ୍ୱୀକାର କଲେ ନିଜକୁ ଅସ୍ୱୀକାର କରିବି । ଯୌବନ ଜୀବନର ଦ୍ୱନ୍ଦ୍ୱକୁ ଅସ୍ୱୀକାର କରିବି । ମୋ ବାହାରଟା କୋଲ୍‌ଡ଼–କ୍ରୀମ ପରି ଥଣ୍ଡା ଥିଲେ ସୁଦ୍ଧା ଯେ କଫିକପ୍‌ର ଉତ୍ତାପ ପୂରି ରହିଥିଲା, ମୋ ଛଡ଼ା ବେଶୀ କିଏ ଜାଣିବ ।

 

ତଥାପି ମୁଁ ନିଜକୁ ବୁଝେଇପାରିଥିଲି । ମତେ ସହିଷ୍ଣୁ ହେବାକୁ ହେବ । ସଂଯତ ହେବାକୁ ହେବ । ଲେଖାପଢ଼ା ଶିଖି ଉପାର୍ଜନ କରି ମା’ଙ୍କ ଦୁଃଖ ଲାଘବ କରିବାକୁ ହେବ ।

 

ଏଇ ଥିଲା ମୋର ଚିରକାଳର ଆକାଂକ୍ଷା । ଦଶ ବର୍ଷ ବୟସରୁ ବାବା ଯାଇଥିଲେ । ଛ’ଜଣଙ୍କ ଭିତରେ ମୁଁ ଥିଲି ବଡ଼ ।

 

ମା’ଙ୍କ ଲୁହ ଆଉ ଶ୍ରମ ସହିତ ମୋର ଘନିଷ୍ଠ ପରିଚୟ ଥିଲା । କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ ଥିଲା ମୋର ସମସ୍ତ ଅନ୍ତର ।

 

ସେଇ ଚେତନା ନେଇ ଯୋଗ୍ୟତାର ସହିତ ମୁଁ କଲେଜର ପାଠ୍ୟକ୍ରମ ଶେଷ କଲି । କିନ୍ତୁ ବନ୍ଧୁମାନେ କହିଲେ ଅନ୍ୟକଥା ।

 

ଖୋସାମନ୍ତିଆଟା !

 

ସେମାନଙ୍କ ମତରେ ସେଇଥିପାଇଁ ଚାକିରିଟା ବି ସାଙ୍ଗେ ସାଙ୍ଗେ ମିଳିଗଲା ।

 

ଦାୟିତ୍ୱ ବି ବଢ଼ିଛି ସେତେବେଳକୁ । ପରେ ପରେ ତିନି ଭଉଣୀ ବିବାହ ଯୋଗ୍ୟା । ବାବା ଯାଇଥିଲେ । ମା’ ବି ଏଥର ନିଶ୍ଚିନ୍ତ ହେଲେ । ସକଳ ଦୁଶ୍ଚିନ୍ତା ଭିତରୁ ମୁଁ ହୁଏତ ତାଙ୍କୁ ମୁକ୍ତି ଦେଇପାରିଥିଲି ।

 

କହି କହି ନୀରବ ହେଲା ନିରଂଜନ । ଗୋଡ଼ରୁ ଜୋତା ଖୋଲି ସଜାଡ଼ି ହେଇ ବସିଲା ।

 

କଫି ପିଆଲା ଖାଲି ହେଇଛି ! କିନ୍ତୁ ଯିବାର ତାଡ଼ନା ନାହିଁ । ବାହାରେ ନିରୁଙ୍କୁଶ ବୃଷ୍ଟିର ଅଭିସାର ଚାଲିଛି । ଭିତରେ ଯୌବନର କଳକୋଳାହଳ । ଜୀବନର ଗତି ଏଠି ବନ ସହଜ । ବଡ଼ ସ୍ୱଚ୍ଛନ୍ଦ ବି ।

 

ବହୁ ଉପବାସୀ ମନଟା ଏଠି ଯେପରି ପଥକ୍ଳେଶ ଭୁଲିଯାଏ । ଶାନ୍ତ ହୁଏ । ସୁଖୀ ହୁଏ-

 

ଏକ ସମୟରେ ବୟ ଆସି ଖାଲି ପିଆଲାଗୁଡ଼ାକ ଉଠେଇ ନେଇଗଲା ।

 

ଧୀରେ ଧୀରେ ନୀଳାଂଜନା କହିଲା, ଆଉ କଫି ଆଣିବାକୁ କହେ ? ପରେ ।

 

ସିଗାରେଟ୍‌ରେ ନିଆଁ ଲଗେଇଲା ନିରଂଜନ । କହିଲା, ମୋର ଏଇ ଦୀର୍ଘ ଭୂମିକା ତମର ଧୈର୍ଯ୍ୟଚ୍ୟୁତି ଘଟେଇବଣି । କିନ୍ତୁ ଗଳ୍ପ ଉପନ୍ୟାସରେ ଭୂମିକା ଲିପିର ପ୍ରୟୋଜନ ଅଛି ବୋଧେ !

 

କିନ୍ତୁ ମୋ ପରି ଜଣେ ସାଧାରଣ ମଣିଷ ଜୀବନରେ ଯାହା ଘଟିଛି ତାକୁ ଗଳ୍ପ ଉପନ୍ୟାସ କହିବାର ଦୁଃସାହସ ମୋର ନାହିଁ । କିନ୍ତୁ ସେଇ ଆନନ୍ଦର ଦାହ, ସେଇ ବେଦନାର ବିହ୍ୱଳତାକୁ ଯୌବନ ସ୍ୱୀକାର କରିପାରେନା । ମୁଁ ବି କାହାକୁ ବୁଝେଇପାରେନା ।

 

ନିରଂଜନର କଣ୍ଠସ୍ୱର ଥରିଉଠିଲା ।

 

ନୀଳାଂଜନା କହିଲା, ଥାଉ !

 

ମ୍ଳାନ ହସିଲା ନିରଂଜନ । କହିଲା, ରହିଲେ ତମେ ନିଶ୍ଚିନ୍ତ ହେଇପାରିବନି । ମୁଁ ବି ।

 

ନୂଆ ଚାକିରି । ନୂଆ ଜାଗା । କେତେ ଭୟ । କେତେ ଆନନ୍ଦ । ମୋ ପରି ଜଣେ ମଣିଷ । ଗୋଟାଏ ପାଦ ପକେଇ ଅନ୍ୟପାଦ ପାଇଁ ଚିନ୍ତାର ଅବଧି ନଥିଲା, ତଥାପି ମୋ ଭିତରେ ଆଗ୍ରହର ଉତ୍ତେଜନା ମୁଁ ଅନୁଭବ କରୁଥିଲି ।

 

ଘରୁ ମା’ ଚିଠି ଲେଖନ୍ତି । ମୁଁ ଯେମିତି ତାଙ୍କର ସେଦିନର ଛୋଟ ପୁଅ । ଡାଆଣୀକି ଭୟ । ଭୂତକୁ ଭୟ । ଜନ୍ତୁ ଜାନୁଆରକୁ ଭୟ । ଦେଖି ଶୁଣି ଚାଲିବି । ଏକା ଏକା ବେଶୀ ବାହାରକୁ ବାହାରିବି ନାହିଁ ।

 

ଭଉଣୀମାନେ ଚିଠି ଲେଖନ୍ତି, ସିଲେଇ ସୂତା ଦରକାର, ନାଇଲନ ଶାଢ଼ି, ଗଳ୍ପ ବହି ଦରକାର ।

 

ଦିନ କଟିଯାଏ । ମନ୍ଦ ପାଏନା । ବରଂ କହେ ଭଲରେ ଯାଏ ।

 

ଅଫିସ୍, ଅଫିସ୍‍ରୁ ଫେରି ପଢ଼ାପଢ଼ି ନ ହେଲେ ବା ଦୂର ଦିଗନ୍ତ ଆଡ଼େ ଭାବପ୍ରବଣ ହେଇ ଅନେଇ ରହିବା ମୋର ଅଭ୍ୟାସ ଥିଲା, କବି ହେବାର ସୌଭାଗ୍ୟ ମୁଁ ପାଇନାହିଁ । କିନ୍ତୁ ବେଶୀ ବିଦେଶୀ ବହୁ କବିଙ୍କର ଲେଖା ମୁଁ ପ୍ରାୟ ମୁଖସ୍ଥ କରି ରଖିଥିଲି । ଏକ ସମୟରେ ଭଲ ଆବୃତ୍ତି ବି କରିପାରୁଥିଲି । ସେଥିପାଇଁ ବନ୍ଧୁ ମହଲରେ ମୋର ପ୍ରଚୁର ସୁନାମ ଥିଲା ।

 

ଦୁର୍ନାମ ଜ୍ୱାଳାରେ ସୁନାମଟା ବୋଧେ ବୁଡ଼ିଯାଇଛି ।

 

ଓଠ ଟିପି ହସିଲା ନୀଳାଂଜନା । ଏମିତି ହସିଲେ ଭାରି ଭଲଲାଗେ ତାକୁ । ଭାରି ମିଠା, ଆଉ ମିଠା ଶୁଣାଯାଏ ତା’ର କଣ୍ଠସ୍ୱର । ମନେହୁଏ ସେ ଯେମିତି ଗୀତର ସୁର ଦେଇ କଥାଗୁଡ଼ାକ କହିଯାଉଛି ।

 

ମୁଗ୍‌ଧ ହେଲା ନିରଂଜନ ।

 

ଇଚ୍ଛାହେଲା ନୀଳାଂଜନାକୁ ସେ ଦେଖିବ । ଖାଲି ଦେଖିବ । ଅବାଧ, ସ୍ୱଚ୍ଛନ୍ଦ ଦେଖା । କେଉଁଠି ଏତେ ଟିକିଏ ବାଧା ରହିବ ନାହିଁ । ମାଳିନ୍ୟ ରହିବ ନାହିଁ ।

 

ଏତେଦିନ ଧରି ଯେଉଁ ମୁଁ ତ୍ୱକୁ ଯତ୍ନ ସହକାରେ ସମସ୍ତଙ୍କଠାରୁ ଦୂରେଇ ରଖିଛି, ତାକୁଇ ଆଜି ସେ ନୀଳାଂଜନା ଆଗରୁ ଧରାହେବ । ତା’ର ପାପ, ତା’ର ଦୋଷ, ତା’ର ଜୀବବୃତ୍ତିକି ସେ ଆଚରଣ ମୁକ୍ତ କରିବ ଆଜି । କହିବ ମୋ ଭିତରେ ଅସୁସ୍ଥତା ଅଛି, ତମେ ଦେଖ ମୋ ଭିତରେ ବି ବିକାରବୋଧ ଅଛି ।

 

ନୀଳାଂଜନା ତାକୁ ସ୍ପଷ୍ଟ କରି ଜାଣୁ । ସେ ତାକୁ ସେଇ ସୁଯୋଗ ଆଜି ଦେବ ।

 

ନୀଳାଂଜନା କହିଲା, ସୁନାମ ଦୁର୍ନାମ କଥା ମୁଁ ଜାଣେନା । ମୁଁ ଆବୃତ୍ତି ଶୁଣିବି ।

 

ଶୁଣିବା ପାଇଁ ତମେ ଆଜୀବନ ପଟା କରି ନେଇପାର । କିନ୍ତୁ ଆଜି ନୁହେଁ, ଆଜି ତମକୁ ଅନ୍ୟକଥା ଶୁଣିବାକୁ ହେବ ।

 

ପ୍ରଥମ ଦ୍ୱିତୀୟା କେବଳ ନୁହନ୍ତି, କବିତାକୁ ବି ମୁଁ ଭଲପାଇ ଶିଖିଥିଲି । ସେତେବେଳେ ମୋର ମନେହେଇଥିଲା, ନିଃସଙ୍ଗ ଜୀବନରେ ତା’ଠାରୁ ବୋଧେ ସାଧୁ ସାଥୀ ଆଉ କେହି ନାହାନ୍ତି-। ସେଇ ସାଥୀର ତୀବ୍ର ଆକର୍ଷଣରେ ପ୍ରତି ମାସ ପହିଲାରେ ମୁଁ ବହି ଦୋକାନରୁ ଦୋକାନ ବୁଲୁଥିଲି । କେଉଁଠି କେଉଁ ଲେଖକଙ୍କର ଲେଖା ପ୍ରକାଶ ପାଇଲା, ତା’ର ଖବର ରଖୁଥିଲି, କିଣୁଥିଲି । କିଣି ନ ପଢ଼ିବା ପର୍ଯ୍ୟନ୍ତ ଖାଇବା, ଶୋଇବା ଭୁଲି ଯାଉଥିଲି ।

ଏଇକ୍ଷଣି ବି ସେ ନିଶା କିଛି କିଛି ରହିଛି । ଭଲ କରି କଟି ନାହିଁ ।

ତା’ ସହିତ ପ୍ରଥମ ଦେଖା ବହି ଦୋକାନରେ ହେଇଥିଲା । କିନ୍ତୁ ଆଳାପ ହେଇଥିଲା ଅନ୍ୟଠି ।

ଛୁଟି ଦିନ । ସମୁଦ୍ର କୂଳ ଧରି ବୁଲି ବୁଲି ବହୁ ଦୂର ଚାଲିଆସିଥିଲି । ତା’ ସହିତ ପୁଣି ଦେଖାହେଲା । ଆଳାପ ବି ହେଲା ସେଇଠି ।

ପ୍ରଥମଟା ଆଶ୍ଚର୍ଯ୍ୟ ହେଇଥିଲି ।

ଘନ ଝାଉଁବଣ ଘେରା ଜାଗାଟା ଭାରି ନିର୍ଜନ । ସମୁଦ୍ରର ଗର୍ଜନ ଆଉ ଝାଉଁ ପତ୍ରର ସିର୍‌ ସିର୍‌ ଶବ୍ଦ ଏତେ ସ୍ପଷ୍ଟ କରି ଆଉ କେବେ ଶୁଣି ନାହିଁ । ଏମିତି କରି ଆଉ କେବେ ନିଜ ଭିତରର ସ୍ତବ୍‌ଧତାକୁ ପ୍ରତ୍ୟକ୍ଷ କରିନାହିଁ ।

ତାକୁ ଦେଖି ଅଟକି ଗଲି ।

ସମୁଦ୍ର ଆଡ଼କୁ ମୁହଁ କରି ବାଲି ଉପରେ ବସିଥିଲା ସେ । ପାଦ ଦୁଇଟି ଭିଜା । ବୋଧେ ଅନେକ ଢେଉ ସେ ପାଦ ଉପରେ କଚାଡ଼ି ହେଇ ହେଇ ଫେରିଯାଉଛି ।

ମତେ ଦେଖି ଉଠି ଠିଆହେଲା । କାହିଁକି ଠିଆହେଲା ଜାଣେନା ।

ମୁଁ ଆଗେଇ ଆସିଲି । ଭଲ କରି ଦେଖିଲି ତାକୁ ।

ବୟସ ଖୁବ୍‌ କମ୍‌ ନୁହେଁ । କିନ୍ତୁ ଚେହେରାର ପ୍ରକାଶଭଙ୍ଗୀଟି ବଡ଼ ଚମତ୍‌କାର । ଦେଖିଲେ ଅଳ୍ପ ବୟସୀ ଅବିବାହିତା ଝିଅ ବୋଲି ଧାରଣା ହେବ । ମୋର ବି ସେଇଆ ମନେହେଇଥିଲା ।

ଛୋଟ କପାଳ । ମୁହଁଟି ବି ଛୋଟ । କିନ୍ତୁ କଜଳ ଅଙ୍କା ଆଖି ଦୁଇଟି ଆୟତ୍ତ । ପରିଧାନରେ ନୀଳ ଜରୀପାଡ଼ ଶାଢ଼ି । ନୀଳ ବ୍ଳାଉସ । ବ୍ଳାଉସର ବଡ଼ ଗଳା ପାଇଁ କାନ୍ଧର କିଛିଟା ଅଂଶ ଅନାଦୃତ୍ତ ।

ସନ୍ଧ୍ୟା ହେଇଆସୁଛି । ଦିନାନ୍ତର ଶେଷ ରଶ୍ମି ସେଇ ଅନାବୃତ୍ତ ଅଂଶଟାକୁ ଆଉରି ଆଲୋକିତ କରିଦେଇଛି । ଆଉରି ସ୍ପଷ୍ଟ । ରୂପ ଯେପରି ଅକଳନ୍ତା ।

ମୁଁ ଅବାକ୍‌ ହେଲି । କଥା ବି କହିଲି ।

ଆପଣ !

ତା’ର ଫୁଲା ଫୁଲା ଓଠ ଦୁଇଟି ଖୋଲିଗଲା । ହସିଲା ବୋଧେ । କହିଲା, ମୁଁ ବରାବର ଆସେ ।

ଡର ଲାଗେନା ?

ନା ଭଲ ଲାଗେ ।

ମୁଁ ହସିଲି । କହିଲି, ଭୟଙ୍କରକୁ ବି କବିମାନେ ସୁନ୍ଦର କରି ଦେଖିପାରନ୍ତି ।

ସେ କିନ୍ତୁ ହସିଲା ନାହିଁ । ଜବାବ ବି ଦେଲାନାହିଁ । କେବଳ ମତେ ଚାହିଁ ରହିଲା । ଏ କିନ୍ତୁ ସେ ଚାହାଣୀ ନୁହେଁ । ଯେଉଁ ଚାହାଣୀ ଦେଖିଲେ କବି ମାନସ ଆତ୍ମହରା ହୁଏ ।

ମୁଁ ଟିକିଏ ଅପ୍ରସ୍ତୁତ ହେଲି ।

ସେ ଯେମିତି ଏକ ତୀବ୍ର ଅନ୍ତର୍ଭେଦୀ ଚାହାଣୀରେ ମୋ ଭିତରଟାକୁ ଦେଖିବାକୁ ଚେଷ୍ଟା କରୁଛି !

ଭୟ ହେଲା । ଭୁଲ୍‌ କରିଛି ମୁଁ । ୟା’ର ଆଗେ, ଏତେ ସହଜରେ କୌଣସି ତରୁଣୀ ସହିତ ମୁଁ ଏମିତି କରି କଥା କହି ନାହିଁ । କେମିତି କହିବାକୁ ହୁଏ ତା’ ବି ଜାଣିନାହିଁ । ହୁଏତ ମୋର ଆଚରଣ ତା’ର ବିଷଦୃଶ ମନେହେଉଛି ।

ନିଜ ଭିତରେ କାଠ ହେଇଯାଇଥିଲି ମୁଁ ।

ସେ ଆଉରି ଅଦ୍‌ଭୁତ ଦୃଷ୍ଟିରେ ମତେ ଚାହିଁଲା ।

ତା’ଆଡ଼େ ଅନେଇ ତା’ ମନୋଭାବଟା ବୁଝିବାକୁ ଚେଷ୍ଟା କଲି ମୁଁ । କିଛି ଠିକ୍‌ କରି ବୁଝିପାରିଲି ନାହିଁ । ମୁହଁରେ ତା’ର ଆଗର ତନ୍ମୟ ଭାବଟା ସୁସ୍ପଷ୍ଟ । କିନ୍ତୁ ଆଗ୍ରହ ମିଶା । ପୁଣି କୌତୁକ ଯେ ନଥିଲା ତା’ ନୁହେଁ ।

ଗୋଟାଏ କଥା ଆଦୌ ବୁଝିପାରିଲି ନାହିଁ । ମୁହଁରେ ତା’ର କାରୁଣ୍ୟ ନଥିଲା । କିନ୍ତୁ ବିଷନ୍ନତାର ଗୋଟାଏ ଗଭୀର ଦାଗ ଯେମିତି ପରିଷ୍କାର ହେଇଉଠିଥିଲା ।

ମୁଁ ବିସ୍ମିତ ହେଇଥିଲି ।

ସେତେବେଳେ ଜାଣି ନ ପାରିଲେ ବି ପରେ ସେଇ ବିଷନ୍ନତାର ହେତୁ ମୁଁ ଖୋଜି ପାଇଥିଲି ।

ନିରଞ୍ଜନ ବନ୍ଦ ହେଲା ।

ନୀଳାଞ୍ଜନା କହିଲା, ସେ ବୋଧେ ଆପଣଙ୍କ ପରି କବିତା ରସିକ ଥିଲେ ।

ଜାଣିବାକୁ ଖୁବ୍‌ ଇଚ୍ଛା ?

ଲଜ୍ଜିତା ହେଲା ନୀଳାଞ୍ଜନା ।

ନିରଞ୍ଜନ କହିଲା, ମୋଟେ ଇଚ୍ଛା ନୁହେଁ । ବରଂ କହେ କୌତୂହଳ । ତମେ ଝିଅମାନେ ବଡ଼ କୌତୂହଳୀ !

 

କିନ୍ତୁ ତମମାନଙ୍କର ଏଇ କୌତୂହଳ ଆମମାନଙ୍କୁ ବେଶୀ ଆଗ୍ରହୀ କରି ତୋଳେ । ଉତ୍ସାହ ଆଣିଦିଏ ।

 

ସେ ଯାହା ହେଉ ସେ କିନ୍ତୁ କବିତା ରସିକା ନୁହେଁ । କବିତା ଲେଖିକା ।

 

ଆଶ୍ଚର୍ଯ୍ୟ !

 

ଏଠି ଆଶ୍ଚର୍ଯ୍ୟ ବୋଲି ହୁଏତ କିଛି ନାହିଁ । ତା’ ଜୀବନର ବିଶେଷ କରି ମଣିଷ ଜୀବନର ଆଶ୍ଚର୍ଯ୍ୟତାର ସୀମା ଯେ କେଉଁଠି, ନିର୍ଣ୍ଣୟ କରିବା ଆଦୌ ସହଜ ନୁହେଁ ।

 

ନୀଳାଞ୍ଜନା କହିଲା, ଅନ୍ୟ କେହିନୁହେଁ । ସହଜତାର କଥା ସେଇ କବି ଲେଖକମାନେ ହିଁ କହୁଛନ୍ତି । ସାଧାରଣ ମଣିଷ ଜୀବନଟାକୁ ଏତେ ସ୍ୱଚ୍ଛ, ଏତେ ଏତେ ସୁନ୍ଦର କରି ଦେଖିପାରୁଛି କେଉଁଠି ?

 

ପାରୁନି, ସେ ଅନ୍ୟକଥା । କିନ୍ତୁ ସ୍ନେହ, ପ୍ରେମ ବିରହ, ମିଳନ ମିଶି ଯେଉଁ ଜୀବନ ସେ ଜୀବନ ସତରେ ସୁନ୍ଦର ।

 

ଗାଢ଼ କଣ୍ଠରେ ନୀଳାଞ୍ଜନା କହିଲା, ପ୍ରେମ ଯେଉଁଠି ବ୍ୟର୍ଥ ହୁଏ, ବିରହ ଯାତନା ଯେଉଁଠି ସମସ୍ତ ଜୀବନର ପାଥେୟ ରୂପେ ଧରିନିଆଯାଏ, ସେତେବେଳେ ବି ଜୀବନ ସୁନ୍ଦର ?

 

ସୁନ୍ଦର ! କିନ୍ତୁ ସେ ଅନୁଭବର କଥା । ସୁନ୍ଦର ନ ହେଲେ ମଣିଷ ବ୍ୟର୍ଥତାର ଜ୍ୱାଳା ଭିତରେ ପୁଣି ନୂଆ କରି ଜୀବନକୁ ସ୍ୱପ୍ନ ଦେଖନ୍ତା ନାହିଁ ।

 

ଆଉ କଥା କହିବାକୁ ନୀଳାଞ୍ଜନାର ସାହସ ହେଲା ନାହିଁ ।

 

ନିରାଞ୍ଜନ ସିଗାରେଟ୍‌ରେ ବାରମ୍ବାର ଟାଣ ଦେଇ କ’ଣ ଯେପରି ଭାବିବାକୁ ଲାଗିଲା । କିଛିକ୍ଷଣ ପରେ ଧୀରେ ଧୀରେ ପୁଣି କହିଲା, ନୂଆ ବୋଲି କିଛି ନାହିଁ । ସୃଷ୍ଟିର ଆଦିକାଳରୁ ସବୁ ଅଛି । ସବୁ ପୁରୁଣା । କିନ୍ତୁ ମଣିଷ ନିଜ ଭିତରୁ ସେଇ ପୁରୁଣା ଭାବକୁ ନୂଆ କରି ଆବିଷ୍କାର କରିପାରିଲେ, ସେଇଟା ହେଲା ନୂତନତ୍ୱ ।

 

ଗଳ୍ପ ଉପନ୍ୟାସ, କାବ୍ୟ କବିତା ସବୁ ଏଇ ମଣିଷକୁ ନେଇ । ମଣିଷର ଜୀବନକୁ ନେଇ-। ମଣିଷର ହସ କାନ୍ଦ ସଫଳ ବିଫଳତାର କାହାଣୀ ନେଇ । ଦେହ ଥିଲେ ରୋଗ ପରି ଜୀବନର ବ୍ୟର୍ଥତାକୁ କୌଣସି ମତେ ବାଦ ଦିଆଯାଇପାରିବ ନାହିଁ ।

 

ଏସବୁ ଅବଶ୍ୟ ମୁଁ ଅନେକ ପରେ ଜାଣିଛି । କିନ୍ତୁ ସେତେବେଳେ ତା’ ସହିତ ଦେଖାହେଇଥିଲା, ସେତେବେଳେ ଭାବୁଥିଲି ଏଇଟା ହିଁ ସତ୍ୟ । ଏଇ ସାନିଧ୍ୟ, ଏଇ ସ୍ପର୍ଶ, ଏଇ ଭୋଗ ୟା’ରି ନାଁ ତ ଜୀବନ ।

 

ମଧୁ ହସି ନୀଳାଞ୍ଜନା କହିଲା, ଏ ତ ଜୀବନ ନୁହେଁ ପ୍ରେମ ।

 

ପ୍ରେମର ଅନ୍ୟ ନାମ ଜୀବନ । ସମସ୍ତଙ୍କ ଜୀବନର ସ୍ୱପ୍ନ ଯେପରି ଏକ ନୁହେଁ ।

 

ପ୍ରେମର ପରିଣତି ବି ସମାନ ନୁହେଁ ।

 

ତମେ ଜାଣ ଜୀବନର ମୂଲ୍ୟ ପ୍ରତି ଯୁଗେ, ପ୍ରତି କାଳେ ପାଲଟିଯାଏ । ବିଜ୍ଞାନ ଯୁଗରେ ଜୀବନର ମୂଲ୍ୟ ନିରୂପଣ ଅନ୍ୟ ଭାବେ ହେଇସାରିଛି । ପ୍ରେମର ବି ନୂଆ କରି ମୂଲ୍ୟାୟନ ହେଇଛି-

 

ସେଦିନ ରାଧାର ପ୍ରେମ ଆଜିର ନୀଳାଞ୍ଜନାର ପ୍ରେମର ସ୍ୱାଦ ଭିତରେ ଆଦୌ ତଫାତ ନାହିଁ । ସିଧା କଥାରେ କହିଲେ, ନୂଆ ବୋତଲରେ ପୁରୁଣା ମଦ । ନିଶାଟା କିନ୍ତୁ ଠିକ୍‌ କମୁଛି ।

 

ସ୍ନିଗ୍‌ଧ କଣ୍ଠରେ ନୀଳାଞ୍ଜନା କହିଲା, ଏଇ ମୁହଁରୁ ପୁଣି ଏମିତି ମୁଖ ରୋଚକ କଥା ବାହାରିପାରେ ?

 

ପାରେ । ନ ପାରିଲେ ତମେ ଜୀବନକୁ ତ ନୁହେଁ, ନିଜର ହୃଦୟଟାକୁ ବି ସତ୍ୟ କରି ଜାଣିପାରିବ ନାହିଁ ।

 

ଝିଅମାନେ ଅବଶ୍ୟ ଡେରିରେ ଚିହ୍ନନ୍ତି । ଆଦୌ ଚିହ୍ନନ୍ତି କି ନାହିଁ ତା’ ବି ମୁଁ ଜାଣେନା ଜାଣିଥିଲେ ମୋ ପରି ଗୋଟାଏ ଅତି ସାଧାରଣ ମଣିଷ ସେଇ ଅନୁପମ ବହ୍ନି ଶିଖାର ସ୍ପର୍ଶ କେବେହେଲେ ପାଇନଥାନ୍ତା ।

 

ମୁଁ ଜାଣେ ମୁଁ ପତଙ୍ଗ ନୁହେଁ । ତଥାପି ସେ ଶିଖା ମତେ ଆକର୍ଷଣ କରିପାରିଛି । ଦହନ କରିପାରିଛି ।

 

ସେଇଟା ହୁଏତ ବୟସର ଧର୍ମ । ଜୀବନର ଧର୍ମ ।

 

କହି କହି ନିରଞ୍ଜନ ଚୁପ୍‌ ହେଲା ।

 

ଆଉ ଥରେ କଫିର ଅର୍ଡ଼ର ଦେଇ ନୀରବରେ ବାହାରକୁ ଅନେଇ ରହିଲା ନୀଳାଞ୍ଜନା ।

 

କିଛିକ୍ଷଣର ସ୍ତବ୍‌ଧତା କଟେଇ ନିରଞ୍ଜନ କହିଲା, ତମେ ବଡ଼ ବ୍ୟସ୍ତ ହେଇପଡ଼ିଲଣି । ତା’ ନାଁଟା ତମକୁ ମୁଁ ଏପର୍ଯ୍ୟନ୍ତ କହି ନାହିଁ । ଅନୁ !

 

ଅନୁ ! ଅନିନ୍ଦିତା !

 

ଏଇଟା ଅବଶ୍ୟ ତା’ର ଗୋଟାଏ କବିତାର ନାମ । ନିନ୍ଦିତା କବିତାଟା ମୋର ବଡ଼ ପ୍ରିୟ ଥିଲା । ତା’ଠୁଁ ଆଉରି ବେଶୀ ତା’ର ଅନୁ ନାଁଟା ।

 

ଅନୁ କିନ୍ତୁ ମୋର ନାମକରଣ ଶୁଣି ହସିଥିଲା, କହିଥିଲା, ଜାଣ ଏ କବିତାଟାକୁ କିନ୍ତୁ ମିଷ୍ଟର ରାୟ କ୍ଷମା କରିପାରିନାହାନ୍ତି । ତା’ ସହିତ ମତେ ବି ।

 

ନୀଳାଞ୍ଜନା କହିଲା, ମିଷ୍ଟର ରାୟ ପୁଣି କିଏ ?

 

ଅନୁର ସ୍ୱାମୀ ।

 

ସେ ବିବାହିତା ?

 

ନିରଞ୍ଜନ କହିଲା, ଖାଲି ବିବାହିତା ନୁହେଁ, ମା’ ବି ।

 

ଦୁଇ ବର୍ଷର ଝିଅ ମିମି ପାଇଁ ତା’ ମା’ର ଆକର୍ଷଣ ମୁଁ କେବେ ପ୍ରତ୍ୟକ୍ଷ କରି ନାହିଁ । ସ୍ୱାମୀ ପ୍ରତି ବି ଅନୁର କୌଣସି ଆସକ୍ତି ନଥିଲା । ଅଥଚ ଅନୁ ଇଚ୍ଛା ବରଣ କରିଥିଲା ।

 

ଅନେକଦିନ ପରେ ଏ ସବୁ ଜାଣିବାର ସୁଯୋଗ ପାଇଥିଲି । ସେଇ ଆଳାପ ପରେ ରାସ୍ତା, ସମୁଦ୍ର କୂଳ, ଦୋକାନ ଏମିତି କରି ଦୁଇ ତିନିଥର ଦେଖାହେଇଥିଲା ।

 

ଯେତେଥର ଦେଖାହେଇଥିଲା, ସେତେ ବେଶୀ ଆଗ୍ରହ ଯେପରି ମତେ ଆକୁଳ କରିଦେଉଥିଲା । ସେଇ ଦେଖାହେବାର କେଇଟି ସ୍ମୃତିକି ମୁଁ ନିଜ ଭିତରେ ଲାଳନ କରି ଚାଲିଥିଲି । ମୋ ରାତିର ସ୍ୱପ୍ନରେ, ଦିନର କର୍ମ ବ୍ୟସ୍ତତା ଭିତରେ ଫୁଲର ଗନ୍ଧ ପରି ସେ ବିଞ୍ଚି ହେଇ ରହିଥିଲା-। ପ୍ରାଣ ମୋର ସୁରଭିତ ହେଇଉଠିଥିଲା । ଆମୋଦିତ ହେଇଉଠିଥିଲା ।

 

ମୁଁ ବୁଝିପାରିଥିଲି ମୁଁ ଅନ୍ୟାୟ କରିଛି । ପାପ ଯଦି ୟା’କୁ କୁହାଯାଏ, ତା’ ବି କରୁଛି । କିନ୍ତୁ ଏଇ ଅନ୍ୟାୟ, ଏଇ ପାପ ଭିତରୁ ମୁଁ ନିଜକୁ ରକ୍ଷା କରିପାରୁନଥିଲି । ନିଜ ସହିତ ତର୍କ କରୁଥିଲି । ବିବେକ ସହିତ ସାଲିସର ଚେଷ୍ଟା କରୁଥିଲି । ଏ ପାପ ନୁହେଁ । ଯେଉଁଠି କର୍ମ ନାହିଁ ସେଠି ପାପ ଆସିପାରେନା ।

 

ଅନୁ ହୁଏତ ମୋ ପରି ନିଜ ମନ ସହିତ ଯୁଦ୍ଧ କରୁଥିଲା । ପୁଣି ସନ୍ଧି ବି କରୁଥିଲା ।

 

ନ ହେଲେ ଅନେକ ଦେଖା ପରେ, କିଛିଦିନ ନ ଦେଖିଲେ ସେ ବ୍ୟଗ୍ର ହେଇଉଠିବ କାହିଁକି ? ଖବର ନେବ କାହିଁକି ? ପୁଣି ଜିଦ୍‌ କରିବ ବା କାହିଁକି ?

 

ତା’ର ସେଇ ଜିଦ୍‌କୁ ପ୍ରଶ୍ରୟ ଦେଇଥିଲି ମୁଁ । ନ ଦେଇ ମୋର ଉପାୟନଥିଲା । ତାକୁ ଆଗ୍ରହ୍ୟ କରିବାର କ୍ଷମତା ମୋର ନଥିଲା ।

 

ବିବାହ ପରେ ବି ଯେ ନାରୀ ପୁରୁଷ ନିକଟରେ ଏତେ ଅସାମାନ୍ୟ ହେଇ ରହିଯାଇପାରେ, ଆଗରୁ ଜାଣିନଥିଲି ।

 

ମୁଁ ଅନୁଭବ କରୁଥିଲି ମୁଁ ଦୁର୍ବଳ ହେଇପଡ଼ୁଛି । କିନ୍ତୁ ତା’ର ଶାରୀରିକ ଲାବଣ୍ୟ, ତା’ ମନର ସୌନ୍ଦର୍ଯ୍ୟ, ତା’ ହୃଦୟର ଦୁର୍ବାର ଆକର୍ଷଣ ମୋ ନିକଟରେ ଯେମିତି ତୀବ୍ରରୁ ତୀବ୍ରତର ହେଇଉଠୁଥିଲା ।

 

ମୁଁ ଜାଣିପାରିଥିଲି ତା’ ମୁହଁର ପଦେ କଥା, ତା’ ଆଖିର ସାମାନ୍ୟ ଇଙ୍ଗିତ, ତା’ ଓଠର ଟିକିଏ ହସ ମତେ ପୂରାପୂରି ହରେଇ ଦେବ । ହଜେଇ ଦେବ ଭବିଷ୍ୟତ ଅନ୍ଧକାରର କେଉଁ ଅତଳ ଗହ୍ୱରରେ ।

 

ଏ ଅନୁଭୂତିଟା ଯେ ଖାଲି ଅସଂପୂର୍ଣ୍ଣ ଆଗ୍ରହର ତା’ ନୁହେଁ । କିଛିଟା ଶ୍ୱସ୍ତିର ବି ।

 

ଯେତେବେଳେ ତା’ର ପରିବେଶ, ମୋର ପରିସ୍ଥିତି କିଛି ମନେରଖିପାରି ନଥିଲି । ନିଶାଖୋର ଉନ୍ମାଦ ପରି ମୁଁ ଛୁଟି ଚାଲିଥିଲି ।

 

ସମ୍ପର୍କ ଘନିଷ୍ଠତାର ପଥ ଧରିଥିଲା । ମୁଁ ତାକୁ ନାଁ ଧରି ଡାକିବାର ଅଧିକାର ପାଇଥିଲି । ନିଜର ଅଧିକାରକୁ ଜାହିର କରିବାର କ୍ଷମତା ପାଇଥିଲି ।

 

ବାହାରୁ ଦେଖି ଅନୁକୁ ସଂପୂର୍ଣ୍ଣ ମନେହେଇଥିଲା । କିନ୍ତୁ ଭିତରଟା ତା’ର ଯେ ଏତେ ଶୂନ୍ୟ, ଏତେ ନିଃସଙ୍ଗ କିଏ ଜାଣିଥିଲା ?

 

ଅନୁର ସ୍ୱାମୀ କାମ ନେଇ ପ୍ରାୟ ବାହାରେ ରହୁଥିଲେ । ଘରକୁ ଆସିଲେ ବି ତାଙ୍କ ସାନିଧ୍ୟରେ ଅନୁ ତ୍ରାହିର ପଥ ଖୋଜୁଥିଲା ।

 

ଲକ୍ଷ୍ୟ କରି ବିସ୍ମିତ ହେଇଥିଲି ମୁଁ । ଆଉରି ଆଶ୍ଚର୍ଯ୍ୟ ହେଇଥିଲି ଅନୁର କଥା ଶୁଣି ।

 

ଅନୁ କହିଥିଲା, ମଣିଷ ଯେତେବେଳେ ନିଜ ପଶୁତ୍ୱକୁ ଶ୍ରଦ୍ଧା କରେ, ସେତେବେଳେ ଅନ୍ୟର ଶ୍ରଦ୍ଧା ହରାଏ ।

 

ଅନୁର ପୂର୍ବ ରାଗ ମୋର ମନେପଡ଼ିଥିଲା । ହିଂସା ବି ଆସିଥିଲା । ଆକ୍ଷେପ କରି କହିଥିଲି, ତମ ମତରେ ମିଷ୍ଟର ରାୟ ତ ଦିନେ ସେ ଶ୍ରଦ୍ଧାର ଯୋଗ୍ୟ ଥିଲା ।

 

ଥିଲେ । କିନ୍ତୁ ଆଜି ନୁହନ୍ତି ।

 

ମୋ ମୁଣ୍ଡରେ ବୋଧେ ଭୂତ ବସିଥିଲା । କହିଲି, କାହିଁକି ?

 

ଅନୁ ଆଉ ସ୍ଥିର ରହିଲା ନାହିଁ । ଶାନ୍ତ ଆଖି ଦୁଇଟିରୁ ତା’ର ସ୍ଫୁଲିଙ୍ଗ ଛୁଟି ଆସିଲା । ଘୃଣାରେ ଥରିଉଠିଲା ତା’ର କ୍ଷୀଣ ଦେହ ।

 

ମୁଁ ଭୟ ପାଇଲି । କ’ଣ କଲି ମୁଁ ।

 

ଅନୁ ସେଇ ଅଗ୍ନିଝରା ଦୃଷ୍ଟିରେ ମତେ ଚାହିଁଲା । କହିଲା, ତମେ ଏତେ ନୀଚ ।

 

ଅସ୍ଥିର ପାଦରେ ଅନୁ ବାହାରିଗଲା ସେଠୁ । ଯେତେ ଘୃଣା ଯେତେ ଅନୁତାପ ସବୁ ମୋ ପାଇଁ ରଖିଗଲା ।

 

ମୋର ମନେହେଲା ପୃଥିବୀଟା ଓଲଟି ଯାଉଛି । ତା’ ସହିତ ମୁଁ ବି ।

 

ବୟ କଫି ନେଇ ଆସିଲା ।

 

ନିରଞ୍ଜନ ପାଇଁ କପ୍‌ରେ କଫି ଢାଳି ଚିନି ମିଶେଇଲା ନୀଳାଞ୍ଜନା । କହିଲା, ଆପଣ ଜାଣିନଥିଲେ ?

 

ଜାଣିଥିଲି ।

 

କଫିକପ୍‌ରେ ଓଠ ଲଗେଇ ଆସ୍ତେ ଆସ୍ତେ ନିରଞ୍ଜନ କହିଲା, କାହିଁକି ଜାଣେନା, ମୋର ଏତେ ଥଣ୍ଡା ମନଟା ବାରମ୍ବାର ଈର୍ଷାପ୍ରବଣ ହେଇଉଠୁଥିଲା । ମୋର କେମିତି ମନେହେଉଥିଲା ମିଷ୍ଟର ରାୟ ଭିନ୍ନ ଜଗତର ଲୋକ । ହଠାତ୍‌ ଆସି ଆମ ଭିତରେ ପହଞ୍ଚି ଯାଇଛନ୍ତି ।

 

ନିହାତି ଅସଙ୍ଗତ ଚିନ୍ତା । ଅସାମାଜିକ ବି ।

 

ତଥାପି ମୁଁ ତାଙ୍କୁ ସହ୍ୟ କରିପାରୁନଥିଲି । ହିଂସାର ଏକ ଅସହ୍ୟ ଯାତନା ଧରି ମୁଁ ଅସହିଷ୍ଣୁ ହେଇଉଠିଥିଲି ।

 

ମୋ ମନର ଏଇ ବିକୃତ ଭାବନାକୁ କିନ୍ତୁ ଖୁବ୍‌ ସାବଧାନ ସହକାରେ ଅନୁଠାରୁ ଦୂରରେ ରଖିଥିଲି ।

 

ତିକ୍ତ ଏକ ବିସ୍ୱାଦରେ ଅନୁର ମନ ତିକ୍ତ ହେଇ ରହିଥିଲା । ତାକୁ ବିରକ୍ତ କରିବା, କ୍ଷିପ୍ତ କରିଦେବା ମୋର ଉଦ୍ଦେଶ୍ୟ ନ ଥିଲା ।

 

ଅନୁର ଇଞ୍ଜିନିୟର ସ୍ୱାମୀ ଲୁହା ଲକଡ଼ ନେଇ କାରବାର କରୁଥିଲେ । ପଇସା ସହିତ ମନର ହିସାବ କଷୁଥିଲେ ।

 

ଅନୁ ଅନ୍ୟ ଧରଣର ଝିଅ ଥିଲା । ମିଷ୍ଟର ରାୟଙ୍କ ମତରେ ଅସ୍ୱାଭାବିକ । ଅସାମାଜିକ ବି ।

 

କାରଣ ମିଷ୍ଟର ରାୟଙ୍କ ସମାଜ, ଆମ ପରି ସାଧାରଣ ମଣିଷର ସମାଜ ଏକ ନୁହେଁ । ଦୁଇଟିର ପ୍ରକାରଭେଦ ବହୁ ବେଶୀ ।

 

ଆମେ ସାଧାରଣ ମଣିଷ । ସେଥିପାଇଁ ମିଷ୍ଟର ରାୟଙ୍କ ସମାଜର ନାରକୀୟତା ଆମ ଆଖିଆଗରେ ସ୍ପଷ୍ଟ ହେଇଉଠେ । କିନ୍ତୁ ମିଷ୍ଟର ରାୟ ମଦର ପିଆଲାରେ ଜୀବନର ଯଥାର୍ଥତା ଖୋଜି ପାଆନ୍ତି ଆଉ ବହୁ ଭୋଗର କାମନାରୁ ତୃପ୍ତି ।

 

ଧନୀ ପୁରୁଷ ଜୀବନର ଅନିବାର୍ଯ୍ୟ ଆତ୍ମ ପ୍ରତାରଣା ଭିତରୁ ସେ ସମାଜର ମୁକ୍ତି ନାହିଁ ।

 

ଅନୁ ବୁଝିଥିଲା । କିନ୍ତୁ ବିବାହର ବହୁ ପରେ ।

 

ସ୍ୱାମୀର ସୁପୁରୁଷ ଚେହେରାଟା ଅନୁ ଦେଖିଥିଲା । କିନ୍ତୁ ଭିତରର ପୁରୁଷାକାରକୁ ଚିହ୍ନି ପାରିନଥିଲା ।

 

ଯେତେବେଳେ ଚିହ୍ନିପାରିଲା, ସେତେବେଳେ ଆଉ କୌଣସି ଉପାୟ ନାହିଁ । ଅନୁର ଅଭ୍ୟନ୍ତରରେ ମିଷ୍ଟର ରାୟଙ୍କ ବଳିଷ୍ଠ ସ୍ୱାକ୍ଷର ରହିଯାଇଛି ।

 

ମା’ ହେବାକୁ ଯାଉଛି ଅନୁ ।

 

ନିଜର ମାତୃତ୍ୱକୁ ମହିମା ମଣ୍ଡିତ କରିବାକୁ ବହୁ ଚେଷ୍ଟା କରିଥିଲା । ସେ ସ୍ଥୂଳ ରୁଚି ଏଇ ସ୍ଖଳିତ ସ୍ୱଭାବର ସ୍ୱାମୀକି ପିତୃତ୍ୱର ଦ୍ୱାହି ଦେଇ ଏକ ସୁନିର୍ଦ୍ଦିଷ୍ଟ ପଥରେ ଆଗେଇ ନେବାକୁ ଚାହିଁଥିଲା । କିନ୍ତୁ ମିଷ୍ଟର ରାୟଙ୍କ ଜଗତ ଅନ୍ୟ । ଅନୁର ଚିନ୍ତାଧାରା ସହିତ ତା’ର ସମ୍ପର୍କ ଖୋଜି ପାଇବା ବଡ଼ ଦୁଷ୍କର । ନ ପାଇବାଟା ବରଂ ପ୍ରତ୍ୟାଶିତ ।

 

ସ୍ତ୍ରୀ ତାଙ୍କ ପାଖରେ ସମ୍ମାନାସ୍ପଦା ତ ନୁହେଁ, ସ୍ନେହାସ୍ପଦା ବି ନୁହେଁ । ନିହାତି ମାଇକିନାର ଜାତି ସେ । ମା’ର ଜାତି ନୁହେଁ ।

 

ଘରର ସୋ କେଶରେ ସ୍ତ୍ରୀ ହେଲା ସଜ୍ଜିତା କଣ୍ଢେଇ । ନିଜର ପ୍ରୟୋଜନରେ ତାକୁ ଯଥାରୀତି ବ୍ୟବହାର କରାଯାଇପାରେ ପୁଣି ସଜେଇ ରଖାଯାଇପାରେ । ଏ ଅପମାନ ପରେ ବି ଅନୁ ଜୀବନର ଗତି ଫେରେଇବାକୁ ଚାହିଁଥିଲା । ନିଜର ଲେଖାପଢ଼ା ନିଶ୍ଚିନ୍ତ ହେବାକୁ ଚେଷ୍ଟା କରିଥିଲା । କିନ୍ତୁ ମିଷ୍ଟର ରାୟଙ୍କ ଶ୍ୱେନ୍ୟ ଦୃଷ୍ଟି ତାକୁ ନିଶ୍ଚିନ୍ତ ହେବାକୁ ଦେଇନଥିଲା ।

 

ସେ ସ୍ୱାମୀ ! ସେ ପ୍ରଭୁ !! ସ୍ତ୍ରୀ ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ।

 

ନିଜ ମନର ଏଇ ଅହଙ୍କାର ମିଷ୍ଟର ରାୟଙ୍କୁ ଯେମିତି ଭୟଙ୍କର ନିଷ୍ଠୁରରେ ପରିଣତ କରିବାକୁ ଲାଗିଲା ।

 

ଅନୁ ଶଙ୍କିତ ହେଲା । ବିପନ୍ନ ବି ହେଲା ।

 

ପ୍ରଥମ ବିପଦଟା କିନ୍ତୁ ଅନୁର କବିତା ଉପର ଦେଇଆସିଥିଲା । ବିପଦର ସଂଜ୍ଞାଟା କିନ୍ତୁ ବୁଝିବାକୁ ବହୁ ଡେରି ଲାଗିଥିଲା ତାକୁ ।

 

ପ୍ରାୟ ବିବାହର ପରେ ପରେ ।

 

ନବ ବଧୂ ଅନୁ । ସ୍ୱାମୀକି ଭଲ କରି ଚିହ୍ନିପାରିନଥିଲେ ବି ତା’ର ସ୍ୱୀକୃତି, ଚମର ବିଶ୍ୱାସ, ଆଉ ପ୍ରାପ୍ତିର ଭରସା ନେଇ ସ୍ୱାମୀର ଘର କରିବାକୁ ଆସିଛି । ଅଜସ୍ର କାମନାରେ ବୁକୁ ତା’ର ଭରପୁର ।

 

ନିରଞ୍ଜନ ଅଟକିଲା । କଫି କପ୍‌ଟା ଓହ୍ଲେଇ ରଖି ନୀରବରେ ନୀଳାଞ୍ଜନାକୁ ଦେଖିବାକୁ ଲାଗିଲା ସେ ।

 

ନୀଳାଞ୍ଜନାର ଶ୍ୟାମଳ ମୁହଁଟିରେ ସେଇ ପ୍ରଶାନ୍ତି, ଆଖି ଦୁଇଟିରେ ସେଇ ନମ୍ରତା । ତଥାପି ଯେମିତି ଅନୁର ସେଇ କାମନା ସହିତ ତା’ର କେଉଁଠି ଟିକିଏ ସାମଞ୍ଜସ୍ୟ ରହିଯାଇଛି ।

 

ଅନୁ ଆଉ ନୀଳାଞ୍ଜନା ।

 

ନୀଳାଞ୍ଜନା ଆଉ ଅନୁ ।

 

ବହୁ ବର୍ଷର ଅନୁକୁ ଯେପରି ଆଜିର ନୀଳାଞ୍ଜନା ଭିତରେ ନିରଞ୍ଜନ ଆସ୍ତେ ଆସ୍ତେ ଆବିଷ୍କାର କରୁଥିଲା । ସେଇ ସୁନ୍ଦର କାମନାର ଅଜସ୍ର ସ୍ତବକ ଭିତରୁ ସାରା ମାତୃ ସତ୍ତାକୁ ଖୋଜି ପାଉଥିଲା ।

 

କିନ୍ତୁ ମିଷ୍ଟର ରାୟ ଖୋଜି ପାଇନଥିଲେ । ଖୋଜିବାର ଚେଷ୍ଟା ବି କରିନଥିଲେ ।

 

ସିଗାରେଟ୍‌ରୁ ଧୂଆଁ ଛାଡ଼ି ଧୀର ସ୍ୱରରେ ନିରଞ୍ଜନ କହିଲା, ସ୍ତ୍ରୀ କି ମିଛ କହିଲେ ମିଷ୍ଟର ରାୟ । ନାନା ଭାବରେ ପ୍ରତାରିତ କରିଥିଲେ ।

 

କହିଥିଲେ, ତମର କବିତା ଲେଖା ନେଇ ମୋ ବନ୍ଧୁ ମହଲରେ ବଡ଼ ବେଶୀ କଥା ଉଠୁଛି ।

 

ଆଶ୍ଚର୍ଯ୍ୟ ହେଇ ଅନୁ ପଚାରିଲା, କାହିଁକି ?

 

ମିଷ୍ଟର ରାୟ କହିଲେ, ଯେଉଁମାନେ ଲେଖାଲେଖି କରନ୍ତି, ବହୁ ଲୋକର ସଂସର୍ଗରେ ନ ଆସିଲେ ଶୁଣିଛି ଲେଖା ତାଙ୍କର ପରିପୂର୍ଣ୍ଣ ହୁଏନା । ଅନ୍ୟ ଅର୍ଥରେ ଅଭିଜ୍ଞତା ସଞ୍ଚୟ....

 

ତା’ର ମାନେ ଚରିତ୍ରହୀନତା ?

 

ଅନୁର ସ୍ୱରଟା ବୋଧେ କମ୍ପିଉଠିଥିଲା । ଦୃଷ୍ଟିଟା ତୀକ୍ଷ୍‌ଣ ହେଇଉଠିଥିଲା ।

 

ମିଷ୍ଟର ରାୟ ଚାଲାଖ ଲୋକ । ସ୍ତ୍ରୀ ଚେହେରାରେ ଏଇ ଆକସ୍ମିକ ପରିବର୍ତ୍ତନ ସେ ଲକ୍ଷ୍ୟ କରି ମନ ଭୁଲେଇବାକୁ ଚେଷ୍ଟା କରିଥିଲେ । କହିଥିଲେ, ତମେ ବ୍ୟସ୍ତ ହେଉଛ କାହିଁକି ? ଲୋକଙ୍କ କଥାକୁ ମୁଁ ତ ଆଉ ବିଶ୍ୱାସ କରୁନି ।

 

ମନ ଆଉ ଚେହେରାରେ ଅଦ୍‌ଭୁତ ଝିଅ ଥିଲା ଅନୁ । ଜୀବନର ଏଇ ଦୀର୍ଘକାଳ ଭିତରେ ଦ୍ୱିତୀୟ ଆଉ ଦେଖିଲି ନାହିଁ ।

 

ଓଠ ଟିପି ନୀଳାଞ୍ଜନା କହିଲା, ଖୁବ୍‌ ସୁନ୍ଦର ନୁହେଁ ?

 

ନୀଳାଞ୍ଜନାର ସ୍ମିତତା ନିରଞ୍ଜନକୁ ସଂକ୍ରମିତ କରିପାରିଲା ନାହିଁ । ନିର୍ଲିପ୍ତ ଭାବରେ ସିଗାରେଟ୍‌ ଟାଣୁ ଟାଣୁ ସେ କହିଲା, ସୁନ୍ଦର ନୁହେଁ । ନୀଳାଞ୍ଜନା ମେଘର ଶାନ୍ତ ଛାୟା କୌଣସି ଦିନ ସେ ଚେହେରାରେ ଲକ୍ଷ୍ୟ କର ନାହିଁ । ନଦୀର ଚଞ୍ଚଳତା, ଅଗ୍ନିର ଦାହିକା ଶକ୍ତି ବି ନୁହେଁ । ଅପୂର୍ବ ଏକ ଦୀପ୍ତି ଯେପରି ଅନ୍ୟ ପାଞ୍ଚ ଜଣକ ଭିତରେ ତାକୁ ଅଲଗା କରି ଚିହ୍ନେଇ ଦେଇଥିଲା ।

 

କିନ୍ତୁ ମିଷ୍ଟର ରାୟ ଚିହ୍ନି ପାରିନଥିଲେ । ଅନୁ ତାଙ୍କ ପାଖରେ ନିହାତି ସ୍ତ୍ରୀ । ତା’ ଭିତରେ ଯେ ଗୋଟାଏ ପ୍ରଚଣ୍ଡ ପ୍ରତିଭା, ଏକ ଦୁର୍ଲ୍ଲଭ ବୁଦ୍ଧିମତ୍ତା ଅହରହ ତାକୁ ଅସ୍ଥିର କରି ତୋଳୁଛି, ତା’ର ଖବର ମିଷ୍ଟର ରାୟ ରଖିନଥିଲେ ।

 

ରଖିଥିଲେ ସେଦିନ ଅନୁକୁ ସେ ଭୁଲେଇବାକୁ ଚେଷ୍ଟା କରିନଥାନ୍ତେ ଅନୁର କିନ୍ତୁ ଅପ୍ରିୟ ସତ୍ୟରେ ଆପତ୍ତି ନ ଥିଲା । ସେ ସ୍ୱାମୀକି ବୁଝିପାରିଥିଲା । କହିଥିଲା, ସେମାନଙ୍କ କଥା ତମେ ନ ଶୁଣିପାର । କିନ୍ତୁ ନିଜ ମନକୁ ତ ତମେ ଚିହ୍ନିଛ ?

 

ନା ନା, ତମେ ବିଶ୍ୱାସ କର !

 

କରିବି, କିନ୍ତୁ ଲେଖାଲେଖିଟା... ?

 

ସେଇଟା ବରଂ ବନ୍ଦ କରିଦିଅ । ମୋ ପାଇଁ ତମର ବହୁ ତ୍ୟାଗ ଅଛି । ତା’ ସାଙ୍ଗରେ ସେଇଟା ବି ରହିଯାଉ ।

 

ଅନୁର ଛୋଟ କପାଳ ଉପରେ ପୁଣି ଭ୍ରୂକୁଟି ଦେଖାଦେଲା । ସ୍ୱାମୀର ଏଇ ହୀନମନ୍ୟତାକୁ ସେ କ୍ଷମା କରିନଥିଲା । ତୀବ୍ର ବିତୃଷ୍ଣା ଆଉ ଘୃଣାରେ ତା’ର ସମଗ୍ର ଅନ୍ତର ଭରିଯାଇଥିଲା ।

 

ନୀଳାଞ୍ଜନା କହିଲା, ଭରିଯିବା ଖୁବ୍‌ ସ୍ୱଭାବିକ । ଏଇ ମଧ୍ୟଯୁଗୀୟ ପ୍ରଭୁତ୍ୱକୁ ଏ ଯୁଗରେ କେହି ମାନି ନେଇ ପାରିବେ ନାହିଁ ।

 

ସେଇଆ ହେଇଥିଲା । ଅନୁ ସ୍ୱାମୀର ଏଇ ନୀଚତା ବିରୁଦ୍ଧରେ ବିଦ୍ରୋହ କରିଥିଲା । ଆଗଠାରୁ ବେଶି ସମୟ ଯେମିତି ଲେଖାପଢ଼ାରେ ମନୋନିବେଶ କରିଥିଲା ।

 

ଫଳରେ ମିଷ୍ଟର ରାୟଙ୍କ ହ୍ରିଂସତା ବଢ଼ିଥିଲା । ଜିଦ୍‌ ବି ବଢ଼ିଥିଲା ।

 

ଅନୁର ବନ୍ଧୁ ବାନ୍ଧବ, ଲେଖା ପ୍ରକାଶକ, ସମ୍ପାଦକ ସମସ୍ତଙ୍କୁ ଦୁଆର ବନ୍ଦ କରିଥିଲେ ମିଷ୍ଟର ରାୟ । ଅନୁକୁ କହିଲେ, ସ୍ତ୍ରୀ ଘର ପାଇଁ, ବାହାର ପାଇଁ ନୁହେଁ ।

 

ଅନୁର ଆତ୍ମସମ୍ମାନ ଉପରେ ଆଞ୍ଚ ଆସିଥିଲା ! କ୍ଷିପ୍ତ ହେଇଉଠିଥିଲା ସେ । ସ୍ୱାମୀକି ଚରମ ଭାବରେ ଲାଞ୍ଛିତ କରିବାକୁ ଉତ୍ତଳା ହେଇଉଠିଥିଲା ।

 

ଲାଞ୍ଛିତ କରିଥିଲା ବି ।

 

ଆଜି ଏତେଦିନ ପରେ ଭାବିଲେ ବି ଆଶ୍ଚର୍ଯ୍ୟ ଲାଗେ । ସଂସାରରେ ମଣିଷ ଯାହାକୁ ସବୁଠାରୁ ନିଜର ବୋଲି ମନେକରି ବିଶ୍ୱାସ କରେ, ସବୁ ବାଧା ବିପତ୍ତି ଲଙ୍ଘନ କରି ତା’ପାଖରେ ଆସି ପହଞ୍ଚେ, ପୁଣି ସମୟର ବ୍ୟବଧାନରେ ତାକୁ ଏମିତି ପର ବୋଲି ଦୂରକୁ ଠେଲିଦିଏ କେମିତି-?

 

ଅଦ୍‌ଭୁତ ମଣିଷର ମନ । ବିଚିତ୍ର ତା’ର ଅନୁଭୂତି । ଆଉରି ବିଚିତ୍ରତର ଏଇ ସୃଷ୍ଟି ଲୀଳା-

 

ମୁଁ ଅବାକ୍‌ ହୋଇ ଅନୁକୁ ଦେଖେ ଆଉ ଭାବେ ମାତ୍ର ତିନିବର୍ଷ ଭିତରେ ତା’ର ଭଲପାଇବା କେମିତି ନିଦାରୁଣ ଭାବରେ ମିଛ ହେଇଯାଇଛି । କେମିତି ବ୍ୟର୍ଥ ହେଇଯାଇଛି ତା’ର ଘର ବାନ୍ଧିବାର ସ୍ୱପ୍ନ ।

 

ଏ ସମସ୍ୟା ଆଜି ଆଉ ଏକା ଅନୁର ନୁହେଁ । ଏମିତି କେତେ ଘର ବାନ୍ଧିବାର ସ୍ୱପ୍ନ ବ୍ୟର୍ଥ ହେଇଯାଉଛି । କେତେ ଭଲପାଇବା ମିଛ ହେଇଯାଉଛି ।

 

କିନ୍ତୁ କେହି ବୁଝୁନାହାନ୍ତି ।

 

ଅନୁ ବି ବୁଝୁନଥିଲା । କେତେଥର ତାକୁ ବୁଝେଇବାକୁ ଚେଷ୍ଟା କରୁଥିଲି ମୁଁ । ସ୍ୱାମୀ ସ୍ତ୍ରୀ ପ୍ରେମିକା ନୁହନ୍ତି । ସ୍ୱାମୀ ସ୍ତ୍ରୀର ଜୀବନ ଖାପ ଖୁଆଇ ଚଳିବାର ଜୀବନ । ସେଠି ସ୍ୱାର୍ଥ ଅଛି । କର୍ତ୍ତବ୍ୟ ଅଛି । ଦେବା ନେବାର ତାଡ଼ନା ବି ଅଛି ।

 

ଦୁହିଁଙ୍କର ନିତ୍ୟ ନୈମିତ୍ତିକ ଜୀବନରେ କେହି ଆତ୍ମକୈନ୍ଦ୍ରିକ ହେଲେ ଚଳିବ ନାହିଁ । ପୁଣି ନିର୍ଲିପ୍ତ ଆନନ୍ଦ ଖୋଜିଲେ ବି ମିଳିବ ନାହିଁ ।

 

କଥାଗୁଡ଼ାକ ଅନେକଟା ଆଦର୍ଶ ପ୍ରେମିକର କଥା ପରି ଶୁଣାଯାଇଥିଲା । ଯାହା କେବଳ ଗଳ୍ପ ଉପନ୍ୟାସରେ ସମ୍ଭବ । ଗତିଶୀଳ ମଣିଷ ଜୀବନରେ ନୁହେଁ ।

 

ତଥାପି କହିଥିଲି ।

 

କେଇଟା ମୁହୂର୍ତ୍ତ ପାଇଁ ମିଷ୍ଟର ରାୟଙ୍କ ପ୍ରତି ଈର୍ଷାପ୍ରବଣ ହେଇଉଠିଲେ ବି ନିଜର ଆତ୍ମସଚେତନତା ମୁଁ ଅନୁଭବ କରିଥିଲି । ନିଜକୁ ଦୋଷୀ ମନେହେଇଥିଲା । ଧାରଣା ହେଇଥିଲା ମୋ ପାଇଁ ଯେମିତି ଦୁଇଜଣଙ୍କ ବୁଝାମଣାରେ ତ୍ରୁଟି ଘଟୁଛି ।

 

ସେଥିପାଇଁ ମୋର ଦୂରକୁ ଚାଲିଯିବା ଉଚିତ । ଅନୁଠାରୁ ବିଚ୍ଛିନ୍ନ ହେବା ଉଚିତ ।

 

ନ ହେଲେ ଦୁଇଜଣଙ୍କର ଏଇ ଦୁର୍ଲ୍ଲଭ କିଛି ପାଇବାର ଆନନ୍ଦକୁ ବଞ୍ଚେଇ ରଖିହେବ ନାହିଁ । ବଞ୍ଚିବାର ସ୍ୱାଦଟାକୁ ବି ଅନୁଭବ କରିହେବ ନାହିଁ ।

 

ଯେତେଥର କଥାଟା ଚିନ୍ତା କରିଛି, ଅନୁର ସାନିଧ୍ୟ ପାଇଁ ସେତେ ବେଶୀ ଆକୁଳ ହେଇଉଠିଛି । ପାଗଳ ପରି ଛୁଟିଯାଇଛି । ଭାବିଛି ଏଇ ଶେଷ ।

 

କିନ୍ତୁ ମୋର ସେଇ ଛୁଟିଯିବା ଶେଷ ହେଇନାହିଁ । ଅଶେଷ ହେଇ ରହିଯାଇଛି । ଅନୁ କହିଛି, ତମେ ଆସିବ ।

 

ନ ଆସିଲେ ?

 

କଥାଟା ଶୁଣି ଚଞ୍ଚଳା ବଣ୍ୟ ହରିଣ ପରି ଅନୁ ଯେପରି ଉଚ୍ଚକିତା ହେଇଉଠିଲା ।

 

ମୁଁ ସୁଯୋଗ ବୁଝି କହିଲି, ନ ଆସିଲେ ବିଶେଷ କ୍ଷତି ହେବ ନାହିଁ । ବରଂ ମିଷ୍ଟର ରାୟଙ୍କୁ ନେଇ ତମେ ସୁଖୀ ହେବ ।

 

କଥା କୌଣସି ପରିହାସ ବୋଧ ନେଇ କହିନଥିଲି । ମୋ ଚିନ୍ତାର ସମଗ୍ରତା ଭିତରେ କେତେଦିନ ଧରି ବିବେକର ଯେଉଁ ସତ୍ତା ମୁଁ ଅନୁଭବ କରୁଥିଲି, ତାକୁ ହିଁ କଥା କହି ମୁକ୍ତି ଦେଇଥିଲି ମୁଁ ।

 

ଅନୁ ମୋ କଥା ଶୁଣିଥିଲା । ବୁଝିଥିଲା କି ନାହିଁ ଜାଣେନା । କିନ୍ତୁ ମୁହୂର୍ତ୍ତକ ପାଇଁ ମୃଦୁଭ୍ରୂଭଙ୍ଗୀ ତା’ର କଠିନ ହେଇଉଠିଥିଲା ।

 

ମୁଁ ସଂକୁଚିତ ହେଇଥିଲି, ବିଚଳିତ ବି ହେଇଥିଲି ।

 

ଅନୁ କିନ୍ତୁ ମତେ ଏଥର ଧିକ୍‌କାର ଦେଲା ନାହିଁ । ବରଂ ନିଜେ ଏକ ଧିକ୍‌କୃତ ବେଦନାର ଭାରରେ ଭାଙ୍ଗିପଡ଼ିଲା ।

 

ଅନୁଶୋଚନାରେ ମୋର ଅନ୍ତର ଭରିଉଠିଲା ।

 

ଅନୁ କାନ୍ଦୁଥିଲା ।

 

ତା’ର ଲୁହ ଯେପରି ମୋ ଧୈର୍ଯ୍ୟର ବାଲି ବନ୍ଧରେ ବାରମ୍ବାର ଆଘାତ କରି ଝରି ଯାଉଥିଲା ।

 

ମୁ ସଞ୍ଜମ ହରାଉଥିଲି ।

 

ମୋର ବିଭ୍ରାନ୍ତ ମନ ନିଜର ଅଧିକାର ଭୁଲି ଯାଉଥିଲା । ମୁଁ, ମୋର ସଂସ୍କାର, ମୋର ଲକ୍ଷ୍ୟ, ସବୁକୁ ଯେପରି ଅନୁର ଏଇ ଲୁହ ଧୋଇ ପୋଛି ନିଶ୍ଚିହ୍ନ କରିଦେଉଥିଲା । ଖାଲି ଗୋଟାଏ ଏକାନ୍ତ ଆପଣାବୋଧ ମତେ ଆତ୍ମହରା କରି ଦେଉଥିଲା ।

 

ଦୁଇ ହାତରେ ଅନୁର ମୁହଁ ତୋଳି ଧରି ନିବିଡ଼ ସ୍ୱରରେ ମୁଁ ଡାକିଲି, ଅନୁ !

 

ଅନୁ, ଅନୁ କିଏ ?

 

ଆମକୁ ଚମକେଇ ଦେଇ ମିଷ୍ଟର ରାୟ ଆଗକୁ ଆସିଲେ ।

 

ମୁଁ ଅପ୍ରସ୍ତୁତ ହେଇପଡ଼ିଲି ।

 

ଅନୁ ବୋଧେ ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିଲା ।

 

ମିଷ୍ଟର ରାୟ ଥରେ ସ୍ତ୍ରୀକି ଚାହିଁଲେ । ପୁଣି ମତେ ।

 

ଚେଷ୍ଟା କରି ବି ମୁଁ ତାଙ୍କୁ ଅନେଇ ପାରୁନଥିଲି ।

 

କୌଣସି ହୀନତା ମତେ କେବେ ଦୁଃସାହସୀ ନ କରିଲେ ବି ସେହି ମୁହୂର୍ତ୍ତରେ ମୁଁ ସାହସ ଖୋଜି ପାଉନଥିଲି ।

 

ମିଷ୍ଟର ରାୟଙ୍କ ମୁହଁର କଠିନ ରେଖାଗୁଡ଼ାକ ସଂକୁଚିତ ହେଇଆସୁଥିଲା । ପୁଣି ସ୍ପିତ ବି ହେଉଥିଲା ।

 

ଖୋଲା ଦୁଆରଆଡ଼େ ଇଙ୍ଗିତ କରି ମିଷ୍ଟର ରାୟ କହିଲେ, ଶୁଭ ରାତ୍ରି !

 

ମତେ ହିଁ ଲକ୍ଷ୍ୟକରି କହିଲେ ସେ ।

 

ଅଦ୍ଭୁତ ଏକ ବିକୃତିରେ ଗଳା ତାଙ୍କର ଯେପରି ବିଦୀର୍ଣ୍ଣ ହେଇଯାଇଥିଲା ।

 

କିଛି ଭାବି ଉଠିବା ଆଗରୁ ମୁଁ ନିଶବ୍ଦରେ ବାହାରି ଆସିଲି । କିଛି କହିବାପାଇଁ ଅନୁ ବୋଧେ ଛୁଟି ଆସୁଥିଲା । ମିଷ୍ଟର ରାୟ ଧକ୍‌କା ଦେଇ ସ୍ତ୍ରୀ କି ବନ୍ଦ କରିଦେଲେ ।

 

ମୋର ଉପାୟ ନ ଥିଲା । ବନ୍ଦ ଦୁଆର ଆଡ଼େ ଅନେଇ ଅନେଇ ନିଃଶବ୍ଦରେ ମତେ ଫେରି ଆସିବାକୁ ହେଲା ।

 

କହି କହି ନିରଞ୍ଜନ ଚୁପ୍‌ ହେଲା ।

 

କିଛିକ୍ଷଣ ଅପେକ୍ଷା କରି ନୀଳାଞ୍ଜନା କହିଲା, ତା’ପରେ....

 

ଭିତରର ଦୀର୍ଘ ଶ୍ୱାସକୁ ଚାପି ଚାପି ନିରଂଜନ କହିଲା, ତା’ ପରେ ଅନୁର କ’ଣ ହେଇଥିଲା ଜାଣେନା । ନିଜର ପରିସ୍ଥିତି ସମ୍ପର୍କରେ ବି ମୁଁ ବାହ୍ୟଜ୍ଞାନ ହରେଇ ବସିଥିଲି ।

 

ଅନୁର ଚେହେରାଟା ମୋର ଆଉ ସ୍ପଷ୍ଟ କରି ମନେପଡ଼ୁନଥିଲା ମିଷ୍ଟର ରାୟଙ୍କ ଭୈରବ ମୂର୍ତ୍ତିଟା ତ ନୁହେଁ । କେବଳ ମନେହେଉଥିଲା ମୋର ଦୃଷ୍ଟିଶକ୍ତି ବିବର୍ଣ୍ଣ ହେଇଆସୁଛି ମୋ ଚେତନାର ଉପଳବ୍‌ଧିରେ ତମସାଚ୍ଛନ୍ନ ଏକ ରାତ୍ରି ଯେମିତି ଘନେଇ ଆସୁଛି ।

 

ସେ ଅବସ୍ଥାକୁ ଆଜିର ସୁସ୍ଥ ପରିବେଶ ଅନୁଭୂତି ଭିତରରେ ଆଣିହୁଏନା । କିନ୍ତୁ ସେ ଏକ ଅସହ୍ୟ ଜ୍ୱାଳା । ଅପମାନ ପରାଜୟର ଗ୍ଳାନି ଭଲପାଇବାର ଯନ୍ତ୍ରଣା ସବୁ ମିଶି ମୋ ଭିତରେ ଯେପରି ପ୍ରଚଣ୍ଡ ବିସ୍ଫୋରଣ ଘଟିଯିବ । ମୁଁ ନିଃଶେଷ ହେଇଯିବି । ବିସ୍ମୃତିର ସେଇ ଅନ୍ଧକାରରେ ନିଶ୍ଚିହ୍ନ ହେଇଯିବି ।

 

ସେଇ ଅବର୍ଣ୍ଣନୀୟ ଅବସ୍ଥା ଭିତରେ ରାତିଟା ଶେଷ ହେଇଆସିଲା ।

 

କବାଟ ଖୋଲି ମୁଁ ବାହାରକୁ ଆସିଲି । ଭଲ କରି ଦିନର ଆଲୁଅ ଫୁଟି ନାହିଁ । ଆକାଶର ଏକ କୋଣରେ ଏବେ ବି ନିଷ୍ପ୍ରଭ ପାହାନ୍ତି ତାରା ଜାଗି ରହିଛି । ବହୁ ଦୂରରେ କେଉଁଠି ଡାକି ଚାଲିଛି ଏକ ସାମୁଦ୍ରିକ ପକ୍ଷୀ । ଅନ୍ୟଦିନେ ଅନୁ ସାନିଧ୍ୟର ସ୍ମୃତି ଯେମିତି ନିବିଡ଼ ଆଲୋକ ହେଇ ମୋ ଆଗରେ ଫୁଟିଉଠେ । ମୋର ଭିତରର ଅନ୍ଧକାର ଦୂର ହୁଏ । ମୁଁ ଜାଗିଉଠେ ।

 

ଆଜି କିନ୍ତୁ ସେ ଆଲୋକର ରେଖା ଅନେକ ଦୂରକୁ ଘୁଞ୍ଚିଯାଇଛି ।

 

ସାରା ରାତିର ଅନାହାର ଆଉ ଅନିଦ୍ରାରେ ଦେହଟା ଭାଙ୍ଗି ପଡ଼ୁଥିଲା । ପୁଣି ଭିତରକୁ ଫେରି ଯାଉଥିଲି । ଖଗନାଥ ଆସି ଆଗରେ ଠିଆ ହେଲା ।

 

ଖଗନାଥ ମୋର ଚାକର । ମୁଁ କିନ୍ତୁ ତାକୁ ଠିକ୍‌ ଚାକର ହିସାବରେ ଗ୍ରହଣ କରିପାରେନା ।

 

ଖଗନାଥ କହିଲା, ବାବୁ, ଚା’ କରୁଛି ।

 

ମୁହୂର୍ତ୍ତେ ଖଗନାଥକୁ ଅନେଇ ରହିଲି ମୁଁ । ସକାଳର ଅପୂର୍ବ ଜ୍ୟୋତିର୍ମୟତା ମଝିରେ ତା’ର ସେଇ ଶାନ୍ତ ପୌଢ଼ ମୂର୍ତ୍ତିଟାକୁ ଭାରି ଆପଣାର ମନେହେଲା । ଗଭୀର ସ୍ୱରରେ ଡାକିଲି, ଖଗନାଥ !

 

ବାବୁ !

 

ମୋ ଆଡ଼େ ଥରେ ଚାହିଁ ମୁଣ୍ଡ ନୁଆଁଇଲା ସେ । ତା’ର ଅଭିଜ୍ଞ ଦୁଇଟି ଆଖି ମୋ ଭିତରର ନିପୀଡ଼ିତ ମଣିଷଟାକୁ ଚିହ୍ନି ନେଇଥିଲା ମୁଁ ଧରାପଡ଼ି ଯାଇଥିଲି ।

 

ମତେ ପ୍ରସଙ୍ଗାନ୍ତରେ ନେଇଯିବାକୁ ଯାଇ ଖଗନାଥ କହିଲା, ମୁହଁ ଧୁଅନ୍ତୁ ବାବୁ ! କାଲି ରାତିଟା ତ ସେମିତି କଟିଛି ।

 

ମୁହଁ ଧୋଇବାକୁ ହେବ । ଖାଇବାକୁ ହେବ । ଅଫିସ ଯିବାକୁ ହେବ । ନିତ୍ୟ ନୈମିତ୍ତିକ ଜୀବନରେ କୌଣସି ପରିବର୍ତ୍ତନ ଘଟିବ ନାହିଁ । ଘଟିବା ଅନୁଚିତ ।

 

କିନ୍ତୁ ଜୀବନର ଯେଉଁ ବିଶେଷ ଅଂଶଟା ଆଜି ପକ୍ଷାଘାତ ଗ୍ରସ୍ତ ହେଇପଡ଼ିଲା, କ’ଣ ଦେଇ ତା’ର କ୍ଷତି ପୂରଣ ହେବ ।

 

ଖଗନାଥ ୟା’ର ଉତ୍ତର ଦେଇପାରେ । ତା’ ବୟସର ଅଭିଜ୍ଞତାରେ ହୁଏତ ବହୁତ ଦିଆନିଆର ଉତ୍ତର ଲେଖା ଅଛି ।

 

କିନ୍ତୁ ଖଗନାଥ ଚାଲିଯାଇଥିଲା । ଚାଲିଯାଇ ବୋଧେ ଭଲ କରିଥିଲା । ନ ହେଲେ ନିଜର ଅସହାୟତାକୁ ଆଉରି ନଗ୍ନ କରି ଦେଖିବାକୁ ପାଇଥାନ୍ତି ମୁଁ ।

 

ସେଦିନ କିନ୍ତୁ ଏ କଥା ଭାବିପାରିନଥିଲି । ଭାବିଥିଲି ଖଗନାଥକୁ ଡାକି ଅନୁ କଥା କହେ, ମୋ କଥା କହେ, କହି କିଛିଟା ଶାନ୍ତି ପାଏ ।

 

ଶେଷ ପର୍ଯ୍ୟନ୍ତ ଖଗନାଥକୁ ଡାକି କିଛି କହିପାରିଲି ନାହିଁ । ଅସ୍ଥିର ଏକ ବ୍ୟାକୁଳତା ନେଇ ତା’ କଥା ମାନିବାକୁ ଆଗେଇଗଲି ।

 

ବାଥ୍‍ରୁମ୍‌ରେ ଖଗନାଥ ପାଣି ରଖିଯାଇଛି । କାନ୍ଥର ରାକରେ ତଉଲିଆ, ସେଲ୍‌ଫରେ ସାବୁନ ସଜାଡ଼ି ଦେଇଯାଇଛି ।

 

ବାଥ୍‍ରୁମ୍‌ର କବାଟ ବନ୍ଦ କରି ଚୁପ୍‌ କରି ଠିଆହେଇ ରହିଲି ମୁଁ । ଭିତରେ ଯେମିତି ଏକ ଅଗ୍ନିପିଣ୍ଡ ମୋର କଣ୍ଠ ରୁଦ୍ଧ କରି ଆସୁଥିଲା । ମୋର ସମସ୍ତ ଶରୀରରେ ବିସ୍ତାର କରି ଚାଲିଥିଲା ତା’ର ଅସହ୍ୟ ଦାହିକା ଶକ୍ତି ।

 

ମୁହଁ ହାତ ଧୋଇ କିଛିଟା ପାଣି ମୁଣ୍ଡରେ ଢାଳିଦେଲି । ଖଗନାଥ ପୁଣି ଡାକିଲା, ବାବୁ ଚା’ ଆଣିଛି ।

 

ଚା’ ଆଣିଛି ଖଗନାଥ !

 

ମୁଁ ହସିଲି । ଏତେ କଷ୍ଟ ଭିତରେ ବି ହସି ପାରିଲି ।

 

ଭଗବାନଙ୍କ ସୃଷ୍ଟି ବନ ରହସ୍ୟାଚ୍ଛନ୍ନ । କେବେ କେଉଁଠି ପଢ଼ିଥିବା ଗଳ୍ପ ଉପନ୍ୟାସର କଥାଟା ବି ମନେପଡ଼ିଲା । ଆତ୍ମିୟତାଠାରୁ ଅନେକ ସମୟରେ ଅନାତ୍ମିୟ ହିଁ ଆପଣାର ହୁଏ ।

 

କଥାଟା ଭାରି ସତ । ସତ ବୋଲି ଖଗନାଥ ମୋ ପାଇଁ ଏତେ ଚିନ୍ତିତ । ଏତେ ବ୍ୟସ୍ତ ।

 

ଭଗବାନଙ୍କୁ ଧନ୍ୟବାଦ ଦେଲି । ତା’ ସହିତ ବହିର ଲେଖକଙ୍କୁ ବି ।

 

ମୋର ମନେହେଲା ଲେଖକ ହିଁ ଭଗବାନ । ନହେଲେ ସାଧାରଣ ମଣିଷ ଯାହା ଜାଣେନା, ଜାଣିଲେ ବି ଠିକ୍‌ ବୁଝି ଉଠିପାରେନା ମଣିଷରୂପୀ ଏଇ ଲେଖକ କେମିତି ବା ଜାଣେ ? କେମିତି ବା ମଣିଷର ସେଇ ଦୁର୍ଜ୍ଞେୟ ମନ ସହିତ ନିଜର ଅନୁଭୂତି କି ଏତେ ସହଜରେ ମିଶେଇ ଦେଇପାରେ ।

ସେଇ ମୁହୂର୍ତ୍ତରେ ସେଇ ଲେଖକଙ୍କୁ ଦେଖିବାକୁ ବ୍ୟଗ୍ର ହୋଇଉଠିଲି ମୁଁ । ମଣିଷ ମନରେ ଯେତେ ଭାବାବେଗ ପୂରି ରହିଛି, ତା’ର ପ୍ରମାଣ ସମୟର ଏଇ ସବୁ ଛୋଟ ଛୋଟ ମୁହୂର୍ତ୍ତ-

ଚା’ ପିଇବା ପାଇଁ ଖଗନାଥ ପୁଣି ସତର୍କ କରେଇଦେଲା ।

ମୁଁ ଆସି ଟେବୁଲରେ ବସିଲି ।

ଟେବୁଲ ଫୁଲଦାନୀରେ ଅଜସ୍ର ରଜନୀଗନ୍ଧାର ସ୍ତବକ । ପ୍ଳେଟରେ ପ୍ରଚୁର ଜଳଖିଆ । ପିଆଲାରେ ଗରମ ଚା’ ।

ମନଟା କ୍ଷଣକରେ ବିଳାସୀ ହେଇଉଠିଲା । କେଉଁ ଅର୍ଥରେ ଜାଣେନା, ନିଜକୁ ଅର୍ଥବାନ ମନେହେଲା । ଭାଗ୍ୟବାନ ବି ।

ପରମ ଆତ୍ମିୟ ପରି ଖଗନାଥ ଠିଆହେଇ ରହିଛି । ନିସ୍ତେଜ ହେଲେ ବି ଦୃଷ୍ଟିଟା ତା’ର ତୀକ୍ଷ୍‌ଣ ଦେଇଉଠିଛି । ମୋ ପାଇଁ ଯେମିତି ଯତ୍ନର ତ୍ରୁଟି ନ ହୁଏ ।

ମା’ଙ୍କୁ ମନେପଡ଼ିଲା, ବାବୁଙ୍କୁ ବି ।

ଅନେକଦିନ ଆଗେ ହରେଇଥିବା, ପ୍ରାୟ ଭୁଲି ଆସିଥିବା ସେଇ ଶାନ୍ତ ଚେହେରାର ମଣିଷଟି ଯେମିତି ବାରମ୍ବାର ଆସି ମୋ ଆଖିଆଗରେ ଠିଆହେଲେ ।

ତାଙ୍କୁ ଦେଖିବାକୁ ଯାଇ ମୁଁ ଖଗନାଥକୁ ଦେଖିବାକୁ ଲାଗିଲି ଭାରି ଭଲ ଲାଗୁଥିଲା ତାକୁ-। ବହୁବାର ଦେଖିବାକୁ ଇଚ୍ଛା ହେଉଥିଲା । ତା’ର ପାଖେ ପାଖେ ରହିବାକୁ ଇଚ୍ଛା ହେଉଥିଲା-

ଖଗନାଥ କହିଲା, ଆଜି ଆଉ ଅଫିସ୍ ଯାଆନ୍ତୁ ନାହିଁ । ଆଉ କୁଆଡ଼େ ବି ନୁହେଁ ।

କୁଆଡ଼େର ଅର୍ଥ ଖୁବ୍‌ ସହଜ । ତଥାପି ତା’ର କଥା ଶୁଣି ଭାରି ଖୁସିହେଲି । କିନ୍ତୁ ଜବାବ ଦେଇପାରିଲି ନାହିଁ ।

ଖଗନାଥ ଚାଲିଗଲା । ମୋ ନୀରବତା ପାଇଁ ତା’ର କ୍ଷୋଭ ନ ଥିଲା । ତା’ ହୃଦ୍ ଯନ୍ତ୍ରରେ ମୋ ପ୍ରାଣର ଉତ୍ତାପ ମାପି ପାରିଥିଲା ।

ମୁଁ ବସି ବସି ଚା’ ପିଇଲି ।

ଚା’ର ଉଷ୍ଣ ଗନ୍ଧ, ଫୁଲର ସ୍ନିଗ୍‌ଧ ସୁରଭି ଆଉ ଖଗନାଥର ସେଇ ଶାନ୍ତ ମୂର୍ତ୍ତି ମୋ ବିଷାଦାଚ୍ଛନ୍ନ ମନର କ୍ଳାନ୍ତି ଯେପରି ଦୂର କରିଦେଇଥିଲା । ଆକସ୍ମିକ ଦୁର୍ଘଟଣାର ରୋଗୀ ପରି ଗତ ରାତିର ଘଟଣାକୁ ଭୁଲିଯାଇ ମୁଁ ସୁସ୍ଥ ହେଇଉଠୁଥିଲି ।

ହୁଏତ ବାକି ଦିନଗୁଡ଼ାକ ପାଇଁ ଭୁଲି ଯାଇ ପାରିଥାଆନ୍ତି । କିନ୍ତୁ ଭାଗ୍ୟର କି ପରିହାସ ! ସେ ମତେ ଭୁଲିବାକୁ ଦେଲାନାହିଁ ।

 

ହଠାତ୍‌ ଏକ ନିକ୍ଷିପ୍ତ ପେଣ୍ଡୁ ପରି ଅନୁ ଯେପରି ଛିଟ୍‌କି ଆସିଲା ।

 

ମୁଁ ଚିହିଁକି ଉଠିଲି ।

 

ଖଗନାଥ ଜଳନ୍ତା ଚୁଲି ଛାଡ଼ି ଦୌଡ଼ିଆସିଲା ।

 

ଅନୁ ବାରଣ୍ଡା ଉପରେ ପଡ଼ି ରହିଛି । ଅଚୈତନ୍ୟ ।

 

ଅଚୈତନ୍ୟ ?

 

ବିସ୍ମିତା ନୀଳାଞ୍ଜନାର ଭ୍ରୂ ଦୁଇଟି ତୀକ୍ଷ୍‌ଣ ହେଇଉଠିଲା ।

 

ନିରଞ୍ଜନ କହିଲା, ମୋ ପରି ସେ ବି ସାରା ରାତି ଅଭୁକ୍ତ ଥିଲା । ଅନିଦ୍ରାରେ ବି କଟେଇଛି । ବେଢ଼ି ଉପରେ କୋରାଡ଼ା ମାଡ଼ ପରି ସ୍ୱାମୀର ଗଞ୍ଜଣା ବି ସହିଛି ।

 

ଘୃଣାରେ ଶିହରିଉଠିଲା ନୀଳାଞ୍ଜନା । କହିଲା, ୟା’ରି ନାଁ ତ ଆମର ଶିକ୍ଷିତ ସମାଜ ? ଏଇ ତ ଆମ ଦେଶର ଚେହେରା ।

 

ହସିଲା ନିରଞ୍ଜନ । ଧୀର ସ୍ୱରରେ କହିଲା, ସମାଜର କିଛି ଦୋଷ ନାହିଁ । ଶିକ୍ଷାର ବି ନିନ୍ଦା କରନା । ସେଇ ସମାଜର ମଣିଷର ତମେ, ମୁଁ । ଆଉରି ବି ଅନେକ ଏଇ ଶିକ୍ଷା ପାଇ ମଣିଷ ହେଇ ଉଠିଛନ୍ତି । ଯାହାଙ୍କୁ ଥରେ ଦେଖିଲେ ଶ୍ରଦ୍ଧା କରିବାକୁ ଇଚ୍ଛାହୁଏ । ଭଲ ପାଇ ପାଖକୁ ଯିବାକୁ ଇଚ୍ଛା ହୁଏ ।

 

ନୀଳଞ୍ଜନା କହିଲା, ହୁଏ । ଅସ୍ୱୀକାର କରୁନି । କିନ୍ତୁ ଏଇ ସ୍ୱାଧୀନତା, ସ୍ୱଚ୍ଛଳତାକୁ ଏଡ଼େଇ କୌଣସି ଦିନ ଝିଅମାନଙ୍କର ଅସଲ ଅସହାୟ ଚେହେରାଟା ଦେଖିପାରନ୍ତି ନାହିଁ । ଖାଲି ମୁହେଁ ମୁହେଁ ଡୁହା ଧରନ୍ତି ।

 

ନିରଞ୍ଜନ କହିଲା, ଗାଳି ଦିଅନା । ଗାଳି ଦେବାକୁ ତ ଅନେକ ସମୟ ପାଇବ । ଏଇର ଗପଟା ଶୁଣ ।

 

ନୀଳାଞ୍ଜନା କହିଲା, ଗପ ଶୁଣୁଛି ବୋଲି ମନେ ନାହିଁ । କହନ୍ତୁ ।

 

ନିରଞ୍ଜନ କହିଲା, ଅନୁ ପାଖକୁ ମୁଁ ଯାଇପାରିଲି ନାହିଁ । ଯିବାକୁ ମୋର ଭୟ ହେଉଥିଲା । ମୁଁ ଥର ଥର କରି କମ୍ପୁଥିଲି କଥା କହିପାରୁନଥିଲି ।

 

ଖଗନାଥ ଅନୁକୁ ଚିହ୍ନିଥିଲା । ଏ ଘରର ଆତ୍ମା ସହିତ କେଉଁଠୁ ଯେମିତି ଅନୁର ଏକ ଅଚ୍ଛେଦ୍ୟ ବନ୍ଧନ ସେ ଖୋଜି ପାଇଥିଲା ।

 

ଖଗନାଥର ଯତ୍ନ ଅନୁର ଚେତନା ଫେରେଇ ଆଣିଥିଲା । ଚେଇଁ ଉଠି ବିହ୍ୱଳ ଦୃଷ୍ଟିରେ ଚାରିଆଡ଼କୁ ଅନେଇଥିଲା ସେ । ହୁଏତ ଅବାକ୍‌ ହେଇଥିଲା ।

 

ମୁଁ ନଥିଲି ତା’ପାଖାରେ । ତା’ପାଖକୁ ଯିବାପାଇଁ ମୋର ସାହସ ନଥିଲା । ତା’ର ଅଚୈତନ୍ୟ ଦେହଟା ଆଡ଼େ ଅନେଇ ଅନେଇ ମୋ ଅପରାଧ ବୋଧଟା ବଢ଼ି ଉଠିଥିଲା ।

 

ଅନୁ କିନ୍ତୁ ସବୁ ଓଲଟପାଲଟ କରେଇଦେଲା । ଶ୍ରାନ୍ତ ଦେହଟାକୁ ଟାଣି ଟାଣି ଆସି ମୋ ପାଖରେ ପହଞ୍ଚିଲା ।

 

ମୁଁ କିନ୍ତୁ ତାକୁ କଆ କହିପାରିଲି ନାହିଁ । ସେ ବି ନୁହେଁ ବହୁ ବେଦନାରେ ସ୍ତବ୍‌ଧ ଦୁଇଟି ହୃଦୟ ଯେମିତି ପାଖାପାଖି ଆସି ନିର୍ବେଦ ହେଇଯାଇଥିଲା ।

 

ମୁଁ ତା’ ନିଶ୍ୱାସର ପ୍ରଖରତା ଅନୁଭବ କରୁଥିଲି । ସେ ହୁଏତ ମୋ ବୁକୁର ସ୍ପନ୍ଦନ ବାରିପାରୁଥିଲା ।

 

ଖଗନାଥ ନଥିଲା । ଅତିଥି ସତ୍‌କାର ପାଇଁ ସେ ବ୍ୟସ୍ତ ଥିଲା । କିମ୍ବା ଆମ ଦୁଇ ଜଣଙ୍କୁ ସୁଯୋଗ ଦେଇ ଯାଇଥିଲା ।

 

ଅନୁର ହାତ ଧରିଲି ମୁଁ ।

 

ଅନୁ ବୋଧେ ଧୈର୍ଯ୍ୟ ହରେଇଥିଲା । ସଂଯମ ବି । ମୋର ଲାଞ୍ଛିତ ଯୌବନ ପାଇବାର ଆକୁଳତାରେ ଆତ୍ମହରା ହୋଇଗଲା । ମୁଁ ତାକୁ ଏଇ ପ୍ରଥମ ଆଲିଙ୍ଗନ କଲି । ମୋର ସମସ୍ତ ସ୍ପର୍ଶ ଦେଇ ଏଇ ପ୍ରଥମ ତାକୁ ପରିପୂର୍ଣ୍ଣ ଭାବେ ଅନୁଭବ କଲି ।

 

ଅନୁଭୂତିର ଏମିତି ତୀବ୍ରତା ଆଉ କେବେ ଜାଣିବାକୁ ପାଇନାହିଁ । ମୋର ପ୍ରତିଟି ଶିରା, ଉପଶିରାରେ ତା’ ନିବିଡ଼ ସ୍ପର୍ଶର ଏକ ଅନାସ୍ୱାଦିତ ସ୍ୱାଦ ମୁଁ ଅନୁଭବ କରୁଥିଲି ।

 

ଏଇଟା ବିରହ ପରେ ମିଳନର ଉନ୍ନତ୍ତତା ନୁହେଁ । ବିନ୍ଦ୍ୱଳତା ବି ନୁହେଁ । ଏଇଟା ବୋଧେ ନିଜର ଚେତନାକୁ ଅମୃତ ଲୋକରେ ପହଞ୍ଚେଇ ଦେବାର ଅନୁଭୂତି । ଏ ଅନୁଭୂତି ଭିତରେ ଆବେଗର କମ୍ପନ ନ ଥିଲା । ଲାଳସାର ଦାହ ବି ନ ଥିଲା ।

 

ସେ ଯେ ମୋର, ଏକାନ୍ତ ଭାବେ ମୋର, ଏଇ ଉଲ୍ଲାସ ମୋର ସମଗ୍ର ସତ୍ତାକୁ ଆଚ୍ଛନ୍ନ କରି ଆସିଥିଲା ।

 

ମୋର ଅଙ୍ଗେ ଅଙ୍ଗେ ଶିହରଣ ଆସିଥିଲା । ଲୋକ କୂପେ କୂପେ ରୋମାଞ୍ଚ ଜାଗିଥିଲା-

 

ଅନୁ ଆଖି ବନ୍ଦ କରି ରହିଥିଲା । ମୁଁ କିନ୍ତୁ ତା’ ଦେହରେ କମ୍ପନ ସ୍ପଷ୍ଟ କରି ବାରିପାରୁଥିଲି । ତା’ ନିଶ୍ୱାସରେ ଗୁଞ୍ଜନ ଶୁଣି ପାରୁଥିଲି ।

 

ମୋ ମୁହଁରେ କଥା ନଥିଲା । ତା’ର ବି । କିନ୍ତୁ ମୁଁ ବୁଝିପାରୁଥିଲି ଦୁଇଟି ମନ ଭିତରେ ଏକ ଅନିର୍ବଚନୀୟ ଆନନ୍ଦର ସ୍ୱାଦ । ସେଇ ସ୍ୱାଦର ନାମ ବୋଧହୁଏ ପ୍ରେମ ।

 

ଅନୁ ପାଇଁ ଏଇ ପ୍ରେମ ଅସ୍ଥିର କରିଦେଇଥିଲା । ଉଲ୍ଲାସର ଆକାଂକ୍ଷା ସହିତ, ଅନଭୂତିର ଏଇ ତୀବ୍ରତା ମୋ ସମସ୍ତ ଦେହ ମନରେ ଏକ ମଧୁର ଆବେଶ ଭରି ଦେଇଥିଲା । ମୁଁ ଅଧୀର ହେଇଉଠିଥିଲି । ଅନୁର କଣ୍ଠ ରୁଦ୍ଧ ହେଇଆସୁଥିଲା । ମୋ ଛାତିରେ ମୁଣ୍ଡ ରଖି ବହୁ କଷ୍ଟରେ ସେ କହିଲା, ତମେ ବିଶ୍ୱାସ କର ! ମୁଁ ଆସିଛି । ଚିରଦିନ ପାଇଁ ଆସିଛି ।

 

ୟା’ ପରେ ଆଉ କୌଣସି ପ୍ରେମିକ ମନରେ ଦ୍ୱନ୍ଦ୍ୱ ଉଠେନା । ଉଠିଲେ ବି ଅବୋଧ ତାରୁଣ୍ୟ ତାକୁ ପ୍ରଶ୍ରୟ ଦେଇପାରେନା ।

 

ମୋର ବି ସେଇଆ ହେଇଥିଲା । ମୋର ପ୍ରତ୍ୟୟ ଜନ୍ମିଥିଲା । ମୁଁ ତାକୁ ବିଶ୍ୱାସ କରିଥିଲି । ନିଶ୍ଚିନ୍ତ ହେଇଥିଲି ।

 

ସେ ବି ନିଶ୍ଚିନ୍ତ ହେଇଥିଲା । ମୋ ବୁକୁରେ ବାରମ୍ବାର ମଥା ଠିକେଇ ସେ ତା’ର ନିର୍ଭୟ ଆଶ୍ରୟ ଖୋଜିଥିଲା । ପାଇଥିଲା କି ନାହିଁ ଜାଣେନା । ସାରାଦିନ କିନ୍ତୁ କାନ୍ଦିଥିଲା ।

 

ମୁଁ କିନ୍ତୁ ତା’ର ଲୁହ ପୋଛି ଦେଇପାରିନଥିଲି । ସାନ୍ତ୍ୱନାର କଥା ବି କହିନଥିଲି ।

 

ମୁଁ ଜାଣିଥିଲି ତା’ ବୁକୁର ରସକ୍ଷରଣ ବନ୍ଦ ହେଲେ ଏ ଲୁହ ବନ୍ଦ ହେବ । ଅନୁ କାନ୍ଦୁ ।

 

ନିଜଆଡ଼ୁ ଅନେକଟା ଶାନ୍ତ ହେଇଆସିଥିଲା ଅନୁ ।

 

ମୁଁ କହିଲି, ଚାଲ ମା’ଙ୍କ ପାଖରେ ପହଞ୍ଚେଇ ଦେଇ ଆସିବି ।

 

ଅନୁର ମା’ଘର ଦୂରରେ । ଚାରି ପାଞ୍ଚଟା ଷ୍ଟେସନ ପରେ ।

 

ଅନୁ ବୋଧେ ମୋ କଥା ଠିକ୍‌ କରି ବୁଝିପାରିଲା ନାହିଁ । ଯେମିତି ଭୟ ପାଇ ଚମକିଉଠିଲା ।

 

ତାକୁ ବିଶ୍ୱାସ ଦେଇ ମୁଁ କହିଲି, ଏଠି ରହିଲେ ଲୋକେ ନିନ୍ଦା କରିବେ ।

 

କରନ୍ତୁ ।

 

ପୁଣି ଲୁଗା କାନିରେ ଆଖି ପୋଛିଲା ଅନୁ । କହିଲା, ଲୋକେ କାହାର ସୁଖ, ଦୁଃଖ ବୁଝନ୍ତି ନାହିଁ ।

 

ମୋ ମନର କଥା ବି ସେଇଆ । କିନ୍ତୁ ଏଇକ୍ଷଣି ପାଇଁ ଅନ୍ୟଉପାୟ ନାହିଁ । ଆମର ସମାଜ ଅଛି, ସମାଜର ବିଧି, ବ୍ୟବସ୍ଥା ଅଛି, ଦେଶରେ ଆଇନ ଅଛି ।

 

କହିଲି, ଏଇକ୍ଷଣି ଏଠି ରହିବା ବଡ଼ ଅସୁନ୍ଦର ଦେଖାଯିବ ।

 

ଆଖି ନୁଆଁଇ ଅନୁ କହିଲା, ମୁଁ କିନ୍ତୁ ସୁନ୍ଦରର ଆଶା ନେଇ ସେ ଘର ଛାଡ଼ିଛି ।

 

ମୁଗ୍‌ଧ ହେଲି ମୁଁ । ମୋ ପ୍ରତ୍ୟାଶାର ମୋହ ଯେପରି ମତେ ଲୋଭୀ ପରି ଆଗେଇନେଲା ।

 

ଗରିବ ମୁଁ । ଅନୁଠାରୁ ଅନେକ, ଅନେକ ଛୋଟ । ଏତେ ପ୍ରାପ୍ତି ଏତେ ପୂର୍ଣ୍ଣତା ମୁଁ କ’ଣ କେବେ ଆଶା କରିପାରିଥିଲି ?

 

ଅନୁର ହାତ ମୁଠେଇ ଧରି ତୃପ୍ତିରେ ଶିହରିଉଠିଲି ମୁଁ । ତା’ର କାନ ପାଖରେ ମୁହଁ ରଖି ଆସ୍ତେ ଆସ୍ତେ କହିଲି, ଏ ଯେ ଦୁସ୍ତର ପଥ । ପାରିବ ତ ?

 

ପାରିବି ! ଅନୁ କଣ୍ଠରେ ଦୃଢ଼ତା ଫୁଟିଉଠିଥିଲା ।

 

ଶେଷ ପର୍ଯ୍ୟନ୍ତ ପାରିଥିଲା ବି ଅନୁ !

 

କହି କହି ଚୁପ୍‌ ହେଲା ନିରଞ୍ଜନ । ପୁଣି ଯେପରି କ’ଣ ଭାବିବାକୁ ଲାଗିଲା ।

 

ବ୍ୟଗ୍ର ହେଇ ନୀଳାଞ୍ଜନା କହିଲା, ତା’ପରେ ?

 

ତା’ପରେ କୋର୍ଟରେ କେଶ୍‌ ଉଠିଲା ଡିଭୋର୍ସ କେଶ୍‌ ।

 

ନୀଳାଞ୍ଜନା କହିଲା, କେଶ୍‌ ତ ହେବ !! ଏଇ ରକମ ଗୋଟାଏ ପାଷାଣ୍ଡ ସ୍ୱାମୀ, ତାକୁ ଧରି କେହି ଘର କରିପାରେନା ।

 

ହୁଁ....

 

ନିରଞ୍ଜନ ଏଇ ଦୀର୍ଘ ସ୍ୱରର ଲଜ୍ଜିତା ହେଲା ନୀଳାଞ୍ଜନା । ପୁଣି ଉତ୍ସାହିତ ବି ହେଲା । କହିଲା, ତା’ପରେ ସେ କ’ଣ କଲେ ?

 

ହସିଲା ନିରଞ୍ଜନ । କହିଲା, ଏଇଟା ପାଇଁ, ଏତେ ଅବତରଣିକା । ମୁଁ କିନ୍ତୁ ମୋଟେ ପାଷାଣ୍ଡ ନୁହେଁ । ସେଇଦିନ ତାକୁ ତା’ ମା’ଙ୍କ ପାଖରେ ପହଞ୍ଚେଇ ଦେଇଆସିଥିଲି ।

 

ଅନୁର ବାବା ନଥିଲେ । ଭାଇ ଭଉଣୀ ବି ନ ଥିଲେ ।

 

ମା’ ଝିଅକୁ ଦେଖି ଭୋ ଭୋ କରି କାନ୍ଦି ଉଠିଥିଲେ । ତାଙ୍କୁ ଲଙ୍ଘନ କରିବାର ଅପରାଧଟା ବଡ଼ କରି ଦେଖିନଥିଲେ ସେ । ଝିଅର ଦୁର୍ଦ୍ଦଶାଟା ବଡ଼ କରି ତାଙ୍କ ଆଖିଆଗରେ ଫୁଟିଉଠିଥିଲା ।

 

ମୋ ମା’ଙ୍କୁ ମୁଁ ଦେଖିଥିଲି । ସେଦିନ କିନ୍ତୁ ମୋ ଆଗରେ ଆଉ ଏକ ମାତୃ ଅନ୍ତରର ଉଦ୍‌ଘାଟନ ହେଇଗଲା ।

 

ମୁଁ ଅବାକ୍‌ ହେଲି । ଆଶ୍ଚର୍ଯ୍ୟ ବି ହେଲି ।

 

ଅନୁର ମା’ ଆଧୁନିକ ନୁହନ୍ତି, କିନ୍ତୁ ଆଧୁନିକ କାଳର ସମସ୍ୟା ଏଇ ଦ୍ୱନ୍ଦ୍ୱ, ତାଙ୍କୁ ଆଦୌ ବିଚଳିତ କଲାନାହିଁ । କହିଲେ, ଆଉ ନୁହେଁ, ପୂର୍ବ ଜନ୍ମ ତୋର ଶେଷ ହୋଇଛି । ଏଥର ପରଜନ୍ମ ପାଇଁ ତିଆରହ ।

 

ଅଭାବିତ ଉତ୍ତର ଏ । ଅଦ୍ଭୁତ ଯୁକ୍ତି । ଏକବାରେ ଅକାଟ୍ୟ । କିନ୍ତୁ ଆଉରି ଅଦ୍ଭୁତ ତାଙ୍କର ବିଚାର କ୍ଷମତା । ମଣିଷକୁ ବିବେକର ବିଚାରାଳୟରେ ଠିଆ କରାଇ କେଉଁ ଭାବରେ ଯେ ରାୟ ଦେବାକୁ ହୁଏ, ମୁଁ ବୋଧେ ପ୍ରଥମ ଆଉ ଶେଷଥର ପାଇଁ ତାଙ୍କ ପାଖରେ ସେଇଦିନ ଦେଖିଲି-

 

ନିଜକୁ ବଡ଼ ନିର୍ଭୟ ମନେହେଲା । ନିରାପଦ ବି ମନେହେଲା ।

 

ଅନୁ ସେଇ ଅଭୟ ମାତୃ କୋଳରେ ଶୋଇ ଶୋଇ କାନ୍ଦି ଚାଲିଲା । ଆଖି ଲୁହରେ ବୋଧେ ପ୍ରାୟଶ୍ଚିତ କରୁଥିଲା ସେ ।

 

ମା’ର ସାହସ ପାଇ ଉତ୍ସାହିତ ହେଇଉଠିଲା ଅନୁ ।

 

କେଶ୍‌ ଚାଲିଲା ।

 

ଭାଇ, ବନ୍ଧୁ, ଆତ୍ମିୟମାନେ କେହି ନିନ୍ଦା କଲେ, କେହି ବା ସହାନୁଭୂତି ଦେଖେଇଲେ । କିନ୍ତୁ ଅନୁର ମା’ କାହାକୁ ଭ୍ରୂକ୍ଷେପ କଲେ ନାହିଁ । କହିଲେ, ନିନ୍ଦା, ପ୍ରଶଂସା ତ ହାତ ଟେକି ଦେବାକୁ ହୁଏନା । ମୁହଁର କଥା ଖୁବ୍‌ ସହଜ ।

 

କଥାଟା ଶୁଣି କେହି କେହି ଓଠ ବଙ୍କେଇ ହସିଲେ । ଆଢ଼ୁଆଳରେ କହିଲେ, ଯେମନ୍ତ ମା’, ତେମନ୍ତ କନ୍ୟା ।

 

କଥାଟା ଅନୁ ମା’ଙ୍କର ଅଜଣା ରହିଲା ନାହିଁ । କହିଲେ, ଠିକ୍‌ କଥା ତ !

 

ମୋର ବି ସେଇଆ ମନେହେଇଥିଲା ।

 

ମା’ ସହିତ ଲାଗିପଡ଼ିଲା ଅନୁ । ବିଖ୍ୟାତ ଆଡ଼ଭୋକେଟ୍‌ ଠିଆ କରେଇଲା । ସ୍ୱାମୀ ଅତ୍ୟାଚାରୀ । ସେଥିପାଇଁ ବହୁ ସାକ୍ଷୀ, ବହୁ ପ୍ରମାଣରେ ପ୍ରୟୋଜନ । ସବୁ କରେଇଲା ଅନୁ ।

 

ମତେ କିଛି କହିବାକୁ ହେଲା ।

 

ଅନୁ କହିଲା, ତମେ ଜୀବନର ଏଇ କୁତ୍ସିତ ଦୀନତାର ବହୁ ଊର୍ଦ୍ଧ୍ୱରେ । ସନ୍ଦେହୀ ଲୋକର ଦୃଷ୍ଟି ସାମନାରେ ମୁଁ ତମକୁ ଠିଆ କରେଇ ପାରିବିନି ।

 

ଅତି ସାଧାରଣ ମୁଁ । ମୋ ଭିତରୁ ସେ କେଉଁ ଅସାଧାରଣତ୍ୱର ଦେଖାପାଇଥିଲା କେଜାଣି, ମୁଁ ବୁଝିପାରିନଥିଲି ।

 

ମକଦ୍ଦମା ଶେଷ ହେବାକୁ ଛଅ ମାସରୁ ବେଶି ଲାଗିଥିଲା ।

 

କିନ୍ତୁ ଏଇ ଦୀର୍ଘ ସମୟ ଭିତରେ ମିମିକି ଛାଡ଼ି ଅନୁ ନିଜ ପାଇଁ ବ୍ୟସ୍ତ ହେଇଉଠିଥିଲା ।

 

ବିସ୍ମିତ ହେଇଥିଲି ମୁଁ । ଭାବିଥିଲି ଝିଅମାନେ କେବଳ ମା’ର ଜାତି ନୁହନ୍ତି, ସ୍ୱାର୍ଥପରର ଜାତି ବି ।

 

କିନ୍ତୁ ମୁହଁ ଖୋଲି ଅନୁକୁ କିଛି କହନଥିଲି । ତା’ ମା’ଙ୍କୁ ବି କେବେ କିଛି କହିବାର ଶୁଣିନଥିଲି ।

 

ମୋର କିନ୍ତୁ ସେଇ ହତଭାଗ୍ୟ ଶିଶୁଟିର କଥା ବାରମ୍ବାର ମନେପଡ଼ୁଥିଲା । ହୁଏତ ମା’କୁ ହରେଇ, ବାପର ସ୍ନେହ ବି ସେ ହରେଇଛି ।

 

ନିଜକୁ ବଡ଼ ବେଶୀ ସ୍ୱାର୍ଥପର ମନେହେଉଥିଲା ମୋର । ମୁଁ ଶ୍ୱସ୍ତି ପାଉନଥିଲି ।

 

ମକଦ୍ଦମାରେ ଅନୁ ଜିତିଥିଲା ।

 

ରାୟ ବାହାରିବା ଦିନ ବହୁ ଆତ୍ମୀୟସ୍ୱଜନ ଧରି ମିଷ୍ଟର ରାୟ ଆସିଥିଲେ । ବୋଧେ ଆଶା କରିଥିଲେ ସେ ଜିତିବେ ।

 

ଅନୁର ବି ଅନେକ ଆପଣାର ଲୋକ ଆସିଥିଲେ ।

 

ଦୁଇ ପକ୍ଷର ବାକ୍‌ବିତଣ୍ଡା, ନିନ୍ଦା ପ୍ରଶଂସାର କଳହରେ କୋର୍ଟ ପ୍ରାଙ୍ଗଣ ମୁଖରିତ ହେଇଉଠିଥିଲା ।

 

ମୁଁ ବି ଆଉ ଅନୁର ମନା ମାନି ରହିପାରିନଥିଲି । ଛୁଟି ନେଇଯାଇଥିଲି ।

 

ଅନୁ ସପକ୍ଷରେ ଜଜ୍‌ ଅନୁକୂଳ ମତ ପ୍ରକାଶ କରିଥିଲେ ।

 

ମିଷ୍ଟର ରାୟଙ୍କ ବିପକ୍ଷରେ ସମସ୍ତ ସାକ୍ଷ୍ୟ ପ୍ରମାଣ ହେଇଯାଇଥିଲା ।

 

ଅନାକାଂକ୍ଷିତ ବିବାହ ବନ୍ଧନରୁ ଅନୁ ମୁକ୍ତି ପାଇଥିଲା ।

 

ମିଷ୍ଟର ରାୟଙ୍କ ମୁହଁ ଝାଉଁଳି ପଡ଼ିଥିଲା । ଚିଡ଼ିଆଖାନାର ସିଂହ ପରି ସେ ହୁଙ୍କାରି ଉଠି ଚୁପ୍‌ କରି ଯାଇଥିଲେ । ତାଙ୍କର ହୁଏତ ମନେପଡ଼ିଥିଲା, ସ୍ୱାଧୀନତା ସେ ପାଇନାହାନ୍ତି, ଅନୁ ପାଇଛି ।

 

ରାୟ ଶୁଣି ଅନୁର ମା’ ଲୁହ ପୋଛିଥିଲେ ।

 

ଅନୁ ମୋ ପାଖକୁ ଦୌଡ଼ି ଆସିଥିଲା । ଅବୁଝା ନିରାଶ୍ରୟା ବାଳିକା ପରି ମୋ ଉପରେ ଝାଂପି ପଡ଼ି କେବଳ କାନ୍ଦିଥିଲା ସେ ।

 

ନିଜକୁ ସଂଦୃତ କରିବାକୁ ଚେଷ୍ଟା କରିଥିଲି ମୁଁ କିନ୍ତୁ ପ୍ରବୃତ୍ତିର ସେଇ ସ୍ପନ୍ଦନ, ସମଗ୍ର ସତ୍ତା ଦେଇ ଅନୁଭବ କରିବାର ସେଇ ରୋମାଞ୍ଚ ଆଉ କୌଣସି ଦିନ ମୋର ଏ ଦେହ ମନରେ ଜାଗିବ ନାହିଁ ।

 

ଆଖପାଖରେ ଅନେକ ଲୋକ ଥିଲେ । ଏ ଦୃଶ୍ୟ ଅନେକଙ୍କର ଦୃଷ୍ଟିବି ଆକର୍ଷଣ କରିଥିଲା । କିନ୍ତୁ ମୁକ୍ତିର ସେଇ ଆନନ୍ଦାଶ୍ରୁ ସେଦିନ ସମସ୍ତ ଲଜ୍ଜା, ସଙ୍କୋଚକୁ ଯେପରି ବର୍ଜନ କରିଆସିଥିଲା ।

 

କହି କହି ନିରଞ୍ଜନ ନୀରବ ହେଲା ।

 

ବାହାରେ ବର୍ଷା କମି ନାହିଁ । କିନ୍ତୁ ସମୟର ଚକ ଘୂରିଛି । ଦୂରର କେଉଁ କଦମ୍ବ ମୂଳରେ ଘନ ହେଇ ଆସୁଛି ଶ୍ରାବଣର ରାତି ।

 

ନୀଳାଞ୍ଜନା କହିଲା, ସାତଟା ବାଜୁଛି ।

 

ନିରଞ୍ଜନ କଥା କହିଲା ନାହିଁ । କେବଳ ସମୟର ଗତି ଲକ୍ଷ୍ୟ କରିବାକୁ ଲାଗିଲା । ଏତେ ବର୍ଷାରେ ସୁଦ୍ଧା ମହାନଗରୀର ପଥେ ପଥେ ଆଲୁଅ ଜଳିଲାଣି । ଘର ଭିତରେ ବି ଆଲୋକର ପ୍ଳାବନ । ଥଣ୍ଡା ପବନର ଝଲକରେ ବର୍ଷାର ରେଣୁ ଆସି ଦେହରେ ଲାଗୁଛି । ସିକ୍ତ ଆମୋଦର ଗୋଟାଏ ଅକାରଣ ପୁଲକ ଯେପରି ବହୁଦିନର ଶ୍ରାନ୍ତ ପ୍ରାଣଟାକୁ ଛୁଇଁ ଛୁଇଁ ଯାଉଛି ।

 

ନୀଳାଞ୍ଜନା ଉଠି ଠିଆହେଲା । ଆଗେଇ ଯାଇ ଖୋଲା ଝରକାଟା ବନ୍ଦ କରିବାକୁ ହାତ ବଢ଼େଇଲା ।

 

ନିରଞ୍ଜନ କହିଲା, ଥାଉ ।

 

ଆସ୍ତେ କରି ନୀଳାଞ୍ଜନା କହିଲା, ଅଦ୍‌ଭୁତ ।

 

ଅଭିଭୂତ ପରି ନିରଞ୍ଜନ କହିଲା, ତମେ ଆଉରି ଅଦ୍‌ଭୁତ । ଅଦ୍‌ଭୁତ ନ ହେଇଥିଲେ ଏଠିକି ଛୁଟି ଆସିନଥାନ୍ତ । ପାଞ୍ଚଟାଠୁ ସାତଟା ପର୍ଯ୍ୟନ୍ତ ଗୋଟାଏ ଖିଆଲ ଖୁସିର ଗଳ୍ପ ଶୁଣି କଟେଇ ଦେଇପାରିନଥାନ୍ତ ।

 

ନୀଳଞ୍ଜନା ଚିହିଁକି ଉଠିଲା, ଚିଡ଼ି ବି ଉଠିଲା । ସମୟ ସେ କଟେଇ ଦେଇପାରେ । କିନ୍ତୁ ଖିଆଲା ଖୁସିର ଗଳ୍ପ ଶୁଣି ନୁହେଁ । ଗଳ୍ପଟା ଆଜି ହୁଏତ ମୂଲ୍ୟହୀନ ହେଇପଡ଼ିଛି । କିନ୍ତୁ ନିରଞ୍ଜନ ତା’ ପାଇଁ ତ କମ୍‌ ଦାମ ଦେଇ ନାହିଁ ।

 

ନିରଞ୍ଜନ କହିଲା, ମିଛ କହିଛି ?

 

ଅନେକ ମିଛ ।

 

ହସିଉଠି ନିରଞ୍ଜନ କହିଲା, ସବୁଟା ନୁହେଁ କିନ୍ତୁ । ବଞ୍ଚେଇଲ । ବଞ୍ଚିବା ପାଇଁ ଯେ ମଣିଷର କେତେ ଚେଷ୍ଟା......

 

ନିରଞ୍ଜନର ସ୍ୱର ପୁଣି ଗମ୍ଭୀର ଶୁଣାଗଲା । ପୁଣି ସେଇ ଭାବ ପ୍ରବଣତା ସ୍ପଷ୍ଟ ହେଇଉଠିଲା ତା’ ମୁହଁର ଚେହେରାରେ ।

 

ଏଇଟା ଯେ ସହଜ ପରିହାସର କଥା ନୁହେଁ, ନୀଳାଞ୍ଜନା ବୁଝିଲା । ଗାଢ଼ ସ୍ୱରରେ କହିଲା, ବଞ୍ଚିବାପାଇଁ ଚେଷ୍ଟାନଥିଲେ କର୍ମ ନଥାନ୍ତା । କର୍ମ ନଥିଲେ ମଣିଷର ଜୀବନଟା ନିରର୍ଥକ ହେଇଉଠୁଥାଆନ୍ତା ।

 

ନିରଞ୍ଜନ କହିଲା, ତଥାପି ବଞ୍ଚୁ ନାହିଁ । ଜୀବନଟା ଅନେକ ସମୟରେ ଅର୍ଥ ଶୂନ୍ୟ ମନେହେଉଛି ।

 

ବେଳେ ବେଳେ ଅନୁକୁ ମନେପଡ଼େ । ମୋର ଏଇ ଅବିଶ୍ରାନ୍ତ ଜୀବନର ଗତି ଭିତରେ ତା’ର ସେଇ ଚେଷ୍ଟାର ପ୍ରଶ୍ନବାଚୀଟା ଯେପରି ବଡ଼ କରି ଦେଖାଦିଏ । ଅର୍ଥହୀନ ମନେହୁଏ ମଣିଷକୁ । ମିଥ୍ୟାବାଦୀ ମନେହୁଏ । ପୁଣି ବୁଦ୍ଧିହୀନ, କପଟଚାରୀ ବି ମନେହୁଏ ।

 

କିନ୍ତୁ ଅନୁ, ଅନୁଛଡ଼ା ପୁଅବୀର ଆଉ ଯେତେ ବ୍ୟର୍ଥ ପ୍ରେମିକ, ପ୍ରେମିକା, ଯେଉଁମାନେ ବ୍ୟର୍ଥତାର ଏଇ ଦୈନ୍ୟକୁ ଭୁଲିବାକୁ ଚେଷ୍ଟା କରି, ଭୁଲିପାରନ୍ତି ନାହିଁ, ସେମାନେ କ’ଣ ଏଇ ଧାରଣାକୁ ଜୀବନର ସତ୍ୟ ବୋଲି ମାନିନେଇପାରନ୍ତି ?

 

ଜାଣେନା ମୁଁ । ତଥାପି ଜାଗରଣର କ୍ଳାନ୍ତିରେ କିମ୍ବା ନିଦ୍ରାର ସ୍ୱପ୍ନ ଭିତରେ ଅସହାୟ ମଣିଷ ନିଜକୁ ଆବିଷ୍କାର କରେ । ନିଜର ସ୍ୱରୂପକୁ ଚିହ୍ନିପାରେ ।

 

ଆଜି ତମ ପାଖରେ ଅସ୍ୱୀକାର କରିବି ନାହିଁ । ଅନ୍ୟ କାହାରି ପାଖରେ ବି ନୁହେଁ ।

 

ଅପମାନ, ନିନ୍ଦା, ବିଦ୍ରୂପର ଭୟ ମୋର ଏଇ ସ୍ୱୀକୃତିକି ଡରେଇ ଦେଇପାରିବ ନାହିଁ । ମୁଁ ତାକୁ ଭଲପାଇଥିଲି । ସମ୍ପୂର୍ଣ୍ଣରୂପେ ସେଇ ସମବୟସୀ ପାଖରେ ମୁଁ ନିଜକୁ ସମର୍ପଣ କରିଥିଲି ।

 

ସମର୍ପଣର ସେଇ ମଧୁର ମତ୍ତତା ଜୀବନରେ ଆଉ କେଉଁଠି ମିଳେ କି ନାହିଁ ମୁଁ ଜାଣେନା । କିନ୍ତୁ ପ୍ରେମର ସେଇ ଅଦ୍ଭୁତ ଯନ୍ତ୍ରଣା, ଯନ୍ତ୍ରଣା ଭିତର ଦେଇ ତା’ର ସେଇ ଅପୂର୍ବ ସ୍ନିଗ୍‌ଧତା ମୋର ସମସ୍ତ ଦେହ ମନକୁ ଯେମିତି ଏକ ଆଲୋକିକ ରହସ୍ୟରେ ଆବୃତ୍ତ କରି ରଖିଥିଲା ।

 

ମୁଁ କାଙ୍ଗାଳ ହୋଇଯାଇଥିଲି । ସବୁ ହରେଇ ଦରିଦ୍ର ହେଇଯାଇଥିଲି ।

 

ଏଇ ପର୍ଯ୍ୟନ୍ତ କହି ପୁଣି ବନ୍ଦ ହେଲା ନିରଞ୍ଜନ । ପୁଣି ଅନ୍ତରର କେଉଁ ଅତଳରେ ନିମଗ୍ନ ହେଇଗଲା ସେ ।

ଅନେକ କ୍ଷଣର ନିର୍ବାକତା କଟେଇ ପୁଣି ଚଞ୍ଚଳ ହେଇଉଠିଲା ନୀଳାଞ୍ଜନା । କହିଲା, ସେ କେଉଁଠି ?

ସେ ଆସିନାହିଁ ।

ଆସିନାହିଁ ?

ନା ଶେଷ ପର୍ଯ୍ୟନ୍ତ ସେ ଆସିପାରିଲା ନାହିଁ ।

ବୁଜି ହେଇଆସୁଥିବା ସ୍ୱରଟାକୁ ଟାଣି ଟାଣି ନିରଞ୍ଜନ କହିଲା, ମୋର ହାତଧରି ନୂଆ ଜୀବନର ସ୍ୱପ୍ନ ସେ ଦେଖିଥିଲା । ନୂଆ ସଂସାରରେ ପଦାର୍ପଣର ସାହସ ସଞ୍ଚୟ କରିଥିଲା । କିଛିଟା ଆଗେଇ ବି ଆସିଥିଲା ।

କିନ୍ତୁ ବାଧା ପଡ଼ିଥିଲା । ଦେଇଥିଲା ଆଉ କେହି ନୁହେଁ, ପାଷାଣ୍ଡ ସ୍ୱାମୀର ଶିଶୁ ସନ୍ତାନ ମିମି ।

ମିମି ?

ହଁ ମିମି । ଲୋକ ଗହଳି ଭିତରେ ମିମି ତା’ର ମା’କୁ ଚିହ୍ନିପାରିଥିଲା । ବାବାର ହାତ ଛାଡ଼ିଦେଇ ଦୌଡ଼ି ଆସିଥିଲା ସେ । ମା’ ମା’ ଡାକିଥିଲା ।

ପରିଚିତ ସେଇ ସ୍ୱର ବହୁଦିନପରେ ଅନୁକୁ ଉଚ୍ଚକିତ କରିଥିଲା । ବିଚଳିତ ବି କରିଥିଲା-

ମତେ କିନ୍ତୁ ଭାରି ଭଲ ଲାଗିଥିଲା ।

ସେଇ ମୁହୂର୍ତ୍ତରେ ମୁଗ୍‌ଧା ଅନୁଠାରୁ ଅବୋଧ ମିମିକି ବେଶୀ ଭଲପାଇଥିଲି ମୁଁ ! କୋଳରେ ଧରି ଆଦର କରିଥିଲି ।

ମିଷ୍ଟର ରାୟ କିନ୍ତୁ କ୍ଷିପ୍ତତା, ମା’ର ଅମନଯୋଗୀତା କିନ୍ତୁ ମିମିକି ଅଟକେଇ ରଖିପାରିଲା ନାହିଁ । ଅନୁକୁ କୁଣ୍ଢେଇପକେଇ ସେ କହିଲା, ତମେ କେଉଁଠି ଥିଲ ମା’ ! ତମେ କ’ଣ ମରିଯାଇଥିଲ ?

ଅନୁ ମୋ ମୁହଁକୁ ଅନେଇଲା ।

ମୁଁ ଅନେଇଲି ମିମିକି ।

ନିରୀହ ଅଜ୍ଞାନ ଶିଶୁ । ତା’ର ନିର୍ମଳ ମନାକାଶରେ ମିଷ୍ଟର ରାୟ ଦାଗ କାଟିବାକୁ ଛାଡ଼ିନାହାନ୍ତି ।

ଅନୁ ବୋଧେ ଓଠ କାମୁଡ଼ି ଦୀର୍ଘଶ୍ୱାସ ଚାପୁଥିଲା ।

ମିମି ତା’ର ଛୋଟ ହାତ ଦୁଇଟିର ସବୁ ଜୋରଦେଇ ନିବିଡ଼ ଭାବରେ ମା’କୁ ତା’ର ଜଡ଼େଇ ଧରି କହିଲା, ମର, ଯାହାକର, ମୁଁ ଆଉ ତମକୁ ଛାଡ଼ିବିନି ।

ଛାଡ଼ିଲାନି । ମିମି । ତା’ ମା’ ତା’ର ହେଇ ରହିଗଲା ।

ମୁଁ କିନ୍ତୁ ମିମି ସହିତ ତା’ର ମା’କୁ ଚାହିଁଥିଲି । ସେଇ ଆଶା ନେଇ ଖୁସି ହେଇଥିଲି ।

ମିମି ସେ ଅନ୍ୟର ସନ୍ତାନ, ସେଥିପାଇଁ ମୋର କୌଣସି ଭାବାନ୍ତର ଆସିନଥିଲା । ତା’ର ସରଳ ଶିଶୁ ସ୍ୱଭାବ ମୋ ଭିତରେ ବାତ୍ସଲ୍ୟର ଝରଣା ସୃଷ୍ଟି କରିଥିଲା । ବହୁଦିନର ପରିଚିତ ତା’ ସହିତ ମତେ ଘନିଷ୍ଠ କରିପାରିଥିଲା ।

କିନ୍ତୁ ଭାବାନ୍ତର ଅନୁରହିଁ ଘଟିଥିଲା ।

ମୋର ଏଇ ଆନ୍ତରିକତାକୁ ସେ ହୁଏତ ଠିକ୍‌ ଗ୍ରହଣ କରିପାରିନଥିଲା । କିମ୍ବା ମିମି ପାଇଁ ମତେ ବିଶ୍ୱାସ କରିପାରିନଥିଲା ।

ଏଥିପାଇଁ ତାକୁ ଦୋଷ ଦେଇନଥିଲି ମୁଁ । କିନ୍ତୁ ଅସୁଖୀ ଦେଇଥିଲି । ଆଘାତ ବି ପାଇଥିଲି ।

ଅନୁ ଯେ ମିମିକି ନେଇ ସୁଖୀ ହେଇଥିଲା, ତା’ ନୁହେଁ । ଆଖିରୁ ଲୁହ ପୋଛି ମତେ ସାନ୍ତ୍ୱନା ଦେବାକୁ ଚେଷ୍ଟା କରିଥିଲା ସେ । କହିଥିଲା, ତମେ ମତେ କ୍ଷମାକର । ଅନ୍ୟରି ବିଷବୃକ୍ଷ ତମ ଘରେ ମୁଁ ରୋପଣ କରିପାରିବି ନାହିଁ ।

ମୁଁ ପ୍ରତିବାଦ କରିନଥିଲି । ଜାଣିଥିଲି ପ୍ରତିବାଦ କରିବା ବୃଥା ।

କିନ୍ତୁ ମୋର ଅନ୍ତର ଅନୁ କଥାକୁ ଆଦୌ ସମର୍ଥନ କରିପାରିନଥିଲା ।

ଅନୁ କହିଲା, ମୁଁ ଜାଣେ ତମେ କ୍ଷୁବ୍‌ଧ ହେଉଛ । କିନ୍ତୁ କ୍ଷଣକ ପାଇଁ ମୁଁ ସେଇ ଇତରର ଦୂଷିତ ରକ୍ତକୁ ଭୁଲିଯାଇ ପାରୁନାହିଁ ।

ଅନୁକୁ ମୁଁ ଜବାବ ଦେଇପାରିନଥିଲି । ତା’ର ହାତ ଧରି କାନ୍ଦିନଥିଲି । ଏ ନିଃସ୍ୱ ଜୀବନଟା ପାଇଁ ତା’ ପାଖରେ ଭିକ୍ଷା ମାଗିନଥିଲି ।

କେବଳ ଭାବିଥିଲି, ଦିନପରେ ଦିନ ଭାବିଥିଲି । ଭଗବାନ ଯାହାକୁ ଦରିଦ୍ର କରି ଜନ୍ମଦିଏ ତାକୁ ପୁଣି ଏଇଭାବେ ପ୍ରବଞ୍ଚିତ କରେ କାହିଁକି ?

ଅନୁର ମୋର ଦେଖାହେଉଥିଲା । କିନ୍ତୁ ଆମ ଭିତରେ ଆଉ କୌଣସି କଥାନଥିଲା । ନିଜ ପାଇଁ ଆମର ସବୁ କଥା ଶେଷ ହୋଇଥିଲା ।

ତଥାପି ଯେ କାହିଁକି ଦେଖା ହେଉଥିଲା, ଜାଣେନା । ତାକୁ ଦେଖିଲେ ମୋର ସମସ୍ତ ଶିରାପ୍ରଶିରା ଯେପରି ନିଦାରୁଣ ଏକ ବେଦନାରେ ସ୍ପନ୍ଦିତ ହେଇଉଠୁଥିଲା ।

ସେଇ ମୂକ ଯନ୍ତ୍ରଣାର ଭାରରେ ଅନୁ ହୁଏତ କାତର ହେଇପଡ଼ୁଥିଲା । କିନ୍ତୁ ଆଖି ଲୁହକୁ ଚିରକାଳର ସମ୍ବଳ କରିନେଇଥିଲା ସେ ।

 

ମୁଁ କିନ୍ତୁ ଆଉ ପାରିଲି ନାହିଁ । ଏ ଅବସ୍ଥା ଯେମିତି ମୋ ସହ୍ୟର ଶେଷ ସୀମାରେ ଆସି ପହଞ୍ଚିଥିଲା ।

 

ସେଦିନ ଅନୁକୁ ଦୂରରୁ ଲକ୍ଷ୍ୟକରି, ଖଗନାଥକୁ କହିଲି, ତମେ ଘର ବନ୍ଦ କରିଦିଅ । କୁହ ବାବୁ ଚାଲିଯାଇଛନ୍ତି ।

 

ମୋର ଏଇ ଆଚରଣ ଖଗନାଥକୁ ଆଶ୍ଚର୍ଯ୍ୟ କରିଥିଲା । ସନ୍ଦିଗ୍‌ଧ କରିଥିଲା ହୁଏତ । ତା’ର ବହୁ ରେଖାଙ୍କିତ ଗମ୍ଭୀର ହେଇଉଠିଥିଲା । କିନ୍ତୁ କୌଣସି ପ୍ରଶ୍ନ ସେ କରିନଥିଲା ।

 

ବୁଝିପାରି ଦୂରର ଅନୁକୁ ମୁଁ ଦେଖେଇ ଦେଇଥିଲି ।

 

ଖଗନାଥର ଦୃଷ୍ଟି ପୁଣି ପ୍ରସନ୍ନ ହେଇଉଠିଥିଲା । କେତେଦିନ ଧରି ଅନୁକୁ ଯେ ସେ ପସନ୍ଦ କରିପାରୁନଥିଲା, ମୁଁ ବୁଝିପାରିଥିଲି । ନିଶ୍ଚିନ୍ତ ଗୋଟାଏ ବ୍ୟବସ୍ଥା ପାଇଁ ମୋ ସହିତ ସେ ବି ନିଜ ଭିତରେ ଉଚ୍ଛନ୍ନ ହେଇପଡ଼ିଥିଲା ।

 

ଖଗନାଥ ଘର ବନ୍ଦ କରି ଚାଲିଗଲା । ବନ୍ଦ ଘର ଭିତରେ ବସି ବସି ଅସହ୍ୟ ଏକ ଜ୍ୱାଳାରେ ମୁଁ ଜଳିବାକୁ ଲାଗିଲି ।

 

ଅନୁ ପାଖକୁ ଆସିଲା । ମିମିକି ନେଇଆସିଥିଲା ସେ । ସେ ତାକୁ ଦେଖି ନ ପାରୁଥିଲେ ସୁଦ୍ଧା ତା’ର ଅଧା ଅଧା ମିଠା କଥା ମୋ କାନରେ ବାଜୁଥିଲା । ଛୁଟିଯିବାକୁ ଇଚ୍ଛା ହେଉଥିଲା । ଛାତିରେ ଯାକି ଧରି ପ୍ରାଣଭରି ଆଦର କରିବାକୁ ଇଚ୍ଛା ହେଉଥିଲା । କିନ୍ତୁ ମୁଁ ଚୁପ୍‌ କରି ବସି ରହିଲି-। ମିମିର ପ୍ରଚଣ୍ଡ ଆକର୍ଷଣ ମୋ ପକ୍ଷେ ଏକ ନିଷ୍ଠୁର ବିଡ଼ମ୍ବନାରୂପେ ଦେଖାଦେଇଗଲା ।

 

ଖଗନାଥ କହିଲା ବାବୁ ନାହାନ୍ତି ।

 

ଅନୁ ଜାଣିଥିଲା, ଏଇ ସମୟଟା ମୁଁ ଘରେଥାଏ । ତେବେ ବି ପଚାରିଲା, କୁଆଡ଼େ ଯାଇଛନ୍ତି ?

 

ଘର ଛାଡ଼ି ଚାଲିଯାଇଛନ୍ତି ।

 

ଖଗନାଥର କଥା ଅନୁକୁ ସ୍ତବ୍‌ଧ କରିଦେଇଥିଲା । ତା’ ଅଜ୍ଞାତ ସାରରେ ମୁଁ ଘର ଛାଡ଼ିପାରେ ନିଜ କଳ୍ପନାରେ ସୁଦ୍ଧା ସେ ଅବଧାରଣା କରିପାରିନଥିଲା ।

 

ପୁଣି ଥରେ ତା’ ଅହମିକାରେ ଆଘାତ ଲାଗିଲା ।

 

ମୁଁ ବୁଝିପାରିଥିଲି । ମିଷ୍ଟର ରାୟଙ୍କ ଅବମାନନା ଅନୁ ଭୁଲିଯାଇ ପାରିଲେ ବି ଏ ଆଘାତକୁ କୌଣସି ଦିନ ଭୁଲିଯାଇ ପାରିବିନି ।

 

ମନେହେଲା ଅନୁ ଯେମିତି ମାଟିରେ ମିଶିଯିବ । ବିଶ୍ୱାସ ଭଙ୍ଗର ହତାଶା ତା’ର ଅସ୍ତିତ୍ୱକୁ ଜାଳି ପୋଡ଼ି ନିଶ୍ଚିହ୍ନ କରିଦେବ ।

 

କିଛିକ୍ଷଣ ସେଇଠି ଠିଆ ହେଇ ରହିଲା ଅନୁ । ତା’ପରେ ମିନକି କୋଳ କରି ଆସ୍ତେ ଆସ୍ତେ ଫେରିଗଲା ସେ ।

 

ନିଶ୍ଚିନ୍ତ ହେଇ ଖଗନାଥ ଆସି ଦୁଆର ଖୋଲି ଦେଇଗଲା ଦୂରରୁ ମୁଁ ତାକୁ ଶେଷଥର ପାଇଁ ଦେଖିନେଲି ।

 

ଅନେକଥର ତାକୁ ମୁଁ ଏମିତି ଦେଖିଛି । ନିକଟରେ ଠିଆହେଇ ବି ଦେଖିଛି ।

 

କିନ୍ତୁ ସେଦିନର ତା’ର ସେଇ ଅସହାୟ ମାତୃ ମୂର୍ତ୍ତିକି ମୁଁ ଚିରଦିନ ମନେରଖିଥିବି ।

 

ମିମି ବୋଧେ ତାକୁ କିଛି ପଚାରୁଥିଲା । ହାତ ହଲେଇ ଝିଅକୁ ବୁଝେଇବାକୁ ଚେଷ୍ଟା କରୁଥିଲା ଅନୁ । କିନ୍ତୁ କଥା କହିପାରୁନଥିଲା । ମୌନ ବ୍ୟଥାର ଏକ ଅଶ୍ରୁପିଣ୍ଡ ହୁଏତ ତା’ର କଣ୍ଠରୋଧ କରିଆସୁଥିଲା ।

 

ଇଚ୍ଛା ହେଉଥିଲା ଦୌଡ଼ିଯିବି । ମିମି ‘ସହିତ ତା’ ମା’ର ହୃଦୟରେ ପୁଣି ସେଇ ଚିରନ୍ତନ ଆଶ୍ୱାସନା ଆଣିଦେବି ।

 

କିନ୍ତୁ ମୁଁ ଯାଇପାରିଲି ନାହିଁ । କି ଏକ ବାଧା ମତେ ଯେପରି ଅଟକେଇ ରଖିଲା ।

 

ସ୍ଥାଣୁ ପରି ଠିଆ ହେଇ ରହିଲି ମୁଁ ।

 

ଅନୁଦୂରରୁ ଦୂରାନ୍ତରରେ ମିଳେଇଗଲା ।

ମୋର କିନ୍ତୁ ମନେହେଲା ଅନୁ ଅଛି । ସମଗ୍ର ପୃଥିବୀର ମାତୃ ଅନ୍ତରକୁ ମୋର ଆଖିଆଗରେ ଉଦ୍‌ଘାଟିତ କରି ଅନୁ ମୋର ପାଖେ ପାଖେ ରହିଯାଇଛି ।

ମୂଢ଼ ମୁଁ । ଅନ୍ଧ ମୁଁ । ମୋର ମା’କୁ ମୁଁ ଶ୍ରଦ୍ଧା କରି ରଖିଛି । ନାରୀକି ମୁଁ ମର୍ଯ୍ୟାଦା ଦେଇଜାଣିଛି । କିନ୍ତୁ କେବେହେଲେ ନିଜକୁ ବୁଝେଇ ଦେଇପାରିନାହିଁ । ଏସବୁର ଊର୍ଦ୍ଧ୍ୱରେ ଆଉରି କିଛି ଅଛି । ଯାହାର ତୁଳନା ମୋର କ୍ଷୁଦ୍ର ସ୍ୱାର୍ଥ ଆଉ ବୁଦ୍ଧି ଦେଇହୁଏନା ।

ମିଛ କହିବି ନାହିଁ । ମୋର ସେହି ନିଷ୍କରୁଣ ଦିନଗୁଡ଼ାକ ଭିତରେ ଅନୁକୁ ଘୃଣା ନକଲେବି ସ୍ୱାର୍ଥପର ମନେକରିଛି । ନିଷ୍ଠୁର ମନେକରିଛି ।

କିନ୍ତୁ ଅନୁର ସେଇ ଫେରିଯିବା ମୁହୂର୍ତ୍ତରେ ମୋର ଧାରଣାହେଲା ନୀଚ ସ୍ୱାର୍ଥପରତାକୁ ଅତିକ୍ରମ କରି ମହତତାର ବହୁ ଉପରେ ଅନୁର ପ୍ରେମ ପହଞ୍ଚି ପାରିଛି ।

ତା’ର ସେଇ ଆକୁଳ ମାତୃ ଅନ୍ତରରେ ମୋ ନିଃସଂଶୟ ପ୍ରେମ ଯେପରି ନବଜନ୍ମ ନେଲା । ମୁଁ ଶାନ୍ତ ହେଲି । ସଂଯତ ହେଲି ।

କଥା ବନ୍ଦ କରି ହସିଲା ନିରଞ୍ଜନ । କହିଲା, ଶୁଣି ଶୁଣି କ୍ଳାନ୍ତ ହେଇପଡ଼ିଲାଣି, ନୁହେଁ ?

ଖୁବ୍‌ ପୁରୁଣା ଗଳ୍ପ, ମଧ୍ୟଯୁଗୀୟ ସେଇ ପ୍ରେମ । କିଛିଟା ରୋମାଞ୍ଚ, କିଛିଟା ଆଦର୍ଶ, ପୁଣି କିଛିଟା କରୁଣ ରସରେ ରସାଣିତ ଗଳ୍ପ । ଆଜିକାଲି ଆଉ ଚଳେନା । ସେକାଳର ଏଇ ଭାବପ୍ରବଣତାକୁ ପାଠକ ଆଉ ପତ୍ରପତ୍ରିକାର ପୃଷ୍ଠାରେ ଦେଖିବାକୁ ଚାହେଁନା ।

ତେବେ ବି ଏଇଟା ଗଳ୍ପ । ଜୀବନର ଗଳ୍ପ । ଦୁଇଟି ବ୍ୟର୍ଥ ଯୌବନର ଗଳ୍ପ ।

କଥାର ଶେଷଆଡ଼କୁ ନିରଞ୍ଜନର ସ୍ୱର ବନ୍ଦ ହେଇଆସିଲା । କିଛିକ୍ଷଣ ମୁଣ୍ଡ ନୂଆଇଁ ବସି ରହିଲା ସେ । ତା’ପରେ ଧୀରେ ଧୀରେ କହିଲା, ୟା’ପରେ ମୁଁ ଆଉ ସେଠି ରହିପାରିଲି ନାହିଁ-। ଅନୁର ବହୁ ସ୍ମୃତିଜଡ଼ିତ ଜାଗାଟା ମତେ ପୁଣି ବିଭ୍ରାନ୍ତ କରିପାରେ ଏଇ ଭୟ ନେଇ ମୁଁ ପଳେଇଆସିଲି । ପଳେଇ ଆସି ଅନେକଟା ସୁସ୍ଥ ହେଲି ।

ଗଳ୍ପ ଶେଷ କରି ନିରଞ୍ଜନ ଦୀର୍ଘଶ୍ୱାସ ଛାଡ଼ିଲା । କହିଲା, ନୀଳା, ମଣିଷର ଘଟଣାବହୁଳ ଜୀବନଟାହିଁ । ରହସ୍ୟମୟ । ନିଜକୁ ଦେଇ ଏଇ ତୀବ୍ର କରୁଣ ଅନୁଭୂତି ମୁଁ ଅର୍ଜନ କରିନଥିଲେ, କେବେହେଲେ ନିଜର ସାମାନ୍ୟ ବୁଦ୍ଧି ଦେଇ ମୁଁ ବୁଝିପାରିନଥାନ୍ତି ।

ପ୍ରବହମାନ ଜୀବନର ଏଇସବୁ ଘଟଣାର ବଡ଼ ବଡ଼ ପଥରଖଣ୍ଡ ନିକଟରେ ମଣିଷ ଭାରି ଅସହାୟ, ଭାରି ନିରୂପାୟ ।

ନୀଳାଞ୍ଜନା ଏ କଥାର ଜବାବ ଦେଲା ନାହିଁ । ଦେବା ତା’ ପକ୍ଷେ ବୋଧେ ସମ୍ଭବ ନଥିଲା ।

Image